Unknown

 

 

 

 

 

 

 

 

 

 

 

ସଂବିତ୍‌

ଜଗନ୍ନାଥ ମଲ୍ଲିକ୍‍

 

ଉତ୍ସର୍ଗ

 

ଯେଉଁମାନେ ନିର୍ଯାତିତ ଅଥଚ ମୁକ୍ତିପାଇଁ ବ୍ୟାକୁଳ, ସେଇମାନଙ୍କ ଉଦ୍ଦେଶ୍ୟରେ ‘ସଂବିତ୍’ ମୋର ନୈବେଦ୍ୟ !

 

–ଲେଖକ

★★★

 

ନିଜକଥା

 

‘ସଂବିତ୍‌’କୁ ଏକ ଉପନ୍ୟାସ କରି ଲେଖିବି, ଏ କଥା କେବେ ଭାବି ନଥିଲି । କେବଳ ସମସ୍ୟା ଓ ତା’ର ସମାଧାନ ପାଇଁ ଚିନ୍ତା କରୁ କରୁ ଲେଖି ହୋଇଗଲା । ଆମର ସମସ୍ୟା ସବୁ ଅତ୍ୟନ୍ତ ଉତ୍କଟ ଓ ଜଟିଳ । ସମାଧାନର ଯେଉଁସବୁ ସୂତ୍ର ଏବେ ପ୍ରୟୋଗରେ ଚଳୁଛି, ତାକୁ ବିଚାର ଭ୍ରଷ୍ଟ ବୋଲି ମୁଁ ବିନୀତ ଭାବରେ ଅନୁଭବ କରେ । ସଫଳ ପ୍ରୟୋଗର ମାର୍ଗ କିଞ୍ଚିତ ଆବିଷ୍କାର କରିବାକୁ ମୁଁ ଏଥିରେ ଉଦ୍ୟମ କରିଛି । ଜାଣେନା ତାହା କେତେଦୂର ପସନ୍ଦ ଯୋଗ୍ୟ ହେବ ।

 

‘ସଂବିତ୍’ ଆମ ସମାଜର ଅବ୍ୟବସ୍ଥା ଓ କୁଶାସନର ଏକ ବିଶ୍ଳେଷଣ ! ବହୁ ଜାତି, ବହୁ ଭାଷା ଓ ବହୁ ଧର୍ମମତରେ ପରିପୂର୍ଣ୍ଣ ଭାରତବର୍ଷରେ ଗଣତାନ୍ତ୍ରିକ ସମାଜବାଦ ଏକ ଉପଯୁକ୍ତ ବ୍ୟବସ୍ଥା ହୋଇପାରେ । ମାତ୍ର ଦର୍ଶନ ଓ ପ୍ରୟୋଗରେ ଗୁରୁତର ବିରୋଧ, ତା’ର ବିକାଶରେ ପ୍ରଧାନ ଅନ୍ତରାୟ । ପୁଞ୍ଜିବାଦ ଅର୍ଥନୀତିର ଅବାଧ ବାଣିଜ୍ୟ ପୃଥିବୀର ଯୁଦ୍ଧର ଉତ୍ତେଜନାକୁ ଏଡ଼ାଇ ପାରି ନ ଥିଲା । ଊନବିଂଶ ଶତାବ୍ଦୀର ସମାଜବାଦୀ ଚିନ୍ତାର ଉଦ୍ଭାବନ ମଧ୍ୟ ଏବେ ସେ ଉତ୍ତେଜନାକୁ ପ୍ରଶମିତ କରିପାରି ନାହିଁ । ଶାନ୍ତିର ସହାବସ୍ଥାନ କେବଳ ଭୋଗର ସୁଷମ ବଣ୍ଟନ ଦ୍ୱାରା ସମ୍ଭବ । ରାଷ୍ଟ୍ରର ଗୋଷ୍ଠୀ ଜୀବନରେ ଯାହା ବାସ୍ତବ, ବିଶ୍ୱର ଆନ୍ତର୍ଜାତିକ ବୁଝାମଣାରେ ତାହା ସତ୍ୟ । ବଞ୍ଚିବା ଆଉ ବଞ୍ଚାଇବାର ନୀତି, ଶାନ୍ତି ଏବଂ ପ୍ରଗତିର ସୂତ୍ର !

 

ନିତାନ୍ତ ଶୁଷ୍କ ଏବଂ କଠୋର ତଥ୍ୟଗୁଡ଼ିକୁ ଦେଶର ସମସ୍ୟାମାନଙ୍କ ସାଙ୍ଗରେ ମିଶାଇ ଉପନ୍ୟାସର ଚରିତ୍ର ଭିତରେ ସରସ କରିବାକୁ ମୁଁ ଚେଷ୍ଟା କରିଛି । ପାଠକମାନଙ୍କ ଦ୍ୱାରା ଆଦୃତ ହେଲେ ଶ୍ରମ ସାର୍ଥକ ହେବ ।

 

ଶୋଷଣମୁକ୍ତ ସମାଜର ପ୍ରତିଷ୍ଠା ପାଇଁ କ୍ଷୁଧିତ ଜନତାର ମୁକ୍ତିସଂଗ୍ରାମ ସଫଳ ହେଉ—ଏତିକି କାମନା କରୁଛି ।

 

ବହିଟିର ପ୍ରକାଶନରେ ଫ୍ରେଣ୍ଡସ୍‌ ପ୍ରକାଶନର ସତ୍ତ୍ୱାଧିକାରୀ ବନ୍ଧୁ ଶ୍ରୀ ସହଦେବ ପ୍ରଧାନ, କ୍ୱାଲିଟି ପ୍ରେସର ସ୍ୱତ୍ତ୍ୱାଧିକାରୀ ବନ୍ଧୁ ଶ୍ରୀ ଜଗଦୀଶ ପାଣି ଏବଂ ବନ୍ଧୁ ଶ୍ରୀ ବିଚିତ୍ରାନନ୍ଦ ଜେନାଙ୍କର ଉଦାର ସହଯୋଗ ଭୁଲି ହେବନାହିଁ । ଉତ୍କଳ ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରାଧ୍ୟାପକ ଶ୍ରୀ ଯତୀନ୍ଦ୍ରମୋହନ ମହାନ୍ତି ପୁସ୍ତକର ପାଣ୍ଡୁଲିପି ପାଠକରି ମତେ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସହୃଦୟ ଚିତ୍ତରେ ପୁସ୍ତକଟିର ଭୂମିକା ଲେଖିଛନ୍ତି । ଏ ସମସ୍ତଙ୍କୁ ମୋର କୃତଜ୍ଞତା ଜଣାଉଛି ।

 

-ଜଗନ୍ନାଥ ମଲ୍ଲିକ୍‌

★★★

 

ଭୂମିକା

 

‘ସଂବିତ୍‌’ ଜଗନ୍ନାଥବାବୁଙ୍କର ପ୍ରଥମ ଉପନ୍ୟାସ ଓ ରାଜନୈତିକ ଉପନ୍ୟାସ । ଏହି ଦ୍ଵିତୀୟ ସୂଚନାରେ ହିଁ ‘ସଂବିତ’ର ବିଶେଷତ୍ୱ । ଓଡ଼ିଆରେ ରାଜନୈତିକ ଉପନ୍ୟାସ ବହୁତ କମ୍ । ପୁଣି ରାଜନୈତିକ ଚିନ୍ତାଧାରକୁ ଅଙ୍ଗାଙ୍ଗୀ ଭାବରେ ଉପନ୍ୟାସରେ ମୂର୍ତ୍ତ କରିବା ପ୍ରାୟ ନାହିଁ କହିଲେ ଚଳେ । ସେହି ଦୃଷ୍ଟିରୁ ‘ସଂବିତ୍‌’ରେ ଏକ ନୂତନ ଦିଗନ୍ତର ଆଭାସ ମିଳେ । ସମସାମୟିକ ରାଜନୈତିକ ଚିନ୍ତାଧାରାର ଆଲୋଚନା, ବିଶ୍ଳେଷଣ ଓ ରାଜନୈତିକ କ୍ଷମତାର ପରିସରରେ ଏହାର କାର୍ଯ୍ୟକାରୀତା ଉପନ୍ୟାସର ସଂଗଠନର ଗୋଟିଏ ଦିଗରେ ରହିଛି । ଅନ୍ୟ ଦିଗରେ ନୂତନ ଚିନ୍ତା, ତଥ୍ୟ ଓ ବିଶ୍ଳେଷଣର ପ୍ରସାର, ପରିଶେଷରେ ସାମଗ୍ରିକ ଭାବରେ ଉଭୟକୁ ମିଳିତ କରି ଏକ ଗଢ଼ି ଉଠୁଥିବା ଶିଳ୍ପ ନଗରୀର ପରିପ୍ରେକ୍ଷୀରେ, କେତେକ ବ୍ୟକ୍ତି ବିଶେଷଙ୍କର ଧ୍ୟାନ, ଧାରଣା, ଆଦର୍ଶର ପରସ୍ପର ସଂଘାତରେ ଉପନ୍ୟାସର ମୂଳ କଥା-ବସ୍ତୁ ପ୍ରସାରିତ ହେବା ସଙ୍ଗେ ସଙ୍ଗେ ଉପନ୍ୟାସର ସଂଗଠନରେ ରଜୁତା ଓ ସରଳତା ଆସି ପାରିଛି । ହୁଏତ ‘ସଂବିତ୍’ରେ ରାଜନୈତିକ ପରିବେଶ ଆହୁରି ପ୍ରସାରିତ ହୋଇ ପାରିଥାନ୍ତା ବା ରାଜନୈତିକ ବିଶ୍ଳେଷଣ ଓ ବ୍ୟକ୍ତି-ଜୀବନରେ ରାଜନୀତି ଆଦର୍ଶବାଦର ଜଟିଳ ସଂଘର୍ଷ ଆହୁରି ତୀକ୍ଷ୍‌ଣ, ଗଭୀର ଓ ଅନୁଭୂତି ସଂପନ୍ନ ହେବା ଉଚିତ ଥିଲା । ବିଶେଷ କରି ଆଲୋଚନା ଓ ଚିନ୍ତାର ଚକ୍ରକୁ ଅତିକ୍ରମ କରି ମୂଳ ଅନୁଭୂତି ହୁଏତ ଅଧ‌ିକତର ପ୍ରକଟିତ ଓ ଜୀବନ୍ତ ହୋଇ ପାରିଥାନ୍ତା । ଏହା ସତ୍ତ୍ୱେ ‘ସଂବିତ୍’ର ସୃଜନଶୀଳ ସଂଗଠନରେ ରାଜନୈତିକ-ଚେତନାର ସଂଚାଳନ, ଆଗରୁ ଯାହା କହିଛି, ବେଶ୍ ବିଶେଷତ୍ୱପୂର୍ଣ୍ଣ । ଲେଖକଙ୍କର ବିଶ୍ଵାସ, ସାଧୁତା ବିଶେଷକରି ଚାରିପାଖରେ, ଅତି କ୍ଷିପ୍ରଗତିରେ ଗଢ଼ି ଉଠୁଥିବା ଯନ୍ତ୍ର ଓ ଶିଳ୍ପ-ଜୀବନର ପରିବେଶରେ ମାନବିକ ମୂଲ୍ୟବୋଧର ସ୍ଥିତି-ସ୍ଥାପକତାର ପରୀକ୍ଷା ଉଭୟ ବ୍ୟକ୍ତି ଓ ଗୋଷ୍ଠୀ ପାଇଁ ଗୁରୁତ୍ୱପୂର୍ଣ୍ଣ । ‘ସଂବିତ୍‌’ରେ ପାଠକ ବର୍ତ୍ତମାନର ଜଂଜାଳଗ୍ରସ୍ତ ଜୀବନ ସଂପର୍କରେ ଅବହିତ ହେବା ସଙ୍ଗେ ସଙ୍ଗେ ଏହାକୁ ଅତିକ୍ରମ କରି ଏକ ନୂତନତର ଅଭିଳାଷ ଓ ସ୍ୱପ୍ନ ସଂପର୍କରେ ସଚକିତ ହୋଇ ଉଠେ । ଏହାହିଁ ବୋଧହୁଏ ‘ସଂବିତ୍‌’ର ସୁନ୍ଦରତମ ଅଂଶ । ଆଜି ଯେତେବେଳେ ଓଡ଼ିଆ ଉପନ୍ୟାସରେ ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ ଦୃଷ୍ଟିଭଂଗୀର ପ୍ରସାର ଅତି ବିରଳ, ବା ସାଧାରଣ ଭାବରେ ଭାଷା ଓ ଭାବ ଦୃଷ୍ଟିରୁ ଭଲ ଉପନ୍ୟାସର ସଂଖ୍ୟା ନଗଣ୍ୟ; ମନେହୁଏ, ‘ସଂବିତ୍’ର ପ୍ରକାଶ ପାଠକକୁ ଆଶାୟୀ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ଯେ ଏକ ନୂତନ, ସଚେତନଶୀଳ ପ୍ରତିଭା ସଫଳତର ଭାବରେ ରୂପାୟିତ ହୋଇ ପାରିବ ଏହି ବିଶ୍ୱାସ ଆଣିଦିଏ ।

 

ଯତୀନ୍ଦ୍ର ମୋହନ ମହାନ୍ତି,

ଉତ୍କଳ ବିଶ୍ୱବିଦ୍ୟାଳୟ

★★★

 

ଏକ

 

ଦାମନଯୋଡ଼ିର ଘଞ୍ଚଜଙ୍ଗଲ ସବୁ କାଟି ସଫାକଲାପରେ ଏବେ ସେଠାରେ ଦିନରାତି କାମ ଚାଲିଛି । କୋଠାବାଡ଼ି, ରାସ୍ତାଘାଟ ନିର୍ମାଣ କାମରେ ଠିକାଦାର, ଇନ୍‌ଜିନିୟର, ଶ୍ରମିକ, କାହାରିକୁ ଫୁର୍‌ସତ ନାହିଁ । ରାଜଧାନୀ ଭୁବନେଶ୍ୱରରୁ ବହୁ ବଡ଼ ବଡ଼ ଅଫିସର ମନ୍ତ୍ରୀମାନେ ତୁହାକୁ ତୁହା ଆସି ଆଡ଼ମ୍ବରପୂର୍ଣ୍ଣ ପରିଦର୍ଶନ କରି ଫେରି ଯାଉଛନ୍ତି । କାଲି ଯେଉଁଠି ଶ୍ୱାପଦ-ସଂକୁଳ ନିବିଡ଼ ଅରଣ୍ୟ ଥିଲା, ଆଜି ସେଠାରେ ଇଟା ପଥର ତିଆରି ଲୋଭନୀୟ ଅଟାଳିକାମାନ ନାନା ବେଶରେ ତୋରଣମାନ ସଜାଇ ଆମନ୍ତ୍ରଣ କରୁଛନ୍ତି ବିଚିତ୍ର ଭଙ୍ଗୀରେ । କାଲି ଯେଉଁଠି ନିର୍ଜୀବ, ନିଷ୍ଠୁର ପାହାଡ଼ ଦେହର ଭୟାବହ ଦାବାଗ୍ନି ପଶୁକୁଳକୁ ଦାରୁଣ ଯନ୍ତ୍ରଣାରେ ଖିନ୍‌ଭିନ୍ କରୁଥିଲା, ଆଜି ସେଠାରେ ଭୂଗର୍ଭ ଉତ୍ତୋଳିତ ଜଳରାଶିର ଶୀତଳ ସ୍ପର୍ଶରେ ରକ୍ତ କରବୀ, ଗୋଲାପ ଓ ନାନା ଜାତିର ପେନ୍ଥା ପେନ୍ଥା, ଅସୁମାରି ଫୁଲ ପରିବେଶଟିକୁ କାନ୍ତ-କୋମଳ, ସ୍ନିଗ୍‌ଧ-ମଧୁର କରିଦେଲାଣି । ଜୀବିକା ଉପାର୍ଜନ ଉଦ୍ଦେଶ୍ୟରେ ନାନା ଆଡ଼ୁ ଛୋଟବଡ଼ ବହୁ ବ୍ୟବସାୟୀ ନିଜ ନିଜର ବିପଣି ଖୋଲି ବସିଲେଣି । ସ୍କୁଲ କଲେଜ, ଡାକ୍ତରଖାନା, ଖେଳପଡ଼ିଆ ଇତ୍ୟାଦି ଗୋଟିକ ପରେ ଗୋଟିଏ ମୁଣ୍ଡଟେକି ଉଠି ଅଦୂର ଭବିଷ୍ୟତର ଚଳଚଞ୍ଚଳ ଜୀବନଯାତ୍ରାର ସଂକେତ ଦେଲାଣି । ଦିନସାରା ମାଳ ମାଳ ଗାଡ଼ି ମଟର ଧାଁ ଦଉଡ଼, ଇଟା, ପଥର, ବାଲି, ସିମେଣ୍ଟ, ପନିପରିବା ବୁହାବୋହିର ଭିଡ଼ ଭିତରେ ଦାମନଯୋଡ଼ିର ଦେହ ମନ ପ୍ରାଣ ଯେପରି କର୍ମମୁଖର ହୋଇ ଉଠିଲାଣି । ଦେଖିଲେ ମନେ ହେବ, ସେ ଯେପରି ଚିତ୍କାର କରି କହୁଛି—ହୀନବୀର୍ଯ୍ୟ ଓଡ଼ିଆ ଜାତି ! ଆଉ କେତେକାଳ ଏପରି ସ୍ଥାଣୁ ହୋଇ ଶୋଇ ରହିବୁ ! ମୋଗଲ, ମରହଟ୍ଟା, ଇଂରେଜୀର ଅତ୍ୟାଚାରରେ ଉତ୍‌ପୀଡ଼ିତ ଓଡ଼ିଆର ପ୍ରାଣ ଆଉ କେତେକାଳ ଅବସନ୍ନ ହୋଇ ରହିଥିବ ? ମାଟିତଳେ, ଅରଣ୍ୟରେ, ଅଥବା ନଦୀ-ସମୁଦ୍ର ଗର୍ଭରେ ଲୁକ୍‌କାୟିତ ବିପୁଳ ସଂପଦ ବିନିଯୋଗ ନକରି ଆଳସ୍ୟରେ ଦିନ କାଟିବାକୁ ଫୁରୁସତ୍‌ ବା ମିଳୁଛି କିପରି ?

 

ଗଢ଼ି ଉଠୁଥିବା ଦାମନ ଯୋଡ଼ିର ପ୍ରତିଟି ଜୀବନ ଗ୍ରନ୍ଥିରେ ଯନ୍ତ୍ରର ସ୍ପନ୍ଦନ । ନୂଆକରି ଆଶ୍ରମଟିଏ ଖୋଲିଛି । ବ୍ରହ୍ମପ୍ରକାଶ ଦାସ ତାର ପରିଚାଳକ । ଛୋଟ ବଡ଼ ମିଶି ପିଲା ସଂଖ୍ୟା ପଚିଶିରୁ ବେଶୀ ନୁହେଁ । ଦେଖିଲେ ମନେହେଉଛି ବହୁ ଅଭିଜ୍ଞତା ଓ ଅନୁଭୂତିର ଅବତାର । ନିଜେ ପଢ଼ିବା ଓ ପିଲାଙ୍କୁ ପଢ଼ାଇବା ଭିତରେ ସେ ବୁଡ଼ି ରହିଛନ୍ତି ଦିନରାତି । ବଡ଼ ସାଧୁ ପ୍ରକୃତିର ଲୋକ-। ଅନାଡ଼ମ୍ବର ବେଶଭୂଷା, ସରଳ ମଧୁର ବ୍ୟବହାର । ନିଷ୍କପଟ ମଣିଷ । ବୟସ ପଚାଶରୁ ବେଶୀ ନୁହେଁ । ବଡ଼ ନିରୁପଦ୍ରବ ଜୀବନ । ପରିପକ୍ୱ ଜୀବନର ଦୀର୍ଘ ଅଭିଜ୍ଞତା ନେଇ ସେ ଆସିଛନ୍ତି, ଜୀବନର ସ୍ୱପ୍ନକୁ ସଫଳ କରିବାପାଇଁ । ଦୁରନ୍ତ ସେ ସ୍ୱପ୍ନ । ବର୍ତ୍ତମାନସର୍ବସ୍ୱ ମଣିଷର ଧାରଣାତୀତ-। ତାଙ୍କର ବିଶ୍ଵାସ, ଅଶାନ୍ତି, ଉପଦ୍ରବ ଓ ଉତ୍ତେଜନାର ମୂଳ ଉତ୍ସ ହେଉଛି ସୁସ୍ଥ ମନର ଅଭାବ-। ସୁତରାଂ ସୁସ୍ଥ ମନ ଦେଇ ଭଲ ମଣିଷ ତିଆରି କରିନପାରିଲେ, ମଣିଷ ମଣିଷ ଭିତରେ ଆଜିର ଏ ଅଶାନ୍ତି ଉପଦ୍ରବ ଆଉ ଉତ୍ତେଜନାର ଅବସାନ ହୋଇପାରିବ ନାହିଁ ।

 

ବ୍ରହ୍ମପ୍ରକାଶଙ୍କର ସ୍ତ୍ରୀ ଅମ୍ବିକା ଦେବୀ । ବୟସ ପଇଁଚାଳିଶରୁ କମ୍ ନୁହେଁ । ସୁ ଗୃହିଣୀ ପତିଭକ୍ତିରେ ଏ ଯୁଗର ସାବିତ୍ରୀ । ଗୋଟିଏ ପୁଅ, ଗୋଟିଏ ଝିଅ । ଏକୋଇଶି ବର୍ଷର ପୁଅ ପ୍ରବୋଧକୁମାର କଟକ କଲେଜରେ ପଢ଼େ । ଝିଅ ପ୍ରଜ୍ଞା ମାଟ୍ରିକପରେ ଘରେ ରହି ମା’ଙ୍କୁ ସାହାଯ୍ୟ କରୁଛି । ଝିଅ ବିଷୟରେ ବ୍ରହ୍ମପ୍ରକାଶ ଆଉ ଅମ୍ବିକାଦେବୀଙ୍କ ମଧ୍ୟରେ ବେଳେ ବେଳେ କଥା ପଡ଼ିଲେ, ବ୍ରହ୍ମପ୍ରକାଶ କହନ୍ତି—ପ୍ରଜ୍ଞାଠାରୁ ମୁଁ ଗୋଟିଏ କଥା ଆଶାକରେ, ଅମ୍ବିକା । ସେ ତମର ସନ୍ତାନ ହିସାବରେ ମଣିଷ ସମାଜକୁ ଗୋଟିଏ ଭଲ ମଣିଷ ଦାନ କରୁ । ସେଇ ଜିନିଷଟିର ଅଭାବ ଆଜି ସବୁଠାରୁ ବେଶୀ । ଅମ୍ବିକାଦେବୀ ନୀରବ ହୋଇଯାଆନ୍ତି । ସେତେବେଳେ ସେ ସ୍ଵାମୀଙ୍କ ଆଖିକୁ ଚାହିଁ ଦେଖନ୍ତି, ସେ ଯେପରି ବହୁଦୂରକୁ ଚାହିଁରହି ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ ଉପରେ ନିଜର ଦୃଷ୍ଟି ସ୍ଥିର ରଖିଛନ୍ତି ।

 

ପ୍ରତିଦିନ ସଂଧ୍ୟାରେ ବ୍ରହ୍ମପ୍ରକାଶ ଝିଅକୁ ପାଖରେ ବସାଇ ଗପ ଶୁଣାନ୍ତି । ଅସୁମାରି କାହାଣୀ । ମହାଭାରତ ଓ ରାମାୟଣର ପ୍ରତ୍ୟେକ ଚରିତ୍ରକୁ ସେ ଏପରି ନିଖୁଣ ଭାବରେ ଆଙ୍କି ଦିଅନ୍ତି ଯେ ପ୍ରଜ୍ଞା ନିଜର ସତ୍ତା ପର୍ଯ୍ୟନ୍ତ ଭୁଲିଯାଏ । ଯୁଧିଷ୍ଠିରଙ୍କ ଭ୍ରାତୃପ୍ରେମ, ନିଷ୍ଠା ଧୈର୍ଯ୍ୟ; ରାମଚନ୍ଦ୍ରଙ୍କର ପିତୃଭକ୍ତି ଓ କୃଷ୍ଣ, ଅର୍ଜ୍ଜୁନଙ୍କର ସଖ୍ୟ ପ୍ରସଙ୍ଗ ବର୍ଣ୍ଣନା କଲାବେଳେ ପ୍ରଜ୍ଞା ଆଖି ଆଗରେ ଏକ ସୁନ୍ଦର ମଧୁର ସମାଜର ପ୍ରାଣପୂର୍ଣ୍ଣ ଚିତ୍ର ସ୍ପଷ୍ଟ ଭାବରେ ଭାସିଉଠେ । ପ୍ରଜ୍ଞା ଭାବେ ତା’ର ବାପା ଯେପରି ସେ କାଳରେ ସେଇମାନଙ୍କ ସାଙ୍ଗରେ ଘର ସଂସାର କରି ରହିଥିଲେ । ରୋଷେଇ ଶାଳରେ ଅମ୍ବିକାଦେବୀ କାନଡ଼େରି ଶୁଣୁଥିଲା ବେଳେ ଭାବନ୍ତି, ଏମିତି ମଣିଷକୁ ଜୀବନରେ ସ୍ୱାମୀ ହିସାବରେ ପାଇବା କେବଳ ବଡ଼ ତପସ୍ୟାର ଫଳ । ସେ ଆଉ କିଛି ଭାବି ପାରନ୍ତି ନାହିଁ । ଆପଣାଛାଏଁ ତାଙ୍କର ଦୁଇହାତ ଉପରକୁ ଉଠି ଆସି କାହା ଉଦ୍ଦେଶ୍ୟରେ ଯେମିତି ଅଞ୍ଜଳି ଭରି ଟେକି ଦିଏ ଭକ୍ତିର ନୈବେଦ୍ୟ । ପର୍ବପର୍ବାଣୀରେ ପୁଅ ପ୍ରବୋଧକୁ ନଦେଖିଲେ ଅମ୍ବିକାଦେବୀ ବାୟାଣୀ ହୋଇଯାଆନ୍ତି ।

 

ସମ୍ବର ଦଶମୀ ପଡ଼ିବାକୁ ଆଉ ପାଞ୍ଚଦିନ ବାକି ଅଛି । ସନ୍ଧ୍ୟାରେ ଦାଣ୍ଡଘରେ ବସି ବହ୍ମପ୍ରକାଶ ଝିଅକୁ ଗପ କହୁଥିଲେ । ଭିତର ପାଖ କବାଟକୁ ଆଉଜି ଅମ୍ବିକାଦେବୀ କେତେବେଳୁ ଆସି ଠିଆହେଲେଣି, କାହାରି ଖିଆଲ ନାହିଁ । ପ୍ରସଙ୍ଗ ପଡ଼ିଥିଲା-ରାମଚନ୍ଦ୍ର, ବଣକୁ ଗଲାବେଳେ ପିତାଙ୍କ ପାଖରୁ ମେଲାଣି ନେବାର ବେଳ । ବର୍ଣ୍ଣନାର ସହଜ ଗତିଶୀଳ ଧାରା, ଆଉ ଭାବର ନିଷ୍କପଟ ଅଭିବ୍ୟକ୍ତି ପ୍ରଜ୍ଞାକୁ ସମ୍ପୂର୍ଣ୍ଣ ଭାବେ ଆଚ୍ଛନ୍ନ କରି ରଖିଥିଲା । ପୁତ୍ରବତ୍ସଳ ଦଶରଥଙ୍କର ବିଦାୟ କାଳୀନ ଅଶ୍ରୁଳ ଆଲିଙ୍ଗନ ଆଉ ପିତୃଭକ୍ତ ରାମଚନ୍ଦ୍ରଙ୍କର ମୁଖମଣ୍ଡଳରେ ସ୍ଵଚ୍ଛ ହୃଦୟର ପବିତ୍ର ପ୍ରତିଫଳନ, ଏକ ଅନିର୍ବଚନୀୟ ଭାବ ପ୍ରବାହରେ ସମସ୍ତ ବାୟୁମଣ୍ଡଳଟିକୁ ଶୋକାକୁଳ କରିଦେଇଥିଲା ଆନନ୍ଦର ଆତିଶଯ୍ୟରେ ଅମ୍ବିକା ଦେବୀଙ୍କର ମାତୃହୃଦୟ ଉଦ୍‌ଗତି କୋହକୁ ଆଉ ଚାପି ରଖିପାରିଲା ନାହିଁ । ପଣତ କାନିରେ ମୁହଁକୁ ଚାପିଧରି ସେ କଇଁ କଇଁ ହୋଇ କାନ୍ଦି ଉଠିଲେ-। ବ୍ରହ୍ମ ପ୍ରକାଶଙ୍କର ଖିଆଲ ଭାଙ୍ଗିଗଲା । ନିଜ ଆଖିରୁ ଲୁହ ପୋଛିନେଇ ସେ ଭଙ୍ଗା କଣ୍ଠରେ ଅମ୍ବିକାଙ୍କୁ ଚାହିଁ କୋମଳ କରି କହିଲେ—ସ୍ନେହ ମମତା ଭରା ଘରସଂସାର ବୈକୁଣ୍ଠଠାରୁ ଊଣା ନୁହେଁ ଅମ୍ବିକା । ତମେ ଦେଖିବ, ବର୍ତ୍ତମାନ ଦୁନିଆରେ ସମସ୍ତ ଅଶାନ୍ତି, ଉପଦ୍ରବ ଓ ଉତ୍ତେଜନା ସଜାଡ଼ି ହୋଇଯିବ । ତା ନ ହେଲେ, ସୃଷ୍ଟିର ଏ ଭଙ୍ଗାଗଢ଼ାର ରାଗିଣୀ କେବେଠାରୁ ବାଜିଲାଣି କେଜାଣି; ବରଂ ସବୁ ନିସ୍ପନ୍ଦ ହୋଇଯିବା ଭଲ ହେବ । ନିର୍ବେଦ, ନିଃସ୍ତବ୍‌ଧତାରେ ପରିପୂର୍ଣ୍ଣ ସୃଷ୍ଟିର ସମସ୍ତ ସୌନ୍ଦର୍ଯ୍ୟ ଏକ ଅବ୍ୟକ୍ତ ଏବଂ ଅସ୍ଫୁଟ ପ୍ରକାଶନରେ ବରଂ ଆହୁରି ପ୍ରାଣବନ୍ତ ହୋଇଉଠିବ, ନ ହେଲେ କଲ୍ୟାଣରେ ଆବେଗିକ ସଂପଦ ସବୁ ତାର ଶୂନ୍ୟ ହୋଇ ଯାଇଛି ବୋଲି ବୁଝିବାକୁ ହେବ ।

 

ଅମ୍ବିକାଦେବୀ କଣ କରିବାକୁ ଯାଉଥିଲେ । ପ୍ରଜ୍ଞା ବାଧା ଦେଇ କହିଲା—ବାପାଙ୍କର ଏଭଳି ଖିଆଲଟା ଉଠିଲେ, ତାଙ୍କର ରକ୍ତଚାପଟା ବଢ଼ିଯାଏ ବୋଲି କହିଥିଲିନା, ବୋଉ ! ଏତେବେଳେ କଥାବାର୍ତ୍ତା ନ କରିବା ଭଲ । ମୁଁ ଟିକିଏ ମୁଣ୍ଡ ଚିପି ଦଉଚି । ତୁ ବରଂ ଟିକିଏ ସରବତ କରିଆଣ । ବ୍ରହ୍ମପ୍ରକାଶବାବୁ ଚୁପ୍‌ ହୋଇ ବସି ରହିଲେ । ପ୍ରଜ୍ଞାର କୋମଳ ଶାସନ ବ୍ରହ୍ମପ୍ରକାଶବାବୁଙ୍କ ଉପରେ କମ୍ ପ୍ରଭାବର ବିଷୟ ନ ଥିଲା ।

 

ଦୂର ଗଛ ଡାଳରୁ କପୋତର କରୁଣ ରାଗିଣୀ ସଂଜ ପବନରେ ଗୁମୁରି ଉଠିଲା । ‘ସେର ପୂରିଲା ମାଣ ପୂରିଲା ଉଠରେ ପୂତ’ । ଝରକା ସେପାଖରେ ସଜଫୁଟା ଗୋଲାପ ଫୁଲଟା ହଠାତ୍‌ ମଉଳି ପଡ଼ିଛି । ରେଡ଼ୋଡେନ୍‌ର ଚହଟ ତା ଭିତରେ ନାହିଁ । ସଂଜ ଆକାଶଟା କେମିତି ମହଳଣ ପଡ଼ିଥିଲା ।

 

ଦୁଇ

 

ତା’ ପରଦିନ ସକାଳେ ବ୍ରହ୍ମପ୍ରକାଶବାବୁ ଦାଣ୍ଡଘରେ ବସି ଖବରକାଗଜ ଉପରେ ଆଖି ବୁଲାଉଥିଲେ । ଅମ୍ବିକାଦେବୀ ସାମନାରେ ଆସି ଠିଆ ହେଲେ । ଆଖି ଉଠାଇ ବ୍ରହ୍ମପ୍ରକାଶବାବୁ ପଚାରିଲେ—କ’ଣ କିଛି କହୁଥିଲ ?

 

ହଁ, ଅମ୍ବିକା ଦେବୀ କହିଲେ—ସମ୍ବର ଦଶମୀ ଆଉ ଚାରିଟା ଦିନ ରହିଲା, ଦିନକ ପାଇଁ ପୁଅଟା ଆସନ୍ତାନାହିଁ ? ଦାମନଯୋଡ଼ିକୁ ଚାଲିଆସିବାରୁ ଏବେ ସିନା କଟକ ବହୁତ ଦୂର ହୋଇଗଲା, ନ ହେଲେ ମତେ ନ ଦେଖି ପୁଅର କୋଉ ମାସଟା ବାଦ ଯାଉଥିଲା ଯେ !

 

ପୁଅ ପ୍ରତି ମା’ର ମନ ସଚରାଚର ଏହିପରି । ପର୍ବପର୍ବାଣିରେ ନିଜ ହାତ ତିଆରି ପିଠାପଣା ପୁଅଝିଅଙ୍କୁ ନ ଖୁଆଇଲେ ମା’ର ମନ ଶାନ୍ତି ପାଏନା ।

 

ବ୍ରହ୍ମପ୍ରକାଶ ଜାଣନ୍ତି, କଥା ନ ରଖିଲେ ଅମ୍ବିକା ଅଭିମାନ କରିବେ ନାହିଁ, କିନ୍ତୁ ପାଞ୍ଚ ସାତ ଦିନ ପର୍ଯ୍ୟନ୍ତ ମୁହଁଟି ମଉଳି ପଡ଼ିବ । ତାଙ୍କର ଉଦାସ ଆଖି ଆଉ ଝାଉଁଳା ମୁହଁ ଦେଖିଲେ, ବ୍ରହ୍ମପ୍ରକାଶ ତୁଛାଟାରେ ବାରମ୍ବାର ‘‘ଏଇଟା କୁଆଡ଼େ ଗଲା, ସେଇଟା କ’ଣ ହେଲା, ପାଣି ଗ୍ଲାସେ ଆଣ ତ’’ ଇତ୍ୟାଦି କହି ଚାଲିଥିବେ । କାରଣ ଅମ୍ବିକାଦେବୀଙ୍କୁ ଏପରି ଭାବରେ ଦେଖିଲେ ତାଙ୍କର ମନ ଅସ୍ଥିର ହୋଇଯାଏ । କେଉଁଥିରେ ମନ ଲାଗେ ନାହିଁ ।

 

ବ୍ରହ୍ମପ୍ରକାଶ କୋମଳ କରି କହିଲେ—ଆଜି ଟେଲିଗ୍ରାମ୍‌ କରି କହିବି, ପ୍ରବୋଧ ଆସିବ-। ବେଶୀ ଦିନ ଅଟକାଇବ ନାହିଁ । ଆଉ ମାସ ଚାରିଟା ରହିଲା ତାର ଫାଇନାଲ ପରୀକ୍ଷା ! ଗତଥର କହୁଥିଲି ବି.ଏ. ପରୀକ୍ଷାରେ ୟୁନିଭରସିଟିରେ ପୋଜିସନ ରଖିବାକୁ ଚେଷ୍ଟା କରୁଛି । ଆଚ୍ଛା ପ୍ରଜ୍ଞା ! ଦେଖ୍‌ ତ ମା ମୋ ଟେବୁଲଡ୍ରରେ ଟେଲିଗ୍ରାମ୍‌ ଫର୍ମ ଥିବ । ଆଣିଲୁ ଗୋଟାଏ ସେଥିରୁ ।

 

ପ୍ରଜ୍ଞା ଚାଲିଯାଉଥିଲା । ଦୁଆରେ ଡାକ ପିଅନର ଡାକ ଶୁଣି ଅଟକିଗଲା—ବାବୁ ଟେଲିଗ୍ରାମ୍‌ ! ଟେଲିଗ୍ରାମ୍‌ଟିଏ ପ୍ରଜ୍ଞା ହାତକୁ ବଢ଼ାଇ ଦେଇ ସେ ଚାଲିଗଲା । ସେଇଟି ବାପାଙ୍କ ହାତକୁ ବଢ଼ାଇ ଦେଇ ପ୍ରଜ୍ଞା ଚାଲିଗଲା ଭିତରକୁ ଟେଲିଗ୍ରାମ୍‌ ଫର୍ମଟିଏ ଆଣିବାକୁ । ଟେଲିଗ୍ରାମ୍‌ଟିକୁ ଦେଖୁ ଦେଖୁ ବ୍ରହ୍ମପ୍ରକାଶ କିଛି ସମୟ ପାଇଁ ଅଟକି ରହିଗଲେ । ତାପରେ ନିଜକୁ ଯଥା ସମ୍ଭବ ସଂଯତ କରିନେଇ ସେ ଭାରି କଣ୍ଠରେ ଡାକିଲେ—ଅମ୍ବିକା !

 

ହଁ, କ’ଣ ହେଲା ? କିଏ ଦେଇଛି ସେ ଟେଲିଗ୍ରାମ୍‌ ? ଅମ୍ବିକାଦେବୀ ପଚାରିଲେ ।

 

ବ୍ରହ୍ମପ୍ରକାଶବାବୁ ନିଜକୁ ସହଜ କରିନେଇ ଶାନ୍ତ ଭାବରେ ଉତ୍ତର ଦେଲେ—ରେଭେନ୍‌ସା କଲେଜର ପ୍ରିନ୍‌ସପାଲ । ତୁମେ ବ୍ୟସ୍ତ ହେବ ନାହିଁ ଅମ୍ବିକା । ଆମକୁ ବର୍ତ୍ତମାନ କଟକ ଯିବାକୁ ପଡ଼ିବ । ପ୍ରଜ୍ଞା ବି ସାଙ୍ଗରେ ଯିବ । ପ୍ରବୋଧର ଆକ୍‌ସିଡେଣ୍ଟ ହୋଇଛି । ସେ ବର୍ତ୍ତମାନ ହସପିଟାଲରେ । ଅବସ୍ଥା ସେତେ ଖରାପ ନୁହେଁ । ଅମ୍ବିକାଦେବୀଙ୍କ ତୁଣ୍ଡରେ ଭାଷା ନାହିଁ । ଆଖି ଦୁଇଟା ଖୋଲା ରହି ସ୍ଥିର ହୋଇଯାଇଛି । ସାରା ମୁଖମଣ୍ଡଳରେ ବିନ୍ଦୁ ବିନ୍ଦୁ, ଝାଳ ଭିତରେ ତାଙ୍କର ନାକ, ଓଠ ଓ କପାଳ ଆବେଗର ଉଚ୍ଛ୍ୱାସରେ କମ୍ପିଉଠୁଛି ।

 

ଏପରି ବେଳେ ବେଳେ ଘଟିଥାଏ । କେତେ ନିର୍ବୋଧ ଏ ମଣିଷ । ସୁଖର ମୁହୂର୍ତ୍ତଗୁଡ଼ିକ ଜୀବକୋଷର ଖୋଳପା ତଳେ ଦୁଃଖର ଜୀବାଣୁ ଭଳି ଧକ ଧକ କରୁଥାନ୍ତି । ତଥାପି ସେ ବୁଡ଼ିରହେ ମାୟାର ମହୋତ୍ସବରେ । କଟକ ବଡ଼ ଡାକ୍ତରଖାନାର ହସପିଟାଲ୍ । ଇଣ୍ଟେନସିଭ୍ କେୟାର ରୁମର ଖଟିଆ ଉପରେ ଅଚେତ ଅବସ୍ଥାରେ ଶୋଇଛି ପ୍ରବୋଧ କୁମାର । ମୁଣ୍ଡ ପାଖକୁ ଲାଗି ଟୁଲ ଉପରେ ବସିଛି ସମବୟସ୍କ ଜଣେ ଯୁବକ । ଦେଖିଲେ ମନେହେଉଛି ସେ ଯେପରି ଗତକାଲି ସାରା ରାତିଟା ଉଜାଗର ରହି ଅବଶ ହୋଇପଡ଼ିଛି । ଗତ ଦୁଇଦିନ ତଳେ ବ୍ଲଡ଼ ଦିଆଯାଇଥିଲା । ଏବେ ଅକସିଜେନ୍ ଚାଲିଛି । ଅବସ୍ଥା ଅନେକ ଭଲ ଅଛି । ତେବେ ମଝିରେ ମଝିରେ ୟାକୁ ମିଶାଇ ଦୁଇଥର ଖୁବ୍ ଅଳ୍ପ ସମୟ ପାଇଁ ସେ ଅଚେତ ହୋଇପଡ଼ିଛି । ଡାକ୍ତର ଦାସ କହିଛନ୍ତି, ଭୟର ଆଉ କୌଣସି କାରଣ ନାହିଁ ।

 

ପ୍ରଫେସର ଡାକ୍ତର ଦାସ, ରୋଗୀ ଦେଖିସାରି ଫେରିଯାଉଥିଲେ । ଅତ୍ୟଧିକ ଉଦବେଗ ବିଷଣ୍ଣତାର ସମ୍ପୂର୍ଣ୍ଣ ମଳିନ ତିନୋଟି ମଣିଷ ପଶି ଆସୁଥିଲେ ଘର ଭିତରକୁ । ପ୍ରଫେସର ଦାସଙ୍କୁ ବୁଝିବାକୁ ଆଉ ବାକି ନ ଥିଲା, ଏ ତିନିଜଣ କିଏ । ସେ ଦୁଆର ପାଖରେ ଅଟକି ଯାଇ ପ୍ରଶ୍ନିଳ କଣ୍ଠରେ କହିଲେ—ଆପଣମାନେ ବୋଧହୁଏ ପ୍ରବୋଧ କୁମାରର.....ପାଟିରୁ କଥା ଛଡ଼ାଇ ନେଇ ବ୍ରହ୍ମପ୍ରକାଶ ଉତ୍ତର ଦେଲେ—ବାପା, ମା’, ଆଉ ଏ ପ୍ରଜ୍ଞା ତା’ର ସାନ ଭଉଣୀ-। ଯୋଡ଼ ହସ୍ତରେ ସମସ୍ତେ ନମସ୍କାର କରି ଚାହିଁ ରହିଲେ ଡାକ୍ତର ଦାସଙ୍କ ଆଡ଼େ । ଡାକ୍ତର ଦାସ କହିଲେ—ହଣ୍ଡ୍ରେଡ଼ ପର୍‌ସେଣ୍ଟ ଓ: କେ । ଭୟର କୌଣସି କାରଣ ନାହିଁ । ଗୁଡ଼ାଏ ରକ୍ତ ଚାଲିଯାଇଥିଲା ତ, ସେଥିପାଇଁ ଟିକିଏ ସମୟ ଲାଗିଲା । ତାକୁ ବର୍ତ୍ତମାନ ଖୁବ୍ ଭଲ ନିଦ ହୋଇଯାଇଛି । ତାର ନିଦ ଦରକାର । ପାଟି ଶୁଭିବା ଭୟରେ ସେ ଇଣ୍ଟେନ୍‌ସିଭ କେୟାର ରୁମର ଦୁଆର ବନ୍ଦ କରିଦେଇ ବାହାର ବାରଣ୍ଢା ଉପରେ ଫିସ୍ ଫିସ୍ କରି କହିଲେ—ବ୍ରହ୍ମପ୍ରକାଶବାବୁ, ତାକୁ ଯେପରି ଆଦୌ ଡିଷ୍ଟବ ନ କରନ୍ତି । ସେ ଶୋଇଥାଉ । ଆପଣମାନେ ବରଂ ମୋ ଆଫିସକୁ ଆସନ୍ତୁ । ଟିକିଏ ରେଷ୍ଟ ନେବେ । ଏତେଗୁଡ଼ାଏ ବାଟ ବସରେ ଆସିଛନ୍ତି ତ, କ୍ଳାନ୍ତ ହୋଇପଡ଼ିଥିବେ ନିଶ୍ଚୟ । ମୋ ପୁଅ ସୂର୍ଯ୍ୟ ତାର ସାଙ୍ଗ । ସେ ତା ପାଖରେ ଅଛି । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ହଁ, କେତେଦିନ ରହିବେ ? ବସା କେଉଁଠି ନେଲେଣି କି ? ନା, ତା ହେବ ନାହଁ-। ଆପଣ ମୋର ଗେଷ୍ଟ ହେବେ, ମୁଁ ନିମନ୍ତ୍ରଣ କରୁଛି । ହଁ, ଆଉ ଗୋଟାଏ କଥା, ପ୍ରବୋଧ କୁମାରର ନିଦ ଭଙ୍ଗିଲା ବେଳକୁ ସେ ଯେପରି ସାମନାରେ ଆପଣମାନଙ୍କୁ ନ ଦେଖେ । ବିଶେଷ କରି ଆପଣମାନଙ୍କ ଭିତରୁ ସେ ଯାହାକୁ ବେଶୀ ଭଲ ପାଏ । କାରଣ ଏହି ସମୟରେ ହଠାତ୍ କୌଣସି ଉତ୍ତେଜନା ତା ପକ୍ଷରେ ଭଲ ନୁହେଁ । ତା ନିଦ ଭାଙ୍ଗିଲା ପରେ, ଆପଣମାନେ ଆସିଛନ୍ତି ବୋଲି ପ୍ରଥମେ ମୁଁ ତାକୁ ଜଣାଇବି । କାରଣ ସହଜ ଭାବରେ ଆପଣମାନଙ୍କୁ ଦେଖିପାରିବାର ସ୍ୱାଭାବିକ ଅବସ୍ଥା ତାର ଦରକାର । ସେ ଦାୟିତ୍ୱ ମୋର । ସାବଧାନ, ତାକୁ ଦେଖା କଲାବେଳେ ଆପଣମାନଙ୍କର କୌଣସି ଆବେଗ ଯେପରି ଦେଖା ନ ଯାଏ । ଆପଣଙ୍କ କଥା ମୁଁ ବହୁତ ଶୁଣିଛି ବ୍ରହ୍ମପ୍ରକାଶବାବୁ । ବାରମ୍ବାର ଖବର କାଗଜରେ ଲେଖା ଦେଖି ଅନେକ ବୁଦ୍ଧିଜୀବୀ ଆପଣଙ୍କୁ ନ ଦେଖି ମଧ୍ୟ ଚିହ୍ନିଗଲେଣି । ହଁ, ମୋତେ ଆହୁରି ଅନେକ ରୋଗୀ ଦେଖିବାକୁ ହେବ । ଫେରିବାକୁ ଡେରି ହେବ । ଆପଣ ଗେଷ୍ଟ ହେଲେ । କିଛି ଅସୁବିଧା ହେବ ନାହିଁ । ଦ୍ୱିପହରେ ପ୍ରବୋଧକୁ ଦେଖିସାରିଲା ପରେ ଗପ କରିବା । ଏହା କହି ସେ ନିଜର ଅର୍ଡର୍ଲି ବିମ୍ବାଧରକୁ ଆଦେଶ ଦେଲେ ସେମାନଙ୍କୁ ତାଙ୍କର ଗେଷ୍ଟ ହାଉସକୁ ନେଇଯିବା ପାଇଁ । ଆଉ ତାଗିଦ୍ କରିଦେଲେ ଯେପରି କୌଣସି କଥାରେ କିଛି ଅସୁବିଧା ନ ହୁଏ । ‘ମୁଁ ଆସୁଛି’ କହି ଡାକ୍ତର ନିଜ କାମରେ ଚାଲିଗଲେ-। ନିର୍ବାକ ଭାବରେ କିଛି ସମୟ ଅଟକି ରହି ବିମ୍ବାଧର ପଛେ ପଛେ ସେମାନେ ବାହାରିଗଲେ-

 

ଦ୍ୱିପହର । ଅଳ୍ପ କିଛି ସମୟ ପୂର୍ବରୁ ଡାକ୍ତର ଦାସ ଆସି ଚାଲିଗଲେଣି । ବ୍ରହ୍ମପ୍ରକାଶ ଓ ପ୍ରଜ୍ଞା ପ୍ରବୋଧର ଖଟିଆକୁ ଲାଗି ବସିଛନ୍ତି । ପ୍ରବୋଧ ଖୁବ୍ ସହଜ ଓ ସ୍ଵାଭାବିକ ଭାବରେ ଅଳ୍ପ ଅଳ୍ପ କଥା କହୁଛି । ରୋଗୀକୁ ଦେଖିବାପାଇଁ ଅମ୍ବିକା ଦେବୀଙ୍କୁ ଏପର୍ଯ୍ୟନ୍ତ ଅନୁମତି ମିଳିନାହିଁ । କାରଣ ମା ପୁଅ ଦୁହେଁ ଦୁହିଁଙ୍କୁ ଅତ୍ୟଧିକ ଭଲପାଉଥିବା ହେତୁ ହୁଏତ ଅସ୍ୱାଭାବିକ ଉତ୍ତେଜନା ଉତ୍ତେଜନା ପ୍ରକାଶ ପାଇପାରେ—ଏଇ ଭୟରେ । ବ୍ରହ୍ମପ୍ରକାଶ ଦେଖିଲେ ଆପଦ କାଳରେ ଯେଉଁ ଅବିଚଳିତ ଧୈର୍ଯ୍ୟ ମଣିଷକୁ ବଡ଼କରି ଗଢ଼ି ତୋଳେ, ତାହା ପ୍ରବୋଧକୁମାର ଠାରେ ନିଖୁଣ ଭାବରେ ଠୁଳହୋଇ ରହିଛି । ସେ ନିର୍ଭୟରେ କହିଲେ—ପ୍ରବୋଧ ! ତୋ ବୋଉକୁ ଆସିବାକୁ କହିବିକି ?

 

ପ୍ରବୋଧ କଥା କହିଲା—ବାପା ! ଏବେ ସିନା ବର୍ଷେହେବ ଆପଣ ବାମନ ଯୋଡ଼ିକୁ ଚାଲିଯିବାରୁ ଆମେ ଛଡ଼ା ଛଡ଼ି ହୋଇଯାଇଛୁ, ନ ହେଲେ ନ ହେଲେ କୋଡ଼ିଏ ବର୍ଷକାଳ ପର ଆପଣଙ୍କ ପଛେ ଚଳି ଆସିଛି । ବିପଦ ଯେତେ ବଡ଼ ହେଉପଛେ, ଘଟିଥିଲା ପରେ ତାକୁ ସାମନା କରିବାପାଇଁ ଟିକିଏ ବି ହେଳା କରିବା ଉଚିତ ନୁହେଁ—ଏକଥା ଆପଣ ମତେ ଶିଖାଇ ନାହାନ୍ତି ? ବାପା ! ମୋ ଉପରେ ଆପଣ ବିଶ୍ଵାସ ରଖିପାରିଲେ ନୁହେଁ ? ବୋଉ ସାଙ୍ଗରେ ନ ଆସି ଆପଣଙ୍କୁ ଆଉ ୟାକୁ (ପ୍ରଜ୍ଞା ଆଡ଼କୁ ଆଙ୍ଗୁଳି ଦେଖାଇ) ଛାଡ଼ି ନଥିବ ନିଶ୍ଚୟ । କାଳେ ମୁଁ ବ୍ୟସ୍ତ ହୋଇପଡ଼ିବି, ଏଇ ଆଶଙ୍କାରେ ଆପଣ ତାକୁ ବାହାରେ ଲୁଚାଇ ରଖିଛନ୍ତି । ଆପଣ ଦେଖିବେ ବାପା, ତା ହାତ ମୋ ଦେହରେ ବାଜୁ ନ ବାଜୁଣୁ ମୋର କୁଣ୍ଢେମୋଟ ବଳ ହୋଇଯିବ । ମୁଁ ଶୀଘ୍ର ଭଲ ହୋଇଯିବି । କୁନି ! (ପ୍ରଜ୍ଞାର ଶ୍ରଦ୍ଧା ନାମ) କି ବୋକିଟା କିଲୋ । ବୋଉକୁ ଡାକି ଆଣୁନୁ ।

 

ପୁଅର ଶକ୍ତି । ମନର ପରିଚୟ ପାଇ ବ୍ରହ୍ମପ୍ରକାଶ ବାବୁ କିଛିକ୍ଷଣ ପାଇଁ ପିତୃତ୍ୱର ସଫଳତାରେ ଆତ୍ମ ବିଭୋର ହୋଇ ଉଠିଲେ । ସାଙ୍ଗେ ସାଙ୍ଗେ ସେ ପୁଣି ନିଜକୁ ସମ୍ଭାଳି ନେଇ କୋମଳ କଣ୍ଠରେ କହିଲେ, ତୁ ଠିକ୍ କହିଛୁ ବାବା । ତୋ ବୋଉ ତୋତେ ନଦେଖି ଏକୁଟିଆ ରହିପାରି ନଥାନ୍ତେ । ସେ ଆସିଛନ୍ତି । ଡାକ୍ତର ଦାସଙ୍କର ପରାମର୍ଶ—କାଳେ ତୋତେ ଦେଖି ସେ ବିଚଳିତ ହୋଇପଡ଼ିବେ ଓ ତାହା ତୋର ଏହି ଅବସ୍ଥାରେ ଭଲ ହେବ ନାହିଁ—ସେ ଭୟରେ ସେ ବାହାରେ ଅପେକ୍ଷା କରିଛନ୍ତି । ତୋ ଠାରୁ ଏହି କେଇପଦ କଥା ଶୁଣିଲାପରେ ମୋର ଆଉ ସେ ଭୟ ନାହିଁ । ମୋର ମନେହେଉଛି, କେଉଁ ଜନ୍ମର ତପସ୍ୟାର ଫଳ କେଜାଣି, ଭଗବାନ୍‌ ଯେପରି କରୁଣାର ଅଞ୍ଜଳିଭରି ମୋର ଥାଳ ପୂର୍ଣ୍ଣ କରି ଦେଇଛନ୍ତି । ହଁ ମା କୁନି । ଯା’ତ ବୋଉକୁ ଡାକିଆଣିବୁ । ପ୍ରଜ୍ଞା ଉଠି ଯାଉଥିଲା । ହଠାତ ସାମନାରେ ସୂର୍ଯ୍ୟକୁ ଦେଖି ଅଟକି ରହିଗଲା । ସୂର୍ଯ୍ୟ ଆଗକୁ ମାଡ଼ିଆସି ନରମ କରି ପଚାରିଲା—

 

କେମିତି ଲାଗୁଛି ପ୍ରବୋଧ ? ଗାଧୁଆ ପାଧୁଆଟା ସାରିନେଇଛି । ସନ୍ଧ୍ୟା ପର୍ଯ୍ୟନ୍ତ ଆଉ କିଛି ଅସୁବିଧାର ଭୟ ନାହିଁ । ଔଷଧ ଖାଇବା ସମୟ ହୋଇଯାଇଛି । ଗ୍ଲୁକୋଜ ପାଣି ଟିକେ ପି ଦେ । ଏହା କହି ସେ କିଛି ଗ୍ଲୁକୋଜ ଗୁଣ୍ଡ ଗ୍ଲାସରେ ଢାଳି ଗୋଳେଇବାକୁ ଲାଗିଲା । ପ୍ରଜ୍ଞା ସେତେବେଳକୁ ବୋଉକୁ ଡାକିଆଣିବା ପାଇଁ ବାହାରକୁ ଚାଲିଯାଇଥିଲା । ଗ୍ଲାସଟିକୁ ପ୍ରବୋଧ ହାତକୁ ବଢ଼ାଇ ଦେଇ ସୂର୍ଯ୍ୟ ଯୋଡ଼ ହସ୍ତରେ ବ୍ରହ୍ମପ୍ରକାଶବାବୁଙ୍କୁ ପ୍ରଣାମ କଲା । ପ୍ରବୋଧ ପରିଚୟ କରାଇ ଦେଇ କହିଲା—ବାପା ! ଏ ହେଉଛି ସୂର୍ଯ୍ୟ । ସୂର୍ଯ୍ୟକୁମାର ଦାଶ, ମୋ ସାଙ୍ଗ । ଏଠିକୁ ଆସିବା ଦିନରୁ ଖିଆପିଆ ଛାଡ଼ି ଛାଇ ଭଳି ମୋ ପାଖେ ପାଖେ ଲାଗିରହିଛି । ମଧୁର ସ୍ୱଭାବ ଓ ତୀକ୍ଷ୍‌ଣ ମେଧାର ସମନ୍ୱୟ ହେଲେ କି ପ୍ରକାର ବିସ୍ମୟ ବସ୍ତୁର ସୃଷ୍ଟି ହୁଏ କେଜାଣି, ଏ କିନ୍ତୁ ତା’ର ଜୀବନ୍ତ ପ୍ରତୀକ । ୟୁନିଭରସିଟିର ଗୋଟିଏ ଏସେ କମ୍ପିଟିସନରେ ଆମେ ପରିଚିତ ହୋଇଥିଲୁ, ସେ ଫାଷ୍ଟ ଓ ମୁଁ ସେକେଣ୍ଡ । ତା ପରଠୁ ଆମେ ଆଉ ସାଙ୍ଗ ଛାଡ଼ିନୁ । ପ୍ରଫେସର ଡାକ୍ତର ଦାଶଙ୍କର ପୁଅ, ଡାକ୍ତରି ପ‍ଢ଼ୁଛି ।

 

ଏକାବେଳକେ ସେ ଡାକ୍ତର ହୋଇ ବାହାରିଲାବେଳକୁ ମୁଁ ଏମ୍.ଏ. ପାଶ୍ କରିଥିବି ।

 

ପ୍ରବୋଧ ! ଏପରି ଗପିବା ତୋର ଉଚିତ ନୁହେଁ । ସୂର୍ଯ୍ୟ ଅନୁଯୋଗ କଲା ।

 

ହେଉ ବାବା ଚୁପ୍ ହେଲି, ଏବେ ହେଲା । ପ୍ରବୋଧକୁମାର ଉତ୍ତର ଦେଲା ।

 

କବାଟ ଠେଲି ଦେଇ ପାଦ ଚିପି ଚିପି ପଶିଆସିଲା ପ୍ରଜ୍ଞା; ପଛେ ପଛେ ଅମ୍ବିକା ଦେବୀ-। ସୂର୍ଯ୍ୟ ପ୍ରଣାମ କଲା ! ଅମ୍ବିକା ଦେବୀ ଧିରେ ଧିରେ ପ୍ରବୋଧ ପାଖରେ ବସିପଡ଼ି ତା ମୁଣ୍ଡରେ ହାତ ବୁଲାଇବାକୁ ଲାଗିଲେ । ତାଙ୍କର କଷା ଆଖିର କେଇଟୋପା ଅଶ୍ରୁଜଳ ଝରିପଡ଼ି ପ୍ରବୋଧର ଯେମିତି ସବୁ ଦୁଃଖ ଯନ୍ତ୍ରଣା ଓ କ୍ଷତକୁ ଧୋଇ ଦେଇ ତା ମୁହଁରେ ପ୍ରଶାନ୍ତିର କୋମଳ ଚନ୍ଦନ ବୋଳିଦେଲା ।

 

ବୋଉ ! ତୁ ଦୁଃଖ କଲୁ କି ? ମୁଁ ପ୍ରାୟ ଭଲ ହୋଇଯିବା ଉପରେ । ପ୍ରଫେସର ଡକ୍ଟର ଦାଶ ଆଉ ଏ ସୂର୍ଯ୍ୟ; ୟାଙ୍କ ଯତ୍ନରେ କୌଣସି ବ୍ୟାଧି ଅସାଧ୍ୟ ହୋଇପାରେନା । ମଣିଷର ଶରୀର ଭିତରେ କେବଳ ଦେବତାମାନେ ହିଁ ଏପରି ସେବା ପରାୟଣ ହୋଇପାରନ୍ତି ।

 

ବାଧା ଦେଇ ସୂର୍ଯ୍ୟ ଅଭିଯୋଗ କଲା—ଏପରି ଆଘାତ ଦେବାକୁ ତୋତେ କଣ ଭଲ ଲଗେ ପ୍ରବୋଧ ?

 

ଆଘାତ ଦେଉନି ସୂର୍ଯ୍ୟ, କେବଳ ସତ୍ୟର ଉପକ୍ରମଣିକା କରିଛି ମାତ୍ର । ଭାବି ଦେଖ ତ, ପ୍ରଫେସର ଦାଶ ଓ ତୋ ପରି, ଯଦି ସମାଜରେ ସମସ୍ତେ ହୋଇ ପାରନ୍ତେ, ତେବେ ବୈକୁଣ୍ଠ କ’ଣ ଆଉ ଶାନ୍ତିର ବାସସ୍ଥଳୀ ବୋଲି ଉପଲକ୍ଷ୍ୟ ହୋଇପାରନ୍ତା ? ଉତ୍ତର ଦେଲା ପ୍ରବୋଧ ।

 

ତୋ ଦର୍ଶନରେ ମୁଁ ଏକମତ । ଆଲୋଚନା କରିବାକୁ ପ୍ରଚୁର ଆଗ୍ରହ ମଧ୍ୟ ମୋର ଅଛି-। କିନ୍ତୁ ଏବେ ନୁହେଁ । ତୁ ବରଂ ଟିକେ ବିଶ୍ରାମ କର । ସୂର୍ଯ୍ୟ କହିଲା ।

 

ପ୍ରବୋଧ ଭିତରେ ବ୍ରହ୍ମପ୍ରକାଶ ନିଜର ପ୍ରତିବିମ୍ବ ଦେଖିଲେ । ସୂର୍ଯ୍ୟ ଓ ପ୍ରବୋଧ ଭିତରେ ବିଚାର ଓ ଆଚରଣରେ ଏତେଟା ମେଳ ଦେଖି ଦୁହିଁଙ୍କୁ ସମାନ ଭାବରେ ପୁତ୍ରର ଆସନ ଦେଇ ବ୍ରହ୍ମପ୍ରକାଶ ପ୍ରଜ୍ଞା ଆଡ଼କୁ ଚାହିଁ କହିଲେ—ଦେଖାଯାଉ, ତୁମ ଦୁଇଜଣଙ୍କ ଭିତରେ ମୋ ଛୋଟିଆ କୁନିଟା ଭଉଣୀର ଜାଗା ମାଡ଼ିବସିପାରୁଛି କି ନା । ସମସ୍ତେ ହସିଉଠିଲେ ।

 

ସଲଜ୍ଜ ଭାବରେ ମୁହଁ ତଳକୁ କରି ଏତେବେଳ ପରେ ପାଟି ଖୋଲିଲା ପ୍ରଜ୍ଞା—ନାଁ, ନାଁ, ସେ କଥା ହେବନାହିଁ, ବାପା । ସେ ଦୁଇଜଣ ଗୋଟିଏ ପାଖରେ ଆଉ ମୁଁ ଏକୁଟିଆ ଗୋଟିଏ ପାଖରେ । ମୋତେ କ’ଣ ବୋକି ଠଉରେଇଲ କି ବାପା ? ଯାହା ସବୁ ସେମାନେ ଆଣିବେ ମୋର ସେଥିରୁ ଅଧେ, ହଁ । ସମସ୍ତେ ଠୋ ଠୋ ହୋଇ ହସିଉଠିଲେ ।

 

ତିନି

 

ଦାମନଯୋଡ଼ିର ଶିଳ୍ପାଞ୍ଚଳ ବାହାରେ ମଜଦୁର ବସ୍ତିସବୁ ବେଶ ଜମି ଉଠିଲାଣି । ରାତ୍ରିର ଗହଳ ଅନ୍ଧାର ଭିତରେ ବିକାରଗ୍ରସ୍ତ, ବିକଳାଙ୍ଗ ମନର ନରକ ଆବର୍ଜନା ସବୁ ଜମାଟ ବାନ୍ଧି ଆସୁଛି-। ବହୁ ଭାଷା, ବହୁ ଜାତି ଓ ବହୁ ଧର୍ମ ମତର ମିଶାମିଶି କୁସଂସ୍କାର ସ୍ତୂପୀକୃତ ଧ୍ୱଂସାବଶେଷ ଭିତରେ ଜୀବନ ଦୁର୍ବିସହ ହେବାକୁ ବସିଲାଣି । ନିରୀହ ନିଷ୍ପାପ ସ୍ଥାନୀୟ ଅଧିବାସୀଙ୍କର ସରଳ ସଂସ୍କୃତି ଉପରେ ବର୍ବର ସଭ୍ୟତାର ନଗ୍ନ ବୀଭତ୍ସତା ପ୍ରବଳ ହୋଇ ଉଠିଲାଣି । ବ୍ରହ୍ମପ୍ରକାଶ ବୁଝିଲେ, ତାଙ୍କର କଳ୍ପିତ ସମାଜ ପ୍ରତି ଏହା ଏକ ବିଦ୍ରୂପ ।

 

ତଳେ, ସୃଷ୍ଟିର ଉଦ୍ଭିନ୍ନ ସୌନ୍ଦର୍ଯ୍ୟ ଓ ଉପରେ ପ୍ରଶାନ୍ତିର ଅନନ୍ତ ନୀଳିମା ଭିତରେ ସେ ଖୋଜି ବୁଲୁଥିଲେ ବିବର୍ତ୍ତନର ସୂତ୍ର । ଭାବନାରେ ତାଙ୍କର ଅନ୍ତ ନଥିଲା । ସେ ଭାବୁଥିଲେ—କୋଉଥି ପାଇଁ ମଣିଷର ଏ ଯନ୍ତ୍ରଣା ! କାହିଁକି ଏ ଆତ୍ମାର ଅପମାନ ! ଶକ୍ତିସାମର୍ଥ୍ୟ, ବୁଦ୍ଧି ବିବେକ ସବୁକିଛି ଥାଇ ମଧ୍ୟ କାହିଁକି ସେ ଆଜି ଏପରି ଏକାନ୍ତ ଭାବରେ ଅସହାୟ ! ତାଙ୍କର ମନେପଡ଼ିଲା ଭଗବାନ ଯୀଶୁଙ୍କର ସେହି ଅମରବାଣୀ—ପାପକୁ ଘୃଣାକର, କିନ୍ତୁ ପାପୀକୁ ନୁହେଁ ।

 

ପରିସ୍ଥିତିର ପ୍ରଭାବରେ ମଣିଷର ପ୍ରବୃତ୍ତିଗୁଡ଼ିକ ପରିଚାଳିତ ହୁଅନ୍ତି । ମନର ପ୍ରଶାନ୍ତିରେ ହୃଦୟର ଦୈବୀଶକ୍ତି ଜାଗ୍ରତ ହୋଇଉଠେ । କ୍ଷୁଧାର ଜ୍ୱାଳାରେ କାମନାମାନେ ପ୍ରମତ୍ତ ହୋଇ ବିଦ୍ରୋହ କରନ୍ତି । ପରାଜୟର ଗ୍ଲାନିରେ ସେମାନେ ପୁଣି ଆପଣା ଆପଣା ଭିତରେ ଧ୍ୱଂସର ତାଣ୍ଡବରେ ମାତି ଉଠନ୍ତି । ଶିଳ୍ପାଞ୍ଚଳର ମଜଦୁର ବସ୍ତିରେ ଅଥବା ପଲ୍ଲୀ ଗ୍ରାମର କ୍ଷେତ ମଜୁରିଆର ପର୍ଣ୍ଣକୁଟୀରରେ ଏହାହିଁ ହେଉଛି ବ୍ୟାଧିଗ୍ରସ୍ତ ସମାଜ ବ୍ୟବସ୍ଥାର ପ୍ରତିଧ୍ୱନୀ । ଦାମନଯୋଡ଼ିର ଠିକାଦାର ପ୍ରଶାନ୍ତ ପଟ୍ଟନାୟକ ଆକଣ୍ଠ ପ୍ରାଚୁର୍ଯ୍ୟରେ ଉନ୍ମତ୍ତ; ତେଣେ ମାଲୁ ସାନ୍ତାଳର ଅର୍ଦ୍ଧନଗ୍ନ ଯୁବତୀକନ୍ୟା ସୋନା ମୁଣ୍ଡରେ ଗୋଡ଼ି ସିମେଣ୍ଟ ଗୋଳା କଡ଼େଇର ଶକ୍ତ ବୋଝ । ପ୍ରଶାନ୍ତ ପଟ୍ଟନାୟକଙ୍କର ପ୍ରବଳ ପ୍ରତାପ ପାଖରେ ମାଲୁ ସାନ୍ତାଳର ଦୈନ୍ୟକ୍ଳିଷ୍ଟ ମନ ପ୍ରତିକ୍ରିୟାର ପ୍ରମତ୍ତ ଗ୍ଳାନୀରେ ନିଜକୁ ଧ୍ୱଂସ କରିବ ନାହିଁ ତ ଆଉ କରିବ କଣ ! ବ୍ରହ୍ମପ୍ରକାଶ ଆଉ ଭାବିପାରୁ ନଥିଲେ-। ଦୁଆରେ କାହାର ସାଇକେଲ୍‌ରୁ ଓହ୍ଲାଇବା ଶବ୍ଦ ଶୁଣି ସେ ଉଠି ଠିଆ ହେଲେ ।

 

ସାର୍ ! କାଲି ସନ୍ଧ୍ୟା ଛଅଟାରେ ଆମ ଶିଳ୍ପ ମନ୍ତ୍ରୀଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯିବ । ଆପଣ ସଭାପତିତ୍ୱ କରିବେ । ଏଇ ନିଅନ୍ତୁ ନିମନ୍ତ୍ରଣ ପତ୍ର । ସାମ୍ନାରେ ସମ୍ବର୍ଦ୍ଧନା ସମିତିର ଅନ୍ୟତମ ଉପଦେଷ୍ଟା ରବିଶଙ୍କର ।

 

ବ୍ରହ୍ମପ୍ରକାଶ ପଚାରିଲେ—କେଉଁଥିପାଇଁ ଏ ଆୟୋଜନ ବାବା ?

 

ସେମିତି କିଛି ନୁହେଁ । ପ୍ରଶାନ୍ତ ବାବୁ ଜଣେ ଗୁଣୀଲୋକ । ଏଠାରେ ସମସ୍ତେ ଏଇ ପ୍ରାୟ ତିନିବର୍ଷ ହେବ ନୂଆ କରି ବସା ବାନ୍ଧିଛନ୍ତି । ସମାଜର କଲ୍ୟାଣ ପାଇଁ କିଏ କେତେ ପ୍ରକାର ସାଧୁ ଚିନ୍ତା କରୁଛନ୍ତି । ସେ ସବୁର ସଦୁପଯୋଗ ପାଇଁ ସଙ୍ଗଠନ ଦରକାର । ଆମର ଏ ଆୟୋଜନ ସେମିତି କିଛି ନୁହେଁ । ଗୋଷ୍ଠୀ ଜୀବନର ଏ ଗୋଟିଏ ପ୍ରକାର ମିଳନ ପୀଠ ବୋଲି ଧରିନିଅନ୍ତୁ । କିଛି ଆଲୋଚନା ବି ହେବ । ଯିବେ ନିଶ୍ଚୟ । ଉତ୍ତର ଦେଲେ ରବିଶଙ୍କର ।

 

ଯିବି ନିଶ୍ଚୟ । ବିନୀତ ଭାବରେ ସମ୍ମତି ଜଣାଇଲେ ବ୍ରହ୍ମପ୍ରକାଶ । ରବିଶଙ୍କର ସାଇକେଲ୍ ଧରି ବାହାରିଗଲେ । ଦୃଷ୍ଟିର ଆଢ଼ୁଆଳକୁ ସେ ଚାଲିଯିବା ପର୍ଯ୍ୟନ୍ତ ବ୍ରହ୍ମପ୍ରକାଶ ଭାବୁଥିଲେ—ଲୁଣ୍ଠନର ବହୁ ପ୍ରକାର ଫନ୍ଦି ଅଛି । ଠିକାଦର ପ୍ରଶାନ୍ତ ପଟ୍ଟନାୟକଙ୍କର ଅନୁଚରମାନଙ୍କର ସଂଖ୍ୟା କ୍ରମେ ବଢ଼ିଉଠୁଛି ସତ, ମାତ୍ର ସଙ୍ଗଠନର ଆବଶ୍ୟକତାକୁ କେତେବେଳେ ବି ଅସ୍ୱୀକାର କରିହେବନି । କେବଳ ଠିକଣା ବାଟରେ ପରିଚାଳିତ କରିପାରିଲେ ହେଲା ।

 

ପ୍ରଶାନ୍ତ ପଟ୍ଟନାୟକଙ୍କର ପୃଷ୍ଠପୋଷକତାରେ ଗଢ଼ାଯାଇଥିବା ‘‘ଦାଦା କ୍ଲବ୍‌’’ର ସମ୍ପାଦକ ରବିଶଙ୍କର । ବୟସ ଅନୁମାନ ପଚିଶ ପାଖାପାଖି । ମୁହଁଟି ଟାଆଁସିଆ ଟାଆଁସିଆ ନୂଆ ଶ୍ମଶ୍ରୂରେ ଆଚ୍ଛନ୍ନ । କୋଟରଗତ ଆରକ୍ତ ଆଖି ଦୁଇଟି ଭୟଙ୍କର ଭାବରେ ଜଳୁଛି ଯେମିତି । ଡାହାଣ ହାତରେ ମୋଟା ଷ୍ଟିଲ ବଳା । ବେକରେ ଲମ୍ବା ସୁନାହାର । ଶୀର୍ଣ୍ଣ ଶରୀର । ଦେହରେ ଧୋବ ପାଇଜାମା ଓ ପଞ୍ଜାବୀ । ଦାଦା କ୍ଲବର ସଭ୍ୟ ସଂଖ୍ୟା ପ୍ରାୟ ଚାଳିଶ ହେବ । ଅଧିକାଂଶ ଅଧାପାଠୁଆ—ବେକାର । ସାତଜଣ ମୁଖ୍ୟ ପରିଚାଳକଙ୍କ ଭିତରେ ସଭାପତି ଧୂର୍ଜ୍ଜଟି ନାୟକ । ଲମ୍ବା ଚଉଡ଼ା ମଣିଷଟାଏ । ମୁଗୁନି ପଥର ପରି କଳା ଦେହ । ମୋଟା ମୋଟା ଲମ୍ବା ନିଶ ଦୁଇଟି ଦୁଇ ପାଖକୁ ଲମ୍ବିଅଛି । ତଳ ଓଠର ଦୁଇ ପାଖରେ ଘେରିଯାଇଛି । ଦେଖିଲେ ଭୟରେ ଏଡ଼େଇଯିବାକୁ ମନ ହେବ ।

 

ଦାମନଯୋଡ଼ିର ସମସ୍ତ ସାଧାରଣ ସେବା ଅନୁଷ୍ଠାନରେ ଦାଦା କ୍ଲବର ପତିଆରା ସବୁଠୁ ବେଶୀ । ବିପଦ ଆପଦ ପଡ଼ିଲେ ଅସହାୟର ଏମାନେ ପ୍ରଧାନ ସହାୟକ । ସରକାରୀ କର୍ମକର୍ତ୍ତା, ଠିକାଦାର ଓ ଶ୍ରମିକ, ସ୍ୱେଚ୍ଛାରେ ନ ହେଲେବି ସଦା ପ୍ରସନ୍ନ । କଥା କଥାକେ ବଳ ପ୍ରୟୋଗର ଉପକ୍ରମ । ନିତାନ୍ତ ବେପରୁଆ ଭା‍ବ । ବ୍ୟବସାୟ କଣ, କାହାରିକୁ ଜଣା ନାହିଁ । କିନ୍ତୁ କେଉଁଥିରେ ଅଭାବ ନ ଥାଏ । ଶିଳ୍ପାଞ୍ଚଳର ଦୂରକୁ ପାହାଡ଼ ତଳେ ଏମାନଙ୍କର ମୁଖ୍ୟ କାର୍ଯ୍ୟାଳୟ–ଦାଦା କ୍ଲବ । ଅତ୍ୟନ୍ତ କଠୋର ଅନୁଶାସନ । ସାଧାରଣ ଆତଯାତ ସେଠାରେ ମନା । ଦୁଇ ବଖରାର ଛୋଟିଆ ଟାଇଲ ଘରଟିଏ । ସବୁବେଳେ ଫାଙ୍କା ପଡ଼ିଥାଏ । ନିତାନ୍ତ ନିର୍ଜ୍ଜନ ନିଛାଟିଆ । ଲୋକେ କହନ୍ତି, ବେଳେ ବେଳେ ରାତି ଅଧରେ ସେଠାରେ ଖୁବ୍ ଗୋଟାଏ ହୁଲସ୍ତୁଲ ହୁଏ । ଖିଆପିଆ, ଧୂମ୍‌ଧାମ୍, ଧସ୍ତାଧସ୍ତିରେ ରାତି ପାହିଯାଏ । ସକାଳକୁ ଶୂନ୍‌ଶାନ୍ । କେବେ କେମିତି ସୁବିଧା ଅସୁବିଧା ପଡ଼ିଲେ ପୋଲିସ୍‌ର ଉଦାର ସହଯୋଗ ଅଯାଚିତ ଭାବେ ମିଳିଥାଏ । ପ୍ରଶାନ୍ତ ପଟ୍ଟନାୟକଙ୍କର ବଦାନ୍ୟ ହସ୍ତ ତ ସଦା ଉନ୍ମୁକ୍ତ ।

 

ଦିନସାରା ସେଦିନ କାହାରିକୁ ଫୁରୁସତ ନାହିଁ । ମଞ୍ଚ ବନ୍ଧା, ଲାଇଟ ସଜ୍ଜା, ତୋରଣ ତିଆରି, ଗାଡ଼ି ମୋଟରରେ ଚେୟାର ଟେବୁଲ୍ ବୁହାବୁହି, ଖାଦ୍ୟ ପାନୀୟର ବନ୍ଦୋବସ୍ତରେ ସମସ୍ତେ ଲାଗିପଡ଼ିଛନ୍ତି, ଅଣନିଃଶ୍ୱାସୀ ହୋଇ । ରବିଶଙ୍କର ନିଜେ ସବୁ ତଦାରଖ କରୁଛନ୍ତି । ଏସ୍.ଡି.ଓ, ତହସିଲଦାର ଆଗରୁ ଆସି ଦେଖିଗଲେଣି । ସବୁ ଠିକ୍‌ଠାକ୍‌ ଚାଲିଛି ।

 

ସନ୍ଧ୍ୟା ଆଗତପ୍ରାୟ, ସାଜସଜ୍ଜା, ସଫାସୁତୁରା ଗାଡ଼ି ମଟର ଧାଁଧପଡ଼ ଭିତରେ ଦାମନଯୋଡ଼ିର ଆସନ୍ନ ଉତ୍ସବ-ମୁଖର ପରିବେଶଟି ବେଶ୍‌ ସ୍ପଷ୍ଟ ହୋଇ ଉଠିଲାଣି । ବିଭିନ୍ନ ସଙ୍ଗୀତ ରେକଡରେ କାନଫଟା ବାଜଣା ଭିତରେ ଲୋକ ସମାଗମ କ୍ରମେ କ୍ରମେ ଉଜ୍ଜଳି ଉଠୁଛି । ସୁସଜ୍ଜିତ ତୋରଣମାନଙ୍କ ସାଙ୍ଗକୁ ଚାରିଆଡ଼େ ତୋଫା ବିଜୁଳି ଆଲୁଅରେ ଉଦ୍‌ଭାସିତ ମଞ୍ଚସ୍ଥଳୀଟି ବେଶ୍ ଉପଭୋଗ୍ୟ ହୋଇଛି । ହଠାତ୍‌ ଇତସ୍ତତଃ ଗୁଞ୍ଜରଣ ମଧ୍ୟରେ ସବୁ ଯେମିତି ଚଞ୍ଚଳ ହୋଇଉଠିଲା । ଅଫିସରମାନଙ୍କ ଗହଣରେ ମନ୍ତ୍ରୀ ଆସି ଉପସ୍ଥିତ ହେଲେ ।

 

ସଭା ଚାଲିଛି । ମାନ୍ୟଗଣ୍ୟ ବ୍ୟକ୍ତି ଭାବରେ ଗଣସମ୍ବର୍ଦ୍ଧନାର ସଭାପତିତ୍ୱ କରୁଛନ୍ତି ବ୍ରହ୍ମପ୍ରକାଶ । ମୁଖ୍ୟବକ୍ତା ପ୍ରଶାନ୍ତ ପଟ୍ଟନାୟକ, ଗଳା ଝାଡ଼ି ସ୍ଵାଗତ ସମ୍ବର୍ଦ୍ଧନାର ଉପକ୍ରମଣିକା ପରେ ବଡ଼ ଗମ୍ଭୀର ଭାବରେ କହିଲେ—ସମାଜ ଆଜି ଯେପରି ଦ୍ରୁତଗତିରେ ଧ୍ୱଂସଆଡ଼କୁ ଆଗେଇ ଚାଲିଛି, ମନେ ହେଉଛି ତାକୁ ଆଉ ରୋକି ହେବ ନାହିଁ । କିନ୍ତୁ ଏପରି ନୈରାଶ୍ୟ ଆମକୁ ରକ୍ଷା କରିପାରିବ ନାହିଁ । ସାହସର ସହିତ ତାର ପ୍ରତିକାର କରିବାକୁ ପଡ଼ିବ । ଆମର ଏଠାକାର ଦାଦା କ୍ଲବ୍‌ର ପିଲାମାନେ ଏ ଦିଗରେ ଖୁବ୍‌ ସଚେତନ । ଏଠାକାର ଶାନ୍ତିକୁ ଅବ୍ୟାହତ ରଖିବାରେ ସେମାନଙ୍କର କାର୍ଯ୍ୟ ପ୍ରଶଂସନୀୟ । ଏଥିପାଇଁ ସମସ୍ତଙ୍କର ସହାନୁଭୂତି ମିଳିଲେ, ସେମାନେ ଆହୁରି ଉତ୍ସାହିତ ହେବେ । ବିଶେଷ କରି ଆଜିର ବରେଣ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ମହୋଦୟଙ୍କର ସଦିଚ୍ଛା ଓ ପ୍ରେରଣା ଭୁଲିହେବ ନାହିଁ । ତାଙ୍କ ପରି ଉଦାର, ସେବା ପରାୟଣ ଓ ମହାନୁଭବ ମଣିଷ ଆମ ସମାଜରେ ବିରଳ । ମୁଁ ତାଙ୍କୁ ଏଇ ଅବସରରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଛି ।

 

ଜନଗହଳିର ପଛପଟରୁ କିଏ ଜଣେ ଅସ୍ପଷ୍ଟ ଭାବରେ କହିପକାଇଲେ—ଶୁଣ୍ଢୀ ସାକ୍ଷୀ ମାତାଲ୍ । ଜଳନ୍ତା ରଡ଼ ନିଆଁ ପରି ଆଖି ଦୁଇଟାକୁ ଦପ୍ ଦପ୍ କରି ରବିଶଙ୍କର ମଞ୍ଚ ଉପରେ ଠିଆ ହୋଇଗଲେ । ତାପରେ ସବୁ ଚୁପ୍ ।

 

ସଭାପତି ବ୍ରହ୍ମପ୍ରକାଶବାବୁ ବଡ଼ ଅସ୍ୱସ୍ତି ଅନୁଭବ କରୁଥିଲେ । ତଥାପି କର୍ତ୍ତବ୍ୟର ଅନୁରୋଧରେ ସେ ଆଉ କେତେଜଣଙ୍କୁ କହିବା ପାଇଁ ଡାକିସାରିବା ପରେ ଶେଷରେ ବିନୟ ସହ ମନ୍ତ୍ରୀ ମହୋଦୟଙ୍କୁ ଅନୁରୋଧ କଲେ ସମ୍ବର୍ଦ୍ଧନାର ଉତ୍ତର ଦେବା ପାଇଁ । ମନ୍ତ୍ରୀଜଣକ ଖୁବ୍ ଯୁବକ-। ବୟସ ଅନ୍ଦାଜ ତିରିଶରୁ ବେଶୀ ନୁହେଁ । ସୁନ୍ଦର ସ୍ୱାସ୍ଥ୍ୟ, ଦେହରେ ଧୋବ ଫର ଫର୍ ଖଦଡ଼ ଧୋତି ଆଉ ପଞ୍ଜାବୀ । ଶାନ୍ତ ଅଥଚ ଗମ୍ଭୀର ଭାବରେ ମାଇକ୍ରୋଫୋନ ପାଖରେ ଆସି ଠିଆହେଲେ । ଉପସ୍ଥିତ ଜନସାଧାରଣଙ୍କୁ ଯୋଡ଼ହସ୍ତରେ ପ୍ରଣାମ କରି ସେ ଆରମ୍ଭ କଲେ—ଅପାତ୍ରରେ ଦାନ କଲେ, ସେ ଯେପରି ଅପଚୟ ହୋଇଯାଏ, ସେହିପରି ଆପଣମାନଙ୍କଠାରୁ ମୋର ବିପୁଳ ପ୍ରଶସ୍ତି ଶୁଣି ମୁଁ ମ୍ଳାନ ହୋଇଯାଇଛି । ପୂଜ୍ୟ ପୂଜାର ବ୍ୟତିକ୍ରମ କରିବା ବିକୃତ ସଂସ୍କୃତିର ପରିଚୟ... ମୁଁ ମାନୁଛି, ମାତ୍ର ଏ ପୂଜାର ମୁଁ ଉପଯୁକ୍ତ ନୁହେଁ । ତେବେ ଆପଣମାନଙ୍କର ଏ ଶ୍ରଦ୍ଧା ମୁଁ ଜୀବନରେ ଭୁଲିପାରିବି ନାହିଁ । ମୁଁ ଅତ୍ୟନ୍ତ ଖୁସି ଯେ ଏଠାରେ ଶାନ୍ତିକୁ ଅବ୍ୟାହତ ରଖିବା ପାଇଁ ଓ ଅସହାୟର ସେବାରେ ନିଜକୁ ନିୟୋଜିତ କରିବା ପାଇଁ, ଦାଦା କ୍ଲବ୍‌ର ବନ୍ଧୁମାନେ ସଂକଳ୍ପବଦ୍ଧ । ସେମାନେ ପ୍ରଶଂସାର ପାତ୍ର । ଅନୁଷ୍ଠାନ ପ୍ରତି ସରକାରଙ୍କର ସହାନୁଭୂତିର ପ୍ରତିଶ୍ରୁତି ଦେଇ ମୁଁ ବିଦାୟ ନେଉଛି—ଜୟହିନ୍ଦ୍‌ । ପଛପଟରୁ କିଏ ଜଣେ ଚିତ୍କାର କଲେ—ଆମେ ଆଉ ବଞ୍ଚିବୁ ତ ! ସାଙ୍ଗେ ସାଙ୍ଗେ ପାଟି ତୁଣ୍ଡ ଓ ଧସ୍ତାଧସ୍ତିରେ କିଛି ସମୟ ପାଇଁ ଅବସ୍ଥାଟି ଉତ୍ତେଜିତ ହୋଇଗଲା । ବ୍ରହ୍ମପ୍ରକାଶ ଠିଆ ହୋଇପଡ଼ି ଯୋଡ଼ହସ୍ତରେ ନିବେଦନ କଲେ–ମୁଁ ଅନୁରୋଧ କରୁଛି—ଦୟା କରି ଶାନ୍ତିରକ୍ଷା କରନ୍ତୁ । ସଭା ସରିଲାଣି । ମୋର କିଛି କହିବାକୁ ନାହିଁ । କାଚର ସନ୍ଧାନ କରୁ କରୁ ଆପଣମାନେ ମଣିଷର ସନ୍ଧାନ ପାଇଲେ । ଏ କମ୍ ଭାଗ୍ୟର କଥା ନୁହେଁ-। ମନ୍ତ୍ରୀ ମହୋଦୟ ଜଣେ ଯୁବକ ଲୋକ । ଦେଶ ତାଙ୍କଠାରୁ ଅନେକ କିଛି ଆଶା କରେ । ଭଗବାନ ତାଙ୍କର ମଙ୍ଗଳ କରନ୍ତୁ । ସଭା ଶେଷ ହେଲା I

 

ଯିଏ ଯୁଆଡ଼ୁ ଆସିଥିଲେ, ନିଜ ନିଜ ବାଟରେ ଚାଲିଗଲେ । କେବଳ ମନ୍ତ୍ରୀ ମୁହାଁଇଲେ ପ୍ରଶାନ୍ତ ପଟ୍ଟନାୟକଙ୍କ ଘରଆଡ଼େ ଦାଦା କ୍ଲବର ଦାଦାମାନଙ୍କୁ ସାଙ୍ଗରେ ଧରି ।

 

ସମସ୍ତେ ଖାଇବସିଛନ୍ତି । ରବିଶଙ୍କର ଆରମ୍ଭ କଲେ—ଆଜି ସଭାରେ ବ୍ରହ୍ମପ୍ରକାଶବାବୁଙ୍କୁ ସଭାପତି କରିବାଟା ଭୁଲ ହୋଇଗଲା । ସେ ତ କିଛି କହିଲେ ନାହିଁ । ଯାହା ବା ଦୁଇପଦ ମାମୁଲି ଭାବରେ କହିଲେ, ସେ ସବୁ କେମିତି ଗୋଟିଏ ଅବଜ୍ଞା ଆଉ ଶ୍ଳେଷପୂର୍ଣ୍ଣ ବୋଲି ମନେ ହେଲା ।

 

ମୋର ବି ତ ସେୟା ମନେ ହେଲା । ବିସ୍ମୟ ପ୍ରକାଶ କରି ସମର୍ଥନ କଲେ ସଭାପତି ଧୂର୍ଜ୍ଜଟି ନାୟକ । ତାଙ୍କର ସେ ଆଶ୍ରମଟା, ଆଉ ପିଲାଗୁଡ଼ାକ, ବାପରେ କି ଭୟଙ୍କର । ଖଣ୍ଡେ ଖଣ୍ଡେ, ନିଆଁମୁଣ୍ଡା ଯେମିତି । ସବୁ ଅନର୍ଥ ସେଇଠି । ଦାଦା କ୍ଲବର ନାଁ ଶୁଣିଲେ ବାଘ ବି ବାଟ ଛାଡ଼ିଦେବ । ହେଲେ ଏ ଆଶ୍ରମର ଏ ଟୋକା ପଞ୍ଝାକ ଜବାବ ନ ଦେଇ ଛାଡ଼ିବେ ନାହିଁ । ସବୁ ସେଇ ବୁଢ଼ା ବ୍ରହ୍ମପ୍ରକାଶର ଏ କାମ ।

 

ଖାଇବା ପତ୍ରରୁ ମୁହଁ ଉଠାଇ ପ୍ରଶାନ୍ତ ପଟ୍ଟନାୟକ ଗମ୍ଭୀର ଭାବରେ କହିଲେ—କଣ ତୁମେ କହିବାକୁ ଚାହୁଁଛ ଧୂର୍ଜ୍ଜଟି ! ଧୂର୍ଜ୍ଜଟି ନୀରବ ରହିଲେ ।

 

ରବିଶଙ୍କର ଆପତ୍ତି କରି କହିଲେ—ନାଇଁ ଆଜ୍ଞା, ଏବେ ଆଉ ଆପଣ ବାରଣ କରନ୍ତୁ ନାହିଁ । କିଛି ଗୋଟାଏ ଫଇସଲା ହୋଇଯିବା ଦରକାର । ସବୁଦିନ ଚୋରଙ୍କ ଭଳି ଆମେ କାହିଁକି ସହିଯିବୁ ? ହାଟ, ବାଟ ସବୁଆଡ଼େ ସେ କାହିଁକି ଦେଖେଇ ଦେଖେଇ ଆମକୁ ସମାଲୋଚନା କରିବେ ? ଆମେ କି ଦୋଷ କଲୁ କି ? କଉ ଝିଅ କଥା ନେଇ ଆମ ପିଲାଏ ଯଦି ପଶିଯାଇଥିଲେ କିମ୍ବା କେଉଁ ପରିସ୍ଥିତିରେ ଯଦି ଗୋଟାଏ କିଛି ମାର୍‌ପିଟ୍‌ ହୋଇଯାଇଥିଲା, ତାହେଲେ ସେ ଆମକୁ କହିଲେ ନାହିଁ ! ଆମେ ନ ବୁଝିଥିଲେ, ତେଣିକି ସେ କହିଥାନ୍ତେ । କଥାଟା ତା ନୁହେଁ ଆଜ୍ଞା । ଏଇଟା ହେଲା ପରଶ୍ରୀକାତରତା । ଦାଦାକ୍ଲବର ପ୍ରଶଂସା ତାଙ୍କ ଦିହରେ ଯାଉନାହିଁ । ସବୁବେଳେ କଣ ନା ଦୁର୍ନୀତି ହୋଇଗଲା, ଅସାମାଜିକ ଗୁଣ୍ଡା ଟୋକାଏ ଝିଅ ବୋହୂଙ୍କୁ ରଖେଇ ଦେଲେନାହିଁ, ‘ସାଇକେଲ୍ ଚେନ୍, ପ୍ୟାଣ୍ଟ ବେଲ୍‌ଟ ଆଉ ଛୁରୀ ଦେଖାଇ ନିରୀହ ଲୋକଙ୍କୁ ହଇରାଣ କଲେ, ଏମିତି ଯେତେ ସବୁ କାଣ୍ଡ କୁଆଡ଼େ ଦାଦା କ୍ଲବର ପିଲାମାନେ କରୁଛନ୍ତି । ଆମେ ଆଉ ସହିପାରିବୁ ନାହିଁ ଆଜ୍ଞା । ଆଗ କାଳଠାରୁ ଏବେ କଉ ଗୋଟିଏ ବେଶୀ ଅନ୍ୟାୟ ହୋଇଯାଉଛି ଯେ ଏମାନେ ବରଦାସ୍ତ କରିପାରୁ ନାହାନ୍ତି ? ପାଞ୍ଚାଳୀକୁ ରାଜସଭାରେ ଦୁଃଶାସନ ଉଲଗ୍ନ କଲା, ଆଜି କୋଉ ଭାଇ ତା ଭାଇବୋହୂକୁ ଏମିତି ବେଜିତ୍‌ କରୁଛି କହିଲ ? ଗୁପ୍ତରାଜତ୍ୱ କୁଆଡ଼େ ଭାରତର ସୁବର୍ଣ୍ଣ ଯୁଗ ଥିଲା, ସେତେବେଳେ ତ ପୁଣି ମାଛ ପାଣିରେ ଥାଇ ବିନା ବାଧାରେ ମୁନ୍ଦାଏ ପାଣି ପିଇ ଦେଲା ଭଳି ରାଜକର୍ମଚାରୀମାନେ ପ୍ରଜାଙ୍କୁ ଶୋଷି ନେଉଥିଲେ ? ତାଠୁ ଆମେ ଏମିତି କଉ ବେଶୀ କାମ କରିପକାଇଲୁ ଯେ, ଏମାନେ ସବୁବେଳେ ସମାଲୋଚନା କରିବେ ?

 

ଏତେବେଳଯାଏ ଖାଇବାରେ ମନ ଦେଇଥିଲେ ମାନ୍ୟବର ମନ୍ତ୍ରୀ ମହୋଦୟ । ସେ କେବଳ ପ୍ରଶାନ୍ତ ପଟ୍ଟନାୟକ, ଧୂର୍ଜ୍ଜଟି ଓ ରବିଶଙ୍କରଆଡ଼େ ଥରେ ମାତ୍ର ଆଖି ଉଠାଇ ଚାହିଁଦେଇ ପୁଣି ଖାଇବାରେ ମନ ଦେଲେ । ତା ପରେ ସମସ୍ତେ ଚୁପ୍ ହୋଇଗଲେ । ଖାଇବା ସରିଲା । ମନ୍ତ୍ରୀ ମହୋଦୟଙ୍କୁ ବିଦାୟ ଦେବା ପାଇଁ ଦାଦା କ୍ଲବର ସଭ୍ୟମାନେ ଆସି ରୁଣ୍ଡ ହେଲେଣି । ହଠାତ୍ ମନ୍ତ୍ରୀଙ୍କ ମୁହଁରେ କଠୋର ଭାବ ଦେଖି ସମସ୍ତେ ଶଙ୍କିତ ହୋଇପଡ଼ିଲେ । କେହି କିଛି ନ ବୁଝିପାରି ନୀରବରେ ପରସ୍ପରକୁ ଚାହିଁଲେ । ଏକା ବୁଝିଲେ ପ୍ରଶାନ୍ତ ପଟ୍ଟନାୟକ । ସେ ଅନୁଭବ କଲେ—ରବିଶଙ୍କର ପୁଞ୍ଜିଟା ଠିକ୍ ଜାଗାରେ ବାଜିଛି । ତାଙ୍କର ମନେ ହେଲା—ଆଭିଜାତ୍ୟର ଅଭିମାନ ଆଉ କ୍ଷମତାର ଅହଙ୍କାରକୁ ମନ୍ତ୍ରୀ ସିନା ଶାଳୀନତାର ଆଳରେ ଚାପିଧରିଥିଲେ, ନ ହେଲେ ପ୍ରତିହିଂସାର ବୀଜ ସବୁ ତାଙ୍କର ଧମନୀର ରକ୍ତ ପ୍ରବାହରେ ଟକମକ କରି ଫୁଟୁଥିଲା । ମନ୍ତ୍ରୀ ବିଦାୟ ନେଇ ଚାଲିଗଲେ ।

 

ଚାରି

 

ରେଭେନ୍‌ସା କଲେଜ ହଷ୍ଟେଲରେ ପ୍ରବୋଧକୁମାରର କୋଠରୀ । ମେଧାବୀ ଛାତ୍ରମାନଙ୍କୁ ଏପରି ଗୋଟିକିଆ କୋଠରୀ ପ୍ରାୟ ମିଳିଥାଏ । ଖଟ ଉପରେ ଶୋଇଛି ପ୍ରବୋଧକୁମାର । ଆରୋଗ୍ୟ ଲାଭ କରିଥିଲେ ମଧ୍ୟ ଡାକ୍ତର ଦାସଙ୍କର କଡ଼ା ନିର୍ଦ୍ଦେଶ ଯଥେଷ୍ଟ ବିଶ୍ରାମ ନେବା ପାଇଁ । ସେଥିରେ ପୁଣି ଟିକିଏ ତ୍ରୁଟି ହେଲେ ସୂର୍ଯ୍ୟ କୁମାର ବିଗିଡ଼ିଯିବ । ପ୍ରାଣର ମମତା ଭିତରେ କ’ଣ ଗୋଟାଏ ଥାଏ କେଜାଣି, ତାହା ଫୁଲର ପାଖୁଡ଼ା ଭଳି ନିତାନ୍ତ କୋମଳ ହେଲେ ବି, କଠୋର ଶାସନର ଉଗ୍ର ପ୍ରଭାବଠାରୁ ଆହୁରି ଶକ୍ତଶାଳୀ । ବିଚରା ପ୍ରବୋଧ କୁମାରର ଅବସ୍ଥା ସେୟା ।

 

ବିଛଣା ଉପରେ ପାଖକୁ ଲାଗି ବସିଛନ୍ତି ଉତ୍କଳ ଓ ପ୍ରଭାତ । ଦୁଇଜଣ ସହପାଠୀ ସାଙ୍ଗ-। ଟେବୁଲ୍ ପାଖ ଚେୟାର ଉପରେ ବସିଛି ସୂର୍ଯ୍ୟକୁମାର । ସମସ୍ତେ ନୀରବ । ଗୋଟାଏ ମସ୍ତବଡ଼ ଝଡ଼ ଶେଷରେ ସବୁକିଛି ଯେମିତି କିଛି ସମୟ ପାଇଁ ନିଶ୍ଚଳ ହୋଇଯାଇଥାଏ । ସମଗ୍ର କୋଠରୀଟି ସେହିପରି ଏକ ନିର୍ବେଦ ନିସ୍ତବ୍ଧତାରେ ଆଚ୍ଛନ୍ନ ହୋଇ ପଡ଼ିଥିଲା । ଯେ କେହି ଆଗନ୍ତୁକର ମନେ ହେବ, ଏଇ ଟିକିଏ ପୂର୍ବରୁ ଯେପରି ଗୋଟାଏ ଶକ୍ତ ଉତ୍ତେଜନା ପର୍ବର ପରିସମାପ୍ତି ଘଟିଯାଇଛି-। ପ୍ରଥମେ ପାଟି ଖୋଲିଲା ଉତ୍କଳ—ତାହେଲେ ତୁ କ’ଣ କହିବାକୁ ଚାହୁଁ ଯେ ଏ ଶିକ୍ଷା ଆମର କିଛି ଦରକାରରେ ଆସୁନାହିଁ । ଏ କ’ଣ ତେବେ କେତେଜଣ ବୁଦ୍ଧିମାନ ବ୍ୟକ୍ତିଙ୍କର ଶୋଷଣର ନୂତନ ଆବିଷ୍କାର ?

 

ନା, ମୁଁ ଏତେବଡ଼ ନିଷ୍ଠୁର ହୋଇପାରିବି ନାହିଁ ଉତ୍କଳ । ଶିକ୍ଷାର ସ୍ୱଧର୍ମରେ ଯେଉଁ ମୌଳିକ ତତ୍ତ୍ୱ ଟିକକ ନିହିତ ଅଛି, ତାକୁ ତୁ କ’ଣ କେବେ ଭାବି ଦେଖିନାହୁଁ ? ପୂର୍ବପୁରୁଷର ସଭ୍ୟତା ଓ ସଂସ୍କୃତିକୁ ପୁରୁଷ ପୁରୁଷ ପର୍ଯ୍ୟନ୍ତ ବୋହିନେବା ସାଙ୍ଗେ ସାଙ୍ଗେ ନୂତନ ଜ୍ଞାନର ଆବିଷ୍କାର କରିବା ପର୍ଯ୍ୟନ୍ତ କାର୍ଯ୍ୟତକ ଯେ କିଛି ନ ହେଉଛି ନୁହେଁ, ମାତ୍ର ପରିପୁଷ୍ଟ ସମାଜ ପାଇଁ ବ୍ୟକ୍ତି ଜୀବନର ଯାହା କିଛି ସକ୍ରିୟ ସାଧନ, ତାହା ଆମ ପାଖେ ନାହଁ ।

 

ସୂର୍ଯ୍ୟର ଦୃଢ଼ ଯୁକ୍ତିକୁ ଭେଦ କରି ନ ପାରି ଉତ୍କଳ କ୍ଷୁର୍ଣ୍ଣ ହେଲା । କହିଲା—ବୁଝିପାରିଲି ନାହିଁ ସୂର୍ଯ୍ୟ ।

 

ପ୍ରଭାତର ବାଧା ଦେଇ ବିଦ୍ରୂପ କଲା—ତୁ ବୁଝିପାରିବୁ ବୋଲି ଆମେ ତ କେହି ଆଶା କରି ନ ଥିଲୁ । ଏଇ ଶୁଣ, ସୂର୍ଯ୍ୟ କହିବାକୁ ଚାହେଁ ଯେ ପୁରୁଣା ସଭ୍ୟତା ଆଉ ନୂଆ ସଂସ୍କୃତି ସବୁ ଏକାଠି ମିଶିଯାଇଥିବାରୁ ଆମକୁ ବହୁତ ଆରାମ ମିଳୁଛି, ଏତକ କଥା ବୁଝିପାରିଲୁ ନାହିଁ ?

 

ଖଟ ଉପରେ ପ୍ରବୋଧ କୁମାର ପିଁ କରି ହସିଉଠି ସାଙ୍ଗେ ସାଙ୍ଗେ ବନ୍ଦ ହୋଇଗଲା ।

 

ସୂର୍ଯ୍ୟ କହିଲା—ନା, ତା’ ନୁହେଁ ପ୍ରବୋଧ । ସେ ଉତ୍କଳ ଆଡ଼କୁ ଆଖି ଫେରାଇ ନେଇ କହିଲା—ମାନବ ସଭ୍ୟତାର ସୃଷ୍ଟିଠାରୁ ଏଯାବତ ତାର ସଭ୍ୟତା ଆଉ ସଂସ୍କୃତି ଧାରା ବିବରଣୀକୁ ଇତିହାସ ଲିପିବଦ୍ଧ କରି ରଖୁଛି । ଶିକ୍ଷା ଆମକୁ ସେ ସବୁ ସହିତ ପରିଚିତ କରୁଛି । ଅଧ୍ୟୟନ ଆଉ ଅଧ୍ୟବସାୟ ଦ୍ୱାରା ଆମେ ପୁଣି ନୂଆ ନୂଆ ଜ୍ଞାନର ଉଦ୍‌ଭାବନ କରି ଅଧିକ ସଂବୃଦ୍ଧିର ପଥ ପରିଷ୍କାର କରିଦେଉଛୁ । ମାତ୍ର ସରସ ସମାଜର ପରିପୁଷ୍ଟି ପାଇଁ ବ୍ୟକ୍ତିର ଆଚରଣରେ ଯେଉଁ ରୁଚି, ବିଚାରରେ ଯେଉଁ ନୈପୁଣ୍ୟ ଆଉ ଜୀବନ ସଂଗ୍ରାମରେ ସମସ୍ୟାର ମୁକାବିଲା କରିବା ପାଇଁ ଯେଉଁ ଶକ୍ତିର ପ୍ରୟୋଜନ, ତାହା ପ୍ରତିଫଳିତ ହୋଇପାରୁ ନାହିଁ । ମୋର ବିରୋଧ ଏଇଠି । ସେଇଥିପାଇଁ ମୁଁ ପ୍ରଚଳିତ ଶିକ୍ଷା ନୀତି ସହିତ ସାଲିସ କରିପାରେ ନା । ବିସ୍ମୟରେ ପଚାରିଲା ପ୍ରବୋଧ—

 

ତୁ ଏସବୁ କଥା କେଉଁଠୁ ଶିଖିଲୁ ସୂର୍ଯ୍ୟ ? ତମ ଡାକ୍ତରୀ ପାଠରେ ଇତିହାସ ବି ପଢ଼ାଯାଏନା କ’ଣ ?

 

ପଢ଼ା ନ ଗଲେ ବି ସବୁ ପାଠରେ ଏ କଥା ଅଛି । ଆମେ ଖାଲି ଦେଖି ଜାଣିଲେ ହେଲା-। ସେ କୌଣସି ପାଠ ଆଜି ବନ୍ଦ କରିଦେଲେ, ସେହି ପାଠର ଇତିହାସ କ’ଣ ଥିଲା, ହଜିଯିବ-

 

ସୂର୍ଯ୍ୟ ଉତ୍ତର ଦେଲା ।

 

ଆଉ ଉତ୍କଳ ଯେ ପଚାରିଲା, ଏ ଶିକ୍ଷା କେବଳ କେତେଜଣ ବୁଦ୍ଧିମାନ ବ୍ୟକ୍ତିଙ୍କର ଶୋଷଣର ନୂତନ ଆବିଷ୍କାର, ସେଥିରେ ତୋର ମତ କ’ଣ ? ଖଟ ଉପରୁ ଆଗ୍ରହରେ ପଚାରିଲା ପ୍ରବୋଧ କୁମାର ।

 

ସୂର୍ଯ୍ୟ ଉତ୍ତର ଦେଲା—ଆବିଷ୍କାର ତ ସବୁବେଳେ ବୁଦ୍ଧିମାନ ବ୍ୟକ୍ତିର ମନୋପଲି—ମାନବ କ୍ଷୁଧାର ଅନ୍ୟ ନାମ । ସୃଷ୍ଟିତତ୍ତ୍ୱର ମୂଳ କଥା—ସରଭାଇଭାଲ୍ ଅଫ୍ ଦି ଫିଟେଷ୍ଟ୍‌ । ପୁରୁଣା ସାମ୍ରାଜ୍ୟର କବର ଉପରେ ନୂତନ ସାମ୍ରାଜ୍ୟ ପ୍ରତିଷ୍ଠା କରିଛି କେବଳ ବୁଦ୍ଧିମାନ ପୁରୁଷର ଅଭେଦ୍ୟ କୌଶଳ । ତୁ କଳାର ଛାତ୍ର ପ୍ରବୋଧ । ପଲାସୀ ଯୁଦ୍ଧରେ କ୍ଲାଇବର ବିଜୟ ହେଲା, ଶକ୍ତିର ନା ଛଳକୌଶଳର । ଜୟଚନ୍ଦ୍ର ଆଉ ପୃଥ୍ୱୀରାଜର କଳହକୁ କେନ୍ଦ୍ର କରି ଭାରତବର୍ଷରେ ମୁସଲମାନ ସାମ୍ରାଜ୍ୟ ପ୍ରତିଷ୍ଠା ହେଲା, ଶକ୍ତିର ନା କୌଶଳର ? ଆନୁଗତ୍ୟ ବଦଳରେ ଅନୁଗ୍ରହ, ଦୀର୍ଘ ଇଂରେଜୀ ଶାସନର ଦୁର୍ଭେଦ୍ୟ କୌଶଳ, ତୁ କ’ଣ ଏ କଥା ଅସ୍ଵୀକାର କରିବୁ ? ଏ ହେଲା, କର୍ତ୍ତୃତ୍ୱର ଚରିତ୍ର । ଆଜି ମଧ୍ୟ ତା’ର ବ୍ୟତିକ୍ରମ ନାହିଁ । କାରଣ, କର୍ତ୍ତୃତ୍ୱ ତା’ର ଚରିତ୍ରରେ ଅପରିବର୍ତ୍ତନୀୟ । ତା’ର ପ୍ରକ୍ରିୟା ସବୁକାଳ ପାଇଁ ସମାନ ଭାବରେ ପ୍ରଯୁଜ୍ୟ । ସେଇଥିପାଇଁ ମାନବ ସଭ୍ୟତାର ଆରମ୍ଭଠାରୁ ଆଜି ପର୍ଯ୍ୟନ୍ତ ସବୁ ଶାସକମାନଙ୍କ ପରି ସ୍ଵାଧୀନ ଭାରତର ଶାସକବର୍ଗ ମଧ୍ୟ ଅଳ୍ପ ଲୋକଙ୍କର ସ୍ୱାର୍ଥକୁ ସୁରକ୍ଷା କରି ବହୁ ଲୋକଙ୍କୁ ଶାସନ କରିବା ପାଇଁ ଜାଗା ମାଡ଼ିବସିଛନ୍ତି । ୟାକୁ ତୁ କ’ଣ ଅସ୍ଵୀକାର କରିବୁ ? ବହୁ ଲୋକ ଓ ଅଳ୍ପ ଲୋକ—ଏଭଳି ଦୁଇଟି ଦଳ ମଝିରେ ଶକ୍ତ ଏକ ପାଚିରୀ ପକାଇ ଡିଭାଡ଼ ଏଣ୍ଡ୍‌ ରୁଲ୍‌ର ଅବ୍ୟର୍ଥ କୌଶଳରେ ଶାସନ ଡୋରୀକୁ ଏମାନେ ଧରି ବସିଛନ୍ତି, ତୁ କ’ଣ ଏଥିରେ ଏକମତ ନୁହଁ ?

 

ଏକ ଘୋର ସଙ୍କଟର ସମ୍ମୁଖୀନ ହୋଇଥିବା ଜାଣି ପ୍ରବୋଧ ଉଠିପଡ଼ି ଖଟ ଉପରେ ସିଧା ହୋଇ ବସିଲା । ତା’ପରେ ସେ ଉଦ୍‌ବିଗ୍ନ ହୋଇ କହିଲା—ମୁଁ କିଛି ଯୁକ୍ତି ଖୋଜି ପାଉନାହିଁ ସୂର୍ଯ୍ୟ ।

 

ପାଇବୁ ନାହିଁ, ମୁଁ ଜାଣେ । ପ୍ରାମାଣିକ ସତ୍ୟ ଉପରେ ଯୁକ୍ତିର ପ୍ରଶ୍ନ ନାହିଁ । ବ୍ୟଥିତ ହୋଇ ସୂର୍ଯ୍ୟ ଉତ୍ତର ଦେଲା ।

 

ତା’ହେଲେ ତୁ କ’ଣ କହିବାକୁ ଚାହୁଁ ଯେ ଅଶାନ୍ତି, ଉପଦ୍ରବ ଆଉ ଉତ୍ତେଜନାର ଯନ୍ତ୍ରଣାରୁ ମଣିଷକୁ ମୁକ୍ତ କରିବା ପାଇଁ ମାନବ ନିର୍ମାଣର ଯେ ପରିକଳ୍ପନା କରାଯାଇଛି, ତାହା ଅବାସ୍ତବ ! ଏତକ କହିସାରି ଦମ୍ ମାରିଲା ପ୍ରବୋଧ କୁମାର ।

 

ଅବାସ୍ତବ ନୁହେଁ, ଏକପ୍ରକାର ପାଗଳାମି । ସୂର୍ଯ୍ୟ ସହଜ କଣ୍ଠରେ ଏତକ କହିସାରି ଦୂରକୁ ଚାହିଁରହିଲା ।

 

ପ୍ରବୋଧ ଅନୁଭବ କଲା—ଯେମିତି ତା’ର ସମୁଦାୟ ଛାତିଟା ଫାଟିଯାଇ କଲିଜାଟା ପଦାକୁ ବାହାରି ଆସୁଛି । ତା’ପରେ ନିତାନ୍ତ ଅସହାୟ ଭାବରେ ଶେଷ ଚେଷ୍ଟା କଲାଭଳି ସେ କହିଉଠିଲା—ତେବେ ସୁସ୍ଥ ମନ ନେଇ ଭଲ ମଣିଷ ତିଆରି କରିପାରିଲେ, ମାନବ ସମାଜର ସମସ୍ତ ଅଶାନ୍ତି ଉପଦ୍ରବ ଆଉ ଉତ୍ତେଜନାର ଅବସାନ ଘଟିବ—ଏ କ’ଣ କେବଳ କଳ୍ପନାବିଳାସ ?

 

ସୂର୍ଯ୍ୟ ଉତ୍ତର ଦେଲା—ହୁଏତ ନୁହେଁ । କିନ୍ତୁ କର୍ତ୍ତୃତ୍ୱ ହିଁ ସୃଷ୍ଟିତତ୍ତ୍ୱର ଆଧାର—ପ୍ରଶାସନିକ ବ୍ୟକ୍ତିତ୍ଵର ସକ୍ରିୟ ସାଧନ, ଛଳନା, କପଟ, ମିଥ୍ୟା, ପ୍ରବଞ୍ଚନା ପିଣ୍ଡିତ ଏଇ ଅପରିବର୍ତ୍ତନୀୟ ବ୍ୟକ୍ତିତ୍ୱ । ଅନନ୍ତକାଳରୁ ସାଧାରଣ ମଣିଷ ତା’ର ଅନୁଭବ ଓ ଉପଲବ୍ଧିର ପରିଧି ଭିତରେ ଏଇ ବ୍ୟକ୍ତିତ୍ୱର ସ୍ଵରୂପକୁ ଆବିଷ୍କାର କରିବାକୁ ଯାଇ ବ୍ୟର୍ଥ ହୋଇଛି । ନୀତି ଓ ନେତି ଭିତରେ ସୀମାରେଖା ଟାଣି ପାରିନି । କିନ୍ତୁ ସେହି ଯେ ସୃଷ୍ଟି ତତ୍ତ୍ୱର ପ୍ରକ୍ରିୟା, ଆଉ ‘କର୍ତ୍ତୃତ୍ୱ’ର ଅପରିବର୍ତ୍ତନୀୟ ଚରିତ୍ର, ତାର ବ୍ୟତିକ୍ରମ ହେବ କିପରି ?

 

ଉତ୍ସର୍ଗରେ ? ଭାବି ଦେଖ ତ, ତୋ ଚିନ୍ତା ସହିତ ମୋର ମେଳ ଖାଉଚି ନା । ପ୍ରବୋଧ କହିଲା ।

 

ଏକାବେଳକେ ଚିତ୍କାର କରି କହିଉଠିଲା ସୂର୍ଯ୍ୟ—ବିଲକୁଲ୍‌ ଠିକ୍ । ଏଇଠି ତୋ ସହିତ ମୁଁ ଏକମତ । ଏ ତତ୍ତ୍ୱର ପ୍ରୟୋଗ ଯେ ନ ହୋଇଛି ନୁହେଁ, ମାତ୍ର ବ୍ୟର୍ଥ ହୋଇଯାଇଛି । ବ୍ୟର୍ଥ ହୋଇଯାଇଛି ବୋଲି ଯେ ତା’ର ପ୍ରୟୋଗ ସବୁଦିନ ପାଇଁ ଅବାଞ୍ଛିତ ହୋଇଗଲା, ଏପରି ନୁହେଁ, କାରଣ ମାନବ ଇତିହାସର ଶେଷ ଅଧ୍ୟାୟ ଏଯାଏଁ ଲେଖାଯାଇନି ।

 

ସୂର୍ଯ୍ୟ ଓ ପ୍ରବୋଧକୁ ପଛ କରି ପକେଟରୁ ପାନିଆ ବାହାର କରି ମୁଣ୍ଡ କୁଣ୍ଡାଉ କୁଣ୍ଡାଉ ହଠାତ୍‌ ବୁଲିପଡ଼ି ଏକ ପ୍ରକାର ଗର୍ଜନଟାଏ କରି ପ୍ରଭାତ କହିଲା—ମୁଁ ଜାଣେ ପରା ! କଥାଟା ଏଇଠି ଛିଣ୍ଡିବ ! ହେଲେ ଉତ୍କଳ ମୁଣ୍ଡରେ ଏ ସବୁ କ’ଣ କିଛି ପଶୁଛି ?

 

ଉତ୍କଳ ରାଗରେ ଲାଲ୍ ପଡ଼ିଯାଇ ଆଗକୁ ବହକି ଆସି କଠୋର କଣ୍ଠରେ ପଚାରିଲା—ତୁ କ’ଣ ବୁଝିଲୁ କହିଲୁ ?

 

ସମୟ ହୋଇଯାଇଥିଲା । ଉଭୟ କ୍ରୋଧରେ କୋଠରୀ ଛାଡ଼ି ଚାଲିଗଲେ । ପ୍ରବୋଧ ଆହତ କଣ୍ଠରେ କହିଲା—ରାସ୍ତାରେ ଏମାନେ ପିଟାପିଟି ହେବେ—ନାହିଁ ତ !

 

ସୂର୍ଯ୍ୟ କହିଲା—ନା, ସେପରି ଭୟ ନାହିଁ । ଏଭଳି ହେବାଟା ସେମାନଙ୍କର ନିଜସ୍ୱ । ସେଥିରେ ତାଙ୍କର ବନ୍ଧୁତା ନିବିଡ଼ତର ହୁଏ ।

 

ପାଞ୍ଚ

 

ଏଇ କେତେ ମାସ ହେଲା ଡାକ୍ତର ଦାସ ବଡ଼ ଚିନ୍ତିତ ଜଣାପଡ଼ୁଛନ୍ତି । ଥରେ ଅପରେସନ ଥିଏଟରରେ ତାଙ୍କୁ ଖୁବ୍ ଅନ୍ୟମନସ୍କ ଥିବା ଦେଖି ତାଙ୍କର ଜୁନିୟର ଡାକ୍ତର ଉମାଶଙ୍କର ବଡ଼ପାଟି କରି ଚେତେଇଥିଲେ—ସାର୍ । ଆପଣ ଜଣେ ମଣିଷକୁ ବଞ୍ଚାଇବାପାଇଁ ହାତରେ ଅପରେସନ୍ ଇନ୍‌ଷ୍ଟ୍ରୁମେଣ୍ଟ୍ ଧରିଛନ୍ତି । ତା ପରେ ଡାକ୍ତର ଦାସ ସତର୍କ ହୋଇ ଯାଇଥିଲେ-। ସେହିଦିନଠାରୁ ସେ କେମିତି ଗୋଟାଏ ଉଦାସ ହୋଇ ଯାଇଛନ୍ତି । ଯେଉଁଠି ବସୁଛନ୍ତି, ଆଉ ଉଠିବାକୁ ଯେମିତି ଆଗ୍ରହ ନାହିଁ ।

 

ରାତି ଏଗାରଟା ପରେ ସହରରେ କୋଳାହଳ ପ୍ରାୟ ବନ୍ଦ ହୋଇ ଆସିଲାଣି । ବେଳେ ବେଳେ ଗୋଟାଏଅଧେ ଗାଡ଼ି ମଟର ଦ୍ରୁତ ଗତିରେ ଦଉଡ଼ି ଗଲାବେଳେ ଯାହା କିଛି ଗୋଳମାଳ ଶବ୍ଦ ଶୁଣାଯାଉଛି । ସରକାରୀ ବେସରକାରୀ ପ୍ରତିଷ୍ଠାନ ଗୁଡ଼ିକରେ ରାତି ଜଗୁଆଳିମାନେ ନିଜେ ଜାଗ୍ରତ ଥିବାର ସଂକେତ ସ୍ଵରୂପ ଜୋରରେ ହୁଇସିଲ ମାରି ନିସ୍ତବ୍‌ଧ ରାତ୍ରିର ସୁପ୍ତ ଛାତି ଉପରେ ସରୁ ସରୁ ଗାରମାନ ଟାଣି ଦେବାରେ ବ୍ୟସ୍ତ । ନିଜ ଶୋଇବା ଘର ଡ୍ରେସିଂ ଟେବୁଲର ଆଇନା ସାମନାରେ ବସିଛନ୍ତି ଏକୁଟିଆ ଡାକ୍ତର ଦାସ ।

 

ସ୍ତ୍ରୀ ମାୟାଦେବୀଙ୍କର ବହୁତ ଦିନରୁ କାଳ ହୋଇ ଯାଇଛି । ଉପର ମହଲାକୁ ଯିବା ସିଡ଼ି ରାସ୍ତାର ପାଖ କୋଠରୀରେ ନିଘୋଡ଼ ନିଦରେ ଶୋଇଥିବା ଚାକର ପିଲାର ଘୁଙ୍ଘୁଡ଼ି ଶବ୍ଦ ବେଶ ଶୁଣାଯାଉଛି । ପାଖ କୋଠରୀ ସୂର୍ଯ୍ୟର । ସେ ଏପର୍ଯ୍ୟନ୍ତ ଫେରିନାହିଁ । ଆଜିକାଲି ଏପରି ଅନେକ ରାତିରେ ସେ ଫେରେ । ବ୍ୟସ୍ତ ହୋଇ ଡାକ୍ତର ଦାସ ପଚାରିଲେ ସଂକ୍ଷେପରେ ସେ ଉତ୍ତର ଦିଏ—ମୋ ଉପରେ ବିଶ୍ୱାସ ରଖନ୍ତୁ ବାପା, ଆପଣଙ୍କର ଅସମ୍ମାନ ହେଲାଭଳି ମୁଁ କିଛି କରିବିନାହିଁ-। ଡାକ୍ତର ଦାସ କହନ୍ତି—ମୁଁ ସେ କଥା ଜାଣେ ସୂର୍ଯ୍ୟ । ତୋଭଳି ପୁଅ ଉପରେ ସେପରି ଅନ୍ୟାୟ ଧାରଣା କରାଯାଇ ପାରେନା । ତେବେ ମୁଁ କ’ଣ କହଥିଲି କି; ପଢ଼ା ପଢ଼ିରେ ଏତେ ପରିଶ୍ରମ, ସେଥ‌ିରେ ପୁଣି ଏତେ ରାତି ପର୍ଯ୍ୟନ୍ତ ଏପରି ଉଜାଗର ରହିବା ଦେହପାଇଁ ଭଲନୁହେଁ ବାବା-। ଡାକ୍ତର ଦାସଙ୍କର ମନେ ପଡ଼ିଲା—ସେ ଆଜିକୁ ଅନେକ ଦିନ ତଳର କଥା । ରାତି ପାହାନ୍ତାକୁ ମାୟାଦେବୀ ତାଙ୍କୁ ହଲାଇ ଉଠାଇ ଦେଇ ବିସ୍ମୟରେ କହିଥିଲେ—ବାରି ପଛଆଡ଼େ କଅଁଳା ପିଲାଟିଏ କୁଆଁ କୁଆଁ କାନ୍ଦୁଛି । ଡାକ୍ତର ଦାସ ସ୍ଵପ୍ନ ଦେଖିଲା ଭଳି ଉଠି ବସିଥିଲେ । ତାପରେ ଦୁହେଁ ଯାଇ ବାରିପଛ ବଗିଚାର ପାଣି ପାଇପ ଚାନ୍ଦିନୀ ଉପରେ ପାଇଥିଲେ ସଦ୍ୟଜାତ ଅବହେଳିତ ମଣିଷ ପିଲାଟିଏ । ମାୟାଦେବୀ ବନ୍ଧ୍ୟାଥିଲେ । ଡାକ୍ତର ଦାସଙ୍କର ସମସ୍ତ ଚେଷ୍ଟା ସତ୍ତ୍ୱେ ଗଛରେ ଫୁଲ କସି ଧରିଲା ନାହିଁ । ମାୟାଦେବୀ ସ୍ଵର୍ଗରୁ ଚାନ୍ଦ ପାଇଲା ଭଳି ଆନନ୍ଦରେ ଉଛୁଳି ଉଠିଲେ । ସାଇ ପଡ଼ିଶାରେ ସମସ୍ତେ ମନ୍ତବ୍ୟ କଲେ—ପିଲାଟା ଖୁବ୍ ଗୋଟାଏ ବଡ଼ ମଣିଷ ହେବ ପରା, ତା ନହେଲେ ଏପରି ଲୋକଙ୍କ ହାତରେ ପଡ଼ନ୍ତା କାହିଁକି !

 

ତାପରେ ଏଗାରବର୍ଷକାଳ ସେ ମାୟାଦେବୀଙ୍କର କ୍ଷୁଧିତ ମାତୃ ହୃଦୟର ସମସ୍ତ ମମତା ପାଇ ବେଶ୍ ବଢ଼ିବାକୁ ଲାଗିଲା । ଶେଷରେ ଶକ୍ତ ରୋଗରେ ଆକ୍ରାନ୍ତ ହୋଇ ମାୟାଦେବୀ ଆଉ ଉଠି ନାହାଁନ୍ତି । ଚାଲିଗଲା ବେଳେ ଛଳ ଛଳ ଆଖିରେ ଡାକ୍ତର ଦାସଙ୍କର ହାତକୁ ଜୋରରେ ଚାପିଧରି କହିଥିଲେ—‘‘ମୁଁ ତ ଆଉ ରହି ପାରିଲି ନାହିଁ । ତୁମକୁ କିନ୍ତୁ ମୋ ରାଣ ରହିଲା, ବାୟାଙ୍କ ଭଳି ଡହକ ଝାଞ୍ଜିଟାରେ ଜୀବନକୁ ହାହାକାର କରିବାକୁ ଦେବନି । ଏତେବଡ଼ ବଂଶ ଏତେବଡ଼ ଖ୍ୟାତି ଲିଭିଯାଇପାରେନା । ସୂର୍ଯ୍ୟ ତୁମକୁ ଲାଗିଲା । ତୁମେ ଦେଖିବ । ସେ ଗୋଟାଏ ମଣିଷ ଭଲ ମଣିଷ ହେବ ।’’ ତାପର କଥା ଗୁଡ଼ିକ କେବଳ ଆଖିରେ ଢଳ ଢଳ ଲୁହ ଭିତରେ ଭାସି ବୁଲିଲା, କିଛି ଶୁଣାଗଲା ନାହିଁ ।

 

ଏ ଭିତରେ ସେ ସରକାରୀ କର୍ମଚାରୀ ହିସାବରେ ଏଠୁ ସେଠିକି ସେଠୁ ଏଠିକି, ଏହିପରି ଆଠ ଦଶ ଜାଗା ବଦଳି ହୋଇ ହୋଇ ଶେଷକୁ ଆସି କଟକରେ—ହେଡ଼ ଅଫ୍ ଦି ଡିପାର୍ଟମେଣ୍ଟ ଅଫ ସର୍ଜରୀ, ସେଇ ପିଲା, ଏ ସୂର୍ଯ୍ୟ । ସେତେବେଳର ଘଟଣା ଆଉ କାହାରି ମନେ ନାହିଁ । ତେଣୁ ବି ତା’ର ସନ୍ଧାନ ପାଇଁ ଦିନେ ଆଗ୍ରହ କରିନାହିଁ । ସମସ୍ତେ ଜାଣନ୍ତି, ସୂର୍ଯ୍ୟ ଡାକ୍ତର ରାଧାବଲ୍ଲଭ ଦାସଙ୍କର ପୁଅ । ସେ ନିଜେ ବି ଦିନେ ଖୋଜି ନାହାନ୍ତି—ସେ କିଏ । କୁଆଡ଼ୁ ଆସିଲା-। କିଏ ତାର ଜନକ ଆଉ କିଏ ତାର ଜନନୀ ।

 

ଏ ସେଇ ସୂର୍ଯ୍ୟ । ଆଜି ବାଇଶ ବର୍ଷର ତେଜୀଆନ୍ ଯୁବକ । ୟୁନିଭରସିଟିର କୃତୀ ଛାତ୍ର । ଆଉ ଦୁଇ ବର୍ଷପରେ ଗୋଲଡମେଡାଲିଷ୍ଟ ଡାକ୍ତର ହୋଇ ସେ ବାହାରିବ । ତା’ରି ପାଇଁ ସେ ଆଉ ସଂସାର କରି ନାହାଁନ୍ତି । ଆଜି ତା’ରି ବଳିଷ୍ଠ ଚେହେରା ଭିତରେ ସେ ଆଉ ସୂର୍ଯ୍ୟକୁ ଖୋଜି ପାଉ ନାହାଁନ୍ତି । ତାର ବେପରୁଆ ଭାବ, ଅଯତ୍ନ ବେଶ ପୋଷାକ ଆଉ ମନରେ ଦୃଢ଼ତା ଅଥଚ ଉଦାର ‍ଭାବ ଦେଖିଲେ ସେ ନିଜେ ମଧ୍ୟ ଶଂକିତ ହୋଇ ଯାଆନ୍ତି । ତାଙ୍କର ମନେ ହୁଏ, ସେ ଯେମିତି ଗୋଟାଏ କିଛି ଭୟଙ୍କର ଯୋଜନାର ଟିକି ନିଖି ପ୍ରସ୍ତୁତିରେ ମଗ୍ନ ହୋଇ ରହିଛି ।

 

ବାହାରେ ପାଟି ଶୁଭିଲା । ଗେଟ୍ ଖୋଲିବାକୁ ସୂର୍ଯ୍ୟ ଦରୁଆନକୁ ଡାକୁଚି । ଡାକ୍ତର ଦାସଙ୍କର ଭାବନାର ଖିଅ ଛିଣ୍ଡିଗଲା । ସେ ଚାହିଁ ଦେଖିଲେ ଗୋଟିଏ ହାତୀ ମାଡ଼ି ଆସିଲା ପରି ସୂର୍ଯ୍ୟ ଘରଭିତରକୁ ପଶି ଆସୁଛି । ଡାକ୍ତର ଦାସଙ୍କର ମେଲାଥିବା ଶୋଇବା ଘରକୁ ଚାହିଁ ଦେଇ ସେ ଅନୁଚ୍ଚ କଣ୍ଠରେ କହିଲା—ବାପା ! ଆପଣ ଏ ଯାଏଁ ଶୋଇ ନାହାଁନ୍ତି ?

 

ନାଁ, ନିଦ ହେଉନାହିଁ, ଏପରି ଅଖିଆ ଅପିଆ ରାତି ଅଧ ପର୍ଯ୍ୟନ୍ତ ବୁଲିବାଟା ଭଲ ନୁହେଁରେ ବାପା, ଦେହ ଖରାପ ହେବ । ଡାକ୍ତର ଦାସ ଶଙ୍କିତ କଣ୍ଠରେ କହିଲେ ।

 

ସୂର୍ଯ୍ୟ ବୁଝିଲା—ବାପା ବହୁତ ଚିନ୍ତିତ ହୋଇ ପଡ଼ିଛନ୍ତି । ସେ ପାଖକୁ ଚାଲି ଆସି ସାମନାରେ ଠିଆ ହୋଇ ଦୁଃଖରେ କହିଲା—ବାପା ! ଆପଣଙ୍କୁ ଏପରି ଚିନ୍ତିତ ହେବାର ଦେଖିଲେ ମୋର ସବୁ ବଳ କମିଯାଉଛି । ମୁଁ କାହାର ପୁଅ ଏବଂ ସମାଜରେ ତାଙ୍କର ପ୍ରତିଷ୍ଠା କଣ–ମୁଁ ସେଥିରେ ସଚେତନ ବାପା । ଆପଣ ଏତେ ରାତି ପର୍ଯ୍ୟନ୍ତ ନ ଖାଇ ନ ପିଇ....

 

ପାଟିରୁ କଥା ନ ସରୁଣୁ ଡାକ୍ତର ଦାସ କହିଲେ—ଆଜିକୁ ଏଗାର ବର୍ଷ ହେଲା ତୋ ବୋଉ ଚାଲିଗଲେଣି । ମାୟାର ମମତା ଠାରୁ ଆଉ ଅଧିକ କିଛି କେଉଁଠାରୁ ମୁଁ ପାଇବି ନାହିଁ ଜାଣେ । ସେଇଥିପାଇଁ.... ବାଧା ଦେଇ ସୂର୍ଯ୍ୟ କହିଲେ—ଆପଣଙ୍କର ସେ ଆକାଂକ୍ଷାକୁ ମୁଁ ଧୂଳିସାତ କରିବାକୁ ଦେବିନାହିଁ ବାପା । ମୋ ବୋଉଥିଲେ ଆପଣ କ’ଣ ଆଜି ଏପରି ନଖାଇ ନପିଇ ଏତେ ରାତି ପର୍ଯ୍ୟନ୍ତ ବସି ଭାବୁଥାନ୍ତେ ! ଆପଣ ଆସନ୍ତୁ ବାପା, ଆଜିକି ପାଞ୍ଚ ଦିନ ହେବ ମୁଁ ଆପଣଙ୍କ ସାଙ୍ଗରେ ଖାଇନାହିଁ । ବାପ ପୁଅ ଡାଇନିଂ ଟେବୁଲରେ ବସିଲା । ଖାଉ ଖାଉ ଡାକ୍ତର ଦାସ ପଚାରିଲେ—ଆଛା ସୂର୍ଯ୍ୟ ! ଗୋଟିଏ କଥା ତୋତେ ପଚାରିବି ବୋଲି କେତେ ଦିନ ଦିନ ହେଲା ଭାବୁଛି, ପଚାରି ପାରିନାହିଁ । ସେ ଆଉ କ’ଣ କହିବାକୁ ଯାଉଥିଲେ । ସୂର୍ଯ୍ୟ ବାଧା ଦେଇ କହିଲା—ମୁଁ ସବୁ ଅନୁମାନ କରିନେଇଛି ବାପା । ସବୁ କଥା ଗୋଟି ଗୋଟି କରି ମୁଁ ଆପଣଙ୍କୁ କହିବି । ଆପଣଙ୍କର ପରାମର୍ଶ ଓ ଉପଦେଶ ମୋର ନିହାତି ଦରକାର । ଆଜି ରାତି ହେଲାଣି । ଶୋଇବେ ଯାଆନ୍ତୁ । କାଲି କହିବି ।

 

ଉଭୟ ନିଜ ନିଜ ଶୋଇବା ଘରକୁ ଚାଲିଗଲେ । ବିଛଣାରେ ପଡ଼ିଗଲେ ସିନା, କାହାରି ଆଖିକୁ ନିଦ ନାହିଁ । ଜଣେ ଭାବୁଛନ୍ତି—ଯାହା କିଛି ଅଛି, ଯାହା ସବୁ ଗର୍ବ ଅଭିମାନର ବସ୍ତୁ ବୋଲି ସଚରାଚର ସ୍ଵୀକୃତ । ସେ ସବୁ ଯେତେ ପୁରୁଣା ହେଲେ ବି ତାକୁ ଧରି ରଖିବେ । ମ୍ଳାନ କରିବାକୁ ଦେବେନାହିଁ । ଆଉ ଜଣେ ଭାବୁଛି—ଯାହା ସବୁ ପୁରୁଣା ସେ ସବୁ ଅଚଳ, ଆଗକୁ ଆଗେଇବାର ଶକ୍ତି ନାହିଁ । ତାକୁ ସବୁ ଭାଙ୍ଗି ତା’ର ଧ୍ୱଂସାବଶେଷ ଉପରେ ଠିଆ ହୋଇ ନୂତନତାକୁ ଆମନ୍ତ୍ରଣ ନ କଲେ, ସମାଜର ଏ ଅଶାନ୍ତି, ଉପଦ୍ରବ ଆଉ ଉତ୍ତେଜନାର ଅବସାନ ହୋଇପାରିବ ନାହିଁ ।

 

ପଛପଟ ଝରକା ବାଟ ଦେଇ ଡାକ୍ତର ଦାସ ଦେଖିଲେ ଆର ଘରେ ଏବେ ବି ଆଲୁଅ ଜଳୁଛି । ତା’ହେଲେ ସୂର୍ଯ୍ୟ କ’ଣ ଏ ପର୍ଯ୍ୟନ୍ତ ବି ଶୋଇନାହିଁ ! ନାନା ଦୃଶ୍ଚିନ୍ତାରେ ସେ ପୁଣି ବୁଡ଼ିଗଲେ । ଏଇ ସେଇ ସୂର୍ଯ୍ୟ, କାଲି ପରି ମନେ ଅଛି—କେତେ ସହଜ ସରଳ ଆଉ ଚଞ୍ଚଳ ସେ ନ ଥିଲା । ପିଲାଟାର କ’ଣ ହେଲା କେଜାଣି, ଏଇ କେଇ ଦିନ ଭିତରେ ସେ ଯେମିତି ଆଉ ଗୋଟାଏ ନୂଆମଣିଷ ହୋଇଯାଇଛି । ଏତେ ପରିବର୍ତ୍ତନ ତାର ହେଲା କିପରି ! ! ! କିଏ ତା’ର ଜନକ, କିଏ ତା’ର ଜନନୀ ଜଣା ନାହିଁ, କ’ଣ ଥିଲା ସେମାନଙ୍କର ଧର୍ମ, କ’ଣ ଥିଲା ସେମାନଙ୍କର ସ୍ୱଭାବ, କିଛି ବି ଜଣା ନାହିଁ । କିନ୍ତୁ ସୂର୍ଯ୍ୟକୁ ଦେଖିଲେ ମନେ ହେଉଛି ସେ ଯେପରି ଏକ କଠୋର ସଙ୍କଳ୍ପ ନିକଟରେ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗ କରିସାରିଛି । ତା’ ବିଚାରରେ ଯାହା କିଛି ଭୁଲ ଯାହା କିଛି ଅନ୍ୟାୟ ଏବଂ ଅଶୋଭନୀୟ ତା ସପକ୍ଷରେ ସାରା ବିଶ୍ୱ ଠିଆ ହେଲେ ବି ସେ ଏକା ତା’ର ସାମନା କରିବାକୁ ଦୃଢ଼ପ୍ରତିଜ୍ଞ । ମନେ ହେଉଛି, ତା’ର ଦେହ ମନ ପ୍ରାଣ ସବୁକିଛି ଯେପରି ଏକ ସ୍ଵତନ୍ତ୍ରଉପାଦାନରେ ଗଢ଼ା । କୌଣସି ଗୋଟାଏ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ସେ ଯେମିତି ଏ ସଂସାରକୁ ଆସିଛି । କ’ଣ ହୋଇପାରେ ତା’ର ଉଦ୍ଦେଶ୍ୟ ! ସେ ଆଉ କିଛି ଭାବିପାରିଲେ ନାହିଁ । ଅତ୍ୟଧିକ ଉତ୍ତେଜନାରେ ସେ ଦୀର୍ଘନିଃଶ୍ୱାସ ଛାଡ଼ିଲେ ।

 

ଆଉ ଘରେ ଶୋଇଛି ସୂର୍ଯ୍ୟ । ଆଖିରେ ନିଦ ନାହିଁ । ତା’ର ଅସରନ୍ତି ଭାବନା । ଭାବନା ଖିଅ ସବୁ ବେଳେ ବେଳେ ଛିଣ୍ଡି ଯାଇ ତା’ର ସମସ୍ତ ଚିନ୍ତା ଏବଂ ଯୋଜନାକୁ ବିପର୍ଯ୍ୟସ୍ତ କରିପକାଉଛି । ସେ ଭାବୁଛି—ମୋ ଛଡ଼ା ବାପାଙ୍କର ଏ ସଂସାରରେ ନିଜର ବୋଲି ଆଉ କେହି ନାହିଁ । ପ୍ରାଚୁର୍ଯ୍ୟ, ବିଳାସ, ଗୌରବ ଓ ପ୍ରତିଷ୍ଠା; କୌଣସିଟିରେ ଅଭାବ ନାହିଁ । ସେ ଚାହାଁନ୍ତି, ସେ ତାଙ୍କର ପୁରୁଣା ସଂସ୍କାର ସବୁ ଜାବୁଡ଼ି ଧରିବେ । ବୟସ ଥାଉଁ ଥାଉଁ ବୋଉକୁ ହରାଇଲା ପରେ ସେ ଆଉ ସଂସାର କରି ନାହାନ୍ତି କେବଳ ମୋରି ମୁହଁକୁ ଚାହିଁ । ଏ କିଛି କମ୍ ତ୍ୟାଗ ନୁହେଁ । ମୋରି ଜୀବନର ସଫଳତାରେ, ମୋରି ପିଲା ଛୁଆଙ୍କର ହସଖେଳର ସଂସାର ଭିତରେ ସେ ଚାହାଁନ୍ତି ତାଙ୍କର ଆତ୍ମାର ପରିତୃପ୍ତି । ସେ ଆଉ ଭାବି ପାରୁ ନ ଥିଲା । ହଠାତ୍ କିଏ ଯେପରି ତାରି କାନରେ ପିଟିପିଟି କହିଗଲା ସୃଷ୍ଟି ଏବଂ ପ୍ରଳୟର ସନ୍ଧି କ୍ଷଣଟା ସବୁବେଳେ ଜଟିଳ । ପୁରୁଣାକୁ ନ ଭାଙ୍ଗିଲେ ନୂଆକୁ ଗଢ଼ିହୁଏନା । ଆବର୍ଜନାର ପୂର୍ଣ୍ଣ ପାତ୍ରକୁ ଖାଲି ନ କଲେ ତପସ୍ୟାର ଫଳକୁ ରଖିହୁଏନା । ତ୍ୟାଗ ରହିତ ସ୍ଵପ୍ନ ଭୋଗର ବିଡ଼ମ୍ବନା । ମୋହ ମାୟାର ସଂକୀର୍ଣ୍ଣତା ଦୁର୍ବଳତାର ଅନ୍ୟ ରୂପ । ଜୋରକରି ଛଡ଼ାଇ ନ ନେଲେ ଭୋଗର ପାତ୍ର କେହି ଛାଡ଼ି ଦିଏନା । ଆଲୋକର ଧକ୍‌କା ନ ବାଜିଲେ ଅନ୍ଧକାର ଘୁଞ୍ଚେନା, ଏ ସବୁ ଚିରନ୍ତନ ସତ୍ୟ । ସୂର୍ଯ୍ୟ ଚମକି ଉଠିଲା । କାନ୍ଥ ଘଣ୍ଟାରେ ଢଂ ଢଂ ବାଜିବାର ଶବ୍ଦ । ରାତି ଚାରି । ସେ ନିତ୍ୟକର୍ମ ସାରିବାକୁ ବାହାରିଲା । ଏ ତାର ଅଭ୍ୟାସ । ସକାଳ ପାଞ୍ଚ ବାଜିଲା ବେଳକୁ ସେ ଦିନର ଆହ୍ଵାନକୁ ମୁକାବିଲା କରିବାକୁ ପ୍ରସ୍ତୁତ ।

 

ଛଅ

 

ପରଦିନ ଦ୍ୱିପହର । ରବିବାର । ଖାଇବା ଟେବୁଲ୍ ପାଖରେ ଡାକ୍ତର ଦାସ ଓ ସୂର୍ଯ୍ୟ ସାମନା ସାମନି ବସିଛନ୍ତି । ନିମନ୍ତ୍ରିତ ବନ୍ଧୁ ପ୍ରବୋଧ ଡାକ୍ତର ଦାସଙ୍କର ବାଁପଟକୁ ବସି ମନଯୋଗ ଦେଇ ଖାଉଛି । ସୂର୍ଯ୍ୟ ଅଭିଯୋଗ କରି କହିଲା—ବାପା, ଏଭଳି ସବୁବେଳେ ଚିନ୍ତିତ ରହି ଖିଆପିଆ ଛାଡ଼ିଦେବାଟା ଆପଣଙ୍କର ଅନ୍ୟାୟ ନୁହେଁ ?

 

ଖାଇବା ପାତ୍ରରୁ ଆଖି ନ ଉଠାଇ ଡାକ୍ତର ଦାସ କହିଲେ—ମୋ ବୋହୂ, ଆସିଲେ ସବୁ ଠିକ୍ ହୋଇଯିବ । ତୁ ଦେଖିବୁ ସୂର୍ଯ୍ୟ, ମୋର ଆଉ କିଛି ଅସୁବିଧା ରହିବ ନାହିଁ ।

 

କଥାର ମୋଡ଼ ବଦଳାଇ ସୂର୍ଯ୍ୟ କହିଲା—ବୁଝିଲୁ ପ୍ରବୋଧ ! ମୁଁ ଯାହା ଦେଖୁଛି, ମୋତେ ଏଣିକି ସବୁ କାମ ଛାଡ଼ି ଦେବାକୁ ପଡ଼ିବ । କାରଣ ବାପାଙ୍କ ଅବସ୍ଥା ଦେଖିଲେ ମୋର ଆଉ କୋଉ କାମରେ ମନ ଲାଗୁନାହିଁ । ସେଇଥିପାଇଁ ତୋତେ ଆଜି ଡାକିଛି । କହିଲୁ ! ଏପରି ଅକାରଣରେ ସବୁବେଳେ ଚିନ୍ତିତ ହୋଇ ରହିବାଟା ବାପାଙ୍କର ଅନ୍ୟାୟ ନୁହେଁ ?

 

ପ୍ରବୋଧ କଥାଟାକୁ ହାଲୁକା କରିଦେଇ କହିଲା—କେଶ୍‌ଟା ନ ଶୁଣି ଜଜ୍‌ମେଣ୍ଟ ଦେବି କିପରି କହିଲୁ ! ତୁ ବରଂ କେଶ୍‌ଟା ମତେ ଶୁଣା ।

 

ଡାକ୍ତର ଦାସଙ୍କ ଆଡ଼କୁ ଚାହିଁ ସୂର୍ଯ୍ୟ କହିଲା—ବାପା, ଆପଣ କହିବେ ନା ମୁଁ କହିବି ?

 

ଡାକ୍ତର ଦାସ କହିଲେ—ମୁଁ ତ ତୋ ନାଁରେ ନାଲିସ୍‌ କରିନାହିଁ !

 

ନା, ମୁଁ କରିଛି । ସୂର୍ଯ୍ୟ କହିଲା ।

 

ତା’ହେଲେ, ତୁ କହ । ଡାକ୍ତର ଦାସ ଅଳ୍ପ ହସି କହିଲେ ।

 

ହେଉ, ତେବେ ଶୁଣ ପ୍ରବୋଧ, ସୂର୍ଯ୍ୟ ଆରମ୍ଭ କଲା—ବାପା କହନ୍ତି, ଯାହାସବୁ ପୁରୁଣା, ସେ ସବୁ ମୂଲ୍ୟବାନ୍ । କେହି କେହି ଅହଙ୍କାର କରି ସେ ସବୁକୁ ଅଚଳ ବୋଲି ଘୋଷଣା କଲେ ବି, ବସ୍ତୁ-ମୂଲ୍ୟ ତା’ର ଢେର୍‌ ବେଶୀ । ତେଣୁ ପୁରୁଣାକୁ ଛାଡ଼ି ନୂଆକୁ ଆଦର କଲାବେଳେ ଗୁଣଭେଦର ବିଚାର ଏକାନ୍ତ ପ୍ରୟୋଜନ ।

 

ପ୍ରବୋଧ ଆଗ୍ରହରେ କହିଲା—ତା ହେଲେ ବାପାଙ୍କର ଏ ଯୁକ୍ତିଟା ତ ବିଲକୁଲ ଠିକ୍ ।

 

ବାଧା ଦେଇ ସୂର୍ଯ୍ୟ ଅଭିଯୋଗ କଲା—ମୁଁ ଯାହା ଦେଖୁଛି, ତୋ ଦେଇ ଏ କାମ ହୋଇପାରିବ ନାହିଁ । ପ୍ରଥମରୁ ତୁ ଯେପରି ପକ୍ଷ ସମର୍ଥନ କଲୁଣି, ଜଜ୍‌ମେଣ୍ଟଟା ନିଶ୍ଚୟ ଏକତରଫା ହୋଇଯିବ ।

 

ପ୍ରତିଶ୍ରୁତି ଦେଇ ପ୍ରବୋଧ କହିଲା—ଆରେ ନା, ତା ନୁହେଁ । ଜଜ୍‌ମେଣ୍ଟ ଲେଖିଲା ବେଳକୁ ଏ କେବଳ ଗୋଟାଏ ପଏଣ୍ଟ ହେବ । ଏମିତି ଉଭୟ ପକ୍ଷର ସପକ୍ଷ ବିପକ୍ଷ କେତେ ପଏଣ୍ଟ ଥିବ ନା । ନ ହେଲେ ଜଜମେଣ୍ଟଟା ନିରପେକ୍ଷ ହେବ କିପରି ?

 

ଓହୋ, ଆଚ୍ଛା, ଆଚ୍ଛା, ତେବେ ଶୁଣ ପ୍ରବୋଧ—ସୂର୍ଯ୍ୟ ପୁଣି ଖିଅ ଧରିଲା—ଏଇ ଯେ ନୂଆ ପୁରୁଣାର ଠେଲା ପେଲା ଚାଲିଛି, ତାର ଆରମ୍ଭ କେଉଁଠି ହୋଇଥିଲା ଓ ଶେଷ କେଉଁଠି ହେବ, କେହି କହିପାରିବେ ନାହିଁ । ମାନବ ପ୍ରକୃତିର ଏ ଆଉ ଏକ ବିସ୍ମୟ ଯେ ଗୋଟିଏ କଥା ଏକ ସମୟରେ ସମସ୍ତଙ୍କୁ ପୁରୁଣା ଏବଂ ଅଦରକାରୀ ବୋଧହୁଏନା । ସେହିପରି କୌଣସି ନୂତନ ଆବିଷ୍କାରକୁ ଏକ ସମୟରେ ସମସ୍ତେ ସ୍ୱାଗତ କରିପାରନ୍ତି ନାହିଁ । ଏଇଠି ସଂଘର୍ଷ । ତେଣୁ ରୁଚି ଏବଂ ବିଚାର ଭେଦରେ ନୂଆ ପୁରୁଣା ସଂସ୍କାର ନେଇ ସମାଜ ତା ବାଟରେ ଚାଲିଛି । ଆଜି ଯାହା ପୁରାତନ ଦିନେ ତାହା ନୂତନ ଥିଲା । ଆଜିର ନୂତନ କାଲି ପୁରୁଣା ହେବ । ଏହା ଏକ ସତ୍ୟ । ତେଣୁ ପୁରୁଣାକୁ ଜାବୁଡ଼ି ଧରି ନୂତନକୁ ଉପେକ୍ଷା କଲେ ସୃଷ୍ଟିର ସ୍ପନ୍ଦନ ବନ୍ଦ ହୋଇଯିବ । ଜୀବନ ସ୍ଥାଣୁ ହୋଇଯିବ ।

 

ଡାକ୍ତର ଦାସ ଲକ୍ଷ୍ୟ କଲେ—ଏ କଥା ସୂର୍ଯ୍ୟ କହୁନାହିଁ, କହୁଛି ତା ଭିତରେ ଠେଲି ହୋଇ ଆସୁଥିବା ବିଦ୍ରୋହ ଆଉ ବିପ୍ଳବର ଗୋଟିଏ ଦୁର୍ଜୟ ଶକ୍ତି । ସେ ଆହତ କଣ୍ଠରେ କହିଲେ–ନୂତନକୁ ଆମନ୍ତ୍ରଣ କରିବାକୁ ଯାଇ ମଣିଷ ବହୁ ମଣିମାଣିକର ଅତୀତକୁ ଧ୍ୱଂସ କରିଦେଇଛି-। ଏକଥା ଇତିହାସର ଛାତ୍ର ହିସାବରେ ପ୍ରବୋଧକୁ ବେଶି ଜଣାଥିବ ।

 

ପ୍ରବୋଧ ଉତ୍ସାହିତ ହୋଇ ଆପତ୍ତି କଲା—ନା, ମଣିମାଣିକର ଅତୀତ ଯେଉଁମାନଙ୍କ ପାଇଁ ଦିନେ ଗୌରବର ବିଷୟ ଥିଲା, ତାହା ସବୁଦିନ ପାଇଁ ସମସ୍ତଙ୍କର ଗୌରବର ସମ୍ପଦ ହୋଇ ରହିବ, ଏପରି ନୁହେଁ । ସଭ୍ୟତା ଯେଉଁଠି ଭାଙ୍ଗିଛି ଏବଂ ସାମ୍ରାଜ୍ୟ ଯେଉଁଠି ଭୁଷୁଡ଼ି ପଡ଼ିଛି, ସେଠି ନୂତନ ସଭ୍ୟତା, ନୂତନ ସାମ୍ରାଜ୍ୟ ଆହୁରି ଅଧିକ ଆଡ଼ମ୍ବରରେ ଗଢ଼ିଉଠିଛି । ପୁରାତନ ଚାଲିଗଲା ବୋଲି ଭାଳି ଭାଳି ନୂତନ ତା ବାଟ ବନ୍ଦ କରି ଦେଇ ବସିନାହିଁ । ବରଂ ସୂର୍ଯ୍ୟର ଯୁକ୍ତି ଅଧିକ ବିଜ୍ଞାନ ସମ୍ମତ ।

 

ଖାଇବା ବନ୍ଦ କରି ଡାକ୍ତର ଦାସ କହିଲେ—ତା ହେଲେ ତୁମ ଦୁହିଁଙ୍କର ମତ ସମାନ ?

 

ପ୍ରବୋଧ କହିଲା—ସମାନ ଅସମାନର କଥା ନୁହେଁ । ସୂର୍ଯ୍ୟ ପାଠ ପଢ଼ିବାରେ ଅଦ୍ୱିତୀୟ । ତା’ର ଆଡଭାନ୍‌ସ୍‌ ଥିଙ୍କିଙ୍ଗ୍ ଦେଖି ପ୍ରଫେସରମାନେ ମଧ୍ୟ ଅବାକ୍ ହୋଇଯାନ୍ତି । ଆପଣଙ୍କର ଗର୍ବ ଓ ଆନନ୍ଦର ସୀମା ରହେନା, କାହିଁକି ? ସେ ଆପଣଙ୍କର ପୁଅ ବୋଲି ତ ! ତେବେ ସେଇ ପୁଅ ଯଦି ଆପଣଙ୍କର ଗର୍ବ ଓ ଆନନ୍ଦକୁ କେବଳ ଆପଣଙ୍କଠାରେ ସୀମିତ ନ ରଖି ସାଧାରଣ ମଣିଷର ଉର୍ଦ୍ଧ୍ୱକୁ ଉଠିଯାଏ, ଆଉ ଭାରତବର୍ଷର ସମଗ୍ର ମଣିଷ ସମାଜ ତାକୁ ଗର୍ବ ଏବଂ ଆନନ୍ଦର ବସ୍ତୁ ବୋଲି ତୋଳି ଧରେ, ତେବେ ଆପଣ କଣ କ୍ଷୁଣ୍ଣ ହେବେ ? କଦାପି ନୁହେଁ ।

 

ଆଜିର ପ୍ରଚଳିତ ଅନୁଶାସନ ତା’ର ଶିକ୍ଷାରେ, ତା’ରି ରୁଚିରେ ଏବଂ ବିଚାରରେ ପୁରୁଣା ହୋଇଗଲାଣି । ଅଳ୍ପ କେଇଜଣଙ୍କ ପାଖରେ ଯାହା ଆଜି ପରମ ସୌଭାଗ୍ୟର ବିଷୟ, ଗଣ ଜୀବନରେ ତାହା ଦୁର୍ଦ୍ଦିନର ଉତ୍କଟ ଯନ୍ତ୍ରଣା । ସେମାନେ ଏଥିରୁ ମୁକ୍ତି ଚାହାଁନ୍ତି । ସୃଷ୍ଟିତତ୍ତ୍ୱର ପ୍ରକ୍ରିୟାରେ ସେଇ ଯେ କର୍ତ୍ତୃତ୍ୱ, ସମସ୍ତ ବାଟ ବନ୍ଦ କରିଦେଇ ସବୁକିଛିକୁ ଗ୍ରାସ କରିବାରେ ପ୍ରମତ୍ତ । ଉତ୍ସର୍ଗ ହେଉଛି ତାର ଏକମାତ୍ର ମୁକ୍ତିର ପଥ । ଆମେ ସେଇ ପଥ ଧରିବାକୁ ଚାହୁଁ । ଆପଣ କ’ଣ ଖୁସି ହେବେନାହିଁ ?

 

ଡାକ୍ତର ଦାସଙ୍କର ସାରା ଦେହରେ ଏକ ଅପୂର୍ବ ପୁଲକର ଶିହରଣ ଖେଳିଗଲା ! ସେ ଭାବିଲେ—ଶ୍ରୀକୃଷ୍ଣ, ଯୀଶୁଖ୍ରୀଷ୍ଟ ଅଥବା ନେପୋଲିଅନ, ଚର୍ଚ୍ଚିଲ, ହିଟଲର ଏମାନେ ବି ଦିନେ ଏହିପରି ଶିଶୁରୁ ବଢ଼ି ଯୁବକ ହୋଇଥିଲେ । ସାରା ବିଶ୍ୱରେ ଯାହା କଳ୍ପନାତୀତ ଥିଲା, ଏମାନେ ତାକୁ ବାସ୍ତବ କରିଥିଲେ । ତେଣୁ ସୂର୍ଯ୍ୟ ଓ ପ୍ରବୋଧ ପିଲା ହେଲେ ବି ସେମାନଙ୍କର ମତକୁ ଅବଜ୍ଞା କରିବାର ନୁହେଁ । ସେ ଟିକିଏ ରହିଯାଇ ଖୁବ୍‌ ଚିନ୍ତିତ ଭାବରେ କହିଲେ—ଶିକ୍ଷା, ରୁଚି ଏବଂ ବିଚାରର ଅନୁଶାସନଗୁଡ଼ିକ ସବୁ ପୁରୁଣା ହୋଇଗଲାଣି ଏବଂ ସୃଷ୍ଟିତତ୍ତ୍ୱର ‘କର୍ତ୍ତୃତ୍ୱ’ ସବୁ କିଛି ଆଜି ଗ୍ରାସ କରିବାକୁ ବସିଛି ବୋଲି ଯାହା କହିଲୁ ପ୍ରବୋଧ, ତାହା ଗୋଟାଏ ମତ ହୋଇପାରେ, କିନ୍ତୁ ଏହା ତ ସମୁଦାୟ କଥାର ବିଚାର ନୁହେଁ ? ତେଣୁ ଅନିର୍ଦ୍ଦିଷ୍ଟ ସଫଳତାର ସମ୍ଭାବନାରେ ସବୁ କିଛିକୁ ପୁରୁଣା ଏବଂ ଅଦରକାରୀ ବୋଲି ଧରିନେଇ ଗୋଟାଏ ପ୍ରଳୟର ଧ୍ଵଂସଲୀଳା ସୃଷ୍ଟି କରିବାର ପ୍ରୟୋଜନ କ’ଣ ? ବରଂ ଯେଉଁ ଯେଉଁ ସ୍ଥାନରେ ଏ ବ୍ୟାଧି କର୍କଟ ଭଳି କାମ କରୁଛି, ସେଠାରେ ଅସ୍ତ୍ରୋପଚାର କରି ନୂତନ ଅଙ୍ଗ ରୋପଣ କରିବା ଭଲ ।

 

ପ୍ରବୋଧ ଯେମିତି ଏଥିପାଇଁ ଆଗରୁ ପ୍ରସ୍ତୁତ ଥିଲା । ସେ ତତ୍‌କ୍ଷଣାତ୍‌ କହିଲା—ନା, ଆପଣ ଅସାଧାରଣ ଡାକ୍ତର ନିଶ୍ଚୟ; ଅସ୍ତ୍ରୋପଚାର କାର୍ଯ୍ୟରେ ଆପଣଙ୍କୁ ଟପିଯିବା ପାଇଁ ଏବେ ବି ଭାରତରେ କେହି ଜନ୍ମ ହୋଇ ନାହାନ୍ତି । ମୁଁ କିନ୍ତୁ ଡାକ୍ତର ନୁହେଁ । କିନ୍ତୁ ମୁଁ ଜାଣେ, ଆପଣ ମୋ ସହିତ ଏକମତ ହେବେ ଯେ, ବେଳେ ବେଳେ ରୋଗଟା ଅସ୍ତ୍ରୋପଚାର କରିବା ବାହାରକୁ ଚାଲିଯାଇଥାଏ କିମ୍ବା ଏପରି ଜାଗାକୁ ମାଡ଼ିବସି କାବୁ କରିଥାଏ ଯେ ଅସ୍ତ୍ରୋପଚାର ସମ୍ଭବ ହୁଏନା-। ସୁତରାଂ ଏ ପ୍ରକାର ରୋଗୀଠାରୁ ଆଶା ଛାଡ଼ିଦେବା ଛଡ଼ା ଆଉ କିଛି ଉପାୟ ନ ଥାଏ-

 

ସୂର୍ଯ୍ୟ ଉତ୍ସାହିତ ହୋଇ କହିଲା—ହଁ ବାପା, ଆମ ସମାଜର ଅବସ୍ଥା ବର୍ତ୍ତମାନ ଠିକ୍ ସେୟା । ପୁରୁଣା ସାଙ୍ଗରେ ନୂଆକୁ ମିଶାଇ ତାକୁ ସଜାଡ଼ି ହେବ ନାହିଁ । ଖୁବ୍ ବେସୁରା ହୋଇଯିବ-। ନ ହେଲେ ଗୋଟିକ ପରେ ଗୋଟିଏ ଅଙ୍ଗ ପକ୍ଷାଘାତ ବ୍ୟାଧି ଭଳି ଅବଶ ହୋଇପଡ଼ି ସମୁଦାୟ ଗଣ୍ଡିଟାକୁ ଗୋଟାଏ ବୀଭତ୍ସ କବନ୍ଧରେ ପରିଣତ କରିଦେବ ।

 

ଡାକ୍ତର ଦାସ ଆଉ କିଛି ଉତ୍ତର ଖୋଜି ନ ପାଇବାରୁ ପ୍ରବୋଧ ଆଡ଼େ ଚାହିଁ କହିଲେ–ତୁମର ଏ ସବୁ କଥା ବାପା ଜାଣନ୍ତି ପ୍ରବୋଧ !

 

ସମ୍ଭବତଃ ନା, ପ୍ରବୋଧ ଜବାବ ଦେଲା ।

 

ତା ହେଲେ ଗୋଟିଏ ଦିନ ସ୍ଥିର କରାଯାଉ । ଶ୍ରୀପଞ୍ଚମୀ ବାସିଦିନ ଏଇଠି ଆଲୋଚନା ହେବ । ମୁଁ ବ୍ରହ୍ମପ୍ରକାଶବାବୁଙ୍କୁ ନିମନ୍ତ୍ରଣ କରୁଛି ଆସିବା ପାଇଁ ।

 

ଖାଇବା ଶେଷ ହୋଇଥିଲା । ସମସ୍ତେ ଖୁବ୍ ଭାରି ମନ ନେଇ ନିଜ ନିଜ ବାଟରେ ବାହାରିଗଲେ ।

 

ସାତ

 

ଦାମନଯୋଡ଼ିର ଶିଳ୍ପାଞ୍ଚଳ ବାହାରେ ଦାଦା କ୍ଲବର ଜରୁରୀ ବୈଠକ ବସିଛି । ରାତି ପ୍ରାୟ ଦୁଇଟା ହେବ । ସଭାପତି ଧୂର୍ଜ୍ଜଟୀ ନାୟକ, ସମ୍ପାଦକ ରବିଶଙ୍କର ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଘମାଘୋଟ ଆଲୋଚନା ଚାଲିଛି । ଠିକାଦାର ପ୍ରଶାନ୍ତ ପଟ୍ଟନାୟକ କ୍ଳବର ସଭ୍ୟ ନ ହେଲେ ବି ହିତାକାଂକ୍ଷୀ । ଆଜି କ’ଣ ଗୋଟାଏ ବଡ଼ ଗୁରୁତର ବିଷୟରେ ନିଷ୍ପତ୍ତି ହେବ ଜାଣି, ପ୍ରଶାନ୍ତ ପଟ୍ଟନାୟକ ନିଜେ ଉପସ୍ଥିତ ଅଛନ୍ତି । ସମସ୍ତଙ୍କ ଅପେକ୍ଷା ସେ କମ୍ କଥା କହୁଛନ୍ତି । ବେଳେ ବେଳେ ରବିଶଙ୍କର ତାଙ୍କର ଗମ୍ଭୀର ମୁହଁକୁ କିଛିକ୍ଷଣ ଚାହିଁ ରହିଲା ପରେ ସେ ପୁଣି ଆଲୋଚନାର ଖିଅଟାକୁ ଜୋରରେ ଟାଣିଧରି ଅକାଟ୍ୟ ଯୁକ୍ତି ବାଢ଼ି ବସୁଛନ୍ତି । ଅନେକ ଜାଣନ୍ତି, ରବିଶଙ୍କର ପ୍ରଶାନ୍ତ ବାବୁଙ୍କର ମୁହଁକୁ ଚାହିଁଦେଲେ ସେ କ’ଣ କହିବାକୁ ଚାହାନ୍ତି, ତାର ଟେର ମିଳିଯାଏ ।

 

ପ୍ରଶାନ୍ତ ପଟ୍ଟନାୟକ ଆଡ଼କୁ ଚାହିଁ ରବିଶଙ୍କର ଆସ୍ଫାଳନ କଲେ—ଯେତେ ଘାଟରୁ ପାଣି ପିଇ ପିଇ ପୋଖତ ହୋଇ ସେ ଆସିଥାଉ, ଦାଦା କ୍ଳବ ପାଖରେ ସେ ସବୁ ଗୋଟାଏ ପାଣି ଫୋଟକା ପରି ଫାଟିଯିବ । ତାର ଚାଲାଖି ଆମେ ଧରିସାରିଲୁଣି ।

 

ଧୂର୍ଜ୍ଜଟୀ ନାୟକ ସମର୍ଥନ କରି କହିଲେ—ହଁ ଆଜ୍ଞା, ସେଦିନ ମନ୍ତ୍ରୀଙ୍କର ସମ୍ୱର୍ଦ୍ଧନା ସଭାରେ ଦେଖିଲେ ନାହିଁ ! ସମସ୍ତଙ୍କୁ କିପରି ହେଟି ଦେଇ ସେ ଚାଲିଗଲା । ଗୋଟାଏ ବ୍ୟବସ୍ଥା ନ କଲେ ଆଉ ଚଳିବ ନାହିଁ । ଦିନକୁ ଦିନ ସମସ୍ତଙ୍କୁ ଯେପରି ସେ ମତାଉଛି, ଦାଦା କ୍ଲବ ଦିନେ ହୁଏତ ବିପଦରେ ପଡ଼ିବ । ସରକାରୀ ଲୁହାଛଡ଼, ସିମେଣ୍ଟ କିଏ ବ୍ଲାକ୍ କଲା, କାମ ନ କରି କିଏ ଫଲ୍‌ସ ବିଲ କରାଇନେଲା, କିଏ କାହାକୁ କଉଠି ଛୁରୀ ମାରିଲା, କିଏ କାହାଠାରୁ ଚାନ୍ଦା ନେଲା, ସବୁ ଦୋଷ ଦାଦା କ୍ଲବର । ଦେଖୁ ନାହାନ୍ତି ! ସବୁଦିନେ ସନ୍ଧ୍ୟାରେ କେମିତି ଦଳେ ପିଲାଙ୍କୁ ପାଖରେ ବସାଇ ନୀତିଶାସ୍ତ୍ର ଶୁଣାଉଛି । ଆଶ୍ରମ କରିବା ନାଁରେ ଗୁଡ଼ାଏ ଅନାଥ ପିଲାଙ୍କୁ ଆଣି ଯେଉଁ ତାଲିମ ଶିବିର ଖୋଲିଛନ୍ତି, ମୋର ମନେ ହେଉଛି, ସେଇଟା ଆମ କ୍ଲବ ପ୍ରତି ଗୋଟାଏ ଆହ୍ୱାନ । ଆମକୁ ଏ ଆହ୍ୱାନର ମୁକାବିଲା କରିବାକୁ ପଡ଼ିବ ।

 

ପ୍ରଶାନ୍ତ ପଟ୍ଟନାୟକ ସଂକ୍ଷେପରେ କହିଲେ—ହଁ, ସେ କଥା ସତ । କିନ୍ତୁ ଅନେକ କଥାରେ ଦେଖାଯାଉଛି ଲୋକ ସମର୍ଥନ ତାଙ୍କ ସପକ୍ଷରେ ବେଶୀ । କେତେଥର ଶୁଣିଲିଣି, ସେ କୁଆଡ଼େ ତାଙ୍କ ଆଶ୍ରମ ପିଲାଙ୍କ ଦ୍ୱାରା ରାସ୍ତା ସଫେଇ, ରୋଗୀ ସେବା ଆଉ ବିପଦ ଆପଦରେ ଅଯାଚିତ ଲୋକ ସେବା କରି ଏପରି ବିଶ୍ୱାସ ଭାଜନ ହୋଇ ଗଲେଣି ଯେ ପ୍ରତି କଥାରେ ଲୋକେ ତାଙ୍କରି ମୁହଁକୁ ଚାହିଁ ରହୁଛନ୍ତି ।

 

ରବିଶଙ୍କର ପ୍ରତିବାଦ କରି କରିଲେ—ଏ ଗୋଟାଏ ଧପାବାଜି, ଶଇତାନର ମାୟାଜାଲ, ତାର ଅସଲ ରୂପକୁ ପଦାରେ ପକାଇ ଦେଇ ଲୋକଙ୍କର ଧାରଣାକୁ ବଦଳାଇ ଦେବା ରବିଶଙ୍କର ପାଖରେ ଅତି ସାମାନ୍ୟ କଥା । କେବଳ ସ୍ୱୀକୃତି......

 

ପାଟିରୁ କଥା ଛଡ଼ାଇ ନେଇ ପ୍ରଶାନ୍ତ ପଟ୍ଟନାୟକ ଆଦେଶ ଦେବା କଣ୍ଠରେ କହିଲେ—ତୁମପାଇଁ କେବେହେଲେ ତାର ଅଭାବ ହେବନାହିଁ । ତୁମେ କାଲି ସଂଧ୍ୟାରେ ମୋ ଘର ଆଡ଼େ ଆସ । ହଁ, ବର୍ତ୍ତମାନ ସବୁଠାରୁ ବଡ଼ କଥା ହେଲା ଆମ ସଂଗଠନକୁ ଟାଣ କରିବା ଏବଂ ଭଲ ମନ୍ଦ ବିଚାର ନ କରି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା । ଏଥିପାଇଁ ଅବିଚଳିତ ନିଷ୍ଠା ଓ ବିଶ୍ୱାସ ଦରକାର । ଆଜି ଆମର ଦୁଇଟି ନିଷ୍ପତ୍ତି । ଗୋଟିଏ ହେଲା ଆମର ସବୁ କଥା ଗୋପନ ରହିବା ଏବଂ ଅନ୍ୟଟି ହେଲା ଶୃଙ୍ଖଳା ମାନି ରବିଶଙ୍କର ଆଦେଶ ମତେ କାମ କରିବା । କାରଣ ଶୃଙ୍ଖଳା ନ ମାନିଲେ କୌଣସି ବଡ଼କାମ କରି ହୁଏ ନା ।

 

ସଭା ସରିଲା । ସକାଳକୁ ଦାଦା କ୍ଲବ ଜନଶୂନ୍ୟ ।

 

ତା ପର ଦିନ ସଂଧ୍ୟା ସାତଟା । ରବିଶଙ୍କର ଧାଇଁଛନ୍ତି, ପ୍ରଶାନ୍ତ ପଟ୍ଟନାୟକଙ୍କର ଘର ଆଡ଼େ ପୂର୍ବ ରାତିରେ ଇଙ୍ଗିତ ମତେ ପରାମର୍ଶ ଆଣିବାକୁ । ପ୍ରଶାନ୍ତ ପଟ୍ଟନାୟକ ବାରଣ୍ଡାରେ ଆରାମ ଚୌକି ଉପରେ ବସି ହାଓ୍ୱା ଖାଉଛନ୍ତି । ସାମନାରେ ନାନା ଜାତିର ସୁନ୍ଦର ଝଙ୍କାଳିଆ ଫୁଲଗଛର ଫାଙ୍କ ବାଟେ ବାହାରୁ ବାରଣ୍ଡାଟା ସ୍ପଷ୍ଟ ଦେଖି ହୁଏନା । ଗେଟ ଖୋଲି ରବିଶଙ୍କର ବାରଣ୍ଡା ଉପରକୁ ଉଠିଲେ । ପାଖ ଚୌକିରେ ବସିବାକୁ ଇଙ୍ଗିତ ଦେଇ ପ୍ରଶାନ୍ତ ପଟ୍ଟନାୟକ ପଚାରିଲେ—

 

କିଛି ଉପାୟ ଚିନ୍ତା କଲେ ରବିଶଙ୍କର ? ଆଜି ଗୋଟାଏ ବାଟ ବନ୍ଦ କଲେ ବୋଲି ଆଉ ଗୋଟାଏ ସମସ୍ୟା ମୁଣ୍ଡ ଟେକୁଛି । କେତେଦିନ ଏ ଭଳି ପାଲା ଚାଲିଥିବ ? ମୁଁ ଭାବୁଛି କିଛି ଗୋଟାଏ ଶେଷ ନିଷ୍ପତ୍ତି କରିବାକୁ ହେବ ।

 

ରବିଶଙ୍କର ଆଗ୍ରହରେ ଆଗକୁ ଝୁଙ୍କିପଡ଼ି ବିନୟରେ କହିଲେ—

 

ଆମେ ସମସ୍ତେ ବଡ଼ ବିବ୍ରତ ଆଜ୍ଞା । ସମସ୍ତେ ଆପଣଙ୍କୁ ଚାହିଁ ବସିଛନ୍ତି । କିଛି ଗୋଟାଏ ଯୋଜନା କରିଥିବେ ନିଶ୍ଚୟ ।

 

ହଁ ଯୋଜନା କରିଛି । ବ୍ରହ୍ମପ୍ରକାଶ ଦାମନ ଯୋଡ଼ି ଛାଡ଼ି ନଗଲା ପର୍ଯ୍ୟନ୍ତ, ଦାଦା କ୍ଲବର ଦାଢ଼ି କାଟୁ କରିବ ନାହିଁ ।

 

ସେହିପରି ଗୋଟାଏ ଯୋଜନା ଭାବି ଠିକ୍ କରିଛି । ବ୍ରହ୍ମ ପ୍ରକାଶଙ୍କର ବଢ଼ିଲା ଝିଅ କିଛିଦିନ ପାଇଁ ଅନ୍ତର୍ଦ୍ଧାନ ହେଲାପରେ ପୁଣି ଆସି ଘରେ ପହଞ୍ଚିଗଲେ ତାଙ୍କର ସବୁ ଦମ୍ଭ ଭାଙ୍ଗିଯିବ-। ଦୁଃଖ ଆଉ ଅପମାନରେ ସେ ଆତ୍ମହତ୍ୟା କରିବେ, ନ ହେଲେ ଦାମନଯୋଡ଼ି ଛାଡ଼ି ଚାଲିଯିବାକୁ ବାଧ୍ୟ ହେବେ । କ’ଣ ମନକୁ ପାଉଛି ରବିଶଙ୍କର ?

 

ଏତେବଡ଼ ଗୋଟାଏ ସମସ୍ୟାକୁ ଏପରି ସହଜରେ ସମାଧାନ କରିଦେଇ ହେବ ଭାବି ସେ ଆତ୍ମ ସନ୍ତୋଷରେ ରବିଶଙ୍କର ଆଡ଼େ ଚାହିଁଲେ ।

 

ରବିଶଙ୍କରକୁ ପ୍ରଥମେ କଥାଟା କେମିତି ଲାଗିଲା । ସେ ଟିକିଏ ରହିଯାଇ ଉଲ୍ଲସିତ ହୋଇ କହିଲେ—ବିଲକୁଲ ନିର୍ଭୁଲ ଗଣନା ଆଜ୍ଞା । ଆମ ସଭାପତି ଧୂର୍ଜଟୀ ନାୟକ ଏ କାମରେ ପକ୍‌କା ଓସ୍ତାଦ, ଆପଣ ନିଶ୍ଚିନ୍ତ ରହନ୍ତୁ, ମୁଁ ଚାଲିଲି ଧୂର୍ଜଟୀ ଘରକୁ ।

 

ଝରକା ଆରପାଖ କୋଠରୀରେ, ରୋଗଶଯ୍ୟାରେ ଶୋଇଛନ୍ତି ପ୍ରଶାନ୍ତ ପଟ୍ଟନାୟକଙ୍କ ସ୍ତ୍ରୀ କମଳାଦେବୀ । ଆଜିକି ଦୁଇବର୍ଷ ହେଲା ଅସାଧ୍ୟ ରୋଗରେ ଆକ୍ରାନ୍ତ ହୋଇ ସେ ବିଛଣା ଧରିଲେଣି । ସେଥିରେ ସ୍ୱାମୀଙ୍କର ନୀତି ଅନୀତିର ବିଚାର ନଥାଇ ଗୋଟାକ ପରେ ଗୋଟାଏ ପାପ କାମ ଦେଖି ଦିନରାତି ଆଖିରୁ ପାଣି ଢାଳୁଛନ୍ତି । ରବିଶଙ୍କର ସାଙ୍ଗରେ ସ୍ୱାମୀଙ୍କର ଗୋପନ ପରାମର୍ଶ ଶୁଣି ସେ ଭୟରେ ଶିହରି ଉଠିଲେ । ବିଚରା ନିର୍ଦ୍ଦୋଷ ବ୍ରହ୍ମପ୍ରକାଶ ବାବୁ । କି ଅପରାଧ ସେ କରିଛନ୍ତି ! ଧର୍ମ କ’ଣ ସହିବ ଏ କଥା ? ସେ ଜାଣନ୍ତି କୌଣସି ଦିନ ତାଙ୍କର କିଛି ହେଲେ ପ୍ରତିବାଦ ଶୁଣାଯାଇନାହିଁ । ଆଜି ବି ସେୟା ହେବ । ପ୍ରତିବାଦ କରି ମୂଲ୍ୟ ବା କ’ଣ ? କିନ୍ତୁ ଗୋଟାଏ ଭୟଙ୍କର ପାପ କଥାକୁ ସେ ଜାଣି ଶୁଣି ଘଟିବାକୁ ଦେବେ କିପରି ? ସେ ଆଉ କିଛି ଭାବି ପାରୁ ନଥିଲେ ।

 

ରବିଶଙ୍କର ବିଦାୟ ନେବାରୁ ପ୍ରଶାନ୍ତ ପଟ୍ଟନାୟକ ଫିସ ଫିସ କରି କହିଲେ—ସାବଧାନ, କଥାଟା ନିତାନ୍ତ ଗୋପନ ରଖିବାକୁ ହେବ । ବୁଝିଲ ?

 

ରବିଶଙ୍କର ହଁ ମାରି ଚାଲିଗଲେ ।

 

ବହୁକଥା ଗୋପନରେ ସାଧନା କରିବାକୁ ଅନେକ ଯୋଜନା ହୋଇଥାଏ । ସମସ୍ତଙ୍କ ଆଖିରେ ଧୂଳି ଫିଙ୍ଗି କୌଶଳପୂର୍ଣ୍ଣ ଯୋଜନା ଦ୍ୱାରା ନିଜର ଗୋପନ ଇଚ୍ଛାକୁ ପୂର୍ଣ୍ଣ କରିବାପାଇଁ ଅନେକ ଏହିପରି ଆତ୍ମସନ୍ତୋଷରେ ବିଭୋର ହୋଇଥାନ୍ତି । କିନ୍ତୁ ବିଧିର ବିଧାନ ବିଚିତ୍ର । କେଉଁ ଛୋଟିଆ ଛିଦ୍ରଟି ଭିତର ଦେଇ ସବୁକଥା ଉଦ୍‌ଘାଟିତ ହୋଇଥାଏ, ତାର ଟେର ବି ମିଳେନା ।

 

ନା, ତାଙ୍କୁ କିଛି ପ୍ରତିକାର କରିବାକୁ ହେବ—କମଳା ଦେବୀ ମନକୁ ଟାଣ କରିନେଲେ-। ନ ହେଲେ ଅଧର୍ମର ମାଣ ପୂରିଯିବ । ଆଉ କେହିବି ରକ୍ଷା ପାଇବେ ନାହିଁ । ଲୋକେ କହନ୍ତି ଦୁନିଆଁରେ ପାପର ଭାରା ବହୁତ ବଢ଼ି ଯାଇଥିଲେ ବି କିଛି କିଛି ପୁଣ୍ୟ ଥିବାରୁ ସୃଷ୍ଟି ରହିଛି-। ନୋହିଲେ କେବେଠାରୁ ପ୍ରଳୟ ହୋଇ ସାରନ୍ତାଣି । ପ୍ରବୃତ୍ତିର କ୍ରୀତଦାସ ଭଳି ପ୍ରଶାନ୍ତ ପଟ୍ଟନାୟକ ଜୀବନସାରା ଯେଉଁ ବୀଭତ୍ସ କାଣ୍ଡସବୁ କରି ଆସିଛନ୍ତି; ସେ ସବୁ ଗୋଟି ଗୋଟି ହୋଇ କମଳା ଦେବୀଙ୍କ ମନର ଗୁମ୍ଫା ଭିତରୁ ବାହାରି ଆସୁଥିଲା ।

 

ଚାହୁଁ ଚାହୁଁ ଦୁଇବର୍ଷ ହୋଇଗଲା । ବେମାର ଭଲ ହେବାକୁ ନାହିଁ । ଦିନକୁ ଦିନ ବରଂ ଆହୁରି ବଢ଼ିବାରେ ଲାଗିଛି । ସେ ଅନୁଭବ କଲେ ତାଙ୍କର ଦିନ ସରିଆସୁଛି ।

 

ଆଜି କଟକରୁ ଖବର ଆସିବ । ଡାକ୍ତରୀ ପରୀକ୍ଷାର ସବୁ କାଗଜପତ୍ର ଦେଖିସାରିଲା ପରେ ହୁଏତ ତାକୁ କଟକ ନେଇ ଯିବାକୁ ଡାକ୍ତର ପରାମର୍ଶ ଦେଇଥିବେ । ସେହି ପରାମର୍ଶ ଅନୁସାରେ ସେ କଟକ ଚାଲିଗଲେ ପ୍ରଶାନ୍ତ ପଟ୍ଟନାୟକ ଏଠାରେ ଏକୁଟିଆ ରହିଯିବେ । ତାଙ୍କୁ ଆହୁରି ସୁବିଧା ମିଳିଯିବ । ଦାଦା କ୍ଲବର ଟୋକାଙ୍କ ସାଙ୍ଗରେ ମିଶି ପାପର ଶେଷ ମୁହାଣ ଆଡ଼କୁ ସେ ଆହୁରି ଜୋରରେ ଆଗେଇଯିବେ । ବେମାର ଭଲ ନହେଲେ ସେ ହୁଏତ କଟକରେ ଆଖି ବୁଜିବେ । କେଉଁବାଟେ ହେଲେବି ସେ ସ୍ୱାମୀକୁ ରକ୍ଷାକରି ପାରିବେ ନାହିଁ । ସେ ବଡ଼ ବିବ୍ରତ ହୋଇପଡ଼ିଲେ । ହିନ୍ଦୁ ନାରୀର ଏହି ମହନୀୟ ଆତ୍ମୋତ୍ସର୍ଗ ବିରଳ । ଇହକାଳ ପରକାଳ ପାଇଁ ସେ କେବଳ ପୁରୁଷର ଆହ୍ଲାଦ କାରିଣୀ ନୁହେଁ । ସୀମନ୍ତରେ ସିନ୍ଦୂର ଟିକକ ପାଇଁ ସେ ଭାଗ୍ୟବତୀ । ସ୍ୱାମୀର ମଙ୍ଗଳ କାମନା କରିବା ତାର ଏକମାତ୍ର ଧର୍ମ । ଅବଜ୍ଞା ଆଉ ଉତ୍ପୀଡ଼ନ ସବୁକୁ ହସି ହସି ସହି ନେବାରେ ନାରୀ ଜୀବନର ସାର୍ଥକତା । ହଠାତ୍ କାହାକୁ ଡାକିବାର ଶବ୍ଦ ଶୁଣି ସେ କାନ ପାରିଲେ—

 

କିଏ, ମଦନ କିରେ । ଡାକ୍ତର କଣ ପରାମର୍ଶ ଦେଲେ ? ପ୍ରଶାନ୍ତ ପଟ୍ଟନାୟକ କଟକରୁ ଫେରୁଥିବା ପୁତୁରା ମଦନକୁ ପଚାରିଲେ ।

 

ଡାକ୍ତର କହିଲେ ଅବସ୍ଥା ଭଲ ନୁହେଁ । ତାଙ୍କୁ ଅନେକ ଆଗରୁ କଟକ ନେଇଯିବାର ଥିଲା । ତେବେ ଯେତେ ଶୀଘ୍ର ତାଙ୍କୁ କଟକ ନେଇଯିବା ଭଲ ।

 

ଦୀର୍ଘ ନିଶ୍ୱାସଟିଏ ଛାଡ଼ି ପ୍ରଶାନ୍ତ ପଟ୍ଟନାୟକ କହିଲେ, ଆଛା, ତେବେ ଏଇ ରବିବାର ଦିନ ଚାଲିଯିବା । ଆଉ ମଝିରେ ମାତ୍ର ଦୁଇଟା ଦିନ । ସବୁ ବନ୍ଦୋବସ୍ତ କରିବେ । ସେଠାରେ ସବୁ ବ୍ୟବସ୍ଥା କରିସାରି ମୁଁ ବୁଧବାର ବେଳକୁ ଫେରି ଆସିବି । ତୁ ଦେଖା ଶୁଣା କରିବୁ । ପାଖରେ ରହିବାକୁ ସରକୁ (ଚାକରାଣୀ) ସାଙ୍ଗରେ ବି ନେଇଯିବ । ମଝିରେ ମଝିରେ ମୁଁ ଯିବା ଆସିବା କରୁଥିବି । ମଦନ ହଁ ମାରି ଭିତରକୁ ଚାଲିଗଲା । କମଳାଦେବୀଙ୍କ ଖଟ ଉପରେ ବସିପଡ଼ି ଡାକିଲା, ଖୁଡ଼ି ! ଡାକ୍ତର ସବୁ କାଗଜପତ୍ର ଦେଖିଲେ । କିଛି ଅସୁବିଧା ନାହିଁ । ଦାଦା କହୁଛନ୍ତି ଏହି ରବିବାର ଦିନ ଆମେ କଟକ ଚାଲିଯିବା । ସେଠାକୁ ଗଲେ ସାହସ ମିଳିବ । ଆଉ ନିରାଶ ଲାଗିବ ନାହିଁ । କମଳାଦେବୀ ଉଦାସୀନ ଭାବରେ କହିଲେ—ହଉ ବାବା, ଯାହା ଭଲ ଭାବୁଛ କର ।

 

ତା ପରଦିନ ସକାଳ । କୌଣସି ଗୋଟାଏ କାମରେ ପ୍ରଶାନ୍ତ ପଟ୍ଟନାୟକ ବାହାରକୁ ଯାଇଛନ୍ତି । କମଳା ଦେବୀ ମଦନକୁ ପାଖକୁ ଡାକି ଛଳ ଛଳ ଆଖିରେ ବଡ଼ କରୁଣ ଭାବରେ କହିଲେ, ମଦନ ! ତୁମେତ ସବୁ ବାହାରେ ରହିଲ । ତୁ ବି କଟକରେ ରହି ଡାକ୍ତରୀ ପଢ଼ିଲୁ । ଘରେ କଣ ହେଉଛି, କେହି କିଛି ବୁଝିଲ ନାହିଁ । ମୋର ସମୟ ହୋଇଗଲାଣି । ସେ ଆଉ କଣ କହିବାକୁ ଯାଉଥିଲେ । ମଦନ ବାଧାଦେଇ କହିଲା—କଣ ତୁ ଏମିତି ବାୟାଣୀଙ୍କ ଭଳି ହେଉଛୁ ଖୁଡ଼ୀ ! ତୁ ଭଲ ହୋଇଯିବୁ । କଟକରେ ସବୁଠାରୁ ଭଲ ଡାକ୍ତରଙ୍କ ସାଙ୍ଗରେ ପରାମର୍ଶ କରି ଆସିଛି । ତୁ ବ୍ୟସ୍ତ ହୁଅନା ।

 

କମଳାଦେବୀ ରୁଦ୍ଧ କଣ୍ଠରେ କହିଲେ—ମୁଁ ସେକଥା ଭାବୁ ନାହିଁ ମଦନ, ତୁଚ୍ଛା ଜୀବନଟା ପାଇଁ ମୁଁ ମୋଟେ ବ୍ୟସ୍ତ ନୁହେଁ । ମୁଁ ବ୍ୟସ୍ତ ଗୋଟିଏ କଥା ପାଇଁ । ତୁ ଯେତେବେଳେ ସାତ ବର୍ଷର ଶିଶୁ, ତୋ ବୋଉ ଚାଲିଗଲେ । ତାର ଦୁଇ ବର୍ଷ ପରେ ତୋ ବାପା ବି ଆଖି ବୁଜିଲେ-। ମୁଁ ତ ତାଙ୍କର ସାନବହୂ ନଥିଲି । କେଉଁ ଜନ୍ମରେ କେଜାଣି, ସେ ମୋତେ ଝିଅ କରି ଜନ୍ମ ଦେଇଥିଲେ । ଏତେ ଆଦର, ଏତେ ସ୍ନେହ ମୁଁ କେବେ ମଣିଷଠି ଦେଖି ନାହିଁ ମଦନ-। ସେ ତ ମଣିଷ ନଥିଲେ, ଥିଲେ ସାକ୍ଷାତ ଦେବତା । ତାଙ୍କର ଋଣ ମୁଁ ଜୀବନରେ ସୁଝି ପାରିବିନି ମଦନ-

 

ବୁଢ଼ୀଙ୍କର କରୁଣ କଥାଗୁଡ଼ିକ ମଦନକୁ ମରଣକାଳୀନ କଣ୍ଠସ୍ୱର ଭଳି ଶୁଣାଗଲା । ସେ ବିଚଳିତ ହୋଇ କହି ଉଠିଲା—ଖୁଡ଼ୀ, ମୁଁ ବାପା ମା’ଙ୍କୁ ଜାଣେନି । ସେ ନାହାନ୍ତି ବୋଲି ମୁଁ କେବେବି ଅନୁଭବ କରିନାହିଁ । ମୁଁ ଜାଣେ, ତୁ ମୋର ମା । ତୋରି କୋଳରେ ମୁଁ ଏଡ଼େଟିରୁ ଏଡ଼େଟିଏ ହୋଇଛି । କୋଉଥିପାଇଁ ତୁ ଏତେ ବ୍ୟସ୍ତ ?

 

କମଳାଦେବୀ ଛଳ ଛଳ ଆଖିରେ କହିଲେ—ଯେଉଁ କଥା ମୁଁ କାହାରିକୁ କହିପାରି ନଥାନ୍ତି ସେଇକଥା ତତେ କହିବାକୁ ଡାକିଛି । ମୁଁ ବର୍ତ୍ତମାନ ନିତାନ୍ତ ଅସହାୟ । ମୋର ସବୁ ସରିଯିବ । ଏକ ଅଦ୍‌ଭୁତ ମଣିଷ । ଜୀବନ ସାରା କିଛି ବୁଝିଲେନାହିଁ । ଏ ବଂଶତ ଏଇଠୁ ଶେଷ ହେଉନି । ତୁମେ ସବୁ ଅଛ । ହେଲେ ମୁଁ ଖୁବ୍ ନିରାଶ ହୋଇ ପଡ଼ିଛି ।

 

ମଦନ ଆଉ ସମ୍ଭାଳି ପାରିଲାନି । ପିଲାଙ୍କ ଭଳି ଅଳି କଲା ଢଙ୍ଗରେ କହିଲା—ଖୁଡ଼ି ! କ’ଣ ହୋଇଛି କହ । ମୁଁ ନିଶ୍ଚୟ ତୋ କଥା ମାନିବି ।

 

କମଳାଦେବୀ ଲୁହ ପୋଛି ନେଇ ଚାରି ଆଡ଼କୁ ଥରେ ଆଖି ବୁଲାଇ ଆଣି କହିଲେ—ରବିଶଙ୍କର ସାଙ୍ଗରେ ତୋ ଦାଦାଙ୍କର ଗୋପନ ପରାମର୍ଶ ମୁଁ ଶୁଣିଛି । ବ୍ରହ୍ମପ୍ରକାଶ ବାବୁଙ୍କୁ ତୁ ଜାଣିଥିବୁ ନିଶ୍ଚୟ । ସେ ଏଠି ଦେବତା ଭଳି ମଣିଷଟିଏ । ନିଜର କିଛି ହେଲେ ସ୍ୱାର୍ଥ ନାହିଁ । ପର ସେବାରେ ସେ ନିଜକୁ ହଜାଇ ଦେଇଛନ୍ତି । ଅନାଥ ଶିଶୁ ଗୁଡ଼ିଏ ଆଣି ତାଙ୍କୁ ହିଁ ମଣିଷ କରିବା ପାଇଁ ସେ ଆଶ୍ରମ ଖୋଲିଛନ୍ତି । ସେହି ଆଶ୍ରମ ହିଁ ତାଙ୍କର ବୈକୁଣ୍ଠ । ଗୋଟିଏ ବୋଲି ପୁଅ ପ୍ରବୋଧ କଟକରେ ପଢ଼େ । ଝିଅ ପ୍ରଜ୍ଞା ମାଟ୍ରିକ୍ ପରେ ଘରେ ଅଛି । ପିଲା ଭଳି ପିଲାଟିଏ । ଏମିତି ଝିଅ ଭାଗ୍ୟରେ ଥିଲେ ମିଳେ । ବଡ଼ ନିରୀହ ସେ ପରିବାର ।

 

ଦାଦା କ୍ଲବର ସବୁ ଅପକର୍ମ ପଛେ ପଛେ ସେ କୁଆଡ଼େ ତାଙ୍କର ସତର୍କ ଆଖି ବୁଲାଉଛନ୍ତି । ଏହି ହେଲା ତାଙ୍କର ଅପରାଧ । ଦାମନ ଯୋଡ଼ିରୁ ତାଙ୍କୁ ନ ତଡ଼ିଲେ ଦାଦା କ୍ଲବର ତେଜ କମିଯିବ । ରବିଶଙ୍କର ଉପରେ ଦାୟିତ୍ୱ ଦିଆଯାଇଛି ପ୍ରଜ୍ଞାକୁ ସେ ହରଣଚାଳ କରି କେଉଁଆଡ଼େ ନେଇଯିବ । ଦୁଃଖ ଆଉ ଅପମାନରେ ବ୍ରହ୍ମପ୍ରକାଶ ବାବୁ ଏଠା ଛାଡ଼ି ଚାଲିଯିବେ । ଏଇ ହେଲା ବିପଦ । ମୁଁ ଜାଣେ ତୁ ପାରିବୁ । ଏ ବିପଦରୁ ସେ ନିରୀହ ପରିବାରଟିକୁ ତୁ ରକ୍ଷାକର, ଏଇଆ ମୁଁ ଚାହେଁ । ଖୁବ୍ ସାବଧାନ । ଦାଦା ଯେମିତି ଏ କଥା ନ ଜାଣନ୍ତି ।

 

ମଦନ ଅନୁଭବ କଲା—ସମୁଦାୟ ହିମାଳୟ ପାହାଡ଼ଟା ଯେମିତି ତା ମୁଣ୍ଡ ଉପରେ ମାଡ଼ି ବସିଛି । ଦାଦାଙ୍କ ପ୍ରତି ତାର ଅତିଶୟ ଘୃଣା ଜାତ ହେଲା । ପ୍ରବୋଧକୁ ସେ ଜାଣେ । କିଏ ବା ନଜାଣେ ତାକୁ । ୟୁନିଭରସିଟିର କୃତୀ ଛାତ୍ର । ତାରି ଭଉଣୀ ଏ ପ୍ରଜ୍ଞା । ସେ ଦୃଢ଼ ଭାବରେ କହିଲା, ଖୁଡ଼ୀ ! ପରର ଉପକାର କଲେ ଭଗବାନ ସାହାଯ୍ୟ କରନ୍ତି । ତୁ ନିଶ୍ଚିନ୍ତ ରହ । ମୋତେ ଟିକିଏ ଭାବିବାକୁ ଦେ ।

 

ଆଠ

 

କଟକ ସହର । ଡାକ୍ତର ଦାସଙ୍କର ବିରାଟ ଦୋମହଲା କୋଠା । ଗେଟ୍‌କୁ ଲାଗି ପାଚିରୀ ପର୍ଯ୍ୟନ୍ତ ସମୁଦାୟ ଅଗଣାଟି ପକ୍‌କା । ମଝିରେ ମଝିରେ ସିମେଟ୍ କୁଣ୍ଡ ଭିତରେ ନାନା ଜାତିର ପେନ୍ଥା ପେନ୍ଥା ଫୁଲ ଭାଙ୍ଗିପଡ଼ୁଛି । କଞ୍ଚା ଜରଜର ଛନଛନିଆ ପତ୍ର ଗହଳ ଭିତରେ ଫୁଲର ଦରଫୁଟା କଳିକାଗୁଡ଼ିକ ରକ୍ତ ଅଳତା ବୋଳା ନବବଧୂର ଚଳଚଞ୍ଚଳ ପଦଯୁଗଳ ପରି ଲାବଣ୍ୟମୟ ହୋଇଉଠୁଛି । କୋଠାର ଗୋଟିଏ ପାଖରେ ଦକ୍ଷିଣକୁ ଲମ୍ବିଯାଇଛି ସୁନ୍ଦର ଲନ୍‌ଟିଏ । ଗତକାଲିଠାରୁ ଶ୍ରୀପଞ୍ଚମୀର ଧୂମ୍‌ଧାମ୍, ଗାନ ବାଜଣା, ଭୋଜୀଭାତ ସରିଯାଉଛି । ହେଲେ ଏ ପର୍ଯ୍ୟନ୍ତ ଉତ୍ସବର ନିଶା କଟିନାହିଁ । ତୁହାକୁତୁହା ଭଷାଣୀର କୋଳାହଳ ଶାନ୍ତ ମଧୁର ରାତିକୁ ଚହଲାଇ ଦେଉଛି । ସଦର ଦରଜା ବାଟେ ସିଡ଼ି ଉପରକୁ ଉଠି ଉପର ମହଲାଇ ଡ୍ରଇଂ ରୁମ୍ ପାର ହୋଇଗଲେ ବିରାଟ ବାଲକୋନୀ । ତଳେ ସାମ୍ନାରେ ଗୋଟିଏ ପାଖରେ ଲନ୍, ଆର ପାଖରେ ପାଚେରୀ ପର୍ଯ୍ୟନ୍ତ ଫୁଲର ଅରଣ୍ୟ । ରାତି ପ୍ରାୟ ସାଢ଼େ ଏଗାର । ତଥାପି ଆଲୋଚନା ଚାଲିଛି । ଶୁଣିଲେ ମନେ ହେଉଛି ଏ ଆଲୋଚନା ଯେପରି ଆଉ ଶେଷ ହେବାର ନୁହେଁ । ବ୍ରହ୍ମପ୍ରକାଶବାକୁ, ଡାକ୍ତର ଦାଶ, ସୂର୍ଯ୍ୟ ଓ ପ୍ରବୋଧ ଆଲୋଚନାରେ ମଗ୍ନ ।

 

ସୂର୍ଯ୍ୟର ଜଟିଳ ପ୍ରଶ୍ନରେ ଅନେକ ସମୟ ଧରି ସମସ୍ତେ ନୀରବରେ ଉତ୍ତର ଖୋଜୁଥିଲେ । ବ୍ରହ୍ମପ୍ରକାଶ ଶାନ୍ତ କଣ୍ଠରେ କହିଲେ—ମୁଁ ତୋ ସହିତ ଏକମତ ହେଉଛି ସୂର୍ଯ୍ୟ । ଶିକ୍ଷାର ଗୁଣାତ୍ମକ ବିକାଶ ନ ହେଲେ କାରଖାନାର ଅଦରକାରୀ ବସ୍ତୁ ଭଳି ତାହା ବୋଝ ହୋଇପଡ଼ିବ । ସଭ୍ୟତା ଓ ସଂସ୍କୃତିର ବାହକ ହେବା ସଙ୍ଗେ ସଙ୍ଗେ ତାର ପ୍ରୟୋଗ ବାସ୍ତବ ଜୀବନରେ ଫଳପ୍ରଦ ହେବା ଉଚିତ । ସାମାଜିକ ବିପ୍ଳବ ଦ୍ୱାରା ସମାଜର ଅବ୍ୟବସ୍ଥାକୁ ଭାଙ୍ଗି ଶୋଷଣର ମୂଳତ୍ପୋଟନ ନ କଲେ ବ୍ୟକ୍ତିର ଜୀବନ ରାଷ୍ଟ୍ରୀୟ ଜୀବନଠାରୁ ଖାପଛଡ଼ା ହୋଇ ରହିଯିବ । ମାତ୍ର ଲକ୍ଷ୍ୟ ଏବଂ ଆଦର୍ଶ ଭିତରେ ମେଳ ନ ରହିଲେ, ତ୍ୟାଗ ଯେତେ ଅସାଧାରଣ ହେଲେ ବି ତାହାର ମହନୀୟତା ମ୍ଳାନ ପଡ଼ିଯିବ । ମୋର ବିରୋଧ କେବଳ ଏଇଠି ।

 

ସୂର୍ଯ୍ୟ ବିନୀତ ଭାବରେ ଅସ୍ୱୀକାର କରି କହିଲା—ସେ ରାସ୍ତା ଅଧିକ ଲୋଭନୀୟ ନିଶ୍ଚୟ । କିନ୍ତୁ କେତେଥର ଯେ ତାହାର ପରୀକ୍ଷା କରାଯାଇଛି, ତାର କଳନା ନାହିଁ । ସମାଜରୁ ଆବର୍ଜନା ସବୁ ଧୋଇଧାଇ ସଫା କରିଦେବାକୁ ମଣିଷ କମ୍ ଆତ୍ମୋତ୍ସର୍ଗ କରିନାହିଁ । ସମସ୍ତ ଶୋଷଣର ବିଷକୁ ଆକଣ୍ଠ ପାନ କରି ମଣିଷ କମ୍ ନୀଳକଣ୍ଠର ପରିଚୟ ଦେଇନାହିଁ । କିନ୍ତୁ କଣ ହୋଇଛି ? ଆତ୍ମ ନିଗ୍ରହର ଉଗ୍ର ଅଭିମାନ ମଣିଷ ଭିତରେ ସେ ଅଶାନ୍ତି ଉପଦ୍ରବ ଓ ଉତ୍ତେଜନାକୁ ପ୍ରଶମିତ କରିପାରିଛି କି ? ଯେ ପାଇଛି ସେ ଛାଡ଼ିବାକୁ ନାରାଜ, ଯେ ନ ପାଇଛି ସେ ପାଇବାକୁ ବିଦ୍ରୋହ କରୁଛି । ଏକଥା ଆଜି ଯେତିକି ସତ୍ୟ, ଅତୀତରେ ସେତିକି ସତ୍ୟ ଥିଲା । ଆଉ ଭବିଷ୍ୟତରେ ମଧ୍ୟ ସେତିକି ସତ୍ୟ ହୋଇ ରହିବ; ଯଦି ପୁରୁଣା ରାସ୍ତାକୁ ତ୍ୟାଗ କରି ଆମେ ନୂତନର ଆବିଷ୍କାର ନ କରୁ ।

 

ପ୍ରବୋଧ ସୂର୍ଯ୍ୟକୁ ସମର୍ଥନ କରି କହିଲା—ହଁ, ବୁଦ୍ଧ ଏବଂ ଯୀଶୁଙ୍କ ଅହିଂସାର ବାଣୀ ଏବେ ବି ଶୁଣାଯାଉଛି । ମାତ୍ର କିଏ ମାନୁଛି ତାକୁ ? ତେଣୁ ସେ ଲୋଭନୀୟ ଆଦର୍ଶର ମୂଲ୍ୟ ବା କଣ ଅଛି ।

 

ଡାକ୍ତର ଦାଶ ବିଚଳିତ ହୋଇପଡ଼ି କହିଲେ—ସଂସ୍କୃତି ଧ୍ୱଂସ ପାଇଯିବ । ପୃଥିବୀର ଶ୍ରେଷ୍ଠ ଆଦର୍ଶ ଲୋପ ହୋଇଯିବ । ତୁମେ ପଥଭ୍ରଷ୍ଟ ହୋଇଛ ପ୍ରବୋଧ ।

 

ସୂର୍ଯ୍ୟ କୋମଳ କଣ୍ଠରେ କହିଲା—ନାଁ ବାପା, ଆପଣଙ୍କ ଆଶଙ୍କା ଠିକ୍ ନୁହେଁ । ଆପଣ ଯେ ସଂସ୍କୃତି କଥା କହିଲେ, ପ୍ରବୋଧ କଥାର ସେଥିରେ ଅମେଳ ନାହିଁ । କୁରୁ ପାଣ୍ଡବ ଯୁଦ୍ଧର ମହାଭାରତ ଆମ ସଂସ୍କୃତିର ଅକ୍ଷୟ କବଚ । କିନ୍ତୁ କଣ ତାର ଦର୍ଶନ ? ଅନ୍ୟାୟ ଓ ଶୋଷଣର କାମନା ସବୁ ଉଦାହରଣର ଉପଚାରରେ ପ୍ରଜ୍ୱଳିତ ହୁଏ ସିନା, ବିନାଶ ହୁଏନା । ମାତ୍ର ଶକ୍ତିର ପ୍ରୟୋଗରେ ତାହା ଧ୍ୱଂସ ପାଇଯାଏ । ତେଣୁ ସଂସ୍କୃତି ଧ୍ୱଂସ ପାଇଯିବ ଏବଂ ଆଦର୍ଶ ଲୋପ ହୋଇଯିବ—ଏ ବିଚାର ନିରପେକ୍ଷ ନୁହେଁ । ବରଂ ସେ ସବୁ ଆହୁରି ମହୀୟାନ ହୋଇଉଠିବ । ତା ଛଡ଼ା ଲକ୍ଷ୍ୟ ଓ ଆଦର୍ଶ ଭିତରେ ଯେ ମେଳ କଥାଟା ଉଠୁଛି ତାର ଏଠାରେ ବ୍ୟତିକ୍ରମ କାହିଁ ? ବିପ୍ଳବର ଜୟଧ୍ୱନିରେ ଯାହା ଅବାଞ୍ଛିତ ଆବର୍ଜନା ସେ ସବୁ ଆପେ ଆପେ ଧ୍ୱଂସ ପାଇଯିବ । କାରଣ ତାହା ବିପ୍ଳବର ସ୍ୱାଭାବିକ ଧର୍ମ । ଧ୍ୱଂସ ପାଇଁ ବିପ୍ଳବ ତ ଅଭିପ୍ରେତ ନୁହେଁ, ତାହା ସୃଷ୍ଟି ପାଇଁ ପ୍ରସ୍ତୁତି ମାତ୍ର ।

 

ବ୍ରହ୍ମପ୍ରକାଶ ଉତ୍କଣ୍ଠିତ ହୋଇ ପଚାରିଲେ—ତାହେଲେ ଏ ବିପ୍ଳବ କରିବ କିଏ ? ଶୋଷଣର ଯେଉଁମାନେ ଶିକାର, ସେମାନଙ୍କ ସଂଖ୍ୟା ସିନା ବେଶୀ, ହେଲେ ଅନୁଗ୍ରହରେ ପରିପୁଷ୍ଟ ପିଣ୍ଡରେ ପ୍ରାଣଶକ୍ତିର ସେ ଆବେଗ କାହିଁ ?

 

ସୂର୍ଯ୍ୟ ଜବାବ ଦେଲା—ମୋର ମଧ୍ୟ ସେଇ ପ୍ରଶ୍ନ । ଆମେ ତା’ରି ଉତ୍ତରର ସନ୍ଧାନ କରିବା ।

 

ପ୍ରବୋଧକୁମାରର ମୁଖମଣ୍ଡଳ ଆଶାର ଏକ ନୂତନ ଦୀପ୍ତିରେ ଝଲସି ଉଠିଲା । ସେ ବ୍ରହ୍ମପ୍ରକାଶଙ୍କ ଆଡ଼େ ଚାହିଁ କହିଲା—ହଁ ବାପା, ଏ ଏକ ଜଟିଳ ପ୍ରଶ୍ନ । କିନ୍ତୁ ସବୁ ପ୍ରଶ୍ନର ଉତ୍ତର ଅଛି । ଆମେ ଖାଲି ଖୋଜି ପାଇଲେ ହେଲା । ରୁଷ ଆଉ ଫରାସୀର ବିପ୍ଳବ କଥା ବହୁବାର ଆପଣ ମତେ ଶୁଣାଇଛନ୍ତି । ଲୁଣ୍ଠନ ଆଉ ଉତ୍ପୀଡ଼ନର ଯେଉଁମାନେ ଶିକାର ଥିଲେ ସେମାନେ ଆମରି ଭଳି ମଧ୍ୟ ନିଜକୁ ଅସହାୟ ମଣୁଥିଲେ । ମାତ୍ର ଯେଉଁମାନେ ମୁକ୍ତିର ମଶାଲ ଧରି ବିପ୍ଳବର ରାସ୍ତାକୁ ସେମାନଙ୍କୁ ଟାଣିନେଲେ, ସେମାନେ ଠିକଣା ବାଟର ସନ୍ଧାନ ଦେଇଥିଲେ । ଆତ୍ମ ନିଗ୍ରହର ଦାମ୍ଭିକତାରେ ଆଧ୍ୟାତ୍ମିକତାକୁ ପ୍ରଜ୍ଜ୍ୱଳିତ କରି ଜୀବନୀ ଶକ୍ତିକୁ ସେମାନେ କ୍ଷୀଣ କରି ନ ଥିଲେ । ବଞ୍ଚିବାର ଜନ୍ମଗତ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସେମାନେ ଅନୁଗ୍ରହର ଭିକ୍ଷାଥାଳ ଧରି ହାତ ପାତି ନଥିଲେ । ଉଦାରତା ଯେଉଁଠି ଦୁର୍ବଳତାର ମାପକାଠି ହୁଏ, ଶକ୍ତିର ପ୍ରୟୋଗ ସେଠି ବିଚାରର ଫଏସଲା କରେ । ଆମର ପରିସ୍ଥିତି ପାଇଁ ଏହା କ’ଣ ପ୍ରୟୋଜନ ନୁହେଁ ବାପା !

 

ହଁ, ଏହା ହିଁ ପ୍ରୟୋଜନ, ବ୍ରହ୍ମପ୍ରକାଶ ସ୍ପଷ୍ଟ କଣ୍ଠରେ ସମର୍ଥନ କଲେ । ମାତ୍ର ରୁଷିଆ ଓ ଫରାସୀର ଯେଉଁମାନେ ବିପ୍ଳବ କରିଥିଲେ, ସେମାନଙ୍କର ଅର୍ଥନୈତିକ ମେରୁଦଣ୍ଡ ଆମ ପରି ଏତେ ଦୁର୍ବଳ ନ ଥିଲା, ଜାଣିଥିବୁ । ସାମାଜିକ ଅବ୍ୟବସ୍ଥାକୁ ଭାଙ୍ଗି ଶୋଷଣର କବର ଉପରେ ଯେଉଁମାନେ ବ୍ୟକ୍ତିର ମୂଲ୍ୟବୋଧ ପ୍ରତିଷ୍ଠା କରିଗଲେ, ସେମାନେ ମଧ୍ୟବିତ୍ତ ଶ୍ରେଣୀର ସଚେତନ ନାଗରିକ—ଏକଥା ଭୁଲିଯିବା ଉଚିତ ନୁହେଁ ।

 

ସୂର୍ଯ୍ୟ ଅତ୍ୟନ୍ତ ଉଲ୍ଲସିତ ହୋଇ ଠିଆ ହୋଇପଡ଼ିଲା । ତା’ର କଳ୍ପିତ ଯୋଜନାର ଆସନ୍ନ ଶୁଭାରମ୍ଭ ତା ଆଗରେ ମୂର୍ତ୍ତିମନ୍ତ ହୋଇ ଠିଆ ହୋଇଗଲା । ସେ ଆଗ୍ରହରେ କହିଲା—ଆପଣଙ୍କର ଅନୁଶୀଳନ ଏକାନ୍ତ ବାସ୍ତବ । ଏଥିପାଇଁ ବିପୁଳ ଆୟୋଜନ ଆଉ କଠୋର ସଂକଳ୍ପ ଅପରିହାର୍ଯ୍ୟ । ବ୍ୟକ୍ତିର ତ୍ୟାଗରେ ଗୋଷ୍ଠୀର କଲ୍ୟାଣ ନିହିତ—ଏ କଥା ସବୁବେଳେ ସତ୍ୟ । ଆପଣଙ୍କର ଆଶ୍ରମ ହିଁ ହେବ ଏହାର ପରୀକ୍ଷାଗାର । ଯୋଜନାର ସମସ୍ତ ପ୍ରସ୍ତୁତି ଓ ପ୍ରୟୋଗର ସବୁକିଛି ନିର୍ଦ୍ଦେଶନା ଆପଣଙ୍କଠାରୁ ହିଁ ମିଳିବ ।

 

ଡାକ୍ତର ଦାସ ଆଶ୍ଚର୍ଯ୍ୟ ହୋଇ କହିଲେ—ଆପଣ ବି ତେବେ ଏହି ଦଳର ବ୍ରହ୍ମପ୍ରକାଶବାବୁ !

 

ଆପଣ ବି ଏହି ଦଳର ଆଜ୍ଞା ! ପ୍ରବୋଧ କହିଲା । କାରଣ ତାହା ମୁକ୍ତିର ଏକମାତ୍ର ପଥ । ସମସ୍ତଙ୍କ ସୁରକ୍ଷାର ଅବ୍ୟର୍ଥ ମହୌଷଧି ।

 

ଜାତୀୟ ଜୀବନର ସୁଷ୍ଠୁ ପରିପ୍ରକାଶର ପରିପ୍ରେକ୍ଷୀରେ ସ୍ୱୟଂସଂପୂର୍ଣ୍ଣ ବ୍ୟକ୍ତିତ୍ୱର ସ୍ୱପ୍ନ କଣ ଶିକ୍ଷା କ୍ଷେତ୍ରରେ ବିପ୍ଳବରୁ ସମ୍ଭବ ନୁହେଁ ?

 

ବ୍ରହ୍ମପ୍ରକାଶ ଉତ୍ତର ଦେଲେ—ହଁ ସମ୍ଭବ । ମାତ୍ର ଏ ବିପ୍ଳବ କରିବ କିଏ ? ଯେଉଁମାନେ କରନ୍ତେ, ସେମାନେ କ୍ଷମତାର ନିଶାରେ ପାଗଳ । ସମାଜ ଭିତରେ ସେମାନେ ତାଙ୍କର ନିଜର ସ୍ୱତନ୍ତ୍ର ସମାଜ ତିଆରି କରିବାରେ ବ୍ୟସ୍ତ । ଆଉ ଯେଉଁମାନେ କରନ୍ତେ, ସେମାନେ ହୀନବଳ, କରୁଣାର ଭିକାରୀ ।

 

ସୂର୍ଯ୍ୟ ସମର୍ଥନ କରି କହିଲା—ହଁ ବାପା, ଏଇ ଆମ କୋଣାର୍କ, କେତେ ସୌନ୍ଦର୍ଯ୍ୟ ସେଠି ଠୁଳ ନ ହୋଇଛି ? କିନ୍ତୁ ଜଣକର ସୌନ୍ଦର୍ଯ୍ୟ ପିପାସାକୁ ମେଣ୍ଟାଇବା ପାଇଁ କେତେ ଶୋଷଣ ଆଉ ଉତ୍ପୀଡ଼ନର ବେଦନା ସେଥିରେ ଏକାକାର ନ ହୋଇଛି ? ଏ କ’ଣ ଅନ୍ୟାୟ ଆଉ ଅତ୍ୟାଚାରର ମୂକସାକ୍ଷୀ ନୁହେଁ ?

 

ଡାକ୍ତର ଦାସ ପ୍ରତିବାଦ କଲେ—ନା, ରୁଚି ଏବଂ ବିଚାର ସବୁକାଳରେ ସମାନ ନ ଥାଏ-। ଆଜି ଯାହା ଅନ୍ୟାୟ, ଅସୁନ୍ଦର, କାଲି ଯେ ତାହା ଅବାଞ୍ଛିତ ଥିଲା, ଏପରି ଭାବିଲେ ଆମେ ଆମର ସଂସ୍କୃତିର ଅମର୍ଯ୍ୟାଦା କରିବା । ପରମ୍ପରାକୁ ଛାଡ଼ିଦେଲେ ଆମେ ଛିନ୍ନମୂଳ ହୋଇଯିବା-। ସଂସ୍କାର ସବୁକାଳ ପାଇଁ ପ୍ରଗତିର ବାଟ । ଆମେ ବରଂ ସେଇ ବାଟ ଧରିବା । ତେଣୁ ଜୀବନ ଦର୍ଶନର ଯେ ସଂଘାତ ଆମ ଶିକ୍ଷାନୀତିକୁ ବିପର୍ଯ୍ୟସ୍ତ କରି ରଖିଛି, ତାର ସଂସ୍କାର ହେବା ଦରକାର-

 

ବ୍ରହ୍ମପ୍ରକାଶବାବୁ କହିଲେ—ମୁଁ କିନ୍ତୁ ଏକମତ ହୋଇପାରୁ ନାହିଁ ଡାକ୍ତର ଦାସ । ଏଇ ଦେଖୁନାହାନ୍ତି, ଆଭିଜାତ୍ୟରେ ପରିପୂର୍ଣ୍ଣ କେତେ ପ୍ରକାରର ଶିକ୍ଷା ଏଠି ନ ଚାଲିଛି ! Convent, Stuart, Central, Public ଏପରି ହଜାରେ ପ୍ରକାରର ଆଡ଼ମ୍ୱରପୂର୍ଣ୍ଣ ଶିକ୍ଷା ସମାଜରେ ପ୍ରଭୁ ଶ୍ରେଣୀର ସୃଷ୍ଟି କରୁଥିବାବେଳେ ଦୈନ୍ୟକ୍ଳିଷ୍ଟ ସାଧାରଣ ଶିକ୍ଷା ଗଣଜୀବନକୁ ଭୃତ୍ୟ କରି ଗଢ଼ିତୋଳୁଛି । ତେଣୁ ଜାତୀୟ ଅଖଣ୍ଡତା ପାଇଁ ଯେ ମୌଳିକ ମାନସିକ ପ୍ରସ୍ତୁତିର ଆବଶ୍ୟକତା ରହିଛି, ତାହା ଏ ପାଚିରୀ ଡେଇଁ ସମ୍ମିଳିତ ହେବ କିପରି ? ଏସବୁ ବିରୁଦ୍ଧରେ କେତେକାଳ ଧରି ସ୍ୱର ନ ଉଠୁଛି ! କିନ୍ତୁ କାହିଁ ? ସଂସ୍କାର ହେଲା କି ? ଏହା ହିଁ ବୋଧହୁଏ ଆମ ଜାତୀୟ ଅଖଣ୍ଡତାର ଏକ ବଡ଼ ଅନ୍ତରାୟ । ‘ଜାତୀୟତା’ ଏ ଶବ୍ଦଟି ଆମ ପାଇଁ ଏକ ନୂତନ ଆବିଷ୍କାର । ସମ୍ଭବତଃ ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ଆମେ ୟା ସହିତ ପରିଚିତ ହୋଇଛୁ ।

 

ବ୍ରହ୍ମପ୍ରକାଶବାବୁଙ୍କର ଯୁକ୍ତିକୁ ଆହୁରି ବଳିଷ୍ଠ କରି ସୂର୍ଯ୍ୟ କହିଲା—ଆମର ଗଣତନ୍ତ୍ର ପୃଥିବୀରେ ସର୍ବବୃହତ୍ତମ ବୋଲି ଗର୍ବର ସୀମା ନାହିଁ, କିନ୍ତୁ ପ୍ରାଥମିକ ଶିକ୍ଷାକୁ ମଧ୍ୟ ଆମେ ଏ ପର୍ଯ୍ୟନ୍ତ ସାର୍ବଜନୀନ କରିପାରୁନାହୁଁ, କିମ୍ୱା ଦେଶର ସମସ୍ତ ଶିଶୁଙ୍କ ପାଇଁ ଏହା ବାଧ୍ୟତାମୂଳକ ହୋଇନାହିଁ । ଯେଉଁ ଶିଶୁର ପରିବେଷ୍ଟନୀ କେବଳ ପାଞ୍ଚଘଣ୍ଟା ପାଇଁ ଶ୍ରେଣୀଗୃହ, ସେ ଅବଶିଷ୍ଟ ଉଣେଇଶ ଘଣ୍ଟା କାଳ ବ୍ୟାଧିଗ୍ରସ୍ତ ସମାଜର ଆବର୍ଜନା ଭିତରେ ଅଯତ୍ନ ବର୍ଦ୍ଧିତ ହେଲେ, ତା’ର ଅନ୍ତର୍ନିହିତ ଶକ୍ତିର ବିକାଶ ହେବ କିପରି ? ଅଥଚ ଯେଉଁ ରାଜୁଡ଼ା ଶାସନକୁ ଆମେ ଘୃଣାରେ ନାକ ଟେକନ୍ତି ସେଥିରେ ଶିଶୁଶିକ୍ଷା ବାଧ୍ୟତାମୂଳକ ଥିଲା । ଏହି ବାଧ୍ୟତାମୂଳକ ଶିକ୍ଷା ସ୍ଥଳବିଶେଷରେ ଅତ୍ୟାଚାରରେ ପରିଣତ ହେବାରୁ, ଏହାକୁ କୋହଳ କରିବା ପାଇଁ ପ୍ରଜାମଣ୍ଡଳର ଥିଲା ଅନ୍ୟତମ ଦାବୀ । ବର୍ତ୍ତମାନର ଶିକ୍ଷାକୁ ୟା ସାଙ୍ଗରେ ତୁଳନା କଲାବେଳେ ଆପଣ କ’ଣ କ୍ଷୁଣ୍ଣ ହେଉନାହାନ୍ତି, ବାପା !

 

ଡାକ୍ତର ଦାସ ଆଉ କିଛି ଉତ୍ତର ଖୋଜି ନ ପାଇ ନୀରବ ରହିଲେ ।

 

ବ୍ରହ୍ମପ୍ରକାଶବାବୁ ସହଜ କଣ୍ଠରେ କହିଲେ—ହଁ ଆଜ୍ଞା । ଏଇଥିରେ ହିଁ ଜୀବନ ଅଛି । ଯେଉଁ ସମାଜ ଆପଣଙ୍କୁ ଏତେ ବଡ଼ କରି ଗଢ଼ି ତୋଳିଛି, ଜୀବନ ମଉଳିଯିବା ଆଗରୁ ତାକୁ କିଛି ଦାନ କରି ଯାଆନ୍ତୁ ।

 

ଡାକ୍ତର ଦାସ କିଛି କହିପାରିଲେ ନାହିଁ । ରାତି ବେଶୀ ହୋଇଗଲାଣି କହି ପୂଜାରୀ ଆସି ସାମନାରେ ଠିଆ ହେଲା । ସମସ୍ତେ ଖାଇବାକୁ ଉଠିଗଲେ ।

 

ନଅ

 

କମଳାଦେବୀ କଟକରୁ ଆସିବାର ପାଞ୍ଚଦିନ ହୋଇଗଲାଣି । ଡାକ୍ତର ଆସି ଦେଖିଯାଉଛନ୍ତି । ମଦନ ସବୁକଥା ଟିକିନିଖି କରି ବୁଝୁଛି । ପ୍ରଶାନ୍ତବାବୁ ଯିବେ ଯିବେ ବୋଲି ଯାଇନାହାନ୍ତି । ସର ପାଖେ ପାଖେ ଜଗିବସିଛି । ଡାକ୍ତର ବ୍ୟସ୍ତ ହୋଇପଡ଼ିଲେଣି । ସବୁ ପରୀକ୍ଷା ନିରୀକ୍ଷା ସରିଲାଣି । କେଶ୍ ଷ୍ଟଡ଼ି ପାଇଁ ପ୍ରଫେସରଙ୍କ ସାଙ୍ଗରେ ଦଳଦଳ ହେଇ ହାଉସ୍ ସର୍ଜନମାନେ ବାରମ୍ୱାର ଆସି ଫେରିଯାଉଛନ୍ତି । ରୋଗଟା କ’ଣ ଏ ପର୍ଯ୍ୟନ୍ତ ଧରିହେଉ ନାହିଁ । ମଦନର ମେଡ଼ିକାଲ ପାଠ ସରିବାକୁ ଆଉ ବର୍ଷେ ବାକି ଅଛି । ସାଙ୍ଗ ଛାତ୍ରମାନଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ Specialistମାନଙ୍କ ପର୍ଯ୍ୟନ୍ତ ପରାମର୍ଶ କରିବାରେ ଆଉ କିଛି ବାକି ରଖିନାହିଁ । ସେବା ଯତ୍ନରେ ବି କୌଣସି ଅଭାବ ନାହିଁ । କିନ୍ତୁ ରୋଗୀ ଦେହରେ କୌଣସି ଉନ୍ନତିର ଲକ୍ଷଣ ଦେଖାଯାଉ ନାହିଁ ।

 

ମଦନ ବଡ଼ ବିବ୍ରତ ହୋଇପଡ଼ିଲା । ଏଠି ଖୁଡ଼ୀଙ୍କର ଅବସ୍ଥା ତ ଆଖିରେ ଦେଖୁଛି । ସେଥିରେ ପ୍ରଶାନ୍ତ ପଟ୍ଟନାୟକ ଏକୁଟିଆ ଦାମନଯୋଡ଼ି ଫେରିଲେ, ପ୍ରଜ୍ଞାର ଅବସ୍ଥା କ’ଣ ହେବ ! ସେ କଥା ଭାବିଲେ ତାର ସମସ୍ତ ପ୍ରାଣ ସତ୍ତା ଯେପରି ଲୋପ ପାଇଯାଉଛି । ସେ କିଛି ଭାବିପାରୁ ନ ଥିଲା । ଶେଷରେ ତା’ର ମନେ ହେଲା—ସେ ସୂର୍ଯ୍ୟର ସାହାଯ୍ୟ ଲୋଡ଼ିବ । ଛାତ୍ର ହେଲେ ବି ସାରା ମେଡ଼ିକାଲ କଲେଜରେ ତା’ର ଖ୍ୟାତି କହିଲେ ନ ସରେ । ସୂର୍ଯ୍ୟ ସାଙ୍ଗରେ ହୁଏତ ତାକୁ ସାହାଯ୍ୟ କରିବ । ଅନ୍ତତଃ ଖୁଡ଼ୀଙ୍କର ଦାୟିତ୍ୱ ତା’ ଉପରେ ଦେଇ ସେ ଦାଦାଙ୍କ ସାଙ୍ଗରେ ଦାମନଯୋଡ଼ି ଯାଇ ପ୍ରଜ୍ଞାର ନିରାପତ୍ତା ପାଇଁ କିଛି ଗୋଟାଏ ବ୍ୟବସ୍ଥା କରିବ । ଦାଦା ଏକୁଟିଆ ଦାମନଯୋଡ଼ି ଯାଆନ୍ତୁ, ଏ କଥା ସେ ଚାହେଁ ନାହିଁ । ସେୟା ହେଲା । କ’ଣ ଗୋଟାଏ ଆଳରେ ସେ ଦିନକ ପରେ ଫେରି ଆସିବ କହି ଦାଦାଙ୍କ ସାଙ୍ଗରେ ଦାମନଯୋଡ଼ି ବାହାରିଗଲା ।

 

ରାତି ଏଗାରଟା ବାଜିଲାଣି । ପ୍ରଶାନ୍ତ ପଟ୍ଟନାୟକ ବଗିଚାର ଗୋଟିଏ ପାଖକୁ କୃଷ୍ଣଚୂଡ଼ା ଗଛ ତଳେ ସିମେଣ୍ଟ ବେଞ୍ଚ ଉପରେ ବସିଛନ୍ତି । ରୋଷେଇ ଘରକୁ ଲାଗି ମଦନ ନିଜର ଛୋଟିଆ କୋଠରୀଟିର ଝରକା ପାଖରେ ବସି କ’ଣ ଗୋଟାଏ ବହି ପଢ଼ୁଛି । ଝରକା ବାଟ ଦେଇ ଚାହିଁଲେ ବଗିଚାରେ ପ୍ରଶାନ୍ତ ପଟ୍ଟନାୟକଙ୍କର ପିଠିଆଡ଼ୁ ଅଧା ଦିଶୁଛି । ହଠାତ୍ ସେ ଶୁଣିଲା—ବଗିଚାଭିତରେ ଅନୁଚ୍ଚ କଣ୍ଠରେ କିଏ କଥାବାର୍ତ୍ତା କରୁଛନ୍ତି । ମଦନ ଚମକିପଡ଼ିଲା । ରବିଶଙ୍କର ହେବ ପରା ! ଚେୟାର ଛାଡ଼ି ସେ ଉଠିଆସି ଝରକା ପାଖରେ ଠିଆହେଲା ।

 

ତାର ଅନୁମାନ ସତ୍ୟ । ରବିଶଙ୍କର ଗୋଟାଏ ଭୂତଗ୍ରସ୍ତ ଉଦ୍‌ଭ୍ରାନ୍ତ ପରି ଟଳ ଟଳ ପାଦରେ ବଗିଚା ଭିତରୁ ବାହାରିଯାଉଛି । ଖୁଡ଼ୀଙ୍କର କଥା ତା’ର ମନେପଡ଼ିଗଲା । ଆଜି ବୋଧହୁଏ ସେମାନଙ୍କ ଯୋଜନାର ଅଶୁଭ ମୁହୂର୍ତ୍ତ । ପ୍ରଜ୍ଞାର ବିପଦର ଦିନ । କ’ଣ କରିବ, କିଛି ଭାବିପାରିଲା ନାହିଁ । ଡେରି କଲେ ହୁଏତ ଅବସ୍ଥା ଅନାୟତ୍ତ ହୋଇଯିବ । ସେ ନିଜକୁ ଯଥା ସମ୍ଭବ ସଂଯତ କରି ଦେଇ ନିଜର ଶୋଇବା ଘର ଦରଜା ବନ୍ଦ କରି ଆଲୁଅ ଲିଭାଇଦେଲେ । ହେଲେ ଆଖିକୁ ନିଦ ନାହିଁ । ପ୍ରଜ୍ଞାର ବିପଦ କଥା କଳ୍ପନା କରି ତାର ତଣ୍ଟି ଶୁଖିଆସୁଛି । ପ୍ରତ୍ୟେକଟି ମୁହୂର୍ତ୍ତ ତାକୁ ଦୁର୍ବିସହ ବୋଧ ହେଲା । ସେ ଭାବିଲା—ଅନ୍ତତଃ ବ୍ରହ୍ମପ୍ରକାଶବାବୁଙ୍କୁ ସତର୍କ କରାଇ ଦେବା ତା’ର ଉଚିତ । ନିଃଶବ୍ଦରେ ଚାରିଆଡ଼କୁ ଚାହିଁ ସେ ଦୁଆର ଫିଟାଇଲା । ଖୁବ୍ ସନ୍ତର୍ପଣରେ ପାଦ ଚିପି ଚିପି ସେ ପଛପଟ ପାଚିରୀ ଡେଇଁ ଘରୁ ବାହାରିଗଲା ।

 

ବ୍ରହ୍ମପ୍ରକାଶବାବୁଙ୍କର ଘର ଏଠିକୁ ପ୍ରାୟ ଡାକେ ବାଟ ହେବ । ଅଳ୍ପ ଅଳ୍ପ ଶୀତ ପଡ଼ିଛି । ଶିଳ୍ପାଞ୍ଚଳର ଷ୍ଟାଫ୍ କଲୋନୀରେ ଆଉ କୋଳାହଳ ଶୁଭୁନାହିଁ । ସମସ୍ତେ ପ୍ରାୟ ଶୋଇପଡ଼ିଲେଣି । କେବଳ ଦେଶୀ ମହୁଲିର କରାମତି କାମ କରୁଛି କୁଲି ବସ୍ତିରେ । ଝାଟି ମାଟିର ଛୋଟ ନୁଆଁଣିଆ ଧାଡ଼ି ଧାଡ଼ି ଘର ଭିତରୁ ଠାଏ ଠାଏ ଉନ୍ମାଦ ଗୃହକର୍ତ୍ତାର ନିର୍ମମ ମାଡ଼ରେ ପିଲାଛୁଆଙ୍କର ବିକଳ ଚିତ୍କାର ଉଛୁଳି ଉଠୁଛି । ଏଇଟା ସେମାନଙ୍କର ନିତି ଦିନର ଅଭ୍ୟାସ । ସେ ଆଡ଼କୁ କାହାରି ନଜର ନାହିଁ ।

 

ମଦନ ଚାଲିଛି । ନିର୍ଜନ ରାତି । ଗଛରୁ ପାଚିଲା ପତ୍ରଟିଏ ପଡ଼ିବାର ଶବ୍ଦ ଶୁଣି ଦେହ ଶୀତେଇ ଉଠୁଛି । ଷ୍ଟାଫ୍ କଲୋନୀର ପଛପଟ ଦେଇ ଅଣଓସାରିଆ ପାଦଚଲା ରାସ୍ତାରେ ସେ ଚାଲିଛି । ଭୟ, ଆଶଙ୍କା ଆଉ ଉତ୍ତେଜନାରେ ଶୀତ ରାତିଟାରେ ବି ତା ଦେହରୁ ଗମ୍ ଗମ୍ ଝାଳ ନିଗିଡ଼ି ପଡ଼ୁଛି । ଚାରିଆଡ଼େ ଶୂନ୍‌ଶାନ୍ ।

 

ଅନେକ ସମୟ ହୋଇଗଲାଣି । ଏତେ ବିଳମ୍ୱର କାରଣ କ’ଣ ! ଖବରଟା ତ ମିଳିଯିବା କଥା ! କ’ଣ କିଛି ବାଧା ପଡ଼ିଲା କି ? ପ୍ରଶାନ୍ତ ପଟ୍ଟନାୟକ ଅସ୍ଥିର ଭାବରେ ନିଜର ଶୋଇବା ଘରେ ଅନ୍ଧାରଟାରେ ପଦଚାରଣ କରୁଥିଲେ । ନାନା ଆଶଙ୍କାରେ ତାଙ୍କ ନିଜ ମନର ଭୂତ ତାଙ୍କୁ ଗୋଡ଼ାଉଥିଲା । କ୍ରମେ ସେ ନିଜକୁ ଜଣେ ଅପରାଧୀ ବୋଲି ମନେ କରି ନିସ୍ତେଜ ହୋଇ ଆସିଲେ । ତାଙ୍କର ମନେ ହେଲା ସମସ୍ତ ଯୋଜନା ଯେପରି ଜଣାପଡ଼ି ଯାଇଛି । ଆଉ ରବିଶଙ୍କର କାମରେ ସଫଳ ନ ହୋଇ ଧରାପଡ଼ିଯାଇଛି । ପ୍ରଶାନ୍ତ ପଟ୍ଟନାୟକ କିଂକର୍ତ୍ତବ୍ୟ ବିମୂଢ଼ ହୋଇପଡ଼ିଲେ । ପାଦ ଦୁଇଟା ଖୁବ୍ ଯୋରରେ ଥରିବାକୁ ଲାଗିଲା । ସେ ଆଉ ନିଜକୁ ସମ୍ଭାଳି ପାରୁ ନ ଥିଲେ । ତାଙ୍କର ମନେ ହେଲା ସେ ଏହିସବୁ ଯୋଜନାର ମୂଳ କର୍ତ୍ତା ବୋଲି ଯେମିତି ସମସ୍ତେ ଜାଣିଗଲେଣି । ସେ ବଡ଼ ବିବ୍ରତ ହୋଇପଡ଼ିଲେ । ଠିକ୍ ଏତିକିବେଳେ ବାହାରେ କୋଳାହଳ ଭିତରେ ସେ ଇତସ୍ତତଃ ଚିତ୍କାର ଶୁଣିଲେ—‘‘ହେଇ ଗଲା ଗଲା, ଧର ଧର, ଧାଇଁଆସ-।’’ ତାଙ୍କର ଆଉ ଚେତା ପ୍ରାୟ ନାହିଁ । କୋଠରୀର ଅନ୍ଧାର ଭିତରେ ସେ ଚଟାଣ ଉପରେ ସ୍ଥିର ହୋଇ ଠିଆ ହେବାକୁ ଚେଷ୍ଟା କଲେ । ପୁଣି ସେଇ ଚିତ୍କାର, ଧାଁ ଧପଡ଼ ଧଇଁସଇଁ ଶବ୍ଦ ଆହୁରି ଜୋରରେ ନିକଟତର ହୋଇଆସି ଜଙ୍ଗଲ ପାଖରେ ଅଟକିଗଲା । ସେ ଠିକ ଭାବରେ କିଛି ଅନୁମାନ କରିପାରିଲେ ନାହିଁ । ଅତ୍ୟଧିକ ଭୟରେ ସେ କମ୍ୱଳ ଢାଙ୍କି ହୋଇ ଖଟ ଉପରେ ଶୋଇପଡ଼ିଲେ । ଦେହଟା ତାଙ୍କର ଅବଶ ହୋଇ ଆସୁଥିଲା । କଣ୍ଠନାଳୀଟା ଶୁଖି ଅଠା ଅଠା ଧରିଲାଣି । ପରମୁହୂର୍ତ୍ତରେ ସେ ହଠାତ୍ ଶୁଣିପାରିଲେ ଅନେକଗୁଡ଼ିଏ ଲୋକ ବିଚଳିତ ଅବସ୍ଥାରେ ଚିତ୍କାର କରି ଏକାବେଳକେ ମାଡ଼ିଆସୁଛନ୍ତି ତାଙ୍କ ବାରଣ୍ଡା ଉପରକୁ । ତାଙ୍କର ମନେ ହେଲା, ସବୁ ଯୋଜନା ଅକାମୀ ହୋଇଯାଇଛି । ରବିଶଙ୍କର ଓ ଅନ୍ୟମାନେ ଧରାପଡ଼ିଛନ୍ତି । ଆଉ ସେ ନିଜେ ଏ ସବୁର ମୂଳ ବୋଲି ଲୋକେ ଜାଣିପାରିଛନ୍ତି । ତାହେଲେ କଣ ହେବ ତାଙ୍କର ଅବସ୍ଥା-। ଯେଉଁମାନେ ଖଣ୍ଡେ ଦୂରରେ ଠିଆ ହୋଇ ସଂଭ୍ରମରେ ପଦେ ଜବାବ ବି ଦେଇପାରନ୍ତି ନାହି, ଆଜି ହୁଏତ ସେମାନେ ତାଙ୍କୁ ଗୁଳିବିଦ୍ଧ ବାଘ ଭଳି କ୍ରୋଧରେ ଖିନ୍‌ଭିନ୍‌ କରିଦେବେ ।

 

ସେ ନିଜକୁ ବଡ଼ ଅସହାୟ ଭାବୁଥିଲେ । ହଠାତ୍ ବାହାରେ, ବାରଣ୍ଡା ଉପରେ ‘ବାବୁ’ ‘ବାବୁ’ର ଉଦ୍‌ବିଗ୍ନ ଚିତ୍କାର । ସେ ଭୟରେ ଥରିବାକୁ ଲାଗିଲେ । ପୁଣି ଶୁଣାଗଲା—‘ବାବୁ ବାବୁ’ ସବୁ ସରିଗଲା, ଜଲଦି ଆସନ୍ତୁ । ପ୍ରଶାନ୍ତ ପଟ୍ଟନାୟକ ଆଶ୍ଚର୍ଯ୍ୟ ହେଲେ । ଏତ ଆକ୍ରମଣର ଉଗ୍ରକଣ୍ଠ ନୁହେଁ । ବରଂ ସହାନୁଭୂତି ଆଉ ସମବେଦନାର ଅଯାଚିତ ସାହାଯ୍ୟର ସୂଚନା । ତା ହେଲେ କ’ଣ ହୋଇପାରେ ଏହାର କାରଣ । ସେ ଆଲୁଅ ଜାଳି କବାଟ ଖୋଲି ବାହାରକୁ ଆସିଲେ ।

 

ଆଜ୍ଞା ଶୀଘ୍ର ଆସନ୍ତୁ, ସବୁ ସରିଗଲା । ମଦନବାବୁ ଆଉ ନାହନ୍ତି । ହଠାତ୍ ବଜ୍ର ପଡ଼ିଲା ପରି ପ୍ରଶାନ୍ତ ପଟ୍ଟନାୟକ ନିଜ ଭିତରେ ନିଜେ ଯେମିତି ଜଳିପୋଡ଼ି ପାଉଁଶ ହୋଇଗଲେ । ସେ କେବଳ ଏ ଶବ୍ଦଟି ଛଡ଼ା ଆଉ କିଛି ଉଚ୍ଚାରଣ କରିପାରିଲେ ନାହିଁ । ଲୋକ ଭିଡ଼ ଭିତରୁ ଜଣେ ଆଗକୁ ଠେଲି ହୋଇ ଆସି କହିଲା—ହଁ ଆଜ୍ଞା, ବ୍ରହ୍ମପ୍ରକାଶବାବୁ, ତାଙ୍କ ଝିଅ ଆଉ ସ୍ତ୍ରୀଙ୍କର ଚେତା ନାହିଁ । ଧାଇଁ ଆସ ଧାଇଁ ଆସ ଚିତ୍କାର ଶୁଣି ଆମେ ଦୌଡ଼ି ଯାଇ ଦେଖିଲା ବେଳକୁ ପାଞ୍ଚ ଛ’ଜଣ ଗୋଡ଼ଠାରୁ ମୁଣ୍ଡପର୍ଯ୍ୟନ୍ତ କଳା ପୋଷାକ ପିନ୍ଧି ଦୌଡ଼ି ଦୌଡ଼ି ଜଙ୍ଗଲ ଭିତରେ କୁଆଡ଼େ ଲୁଚିଗଲେ-। ଅନ୍ଧାର ରାତି, ଜଙ୍ଗଲଟା ଭିତରେ ଆମେ ଆଉ ତାଙ୍କୁ ପାଇଥାନ୍ତୁ କିପରି ? ସେଠୁ ଆସି ଦେଖିଲା ବେଳକୁ ବ୍ରହ୍ମପ୍ରକାଶବାବୁଙ୍କ ଦୁଆର ସାମନାରେ ରକ୍ତରେ ଜଡ଼ ସଡ଼ ହୋଇ ମଦନବାବୁ ପଡ଼ିଛନ୍ତି-। ଟିକିଏ ଦୂରରେ ପଡ଼ିଛି ପ୍ରଜ୍ଞା, ତାର ହୋସ୍ ନାହିଁ । ଘର ଭିତରେ ପଛ ଆଡ଼କୁ ହାତକରି ବନ୍ଧା ହୋଇ ଅଚେତ ଅବସ୍ଥାରେ ପଡ଼ିଛନ୍ତି ବ୍ରହ୍ମପ୍ରକାଶବାବୁ ଆଉ ତାଙ୍କ ସ୍ତ୍ରୀ । ଆପଣ ଶୀଘ୍ର ଆସନ୍ତୁ ଆଜ୍ଞା ।

 

ପ୍ରଚଣ୍ଡ କ୍ରୋଧରେ ପ୍ରଶାନ୍ତ ପଟ୍ଟନାୟକଙ୍କ ପାଟିରୁ ବାହାରି ପଡ଼ିଲା—ରବିଶଙ୍କର !!!

 

ଏଁ, ସେ କ’ଣ ତେବେ ରବିଶଙ୍କର ଆଉ ତାର ସାଥୀ ଗୁଣ୍ଡାମାନେ । ତେବେ ଆପଣ କେମିତି ଜାଣିଲେ ସେ ରବିଶଙ୍କର ବୋଲି ? ମଦନବାବୁ ସେଠିକୁ କାହିଁକି ଯାଇଥିଲେ ? ଲୋକେ ପରସ୍ପରକୁ ଚାହାଁ ଚୁହିଁ ହୋଇ ପାଟି କରି ଉଠିଲେ ।

 

ରବିଶଙ୍କର ନାଁଟା ଧରିପକାଇ ପ୍ରଶାନ୍ତ ପଟ୍ଟନାୟକ ଯେଉଁ ଭୁଲ କରିପକାଇଲେ ତାକୁ ଆଉ ସଜାଡ଼ି ହେବନାହିଁ । ସେ ଆତଙ୍କିତ ହୋଇପଡ଼ିଲେ ।

 

ତେବେ ଆଉ ଏବେ ଉପାୟ କ’ଣ ଅଛି ? ନିର୍ଜୀବ ମଣିଷଟି ପରି ସେ କେବଳ ଠେଲି ହୋଇ ସେମାନଙ୍କ ସାଙ୍ଗରେ ଚାଲିଗଲେ ବ୍ରହ୍ମପ୍ରକାଶଙ୍କ ଘରଆଡ଼କୁ । ଅନେକ ଲୋକ ସେଠି ରୁଣ୍ଡ ହୋଇଛନ୍ତି । ପବନ ଛାଡ଼ ପବନ ଛାଡ଼ ବୋଲି ଖୁବ୍ ପାଖରେ ଘେରି ରହିଥିବା ଲୋକମାନେ ପାଟି କରୁଛନ୍ତି । ବ୍ରହ୍ମପ୍ରକାଶ ବନ୍ଧନମୁକ୍ତ ହୋଇଥିଲେ ବି ସ୍ଥାଣୁ ପାଲଟି ଯାଇଛନ୍ତି । ଅମ୍ବିକାଦେବୀଙ୍କ ଚେତା ଫେରି ନାହିଁ । ପ୍ରଜ୍ଞା ସଂଜ୍ଞା ଫେରିପାଇ, ତାର ଇତସ୍ତତ ଲୁଗାପଟାକୁ ସଜାଡ଼ି ନେଉଛି । ମଦନର ହୋସ ନାହିଁ । ରକ୍ତରେ ଗୋଟାସାରା ଜଡ଼ ସଡ଼ । ସମସ୍ତଙ୍କର ମନେ ହେଉଛି—ସେ ଆଉ ଜୀବନରେ ନାହିଁ ।

 

ପ୍ରଶାନ୍ତ ପଟ୍ଟନାୟକ ନିଜ ଆଖିକୁ ବିଶ୍ୱାସ କରିପାରୁ ନ ଥିଲେ । ତାଙ୍କ ଯୋଜନାରେ ଏପରି ପରିଣତି ସେ ବେଶ୍ ବୁଝି ପାରୁଥିଲେ । ମାତ୍ର ବୁଝି ପାରୁନଥିଲେ—ମଦନ ଏଠିକି ଆସିଲା କିପରି । ରାତା ରାତି ଗାଡ଼ି ବନ୍ଦୋବସ୍ତ କରି ଚିକିତ୍ସାର ସମସ୍ତ ବ୍ୟବସ୍ଥା କରାଗଲା ।

 

ମଦନ କଟକ ଛାଡ଼ି ଦାମନ ଯୋଡ଼ିକୁ ଯିବାର ଆଜିକୁ ଚାରିଦିନ ହେଲାଣି । ଦିନକ ପାଇଁ ଯାଇ ଚାରି ଦିନ ହେଲା ନଫେରିବାର କାରଣ କ’ଣ ? ସୂର୍ଯ୍ୟ ଚିନ୍ତିତ ହୋଇ ଭାବୁଥିଲା । ସେ ସକାଳର ଖବର କାଗଜ ଉପରେ ଆଖି ବୁଲାଉ ବୁଲାଉ ହଠାତ୍ ତା ଆଖିରେ ପଡ଼ିଲା ‘‘ଦାମନ ଯୋଡ଼ିରେ ଡକେଇତି’’ ଶୀର୍ଷକ ସମ୍ୱାଦ ଉପରେ । ପ୍ରବୀଣ ସମାଜସେବୀ ବ୍ରହ୍ମପ୍ରକାଶଙ୍କ ଘରେ ସଶସ୍ତ୍ର ଡକେଇତି । ବାଧା ଦେବାକୁ ଯାଇ ବିଶିଷ୍ଟ ଠିକାଦାର ପ୍ରସନ୍ନ ପଟ୍ଟନାୟକଙ୍କର ପୁତୁରା ମଦନ ଗୁରୁତର ଭାବେ ଆହତ । ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଛି । କ୍ରାଇମ୍‌ବେଞ୍ଚ ତନା ଘନା ତଦନ୍ତ କରୁଛନ୍ତି । କେହି ଧରା ପଡ଼ି ନାହାନ୍ତି । ଦାଦାକ୍ଲବର ସଭ୍ୟମାନେ ଫେରାର ଅଛନ୍ତି ।

 

ମୁହୂର୍ତ୍ତକ ପାଇଁ ସୂର୍ଯ୍ୟର ମୁଣ୍ଡଟା ଗୋଳମାଳ ହୋଇଗଲା । ସେ ଭାବିଲା—ମଦନ କ’ଣ ତା ହେଲେ ଏ ଡକେଇତିର ସୂଚନା ଆଗରୁ ପାଇଥିଲା ? କ’ଣ ହୋଇପାରେ ଏହାର ରହସ୍ୟ ! ତାର ମନେହେଲା ସେ ପ୍ରବୋଧକୁ ଡକାଇ ଆଣି ପରାମର୍ଶ କରିବ । ପ୍ରବୋଧ ଆକ୍‌ସିଡେଣ୍ଟରେ ପଡ଼ି କଟକରେ ଚିକିତ୍ସା ହେଉଥିଲା ବେଳେ ସେ ତାର ପରିବାରର ସମସ୍ତଙ୍କୁ ଚିହ୍ନିଛି । ଅତ୍ୟନ୍ତ ନିରୀହ ପରିବାରଟିଏ । ବ୍ରହ୍ମପ୍ରକାଶବାବୁତ ଜଣେ ସନ୍ନ୍ୟାସୀ । ନିଜର ଆସକ୍ତି ବୋଲି କିଛି ନାହିଁ । ସେଦିନ ଆଲୋଚନା ବେଳେ ସେ ତାଙ୍କର ସାଧୁ ପ୍ରକୃତିର ପରିଚୟ ପାଇ ମୁଗ୍‌ଧ ହୋଇଥିଲା । ପ୍ରଜ୍ଞା ! ସେ ତ ଅତ୍ୟନ୍ତ ସରଳ ଆଉ ନିଷ୍‌ପାପ । ଆଉ ଅମ୍ୱିକାଦେବୀ, ଏ ଯୁଗରେ ସେ ତ ସାବିତ୍ରୀ । ତେବେ କ’ଣ ହୋଇପାରେ ଏହାର ରହସ୍ୟ !!! ତା’ର ମନେ ହେଲା–ଭାରତ ବର୍ଷରେ ସବୁ ନିରୀହ ନିଷ୍‌ପାପ ମଣିଷ ଗୁଡ଼ିକ ପଶୁ ଶକ୍ତିର ବୀଭତ୍ସ ଆକ୍ରମଣରେ ଏହିପରି ଆକ୍ରାନ୍ତ ହୋଇ ଦୁର୍ଦ୍ଦଶା ଭୋଗୁଛନ୍ତି । ସେ ଆଉ କିଛି ଭାବି ପାରିଲା ନାହିଁ । ପ୍ରବୋଧ ପାଖକୁ ଖବର ପଠାଇ ଦେଇ ସେ କ୍ୟାଜୁଆଲ୍‌ଟିକୁ ଟେଲିଫୋନ୍ କରି ବୁଝିଲା–ଏ ଭଳି କେଶ୍‌ଟିଏ ଆଡମିସନ୍ ହୋଇଛି କି ? ଟେଲିଫୋନ୍‌ର ଆରପାଖରୁ କ’ଣ ଶୁଣିଲା କେଜାଣି, ବଡ଼ ଉଦ୍‌ବିଗ୍ନରେ ପଚାରିଲା–ସର୍ଜିକାଲ ଓ୍ୟାର୍ଡର କେତେ ନମ୍ୱର ବେଡରେ ସେ ଅଛି-?

Unknown

 

ଶହେ ସତର ନମ୍ୱର ବେଡରେ । ଅବସ୍ଥା ଖୁବ୍ ଖରାପ ସୂର୍ଯ୍ୟକୁମାର ବାବୁ । ପଛଆଡ଼ୁ ମେଲା ଦରଜା ବାଟେ ପଶି ଆସି ଜଣେ ପ୍ରୌଢ଼ କ୍ଳାନ୍ତ କଣ୍ଠରେ କହିଲେ । ଆପଣଙ୍କର ନାଁ ମୁଁ ବହୁତ ଶୁଣିଛି ଆଜ୍ଞା । ଟିକିଏ ସାହାଯ୍ୟ ନ କଲେ ମଦନ ହୁଏତ ବଞ୍ଚିବ ନାହିଁ ।

 

ପଛକୁ ଚାହିଁ ସୂର୍ଯ୍ୟ ଦେଖିଲା—ନିତାନ୍ତ କ୍ଳାନ୍ତ ଆଉ ଅବସନ୍ନ ଜଣେ ପୌଡ଼ ତାରି ଆଡ଼କୁ ଅସହାୟ ଭାବରେ ବଡ଼ କରୁଣ ଆଖିରେ ଚାହିଁଛି ।

 

ସୂର୍ଯ୍ୟ—ପଚାରିଲା ତେବେ ଆପଣ କ’ଣ ପ୍ରଶାନ୍ତ ପଟ୍ଟନାୟକ ? ମଦନର ଦାଦା ?

 

ହଁ ମୁଁ ସେଇ ପଶୁ କୁଳର ଏକ ମାତ୍ର ପୁଅ ମଦନ ଆଜି ହୁଏତ ବଞ୍ଚିବନାହିଁ । ସ୍ତ୍ରୀ କମଳା ଏଠି ରୋଗଶଯ୍ୟାରେ । ଶୁଣିଛି ଆପଣ ତା ଦାୟିତ୍ୱ ନେଇଛନ୍ତି । ମୋର ସବୁ କିଛି ସରିଗଲା । ପାପର ମାଣ ମୋର ହୁଏତ ଉଛୁଳି ପଡ଼ିଛି । ପ୍ରଶାନ୍ତ ପଟ୍ଟନାୟକ ନିଜକୁ ସଂପୂର୍ଣ୍ଣ ସମର୍ପଣ କରି କହିଲେ ।

 

ପ୍ରଶାନ୍ତ ପଟ୍ଟନାୟକଙ୍କର ଏ କେଇ ପଦ କଥା ଭିତରେ ସୂର୍ଯ୍ୟ କମଳାଦେବୀଙ୍କୁ ସ୍ପଷ୍ଟ ଭାବରେ ଦେଖିପାରିଲା । ଏ କେଇଦିନ ଭିତରେ ସେ କମଳାଦେବୀଙ୍କର ଖୁବ୍ ଆପଣାର ହୋଇ ଯାଇଛି । ଆସନ୍ନ ମରଣକୁ ଚାହିଁ ସେ ରୋଗଶଯ୍ୟାରେ ଘାଣ୍ଟି ହେଉଛନ୍ତି ସତ । କିନ୍ତୁ ରୋଗ କିଛି ନାହିଁ । ଡାକ୍ତରୀ ବିଦ୍ୟାର ସମସ୍ତ ଆବିଷ୍କାର ଆଉ ଉଦ୍ଭାବନକୁ ପ୍ରୟୋଗ କରି ସବୁ ସ୍ପେଶାଲିଷ୍ଟମାନେ ଥକି ପଡ଼ିଛନ୍ତି । କୌଣସି ଔଷଧ ଧରୁନାହିଁ । କିନ୍ତୁ ସୂର୍ଯ୍ୟ ଠିକ୍ ଚିହ୍ନିଛି ସେ ରୋଗଟାକୁ । ଦେହର ରୋଗ ହେଲେ ଔଷଧ ସିନା ଭଲ କରିବ । ମନର ରୋଗ ପାଇଁ ମଣିଷ ଛଡ଼ା ଆଉ କି ଔଷଧ ଅଛି ?

 

ଆଉ କିଏ ହୋଇଥିଲେ ପ୍ରଶାନ୍ତ ପଟ୍ଟନାୟକଙ୍କ ପ୍ରତି ଘୃଣାରେ ଦେହର ସମସ୍ତ ସ୍ନାୟୁଗୁଡ଼ିକ ଉଗ୍ର ହୋଇ ଉଠିଥାନ୍ତେ । କିନ୍ତୁ କଣ ହେଲା କେଜାଣି, ସୂର୍ଯ୍ୟ କିଛି ସମୟ ପାଇଁ ତାଙ୍କୁ ଆଖି ପୂରାଇ ଦେଖିନେବାର ଲୋଭ ଛାଡ଼ି ପାରିଲାନି । ମନର କେଉଁ ଏକ ସୂକ୍ଷ୍ମ କୋଣରେ କ୍ଷୁଦ୍ର ପାତ୍ରଟିଏ ବହୁକାଳ ଧରି ଖାଲି ରହିଲା ପରେ ଆଜି ଅପୂର୍ବ ପୁଲକରେ ପୁରି ଉଠୁଛି । ସେ କିଛି ବୁଝି ପାରିଲାନି । ଖାଲି କେମିତି ଗୋଟାଏ ଆକର୍ଷଣରେ ଟାଣି ହୋଇ ଗଲାଭଳି ଶାନ୍ତ କଣ୍ଠରେ କହିଲା–ଆପଣ ଠିକ୍ ସମୟରେ ଆସିଛନ୍ତି ପ୍ରଶାନ୍ତ ବାବୁ । ହୁଏତ ସବୁ ଅଡ଼ୁଆ ସଜାଡ଼ି ହୋଇଯିବ-। ମଦନର ଦାୟିତ୍ୱ ମୋ ଉପରେ ରହିଲା । କିନ୍ତୁ କମଳାଦେବୀଙ୍କର ବଞ୍ଚିବାଟା ନିର୍ଭର କରୁଛି ଆପଣଙ୍କ ଉପରେ । ତାଙ୍କର କିଛି ରୋଗ ନାହିଁ । ଆପଣ ବାଟକୁ ଫେରି ଆସିବା ହିଁ ହେଉଛି ତାଙ୍କର ଏକମାତ୍ର ମୌଷଧି, କହି ସୂର୍ଯ୍ୟ ସର୍ଜିକାଲ ଓ୍ୱାର୍ଡ ଆଡ଼େ ଚାଲିଗଲା ।

 

ପଛରେ ପ୍ରଶାନ୍ତ ପଟ୍ଟନାୟକ ପାଗଳ ଭଳି ପ୍ରଳାପ କରୁଥିଲେ—ତୁମେ ଠିକ୍ କହିଛ ସୂର୍ଯ୍ୟ କୁମାର । ଏଣିକି ମୁଁ ଆଉ ବାଟ ହୁଡ଼ିବି ନାହିଁ । ତେବେ ମୋର ପ୍ରାୟଶ୍ଚିତ୍ତ ହେବ କିପରି ? ମଦନ ଆଉ କମଳା ଯଦି ବଞ୍ଚନ୍ତି, କେବଳ ତୁମରି ପାଇଁ ବଞ୍ଚିବେ । ମୋର ବାଟକୁ ଫେରିବା ଯଦି ସମ୍ଭବ ହୁଏ ତେବେ ତୁମେ ହିଁ ତାର ପୁରୋଧା । ତେଣୁ ଆଜିଠାରୁ ଆମେ ସବୁ ତୁମର ହୋଇ ରହିଲୁ ସୂର୍ଯ୍ୟକୁମାର ।

 

ଆଜିକୁ ସାତ ଦିନ ହେଲା ମଦନ ଦେହରେ ଅସ୍ତ୍ରୋପଚାର ହୋଇଗଲାଣି । ଡାକ୍ତର ଦାସ ଓ ସୂର୍ଯ୍ୟ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ପ୍ରବୋଧ ଅନେକ ସମୟରେ ଯାଇ ଖବର ଅନ୍ତର ବୁଝି ଆସୁଛି । କୌଣସି କଥାର ଅଭାବ ନାହିଁ । ପ୍ରଶାନ୍ତ ପଟ୍ଟନାୟକ ଦୁଇବେଳା ମଦନର ଦେଖାଶୁଣା କରୁଥିଲେ ମଧ୍ୟ କମଳାଦେବୀଙ୍କ ପାଖରେ ଅଧିକାଂଶ ସମୟ କାଟୁଛନ୍ତି । ସେ ପ୍ରାୟ ପୂରା ଭଲ ହୋଇଗଲେଣି କହିଲେ ଚଳେ । ଦୁଇଦିନ ହେଲା ହସପିଟାଲ ଛାଡ଼ି ବସାରେ ସ୍ୱାମୀଙ୍କ ପାଖରେ ରହୁଛନ୍ତି । ମଦନ ମଧ୍ୟ ଦ୍ରୁତ ଆରୋଗ୍ୟଲାଭ କରୁଛି । ସେ ବେଶ୍ କଥାବାର୍ତ୍ତା କଲାଣି । କିନ୍ତୁ ଖଟିଆରୁ ଉଠିଲାଭଳି ଅବସ୍ଥାକୁ ଆସିନାହିଁ । ପ୍ଲାଷ୍ଟର ଖୋଲିବାକୁ ଆହୁରି ଅନେକଦିନ ବାକିଅଛି । ଏଣିକି କମଳାଦେବୀଙ୍କର ଆଉ ସେ ଉଦାସ ଭାବ ନାହିଁ । କେତେବେଳେ ପାଦରେ ଚାଲି ଚାଲି ସନ୍ଧ୍ୟାରେ ବଜାର ଆଡ଼େ ବୁଲି ଆସୁଛନ୍ତି ତ କେବେ କେବେ କାଠଯୋଡ଼ିକୂଳରେ ଗାଡ଼ି ଥୋଇଦେଇ ପଥରବନ୍ଧ ଉପରେ ପାଖାପାଖି ବସି ଗଳ୍ପ କରୁଛନ୍ତି—ମନେହେଉଛି ଏହି ପ୍ରୌଢ଼ ବୟସରେ ସେ ଯେମିତି ନୂଆକରି ସଂସାର ଯୋଡ଼ୁଛନ୍ତି । ସୃଷ୍ଟିର ବିଚିତ୍ର ପ୍ରାଣୀ ଏ ମଣିଷ । ସେଇ ମନର ଗୋଟିଏ ପାଖରେ ସ୍ତୂପୀକୃତ ପାପର ନରକର ଯନ୍ତ୍ରଣା, ଆର ପାଖରେ ପ୍ରେମ ଆଉ ଭକ୍ତିର ଆକଣ୍ଠ ଅମୃତ । ଗୋଟିଏ ପାଖରେ ଦାନବର ବୀଭତ୍ସ ବିଭୀଷିକା, ଆର ପାଖରେ ଶାନ୍ତ ମଧୁର ପ୍ରାଣର ପ୍ରାଚୁର୍ଯ୍ୟ । ଦିନ ବେଶ୍‌ ଗଡ଼ିଚାଲିଛି ।

 

ଦଶ

 

ଦାମନ ଯୋଡ଼ିରେ ବ୍ରହ୍ମପ୍ରକାଶଙ୍କର ଆଶ୍ରମରେ ପିଲା ସଂଖ୍ୟା ବେଶୀ ବଢ଼ି ନଥିଲେ ବି, ଗୋଟିଏ ଆଦର୍ଶର ପୀଠସ୍ଥଳୀ ଭାବରେ ବେଶ୍ ଖ୍ୟାତିଲାଭ କଲାଣି । ‘‘ଏ ଯୁଗରେ ଜନକ ମହର୍ଷିଙ୍କର ଆଶ୍ରମ’’ ଶିରୋନାମାରେ କେହିକେହି ଖବର କାଗଜରେ ଗପ ସବୁ ଲେଖି ତାର କାର୍ଯ୍ୟଧାରାକୁ ପ୍ରଚାରିତ କରୁଥିଲାବେଳେ କେହି କେହି ଏହାକୁ ଏକ ପ୍ରଚଣ୍ଡ ବିସ୍ଫୋରଣର ବ୍ୟାପକ ପ୍ରସ୍ତୁତି ବୋଲି ବର୍ଣ୍ଣନା କଲେଣି । ହେଲେ ଆଶ୍ରମର ସଭ୍ୟମାନଙ୍କର କାହାରି ଏ ଦିଗରେ ନଜର ନାହିଁ । ଅକ୍ଳାନ୍ତ ପରିଶ୍ରମରେ କାହାରିକୁ ଫୁରୁସତ ନାହିଁ । ବିଭିନ୍ନ ଜାଗାରେ ଆଶ୍ରମର ବ୍ରାଞ୍ଚସବୁ ଖୋଲିବା ସାଙ୍ଗକୁ ‘‘ମୁକ୍ତିର ପଥ’’ ସଂକଳନ ଓ ସଂପାଦନାର କାମ ସବୁ ବହୁତ ବଢ଼ି ଗଲାଣି । କିଛି ବଚ୍ଛା ବଚ୍ଛା ଲେଖା ଯୋଗାଡ଼ କରିବା ସାଙ୍ଗକୁ ଗ୍ରାହକ ସଂଖ୍ୟା ବୃଦ୍ଧି କରିବା କାର୍ଯ୍ୟତକ ସୂର୍ଯ୍ୟ ଓ ପ୍ରବୋଧକୁ ସଂପୂର୍ଣ୍ଣ ତତ୍ପର କରି ରଖିଛି । ବ୍ରହ୍ମପ୍ରକାଶ ଓ ଆଶ୍ରମର ରୋଷେଇ, ଆଉ ପୃଥକ ପୃଥକ ହେଉନାହିଁ । ରନ୍ଧନ, ଗୋସେବା, ଅଧ୍ୟୟନ ଅଧ୍ୟାପନା, ସଂକଳନ ସଂପାଦନା ଓ ନୂଆ ବ୍ରାଞ୍ଚ ସବୁର ସଂପ୍ରସାରଣ କାର୍ଯ୍ୟଭିତରେ ବ୍ରହ୍ମପ୍ରକାଶ, ଅମ୍ୱିକା, ପ୍ରଜ୍ଞା ଓ ଆଶ୍ରମ ପିଲାମାନେ ଦିନରାତି ବୁଡ଼ି ରହିଛନ୍ତି ।

 

ଦିନେ ଦିନେ ଖବର କାଗଜବାଲାମାନେ ଆଶ୍ରମରେ ପହଞ୍ଚି ବ୍ରହ୍ମପ୍ରକାଶଙ୍କ ଠାରୁ କିଛି ଶୁଣିବାକୁ ଜିଦ୍ କରନ୍ତି । ବ୍ରହ୍ମପ୍ରକାଶ ସଂକ୍ଷେପରେ କହନ୍ତି—ମୋର ଶୁଣାଇଲା ଭଳି କିଛି ନାହିଁ । ଏଠି ଗୋଟାଏ ଆଶ୍ରମ ଖୋଲି ନୂଆକାମ କରିବି—ଏପରି କିଛି ନାହିଁ । ଆମ ଦେଶରେ ବହୁତ ଆଗରୁ ଅନେକ ଭଲ କଥା କୁହାଯାଇଛି । ବର୍ତ୍ତମାନ କହିବା ସବୁ ବନ୍ଦ କରି କିଛି କାମ କଲେ ଭଲ ହୁଅନ୍ତା । ଏଠି ଏଭଳି ଭାବରେ ରହିବାକୁ ମୋତେ ଭଲ ଲାଗୁଛି ବୋଲି ରହିଛି । କିନ୍ତୁ ଗୋଟାଏ ଆଦର୍ଶ ପାଇଁ ନୁହେଁ । ସେମାନେ କଣ ଛାଡ଼ିବା ଲୋକ । ଗୁଡ଼େଇ ତୁଡ଼େଇ ନାନା ପ୍ରଶ୍ନର ଆଡ଼ମ୍ୱର କଲାବେଳକୁ ବ୍ରହ୍ମପ୍ରକାଶ କେବଳ ଏତିକି କହି ବିଦାୟ ନିଅନ୍ତି—ସମସ୍ତେ କିଛି ନା କିଛି କାମ କରୁଛନ୍ତି ଆଉ ତାକୁ ସମସ୍ତେ ଦେଖୁଛନ୍ତି ! ଯାହା ଦେଖିହୁଏ ତାକୁ ଶୁଣିଲେ ଅଧିକ ଜାଣି ହେବନାହିଁ-। ବରଂ ଯାହା ଦେଖି ହୁଏନା ତାକୁ ଶୁଣିବା ଦରକାର । ମୋ ପାଖରେ ଦେଖି ନ ହେବ–ଏପରି କିଛି ନାହିଁ । ସାମ୍ୱାଦିକମାନେ ବଡ଼ ଅପ୍ରତିଭ ହୋଇ ପଡ଼ନ୍ତି । ତାପରେ ନିଜ ନିଜର ବିଚାରର ଦୃଷ୍ଟିଭଙ୍ଗୀ ନେଇ ନାନା ପ୍ରକାର ସଂବାଦ ପରିବେଷଣ କରନ୍ତି । ଏଥିରେ ଭଲକଥା ପ୍ରକାଶ ପାଇଲେ ସେ ଉତ୍ସାହିତ ହୁଅନ୍ତି ନାହିଁ କିମ୍ୱା ବିଦ୍ରୂପକଲେ ବିଚଳିତ ହୁଅନ୍ତି ନାହିଁ-। ନିଜର ଲକ୍ଷ୍ୟରେ ସେ ଅଟଳ ।

 

ଆଜି ସ୍ୱାଧୀନତା ଦିବସ । ଆମର ଜାତୀୟ ପର୍ବ । ଚାରିଆଡ଼େ ସାଜସଜ୍ଜା, ସଭାସମିତି ସାଙ୍ଗକୁ ସରକାରୀ ବେସରକାରୀ କୋଠାବାଡ଼ିରେ ଜାତୀୟ ପତାକା ଉଡ଼ୁଛି । କୋଟ କଚେରୀ ସ୍କୁଲ କଲେଜ ସବୁ ବନ୍ଦ । କିନ୍ତୁ ଦାମନଯୋଡ଼ିର ଆଶ୍ରମରେ ସବୁଦିନଭଳି ଆଜି ବି କାମ ଚାଲିଛି । ଆଶ୍ରମର ପରିଚାଳନା ଓ ତାହାର କର୍ମ ଯୋଜନା ବିଷୟରେ ଯେଉଁ ଟିକି ନିଖି ଚିଠା ପ୍ରସ୍ତୁତ ହୋଇଛି, ଗତକାଲିଠାରୁ ସୂର୍ଯ୍ୟ ଓ ପ୍ରବୋଧ କଟକରୁ ଆସି ତାକୁ ପରୀକ୍ଷା କରି ଦେଖୁଛନ୍ତି । ଆଜି ଦ୍ୱିପହରେ ଆଲୋଚନା ହେବ । ଉତ୍ତର ଓଡ଼ିଶାରେ ଯେଉଁ କେତୋଟି ଆଶ୍ରମ ପ୍ରତିଷ୍ଠାପାଇଁ ଗତ ପାଞ୍ଚଦିନ ହେବ ଡାକ୍ତର ଦାସ ବ୍ୟସ୍ତ ରହିଥିଲେ ତାର ମଧ୍ୟ ବିସ୍ତୃତ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ । ଏଇ, ଗାଡ଼ିର ହର୍ଣ୍ଣ ଶୁଭିଲାଣି । ଡାକ୍ତର ଦାସ ଆସିଗଲେ ପରା ।

 

ଯୋଜନାର ଚିଠାଗୁଡ଼ିକରେ ଗଭୀର ଆତ୍ମ ନିବେଶ କରି ସୂର୍ଯ୍ୟ ଓ ପ୍ରବୋଧ ପରୀକ୍ଷାକରି ଦେଖୁଥିଲେ । ଆଶ୍ରମ ପରିଚାଳନାର ଚିଠାଟିକୁ ଅନେକ ଜାଗାରେ କଟାକଟି କରି ସଜାଡ଼ିବାରେ ବ୍ୟସ୍ତଥିଲା ପ୍ରବୋଧ । ସାମାଜିକ ବିଳ୍ପବର ପ୍ରସ୍ତୁତି ମାନ କେତେଦୂର ବାସ୍ତବ; ତାହା ଦେଖୁଥିଲା ସୂର୍ଯ୍ୟ । ଯେଉଁ ଜାଗାରେ ତାର ମତ ଅମେଳ ଧରୁଥିଲା ସେଠାରେ ପେନ୍‌ସିଲର ଦାଗ ଦେଇ ସେ ଚିନ୍ତା କରୁଥିଲା ବିକଳ୍ପର ସୂତ୍ର । ହାତରେ ଆଉ ଅଳ୍ପ ସମୟ ଅଛି । ତା ପରେ ଆଲୋଚନାରେ ବସିବେ । ପ୍ରଜ୍ଞା ଘର ଭିତରକୁ ପଶି ଆସି ଖବର ଦେଲା—ମଉସା ଆସିଗଲେଣି ସୂର୍ଯ୍ୟଭାଇ । ଉତ୍ତର ଓଡ଼ିଶାରେ ଯେଉଁ ତିନୋଟି ଆଶ୍ରମ ଖୋଲିବାର ଥିଲା, ସେଥିରୁ ଦୁଇଟି ବର୍ତ୍ତମାନ ଖୋଲି ହେବନାହିଁ । ଟିକିଏ ସମୟ ଲାଗିବ । ମୁଁ କିନ୍ତୁ ଚିଠା ଗୁଡ଼ିକୁ ନକଲ କଲାବେଳେ ତିନିଟିଯାକ ହୋଇପାରିବ ବୋଲି ହିସାବରେ ଦର୍ଶାଇ ଦେଇଛି । ମୁଁ କ’ଣ କରିବି ଯେ; ବାପା ତ ସେୟା ଲେଖିଥିଲେ । ଏ ମା, ଏତେ ସୁନ୍ଦର କରି ସେ ସବୁ ମୁଁ ଲେଖିଥିଲି । ତାକୁ କଟାକଟି କରି ଏମିତି ଅସୁନ୍ଦର କରି ସାରିଲଣି ସୂର୍ଯ୍ୟଭାଇ ! ଏ କଣ ତମ ଡାକ୍ତରୀ ପାଠରେ ବେଙ୍ଗକଟା କାମ ନା କ’ଣ ? ଆଚ୍ଛା ହେଉ, ବେଳ ହୋଇଗଲାଣି । ମଉସା କହିଲେ ତାଙ୍କୁ ଭାରି ଭୋକ ହେଲାଣି । ଏବେ ଆସ, ରନ୍ଧା ସରିଲାଣି ।

 

ହଉ ଚାଲ, କହି ସୂର୍ଯ୍ୟ ପ୍ରବୋଧକୁ ଉଠିବାକୁ ଡାକିଲା । ଦୁହେଁ ଉଠି ଚାଲିଗଲେ । ଆଶ୍ରମର ଖାଇବା ଘର । ପିଲାମାନଙ୍କ ସାଙ୍ଗରେ ସମସ୍ତେ ବସି ଏକାଠି ଖାଉଛନ୍ତି । ପରଶି ଦେଉଛନ୍ତି ଅମ୍ୱିକା, ପ୍ରଜ୍ଞା ଆଉ ଦୁଇଜଣ ବଡ଼ପିଲା । ଖାଇବାର ସାମଗ୍ରୀ ନିତାନ୍ତ ସାଦାସିଦା, ଭାତ ଡାଲମା ଆଉ ଭଜା । ଡାକ୍ତର ଦାସଙ୍କର ଖାଇବାରେ ଅସୁବିଧା ହେଉଥିବା ଦେଖି ବ୍ରହ୍ମପ୍ରକାଶ କହିଲେ—ଖାଇବାର ରୁଚି ମନର ଗୋଟିଏ ଦୂର୍ବଳତା । ଅଭ୍ୟାସରେ ସବୁ କିନ୍ତୁ ଠିକ୍ ହୋଇଯାଏ । ଖାଦ୍ୟପ୍ରାଣଟା ବୋଧହୁଏ ଏଥିରେ ସେତେ କମ୍ ନୁହେଁ । ଖାଇ ସାରିବା ପରେ କ୍ଷୀର ଗ୍ଲାସଟିଏ ଲେଖା ମଧ୍ୟ ମିଳିବ ।

 

ଖାଇବା ପତ୍ରରୁ ମୁହଁ ଉଠାଇ ଡାକ୍ତର ଦାସ କହିଲେ—ତା ଠିକ୍, ବହୁ ଦିନର ଅଭ୍ୟାସତ; ଟିକିଏ ସମୟ ଲାଗିବ । ହେଲେ ସ୍ୱାଦରେତ ମୁଁ କିଛି ଫରକ ଦେଖୁନାହିଁ । ବ୍ରହ୍ମପ୍ରକାଶ ନୀରବ ରହିଲେ ।

 

ସୂର୍ଯ୍ୟ ଆଉ ପ୍ରବୋଧ କିନ୍ତୁ ଆକଣ୍ଠ ଭୋଜନ କରି ସାରିଥିଲେ । ସୂର୍ଯ୍ୟ କହିଲା—ଡାଲମାଟା କିନ୍ତୁ ବଡ଼ ବଢ଼ିଆ ହୋଇଛି । ଆଉ ଡଙ୍କାଏ ଡାଲମା ଆଣି ପ୍ରଜ୍ଞା ସୂର୍ଯ୍ୟର ପତ୍ରରେ ଢାଳି ଦେଲା ବେଳକୁ ପ୍ରବୋଧ ପ୍ରଜ୍ଞାକୁ ଚାହିଁ କହିଲା—ଏ ପତ୍ରଟାବି ଖାଲି ହୋଇ ଯାଇଛି ଯେ । ବ୍ରହ୍ମପ୍ରକାଶ ଆଉ ଡାକ୍ତର ଦାସ ଦୁହେଁ ହସିଲେ । କିନ୍ତୁ କାହାରି ହସ ଶୁଭିଲା ନାହିଁ ।

 

ଦ୍ୱି ପ୍ରହର, ଆଲୋଚନା ଚିଠାରେ ପାଞ୍ଚୋଟି ନୂଆ ଜର୍ସିଗାଈ କିଣିବା ଆଉ ଛାପାଖାନାଟିଏ ବସାଇବା ବ୍ୟତିତ ଆଉ କିଛି ନୂଆ କଥା ନ ଥିଲା । ଅଳ୍ପ ଆଲୋଚନା ପରେ ତାହା ଗୃହୀତ ହୋଇଗଲା । ତା ପରେ ଆସିଲା ସାମାଜିକ ବିପ୍ଳବର ଚିଠା । ବହୁ ଜଟିଳ ପ୍ରଶ୍ନ ଉପରେ ଆଲୋଚନା ଆଗେଇପାରୁ ନାହିଁ । ସୂର୍ଯ୍ୟ ସହିତ ସମସ୍ତଙ୍କର ଗୁରୁତର ମତଭେଦ । ତାର ଅକାଟ୍ୟ ଯୁକ୍ତି—ଧାରଣା, ଧର୍ମଘଟ ଅନଶନ ଇତ୍ୟାଦି, ଦାବୀ ହାସଲ କରିବାର ଯେ ମାର୍ଗ ଏ ପର୍ଯ୍ୟନ୍ତ ଚଳି ଆସିଛି, ସେ ସବୁ ଅହିଂସାର ସୁନ୍ଦର ପ୍ରୟୋଗ ନିଶ୍ଚୟ । ମାତ୍ର ଏହା କାହାର ସ୍ୱାର୍ଥ ରକ୍ଷା କରି ପାରିବ ? ଏଇ ବାଟରେ ଆଜି ଯେଉଁମାନେ ନିଜର ଦାବୀ ହାସଲ କରିପାରୁଛନ୍ତି । ସେମାନେ ସବୁ ସଂଗଠିତ ଶକ୍ତି । ସମୁଦାୟ ଜନ ସଂଖ୍ୟାର ଶତକଡ଼ା ପନ୍ଦର ଭାଗରୁ ବେଶୀ ନୁହେଁ-। ତେବେ ଆମେ କ’ଣ ପୁଣି ସେହିମାନଙ୍କ ସଂଗଠନ ଆହୁରି ଶକ୍ତିଶାଳୀ କରିବାକୁ ଚାହୁଁ-? ଯେଉଁମାନଙ୍କର ସ୍ୱର ଏ ଧାରଣା ଧର୍ମଘଟରେ ଶୁଭୁନାହିଁ, ସେମାନେ ସବୁ ଯିବେ କୁଆଡ଼େ-? ଅଥଚ ସେମାନଙ୍କ ସଂଖ୍ୟା ଶତକଡ଼ା ଅଶୀରୁ ବେଶୀ । ଧାରଣା ଧର୍ମଘଟପାଇଁ ସେମାନଙ୍କ ଅଣ୍ଟାରେ ବଳନାହିଁ । ବିପ୍ଳବର ରାସ୍ତା ଧରିଲେ ଛୁଆପିଲା ତାଙ୍କର ଉପାସରେ ମରିଯିବେ । ଗୁଳି ଚୋଟେର ଟଳିପଡ଼ିଲେ ତାର ପରିବାରକୁ କ୍ଷତିପୂରଣ ମିଳିବ ନାହିଁ । ଆପଣ କ’ଣ ଏହା ପରୀକ୍ଷା କରି ଦେଖି ନାହାଁନ୍ତି ?

 

ହଁ, ଆମେ ସେଇମାନଙ୍କୁ ସଂଗଠିତ କରିବା ଯେଉଁମାନେ ଧର୍ମଘଟର ରାସ୍ତା ଧରିଲେ ସମସ୍ତଙ୍କ ପାଇଁ ଦାନା କନା ଏକ ସଂକଟ ହୋଇଯିବ, ସମସ୍ତେ ଅଚଳ ହୋଇଯିବେ । ଡାକ୍ତର ଦାସ ଯୁକ୍ତି କଲେ ।

 

ନା ବାପା, ସେ ବାଟ ସେମାନଙ୍କ ପାଇଁ ମାରାତ୍ମକ । ଦାନାକନାର ପ୍ରସ୍ତୁତିରେ ମେହେନତ ଯେଉଁମାନଙ୍କର ପେଶା, ତାକୁ ସେମାନେ ଛାଡ଼ିଲେ, ତାଙ୍କପାଇଁ ଆଉ କିଛି ରାହା ନାହିଁ-। ତେଣୁ ସେଇମାନେହିଁ ଅଛଳ ହେବେ ଆଗ । ସୁତରାଂ ଆମର କଥା ସେଠି ନାହିଁ । କଥା ହେଉଛି, ଏମାନେ ଏଇ ଦେଶର ମଣିଷ ତ ! କାହାର ଦୟାର ପାତ୍ର ହୋଇ ରହିବେ କାହିଁକି ?

 

ବ୍ରହ୍ମପ୍ରକାଶ ସମର୍ଥନ କରି କହିଲେ—ଏ କଥା ଠିକ୍, ମାତ୍ର ମୁଁ କିଛି ବାଟ ଦେଖିପାରୁ ନାହିଁ ।

 

ପ୍ରବୋଧ ଜବାବ ଦେଲା—ବାଟ ଅଛି ଛଡ଼ାଇ ନେବା । ବିପ୍ଳର ଉଗ୍ର ଦିଗଟା ।

 

ସୂର୍ଯ୍ୟ ବାଧା ଦେଇ କହିଲା—ନା, ସେ ବାଟ ଆହୁରି ଭୟଙ୍କର । ସେଥିରେ ସେ ଟଳିପଡ଼ିବେ । ଆଇନ ତା କାମ କରିବ । ମଶା ମାଛି ପରି ଦଳାଚକଟାରେ ଅକାରଣଟାରେ ରାସ୍ତା ଘାଟରେ ପଡ଼ି ମରିଯିବେ । ବାଟ ଅଛି କୌଶଳରେ । କୌଶଳରେ କ୍ଷମତା ଦରକାର । ଅନୁଗ୍ରହର ଭିକ୍ଷା ଆଜି ଯେଉଁମାନଙ୍କର ଏକମାତ୍ର ସମ୍ୱଳ; କ୍ଷମତାର ଅଙ୍କୁଶଟା ନିଜ ହାତରେ ନେଇ ପାରିଲେ ଆପେ ଆପେ ସବୁ ସଜାଡ଼ି ହୋଇଯିବ ପ୍ରବୋଧ ।

 

ପ୍ରବୋଧ କହିଲା—ଏବେ କ’ଣ ସେହି ହତଭାଗ୍ୟମାନେ କ୍ଷମତାକୁ ଆସୁନାହାଁନ୍ତି ? ଗଣତାନ୍ତ୍ରିକ ବ୍ୟବସ୍ଥାଟା ତାହେଲେ କଣ ଗୋଟାଏ ପ୍ରହସନ ଖାଲି ।

 

ତା ଠାରୁ ବେଶି କିଛି ନୁହେଁ । ସାମନ୍ତବାଦୀ ଶୋଷଣର ଅନ୍ୟ ଏକ ଛଳନା । କୌଶଳର ଅନବଦ୍ୟ କୃତି । ଗଣତନ୍ତ୍ରର ଦ୍ୱାହି ଦେଇ ନିର୍ବାଚନର ଯେ ମହୋତ୍ସବ ଚାଲିଛି । ଜନ ଚେତନାର ପ୍ରତିଫଳନ ସେଥିରେ ଦେଖିଛୁ କେବେ । ପ୍ରତିନିଧିର ସ୍ୱାକ୍ଷର ନେଇ ଯେଉଁମାନେ ଆସନ୍ତି ନ୍ୟାୟ ଆଉ ଭୋଗର ବଣ୍ଟନ ପାଇଁ, କାହାର ସ୍ୱାର୍ଥକୁ ସେମାନେ ସୁରକ୍ଷା କରନ୍ତି ଜାଣିଛୁ ପ୍ରବୋଧ । ବଳ ଆଉ ଦର୍ଶନର ଉର୍ଦ୍ଦ୍ୱରେ ସେମାନେ ନେତୃତ୍ୱର ବଚସ୍କର ହୋଇଯାଆନ୍ତି; ଏକଥା ତୁ କ’ଣ ଅସ୍ୱୀକାର କରିବୁ ?

 

ବ୍ରହ୍ମପ୍ରକାଶବାବୁ ଚିନ୍ତିତ ହୋଇ କହିଲେ—ସେ କଥା ଠିକ୍ । କିନ୍ତୁ ଉପାୟ କ’ଣ ? ସେଇ ପ୍ରଶ୍ନ ଆଜି ସମସ୍ତଙ୍କୁ ବିବ୍ରତ କରିଛି । ମାତ୍ର ସ୍ୱାର୍ଥ ଆଉ ଛଳନାର ବିଷପାତ୍ରରେ ଅମୃତର ସ୍ୱାଦ ଆସିବ କୁଆଡ଼େ ? ଶତକଡ଼ା ଅଶୀଭାଗ ଯଦି ଦରିଦ୍ର ଆଉ ଦୁର୍ବଳ, ତେବେ ସେମାନେ ଦଳ ଗଢ଼ି କ୍ଷମତାକୁ ଆସିବାର ବାଧା କେଉଁଠି ? କେବଳ ନେତୃତ୍ୱର ଅଭାବ । ସେ ଭଳି ନେତୃତ୍ୱ ପ୍ରତି ବିଶ୍ୱାସ ଜନ୍ମିଲେ କ୍ଷମତା ଦଖଲ କରିବା ଅସମ୍ଭବ ନୁହେଁ ।

 

ପ୍ରବୋଧ ପଚାରିଲା—ତାହେଲେ ତୁ କ’ଣ କହିବାକୁ ଚାହୁଁ ଯେ ଆଜି କ୍ଷମତାର ଥିବା କେହିବି ନେତୃତ୍ୱ ଦରିଦ୍ରର ମୁକ୍ତି ଚାହେନା ?

ସୂର୍ଯ୍ୟ ଉତ୍ତର ଦେଲା—ନା, କେହିବି ଚାହେନା । ସାମନ୍ତବାଦର ଉଗ୍ର ନିଶାକୁ ଛଳନାର ଆବରଣ କରି ଶୋଷଣର ନୂତନ କୌଶଳରେ ସେ ଗଢ଼ୁଛି ତା’ର ନିଜର ସାମ୍ରାଜ୍ୟ । ତା ନହେଲେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ଦୁର୍ବଳ ଜନତାକୁ ସମାନ ବିଚାର ନକରି ଆଦିବାସୀ ହରିଜନ ନାମରେ ଶ୍ରେଣୀର ପାଚିରି ସେ ଗଢ଼ୁଛି କାହିଁକି ? ସାମାନ୍ୟ ଅନୁଗ୍ରହ ପାଇଁ ଆନୁଗତ୍ୟର ବ୍ୟତିକ୍ରମ ହେଲେ, ତାକୁ ମୁକ୍ତି ମିଳୁଛି କି ?

ଅନେକ ସମୟ ଧରି ସମସ୍ତେ ଚୁପ ରହିଲେ । ପରେ ଡାକ୍ତର ଦାସ କହିଲେ—ଏ ଗୋଟାଏ ଆଦର୍ଶ ହୋଇପାରେ ବାବା । ସଫଳ ପ୍ରୟୋଗ ହୋଇପାରିଲେ କଥା ନଥିଲା । କିନ୍ତୁ ବାସ୍ତବରେ ତାହା କ’ଣ ସମ୍ଭବ ? ଶୋଷଣମୁକ୍ତ ସମାଜର ପରିକଳ୍ପନାରେ ପ୍ଳାଟୋଙ୍କର ଦର୍ଶନ ଚମତ୍କାର ନିଶ୍ଚୟ, କିନ୍ତୁ ସଫଳ ହେଲାକି ପ୍ରୟୋଗରେ ?

ଆପଣଙ୍କ ଆଶଙ୍କା ପଛରେ ଯଥେଷ୍ଟ ଯୁକ୍ତି ଅଛି, ମୁଁ ମାନୁଛି ବାପା; କିନ୍ତୁ ମାନବ ସଭ୍ୟତାର ଐତିହାସିକ ବିଜୟ ସବୁବେଳେ ବିଫଳତାର ଗର୍ଭକୋଷ ଭିତରେ ହିଁ ଆତ୍ମଗୋପନ କରିଥାଏ । ଆପଣ ଅସ୍ୱୀକାର କରିପାରିବେ ନାହିଁ । କାଲି ଯାହା ସମ୍ଭବ ହୋଇ ନ ଥିଲା, ଆଜି ବି ତାହା ଅସମ୍ଭବ । ଏପରି ଭାବିବା ଠିକ୍ ନୁହେଁ । ବରଂ ସଫଳତାର ମୂଳ ଉତ୍ସ, ସଫଳତାର ଧ୍ୱଂସସ୍ତୂପ ଭିତରେ ନିହିତ । ପରିସ୍ଥିତି ଏକ ପରିବେଶର ଅବସ୍ଥା ଉପରେ ନିର୍ଭର କରେ ତା’ର ଜୟଯାତ୍ରା । ମୋର କିନ୍ତୁ ମନେ ହୁଏ ବାପା, ସେଥିପାଇଁ ଉପଯୁକ୍ତ ସମୟ ଏବେ ଆସିଯାଇଛି ।

ଉଲ୍ଲସିତ ହୋଇ ପ୍ରବୋଧ କହିଲା—ମୋର ବି ସନ୍ଦେହ ଥିଲା ଠିକ୍ ଏଇଠି । ତେବେ ପ୍ରବଳ ବିରୋଧର ସମ୍ମୁଖୀନ କିନ୍ତୁ ହେବାକୁ ପଡ଼ିବ । ଏତେ ବଡ଼ ବିରୋଧକୁ ସାମନା କରିବା ପାଇଁ ଆମର ପ୍ରସ୍ତୁତି କ’ଣ ?

ସେ ଆଉ କ’ଣ କହିବାକୁ ଯାଉଥିଲା, ସୂର୍ଯ୍ୟ କଥା ଛଡ଼ାଇ ନେଇ ସହଜ କରି କହିଲା–ଭୟର କୌଣସି କାରଣ ନାହିଁ ପ୍ରବୋଧ । ବିରୋଧ ତ ହେବ ନିଶ୍ଚୟ, କିନ୍ତୁ ତା’ର ଆକାର ଯେତେ ବିରାଟ ଏବଂ ଦୁର୍ଜୟ ବୋଲି ମନେ ହେଉଛି, ପ୍ରକୃତରେ ତାହା ନୁହେଁ । ସେଭଳି ଅତିକାୟ ବିରୋଧକୁ ଏଡ଼ାଇ ଦେଇ ହେବ ଯଦି ସମସ୍ତଙ୍କର ଅଭ୍ୟସ୍ତ ମାର୍ଗରେ ଆମେ ଚାଲିବାକୁ ଠିକଣା କରିବା । ସେ ଗ୍ରହଣଯୋଗ୍ୟ ଅଭ୍ୟସ୍ତ ମାର୍ଗ ହେଲା ନିର୍ବାଚନ, ମତ ସଂଗ୍ରହର ପରମ୍ପରା-

ଡାକ୍ତର ଦାସ କହିଲେ—ସେ କଥା ଏବେ ବି ତ ଚଳୁଛି । ଏଥିରେ ନୂତନତା କ’ଣ ?

ନୂତନତା ଢେର କିଛି ବେଶି । ସୂର୍ଯ୍ୟ କହିଲା । ଜାତି ଧର୍ମ ଭେଦ ନ ରଖି ଶୋଷଣର ସବୁ ମଣିଷ ସମାନ, ଏ ଧ୍ୱନି ଆରମ୍ଭ ହେଲାଣି କି ?

 

ପ୍ରବୋଧ ସମର୍ଥନ କଲା । ସୂର୍ଯ୍ୟର ଯୋଜନା ଅଦ୍ୱିତୀୟ । ନିର୍ବାଚନ ସମସ୍ତଙ୍କର ଅଭ୍ୟସ୍ତ ଆଉ ପ୍ରଚଳିତ ରାସ୍ତା । ଏଥିରେ ବିପଦ କ’ଣ ? ଦରିଦ୍ର ଆଉ ଦୁର୍ବଳ—ସମସ୍ତେ ଯଦି ଗୋଟିଏ ପଥର ଯାତ୍ରୀ ହେଲେ, ସେଇମାନେ ହିଁ ହେବେ ଶକ୍ତିର ଦୁର୍ଜୟ ବାହିନୀ । ଭୋଗ ଏଉ କ୍ଷମତାର ସୁଷମ ବଣ୍ଟନ ପାଇଁ ଥରକ ପାଇଁ ସେମାନେ ଠିକଣା ଜାଗାକୁ ଆସିପାରିଲେ, ସବୁଦିନ ପାଇଁ ପଥ ମିଳିଯିବ । ଦରିଦ୍ର ଆଉ ଦୁର୍ବଳ, ମଧ୍ୟବିତ୍ତରେ ରୂପାନ୍ତରିତ ନ ହେଲେ, ସମାଜର ସେ ବିପ୍ଳବ ସଂଗଠିତ ହେବ ନାହିଁ ।

 

ସୂର୍ଯ୍ୟ ଏବଂ ପ୍ରବୋଧର କଥାଗୁଡ଼ିକ ଶୁଣି ଡାକ୍ତର ଦାସ ବିସ୍ମୟରେ ଅଭିଭୂତ ହୋଇପଡ଼ିଲେ ।

 

ଗଣତନ୍ତ୍ରର ଯାତ୍ରା ପଥରେ ସଫଳତାର ଶିଳାନ୍ୟାସ ଏଇଠି, ଏକଥା ସେ ଅସ୍ୱୀକାର କରିପାରୁ ନ ଥିଲେ, କିନ୍ତୁ ଶୋଷଣରୁ ମୁକ୍ତି ପାଇ ସେମାନେ ଯେଉଁ ଯୋଜନାର ପରିକଳ୍ପନା କରିଛନ୍ତି ତାହା ଶାନ୍ତିପୂର୍ଣ୍ଣ ହେବ—ଏଥିରେ ତାଙ୍କର ଘୋର ସନ୍ଦେହ ହେଲା । କଳ୍ପନାରେ ତାଙ୍କର ଆଖି ପାଉ ନ ଥିଲା ବିପ୍ଳବର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ । ବିପ୍ଳବର ପର୍ଯ୍ୟାୟ ଭିତରେ ପ୍ରଚଣ୍ଡ ବୀଭତ୍ସତା ଆଉ ଗଣହତ୍ୟାର ବିଭୀଷିକା କଳ୍ପନା କରି ସେ ଶିହରୀ ଉଠିଲେ । ଆତଙ୍କିତ କଣ୍ଠରେ ସେ ପୁଣି ପଚାରିଲେ—ବିପ୍ଳବର ମାର୍ଗ ଯେତେ ଶାନ୍ତିପୂର୍ଣ୍ଣ ହେଲେ ମଧ୍ୟ ପ୍ରଚଳିତ ଧାରା ବିରୁଦ୍ଧରେ ଏହା ଏକ ପ୍ରଚଣ୍ଡ ଆଘାତ । କାଳ କାଳ ଧରି କ୍ଷମତାର ନିଶାପାତ୍ର ଯେଉଁମାନଙ୍କର ବିଳାସ, କ୍ରୋଧରେ ଉନ୍ମତ୍ତ ସମସ୍ତ ଶକ୍ତି ତାଙ୍କର ବିରୋଧ କରିବ ନିଶ୍ଚୟ । ତା’ହେଲେ ପରିଣତି କ’ଣ ହେବ ଭାବିପାରୁଛ ସୂର୍ଯ୍ୟ !

 

ହଁ ବାପା, ସେ ଭଳି ବିରୋଧର ପରିଣତି ଭୟଙ୍କର ହୋଇପାରେ । ସୂର୍ଯ୍ୟ କହିଲା । କିନ୍ତୁ ବିନା ତ୍ୟାଗରେ ଆଦର୍ଶର ପ୍ରତିଷ୍ଠା କେବେ କ’ଣ କେଉଁଠି ସମ୍ଭବ ହୋଇଛି ? ବ୍ୟକ୍ତିର ତ୍ୟାଗରେ ଗୋଷ୍ଠୀର ମଙ୍ଗଳ, ଏହା ସବୁକାଳର ଧର୍ମ ।

 

ପ୍ରବୋଧ ଶାନ୍ତକଣ୍ଠରେ ସ୍ୱର ମିଳେଇଲା—ସେ କଥା ବିପ୍ଳବର ଇତିହାସରେ ସ୍ୱାଭାବିକ-। ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ । ଏ ତ ସବୁକାଳର ନିଜସ୍ୱ । ଯାହାର ପ୍ରାପ୍ୟ ତାକୁ ନିର୍ଦ୍ୱନ୍ଦ୍ୱରେ ଛାଡ଼ିଦେବା, ଏକଥା କେହି କ’ଣ କେବେ କହିଛି ? ପାଣ୍ଡବମାନଙ୍କର ଦାବୀ ଅତ୍ୟନ୍ତ ନ୍ୟାୟପୂର୍ଣ୍ଣ ଥିଲା, ଏକଥା କୌରବମାନେ ବେଶ୍ ଜାଣିଥଲେ । ତଥାପି ତ ଯୁଦ୍ଧ ହେଲା ! ଯୁଦ୍ଧ ହେଲେ ହତ୍ୟା ବିଭୀଷିକା, ଏସବୁ ଘଟିବ । କାଳର ଏହା ବାଞ୍ଛିତ ଆୟୋଜନ । ମାତ୍ର ଏହା ଲକ୍ଷ୍ୟ ନୁହେଁ, ଲକ୍ଷ୍ୟ ନ୍ୟାୟର ପ୍ରତିଷ୍ଠା ।

 

ସମର୍ଥନ ଜଣାଇ ବ୍ରହ୍ମପ୍ରକାଶ କହିଲେ—ହଁ, ସଭ୍ୟତାର ବିବର୍ତ୍ତନରେ ଏହା ସତ୍ୟ । ସମୟ ଯଦି ପାକଳ ହୋଇଥିବ, ଅବଶ୍ୟ ଘଟିବ । ଡାକ୍ତର ଦାସଙ୍କ ଆଡ଼କୁ ଆଖି ବୁଲାଇ ଆଣି ସେ ପୁଣି କହିଲେ—ଆପଣ ନ କଲେ ଆଉ କେହି କରିବ । କିନ୍ତୁ ଅଟକି ରହିବ ନାହିଁ । ତେବେ ଆପଣ କହିପାରନ୍ତି ଲୋକମତର ଚାପରେ ନ୍ୟାୟର ବଣ୍ଟନ କରାଯାଇପାରେ ।

 

ତତ୍‌କ୍ଷଣାତ୍ ବାଧା ଦେଇ ସୂର୍ଯ୍ୟ କହିଲା—ନା, ତା ବି ସମ୍ଭବ ନୁହେଁ । ସେମାନେ କହିବେ ନ୍ୟାୟ କ’ଣ ? ଆଉ ନ୍ୟାୟ ବୋଲି ଯଦି କିଛି ଥାଏ, ତେବେ ତାକୁ ବାଣ୍ଟିବା ଦାୟିତ୍ୱ ଆମର କାହିଁକି ହେବ ? ପୁଣି ଆମ ବିଚାରରେ ଯାହା ନ୍ୟାୟ, ସେହି ବିଚାରରେ ସେମାନେ ଆମ ସାଙ୍ଗରେ ଏକମତ ହେବେ, ଏକଥା ଆମେ କାହିଁକି ଆଶା କରିବା ? ତା ହୋଇଥିଲେ ଆଜି ଏତେ ତଫାତ କାହିଁକି ଥାନ୍ତା ? ସମସ୍ତଙ୍କ ପାଇଁ ତ ଏକପ୍ରକାରର ବାଟ ଥାନ୍ତା, ପୁଞ୍ଜିବାଦ ଅଥବା ସାମ୍ୟବାଦ । ଏତେ ବାଦ କାହିଁକି ?

 

ବ୍ରହ୍ମପ୍ରକାଶ ଆଗ୍ରହରେ କହିଲେ—ଆଉ ଟିକିଏ ସ୍ପଷ୍ଟ କରି କହ ତ ସୂର୍ଯ୍ୟ । ବୁଝିବାକୁ ଟିକିଏ ସହଜ ହେଲା ନାହିଁ ।

 

ଏଥିରେ ଅବୁଝା କିଛି ନାହିଁ, ସୂର୍ଯ୍ୟ କହିଲା—ଆମ ଜୀବନ—ଆଦର୍ଶର ଯେ ସଂଘାତ, ଶିକ୍ଷା ନୀତିକୁ କଳୁଷିତ କରି ରଖିଛି, ଅର୍ଥନୀତିରେ ମଧ୍ୟ ସେଇ ଦୁର୍ଦ୍ଦଶା । ହୁଏତ ପୁଞ୍ଜିବାଦ ଅଥବା ସାମ୍ୟବାଦ; ଗୋଟିଏ ବାଦରେ ବିଶ୍ୱାସ ରଖିବା ଭଲ । ଆମର କିନ୍ତୁ ପୁଞ୍ଜିବାଦରେ ବିଶ୍ୱାସ ନାହିଁ କି ସାମ୍ୟବାଦରେ ବି ନାହିଁ । ପୁଣି ଦୁଇଟିଯାକ ବାଦରୁ କିଛି କିଛି ଅଛି । ଉଭୟର ସମିଶ୍ରଣରେ ମିଶ୍ରିତ ଅର୍ଥନୀତି—ସେଇଥିରେ ଆମର ବିଶ୍ୱାସ । ଅର୍ଥାତ୍ ଏଠି ଧନୀ ଦରିଦ୍ର, ଶୋଷିତ ଓ ଶୋଷଣକାରୀ–ଭୟରେ ନିଜ ନିଜ ଆସ୍ଥାନରେ ଦୃଢ଼ ରହିବାକୁ ସୁବିଧା କରିବେ । ତା’ ହେଲେ ଆପଣ କୁହନ୍ତୁ ତ, ଏ ତ ଏତେ ପ୍ରକାରର ମଣିଷ ଆଉ ଏତେ ପ୍ରକାରର ଗୋଷ୍ଠୀକୁ ନେଇ କି ପ୍ରକାର ଦେଶ ତିଆରି ହେବ ?

 

ପ୍ରବୋଧ ବିରକ୍ତିରେ ବ୍ୟଙ୍ଗ କଲା—

 

ଅଷ୍ଟବକ୍ର ନୋହିଲେ ଚିଡ଼ିଆଖାନା ।

 

ସୂର୍ଯ୍ୟ ପୁଣି କହିଲା—ଏଭଳି ମିଶାମିଶି କରି ସମାଜ ତିଆରି କଲେ, ଜାତୀୟ ଜୀବନ ବୋଲି କିଛି ରହିବ ନାହିଁ । ଏହି କାରଣରୁ ହିଁ ଆମର ଜାତୀୟ ଜୀବନ ବୋଲି କିଛି ନ ଥିଲା । ଏଇଟିକୁ ଆମେ ଏବେ ଆମଦାନୀ କରିଛୁ ।

 

ଡାକ୍ତର ଦାସ ଗୋଳମାଳରେ ପଡ଼ିଲେ—ସେ କଥାଟାକୁ ଠିକ୍ କରି ଧରି ନ ପାରି ପଚାରିଲେ–ତେବେ ମିଶ୍ରିତ ଅର୍ଥନୀତି ଉପରେ ଗଣତାନ୍ତ୍ରିକ ସମାଜବାଦ ବ୍ୟର୍ଥ ହେଉଛି କାହିଁକି-?

 

ବ୍ରହ୍ମପ୍ରକାଶବାବୁ କହିଲେ—ବ୍ୟର୍ଥ ଆଉ କ’ଣ ହେଲା ! ‘ଗଣତାନ୍ତ୍ରିକ ସମାଜବାଦ’ ଏଇ କଥାଟିର ଠିକ୍ ସଂଜ୍ଞା କ’ଣ, ତାହା ଏ ପର୍ଯ୍ୟନ୍ତ କୁହାଯାଇ ନାହିଁ । କାହା ସାଙ୍ଗରେ ମାପ କରି କହିବା ଯେ ବ୍ୟର୍ଥ ହୋଇଗଲା ? ଅନେକ ଭଲରେ ଅଛନ୍ତି ଆଉ ଅନେକେ ବି ଦୁଃଖ କଷ୍ଟରେ ଚଳୁଛନ୍ତି । ମିଶ୍ରିତ ଅର୍ଥନୀତିର ଚରିତ୍ର ତ ଏୟା । ତା’ଠାରୁ ଅଧିକ ଆଶା କଲେ, ଆମକୁ ନୂଆ ବାଟ ଧରିବାକୁ ପଡ଼ିବ । ଆଉ ସେ ନୂଆ ବାଟ କେବଳ ସମ୍ଭବ ହେବ ସାମାଜିକ ବିପ୍ଳବ ଦ୍ୱାରା । ଏଥିପାଇଁ ଦରକାର ବିପୁଳ ଆୟୋଜନ ।

 

ଡାକ୍ତର ଦାସଙ୍କର ମୋହ କଟି ଆସୁଥିଲା । ସେ ଭାବୁଥିଲେ, ବିପ୍ଳବର ଏ ଐତିହାସିକ ଭୂମିକା ଉତ୍ପୀଡ଼ିତର ମୁକ୍ତିପଥ । ଶୋଷଣ ଆଉ ଅନ୍ୟାୟର ପୁଞ୍ଜିଭୂତ ଅସନ୍ତୋଷ ଯଦି ଆସନ୍ନ ବିଷ୍ଫୋରଣରେ ଉନ୍ମୁଖ, ତେବେ ତାହା ଅବଶ୍ୟ ଘଟିବ । ଅଗଣିତ କ୍ଷୁଧିତ ଆତ୍ମାର ଏ ଜୟଯାତ୍ରାରେ ସେନାପତିତ୍ୱ କରିବା କେବଳ ସୌଭାଗ୍ୟର କଥା ।

 

ଆଲୋଚନା ସରି ଯାଇଥିଲା । କାଲି ଏମାନେ କଟକ ଫେରିଯିବେ । ହାତରେ ଅନେକ କାମ ଅଛି । ଅନେକ ଜିଲ୍ଲାରେ ସ୍ୱେଚ୍ଛା ସେବକ ସଂଗଠନ ଆହୁରି ଆରମ୍ଭ ହୋଇନାହିଁ । ଖାଇବା ସମୟ ହୋଇ ଯାଇଥିଲା । ସମସ୍ତେ ଉଠି ଚାଲିଗଲେ ।

 

ଏଗାର

 

କଟକ ମେଡ଼ିକାଲରେ ଡାକ୍ତର ଦାସଙ୍କର ଚେମ୍ୱର । ଦ୍ୱିପହର ସମୟ । ଟେବୁଲ ଉପରେ ଗଦାଏ ଚିଠି । ଗୋଟି ଗୋଟି କରି ପଢ଼ି ସେଗୁଡ଼ିକୁ ସଜାଇ ରଖୁଥିଲା ସୂର୍ଯ୍ୟ । ତା ଭିତରୁ ଅନେକ ଚିଠିର ଉତ୍ତର ଦେବାକୁ ହେବ । ଖଣ୍ଡିଏ ଚିଠି ପଢ଼ିସାରି ତା’ର ଉତ୍ତର କ’ଣ ଲେଖିବ ସେ ଭାବୁଛି—ପ୍ରବୋଧ ଭିତରକୁ ପଶିଆସି ଚେୟାର ଟାଣି ପାଖରେ ବସିଲା ।

 

ଦୁହେଁ ଦୁହିଁଙ୍କୁ ଥରେ ମାତ୍ର ଚାହିଁଦେଇ କାମରେ ମନ ଦେଲେ । କିଛି ସମୟ ପରେ ପ୍ରବୋଧ ଆଶ୍ଚର୍ଯ୍ୟରେ ମନ୍ତବ୍ୟ କଲା–ଆରେ ବାପରେ ବାପ, ମୋଟେ ଦୁଇଟା ଦିନ ଭିତରେ ଏତେ ଚିଠି ! ଏଣିକି କେହିନା କେହି ଅଫିସରେ ନରହିଲେ ଆଉ କଣ୍ଟ୍ରୋଲ କରିହେବନାହି ।

 

ସୂର୍ଯ୍ୟ ଆଖି ଉଠାଇ ଚାହିଁଲା । ସେ ବି ସେଇକଥା ଭାବୁଛି । କହିଲା—ଆଜି ସବୁ କାମତକ ସାରିବାକୁ ହେବ, ନ ହେଲେ କାଲିକି ପୁଣି ସେଇ ଅବସ୍ଥା ହେବ । ତା ଛଡ଼ା ଏଇଠି ବସି ଖାଲି ଚିଠିପତ୍ରର ଉତ୍ତର ଦେଲେ ତ ଚଳିବ ନାହିଁ, ଯେତେ ଜାଗାରୁ ନିମନ୍ତ୍ରଣମାନ ଆସୁଛି, ସବୁ ଜାଗାକୁ ଆମକୁ ବାଣ୍ଟିହୋଇ ଯିବାକୁ ପଡ଼ିବ । ନ ହେଲେ ସ୍ୱେଚ୍ଛାସେବକ ସଂଗଠନ ସବୁ ଯେମିତି ଚାରିଆଡ଼େ ବିଛେଇ ହୋଇଗଲାଣି, ଆୟତ୍ତ କରିବା କଷ୍ଟକର ହୋଇପଡ଼ିବ । ଏ ମାସର ‘ମୁକ୍ତିର ପଥ’ ପାଇଁ ସଂପାଦକୀୟଟା ଆହୁରି ଲେଖାଯାଇ ନାହିଁ । କାଲିକି ପୁଣି ଅନେକ ସମୟ ହସପିଟାଲରେ ଯିବ ।

 

ପ୍ରବୋଧ କହିଲା—ହଁ, କାଲିକି ମଦନର ପ୍ଲାଷ୍ଟର ଖୋଲା ହେବ । ଡାକ୍ତର ଦାସ ନିଜେ ପ୍ଲାଷ୍ଟର ଖୋଲିବେ । ତୁ ଟିକିଏ ଆଗରୁ ଚାଲିଯାଇଥିବୁ । ମୁଁ ପରେ ପରେ ଯାଇ ପହଞ୍ଚିବି । ପୁଣି ସେମାନେ କାମରେ ମନ ଦେଲେ ।

 

ଉତ୍ତରରେ ନ ଲେଖି ହେଲା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସବୁ ସେ ଚିଠିରେ ଦେଖୁଛି-। କିଛି ସମୟ ପରେ ସେ ଚାହିଁ ଦେଖିଲା—ଦାନ୍ତରେ କଲମଟାକୁ କାମୁଡ଼ି ଧରି ଟେବୁଲ ଉପରେ ଥିବା ଫୁଲଦାନୀଟାକୁ ପ୍ରବୋଧ ଚାହିଁ ରହିଛି ।

 

ସୂର୍ଯ୍ୟ ପଚାରିଲା—କ’ଣ ଭାବୁଛୁ ପ୍ରବୋଧ ! ପ୍ରବୋଧ ଉତ୍ତର ଦେଲା—ଭାବୁନାହିଁ । ଦେଖୁଛି । ଏଇ କେଇଦିନ ହେଲା ଏ ଘରଟା ମୋତେ କେମିତି ନୂଆ ନୂଆ ଲାଗୁଛି ସୂର୍ଯ୍ୟ ।

 

ସୂର୍ଯ୍ୟ କହିଲା—କାହିଁକି କ’ଣ ହେଲା କି ?

 

ପ୍ରବୋଧ କହିଲା—ଡାକ୍ତର ଦାସଙ୍କର ଏ ଚେମ୍ୱରଟା ଆଗରୁ ତ ଏମିତି ସୁନ୍ଦର ଦେଖାଯାଉ ନ ଥିଲା ? ଟେବୁଲ ଉପରେ ଏ ଫୁଲଦାନୀଟା ସବୁଦିନେ ତ ଏପରି ସଜା ହେଉ ନ ଥିଲା ? କେତେବେଳେ ତୋତେ ସମୟ ହେଉଛି ଏସବୁ କରିବାକୁ ?

 

ସୂର୍ଯ୍ୟ ବିସ୍ମୟରେ କହିଲା—ତା’ ହେଲେ ତୁ ବି ଏ କଥାଟା ମାର୍କ କଲୁଣି ? ଏଇ କେଇଦିନ ହେଲା ଏମିତି ଚାଲିଛି । ଏଠାରେ ବେହେରା ଆଉ ବାପାଙ୍କର ଅଡର୍ଲିକୁ ପଚାରିଲି, ସେମାନେ କହିଲେ ଜାଣନ୍ତି ନାହିଁ । ମୁଁ କିଛି ବୁଝିପାରୁ ନାହିଁ । ଆଛା, ଛାଡ଼ ସେ କଥା । ଉତ୍ତର ଓଡ଼ିଶାର ବନ୍ୟା ଖବର କ’ଣ ? ସକାଳ ରେଡ଼ିଓରେ ଶୁଣିଲି, ବାଲେଶ୍ୱର କଲେକ୍ଟର ନଈକୂଳିଆ ଲୋକଙ୍କୁ ସତର୍କ କରିଦେଇଛନ୍ତି, ନିରାପଦ ସ୍ଥାନକୁ ଚାଲିଯିବା ପାଇଁ । ବୁଢ଼ାବଳଙ୍ଗ ଆଉ ସୁବର୍ଣ୍ଣରେଖା କୁଆଡ଼େ ଖୁବ୍ ଜୋରରେ ବଢ଼ୁଛି । ଆଜି ରାତିରେ କ’ଣ ହେବ କହିହେଉ ନାହିଁ । ଆମର ସ୍ୱେଚ୍ଛାସେବକମାନେ ଅବଶ୍ୟ ସେଠାରେ ଖୁବ୍ ତତ୍ପର ଥିବେ । କିନ୍ତୁ ରିଲିଫ୍ କାର୍ଯ୍ୟରେ ଆମର ସାହାଯ୍ୟ ନ ପାଇଲେ ସେମାନଙ୍କର ସାହସ ଆସିବ ନାହିଁ । ଚୁଡ଼ା ଚାଉଳ ଲୁଗାପଟା ଅବଶ୍ୟ କିଛି ଯୋଗାଡ଼ ହୋଇଛି କିନ୍ତୁ ଟ୍ରକଟିଏ ଏ ପର୍ଯ୍ୟନ୍ତ ବନ୍ଦୋବସ୍ତ ହୋଇନାହିଁ । ସେଥିରେ ପୁଣି କାଲି ସକାଳେ ମଦନର ପ୍ଲାଷ୍ଟର ଖୋଲା ହେବ । ଗତବର୍ଷ ଅମଠପୁର ଘରପୋଡ଼ି କଥା ତୋର ମନେ ଥିବ । ସରକାରୀ ସାହାଯ୍ୟ ପହଞ୍ଚିବାକୁ ତିନିଦିନ ଲାଗିଗଲା । ଭାଗ୍ୟକୁ ଆମେ ସିନା ଠିକ୍ ସମୟରେ ପହଞ୍ଚି ଯାଇଥିଲେ, ନ ହେଲେ ଦରପୋଡ଼ା ଲୋକଗୁଡ଼ିକ ଛଟପଟ ହୋଇ ମରିଯାଇଥାନ୍ତେ । କ’ଣ କରିବା କହିଲୁ ପ୍ରବୋଧ !

 

ପ୍ରବୋଧ ଅବିଚଳିତ ହୋଇ କହିଲା—ବାପା ଟେଲିଗ୍ରାମ କରିଛନ୍ତି, ଆଜି ରାତି ସୁଦ୍ଧା ସେ ଏଠାରେ ଆସି ପହଞ୍ଚିବେ । ଜିନିଷପତ୍ର ସହିତ ଆମେ ଯଦି ରାତିରେ ଟ୍ରକଟିଏ ବନ୍ଦୋବସ୍ତ କରିଦିଅନ୍ତେ ତା’ହେଲେ କାଲି ସକାଳୁ ସକାଳୁ ବାପାଙ୍କ ସାଙ୍ଗରେ ବାଲେଶ୍ୱର ପଠାଇ ଦିଅନ୍ତେ । ସ୍ୱେଚ୍ଛାସେବକମାନେ ତ ସେଠାରେ ପ୍ରସ୍ତୁତ ଅଛନ୍ତି । କିଛି ଅସୁବିଧା ହୁଅନ୍ତା ନାହିଁ । ଆମେ ଦୁଇଜଣ ମଦନର ପ୍ଲାଷ୍ଟର ଖୋଲା ହେଲା ପରେ ସେମାନଙ୍କ ପାଖରେ ଯାଇ ପହଞ୍ଚିଯାନ୍ତେ ।

 

ସୂର୍ଯ୍ୟ ଭାବିଲା—ବର୍ତ୍ତମାନ ୟାଠାରୁ ଆଉ ଅଧିକ କିଛି ଭଲ ବ୍ୟବସ୍ଥା କରି ହେବ ନାହିଁ-। ସେ ପ୍ରବୋଧ କଥାରେ ହଁ ଭରି ଜିନିଷପତ୍ର ସହ ଟ୍ରକ ଯୋଗାଡ଼ କରିବାକୁ ବାହାରିଗଲା-। ପ୍ରବୋଧ ମଧ୍ୟ ତା ପଛେ ପଛେ ଚାଲିଗଲା ।

 

ସକାଳୁ ବ୍ରହ୍ମପ୍ରକାଶବାବୁ ଟ୍ରକ ସାଙ୍ଗରେ ବାଲେଶ୍ୱର ଚାଲିଗଲା ପରେ ଡାକ୍ତର ଦାସ ମଦନର ପ୍ଲାଷ୍ଟର ଖୋଲିବାକୁ ଠିକ୍ ସମୟରେ ଆସି ପହଞ୍ଚିଲେ । ପ୍ଲାଷ୍ଟର ଖୋଲା ହେଲା । କିଛି ଅସୁବିଧା ହୋଇନାହିଁ । ମଦନ ବେଶ୍ ଭଲ ଅଛି । ଗୋଟାଏ ଜାଗାରେ ହାଡ଼ଟା ଯୋଡ଼ି ହେବାକୁ ଆହୁରି ସମୟ ଲାଗିବ । ଭୟର କୌଣସି ଆଶଙ୍କା ନାହିଁ । ପ୍ରଶାନ୍ତ ପଟ୍ଟନାୟକ ଆଉ କମଳାଦେବୀ କୃତଜ୍ଞତାରେ ଡାକ୍ତର ଦାସଙ୍କର ପାଦତଳେ ପଡ଼ିଗଲେ । ଆଶ୍ୱାସନା ଦେଇ ଡାକ୍ତର ଦାସ କହିଲେ—ଆରେ ଆରେ, ଏ କ’ଣ କରୁଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ । ମଦନ ଭଲ ହୋଇଯିବ-। ଆପଣ ଟିକିଏ ଯତ୍ନ ନେଉଥିବେ । ମୁଁ ସୂର୍ଯ୍ୟ ଓ ପ୍ରବୋଧକୁ ବନ୍ୟାଞ୍ଚଳକୁ ଯିବାର ବନ୍ଦୋବସ୍ତ କରିଦେଇ, ଦ୍ୱିପହରେ ମଦନକୁ ଦେଖିବାକୁ ଆସିବି ।

 

କୃତଜ୍ଞତାରେ ଆଖି ଛଳ ଛଳ କରି ପ୍ରଶାନ୍ତ ପଟ୍ଟନାୟକ ବିନୟରେ କହିଲେ—ବନ୍ୟାଞ୍ଚଳକୁ ମୋର କିଛି ପଠାଇବାର ଅଛି । କାଲିଠାରୁ ଚୁଡ଼ା ଚାଉଳ ସହିତ କିଛି ଔଷଧ ପତ୍ର ଯୋଗାଡ଼ କରି ଟ୍ରକଟିଏ ବନ୍ଦୋବସ୍ତ କରିଛି । ଭାବିଛି, ଏବେ ଆପଣଙ୍କ ସାଙ୍ଗରେ ବନ୍ୟାଞ୍ଚଳ ପାଇଁ ପଠାଇବି । ଡାକ୍ତର ଦାସ ସମ୍ମତି ଜଣାଇ ପ୍ରସ୍ତୁତ ହେବା ପାଇଁ ସୂର୍ଯ୍ୟ ଓ ପ୍ରବୋଧକୁ ସାଙ୍ଗରେ ଧରି ଘରକୁ ଚାଲିଗଲେ ।

 

ଦୁଇଦିନର ଅକ୍ଳାନ୍ତ ପରିଶ୍ରମ ପରେ ସେମାନେ କଟକ ଫେରିଆସିଲେ । ଅତ୍ୟଧିକ କ୍ଳାନ୍ତି ହେତୁ ତା’ ପର ଦିନ ସକାଳ ସାତଟା ପର୍ଯ୍ୟନ୍ତ କାହାରି ନିଦ ଭାଙ୍ଗିବାକୁ ନାହିଁ । ଆଠଟା ବେଳକୁ ପ୍ରତିଦିନ ସୂର୍ଯ୍ୟ ଡାକ୍ତର ଦାସଙ୍କର ଚେମ୍ୱରକୁ ଆସି ବାକିଥିବା ସବୁ କାମତକ ସାରିଦିଏ । ସେଦିନ ହାଲିଆ ହୋଇ ଶୋଇ ଯାଇଥିବାରୁ ଆସିବାକୁ ବିଳମ୍ୱ ହେଲା ।

 

ମାଳ ପ୍ରତିଦିନ ପରି ତରତର ହୋଇ ଡାକ୍ତର ଦାସଙ୍କର ଚେମ୍ୱରରେ ଟେବୁଲଟିକୁ ସଫା କରି ସାରି ଫୁଲଦାନୀରେ ଫୁଲତକ ସଜାଡ଼ୁଛି । ପ୍ରଶାନ୍ତ ପଟ୍ଟନାୟକ ବନ୍ୟାଞ୍ଚଳର ଖବର ଜାଣିବାକୁ ଉତ୍କଣ୍ଠାର ସହିତ ସୂର୍ଯ୍ୟ ସାଙ୍ଗରେ କଥା ହେବା ପାଇଁ ଚେମ୍ୱର ଭିତରକୁ ପଶିଆସିଲେ । ସାମନାରେ ମାଳକୁ ଦେଖି କିଛି ସମୟ ସେ ସ୍ତବ୍ଧ ହୋଇ ଠିଆ ହୋଇଗଲେ । ତାଙ୍କର ସନ୍ଦେହ ହେଲା ସେ ସ୍ୱପ୍ନ ଦେଖୁନାହାନ୍ତି ତ ! ଆଖି ଦୁଇଟାକୁ ଭଲ ଭାବରେ ଦଳି ଦେଇ ସେ ଅନୁଚ୍ଚ କଣ୍ଠରେ ପଚାରିଲେ—କିଏ ମାଳ ! ତୁ ଏଠି ! ଏଇ ଡାକ୍ତରଖାନାରେ ତୁ କ’ଣ ଧାଈ କାମ କରୁଛୁ ନା କ’ଣ-? ମାଳ ଦେଖିଲା ସେ ପ୍ରଶାନ୍ତ ପଟ୍ଟନାୟକ ଏ ନୁହେଁ । ଅନେକ ପରିବର୍ତ୍ତନ ହୋଇଛି । ତା’ର ବି ତ କମ୍ ପରିବର୍ତ୍ତନ ହୋଇନାହିଁ । ଆଜିକି ଅନେକ ଦିନ ତଳର କଥା—ସେତେବେଳେ ସତର ବର୍ଷର ଯୁବତୀ ସେ । ପ୍ରଶାନ୍ତ ପଟ୍ଟନାୟକଙ୍କ ବାପା ଗୁଣନିଧିଙ୍କ ପାଖରେ ତା ବାପା ମୂଲିଆ କାମ କରୁଥିଲା । ହରିଜନ ଝିଅ ତ, ପଟ୍ଟନାୟକବାବୁଙ୍କ ଘରେ ପ୍ରବେଶ କରିବାର ଭାଗ୍ୟ ତାକୁ ମିଳନ୍ତା କୁଆଡ଼ୁ ? ଲୁଚି ଛପି ଖଳାବାଡ଼ିରେ ପ୍ରଶାନ୍ତ ପଟ୍ଟନାୟକଙ୍କର କଅଁଳ କଥାରେ କେତେଥର ସେ ଗୋଡ଼ ଖସାଇ ଦେଇଛି । ତା’ପରେ ସୂର୍ଯ୍ୟକୁ ଗର୍ଭରେ ଧାରଣ କଲା ପରେ, ସାଇପଡ଼ିଶାରେ ମୁହଁଟେକି ଚାଲିପାରି ନାହିଁ । ପଟ୍ଟନାୟକ ବଂଶର ପ୍ରବଳ ପ୍ରତାପ ପାଖରେ ବିଚାରା ଗରିବ ହରିଜନଟା ଆଉ କି ସାହସ କରିଥାନ୍ତା ? ଅପମାନ ସହି ନ ପାରି ବେକରେ ଦଉଡ଼ି ଦେଇ ସେ ଆତ୍ମହତ୍ୟା କରିଥିଲା । ତା’ ପର ଦିନ ରାତି ନ ପାହୁଣ୍ଡ ମାଳ ଅନ୍ତର୍ଦ୍ଧାନ ହୋଇ ଚାଲିଯାଇଥିଲା ବହୁତ ଦୂରକୁ । ଶେଷରେ ଆଶ୍ରୟ ନେଇଥିଲା କଟକରେ ବୃଦ୍ଧ ସମସୁଦ୍ଦିନ ଖାଁଙ୍କର ଘରେ । ସେଠି ବି ସେ ରହିପାରିଲା ନାହିଁ । ଦିନେ ରାତି ପାହାନ୍ତାରେ ସୂର୍ଯ୍ୟକୁ ଜନ୍ମ ଦେଇ ତାକୁ ଡାକ୍ତର ଦାସଙ୍କର ବାରିପଛ ବଗିଚାର ପାଣି ପାଇପ୍ ଚାନ୍ଦିନୀ ଉପରେ ଶୁଆଇ ଦେଇ ସେ ଆତ୍ମଗୋପନ କରିଥିଲା ରଘୁନାଥଜୀଉ ମନ୍ଦିରର ପୂଜାରୀ ଶଙ୍କର ପ୍ରତିହାରୀଙ୍କ ଘରେ ଜଣେ ଅନାଥିନୀ ଭାବରେ । ସେ ଦେବ ପ୍ରତିମ ଶଙ୍କର ପ୍ରତିହାରୀ ଆଜି ଆଉ ନାହାନ୍ତି । ତାଙ୍କରି ଦୟାରେ ସେ ଆଜି ସରକାରୀ ଡାକ୍ତରଖାନାରେ ଜଣେ ଧାଈ । ସେ ଆଉ କିଛି ଭାବିପାରୁ ନ ଥିଲା ।

 

ମୁହଁ ତଳକୁ କରି ଝଡ଼ ବେଗରେ ସେ ଘରୁ ବାହାରି ଯିବାକୁ ବସିବାରୁ ପ୍ରଶାନ୍ତ ପଟ୍ଟନାୟକ ଅବଶ କଣ୍ଠରେ କହିଲେ—ନା, ତୁ ଯାଇପାରିବୁ ନାହିଁ ମାଳ ।

 

କାନ୍ଥ ଘଣ୍ଟାରେ ଆଠଟା ବାଜିବାର ଶୁଣି ସୂର୍ଯ୍ୟ ବ୍ୟସ୍ତ ହୋଇପଡ଼ିଲା । ଅନେକ କାମ ତାର ବାକି ଅଛି । ସେ ତର ତର ହୋଇ ବାହାରି ଗଲା ଡାକ୍ତର ଦାସଙ୍କର ଚେମ୍ୱର ଆଡ଼େ । ଦୁଆରେ ପହଞ୍ଚି ସେ ଭିତରେ ଶୁଣିଲା ଦୁଇଟି ରୁଦ୍ଧ କଣ୍ଠରେ ଅଶ୍ରୁଳ ଆଳାପ । ଦଣ୍ଡେ ଠିଆ ହୋଇ ସେ କାନ ପାରିଲା ।

 

ପ୍ରଶାନ୍ତ ପଟ୍ଟନାୟକ କହିଲେ—ନା, ତୁ ଯାଇ ପାରିବୁ ନାହିଁ ମାଳ । ଯେଉଁ ପଶୁ ପ୍ରବୃତ୍ତିରେ ମାତାଲ ହୋଇ ମୁଁ ତୋର ସର୍ବନାଶ କରିଛି, ତୁ ଆଜି ତାକୁ ନିଜ ହାତରେ ଶାସ୍ତି ନ ଦେଲେ ତାର ପ୍ରାୟଶ୍ଚିତ୍ତ ହୋଇପାରିବ ନାହିଁ । କି ଶାସ୍ତି ଦେଲେ ତୋ ଆତ୍ମା ଶାନ୍ତି ପାଇବ କହ । ସେ ଆଉ କିଛି କହିପାରିଲେ ନାହିଁ ।

 

ମାଳ ଆଖିରୁ ଲୁହ ପୋଛି କହିଲା—ଛି, ଏମିତି କହନ୍ତି । ଦେଖିବି ବୋଲିତ କେବେ ଭାବି ନ ଥିଲି । ମରି ଯାଇଥିଲେ ସବୁ ସରି ଯାଇଥାନ୍ତା । କିନ୍ତୁ ପାରିଲି ନାହିଁ । କିଏ ଯେମିତି କହିଲା, ତାକୁ ବଞ୍ଚାଇ ରଖିବାକୁ ଏ ଦୁନିଆରେ ଅନେକ ଜାଗା ଅଛି । କଳା ମୁଚୁ ମୁଚୁ ଢଳ ଢଳ ନିରୀହ ଆଖିରେ ପୁଅଟି ମତେ ଚାହିଁ ରହିଥିଲା । ତାକୁ ଛାଡ଼ି ମୁଁ ମରିପାରିଲି ନାହିଁ । ସେଇତ ମୋ ଜୀବନର ସବୁ କିଛି । ହେଲେ ମୋର ବା ସମ୍ୱଳ କ’ଣ ଥିଲା ! ମୁଁ ଆଉ କ’ଣ କହିପାରି ଥାନ୍ତି ।

 

ପ୍ରଶାନ୍ତ ପଟ୍ଟନାୟକଙ୍କର ଆଉ ଧୈର୍ଯ୍ୟ ରହିଲା ନାହିଁ । ସେ ଉଦ୍‌ବିଗ୍ନ ହୋଇ ପଚାରିଲେ—ପୁଅ !!! କାହିଁ ସେ ପୁଅ । ମୁଁ ଆଉ ପାରିବି ନାହିଁ ମାଳ, ମତେ ତାକୁ ଦେ ।

 

ଭଙ୍ଗା କଣ୍ଠରେ ମାଳ କହିଲା—ତାକୁ ଆଜି ଆଉ ଖୋଜି ଲାଭ କ’ଣ ? ସେ ବଞ୍ଚିଛି ସେଇ ଯଥେଷ୍ଟ । ସେ ଖୁବ୍ ବଡ଼ ହୋଇଚି । ତାକୁ ଦେଖିଲେ ଆପଣ ସଂକୁଚିତ ହୋଇଯିବେ । ପରିଚୟ ଦେଲେ ତା ମୁଣ୍ଡ ତଳକୁ ହୋଇଯିବ । ସେଇଥି ପାଇଁ ମୁଁ ବି ତାକୁ ପରିଚୟ ଦେଇ ପାରୁନି-। କିନ୍ତୁ ଦିନେ ନ ଦେଖିଲେ ପିଣ୍ଡରୁ ପ୍ରାଣ ଛାଡ଼ି ଯାଉଛି । ଲୁଚିଲୁଚି ଦେଖି ଆତ୍ମାକୁ ଶୀତଳ କରୁଛି-। ତା’ର ମୁଁ ଆଉ କ’ଣ ବା କରି ପାରନ୍ତି । ପ୍ରତିଦିନ ଦି’ଟା ଫୁଲ ଆଣି ତା ଟେବୁଲର ଫୁଲଦାନୀଟା ସଜେଇ ଦଉଚି । ଟେବୁଲଟି ସଫାକରି ଦେଇ ତା ବସିବା ଚୌକିଟା ପଣତ କାନିରେ ପୋଛି ଦଉଚି-। ସେ ନଜାଣୁ, ଆପଣ ତାର ବାପ ଆଉ ମୁଁ ତାର ମା’ । ସେ ଖାଲି ବଞ୍ଚିଥାଉ—ସେତିକି ମୁଁ ଚାହେଁ । ବେଳ ହେଇ ଗଲାଣି । ଏବେ ସେ ଆସିଯିବ । ସେ ଆସିବା ଆଗରୁ ମୁଁ ଚାଲିଯିବି । ବାଟ ଛାଡ଼ନ୍ତୁ ମୁଁ ଯାଏ ।

 

ସୂର୍ଯ୍ୟର ସମସ୍ତ ପ୍ରାଣ ଆବେଗରେ ଚଞ୍ଚଳ ହୋଇ ଉଠିଲା । ଉତ୍‌କଣ୍ଠାର ଆତିଶଯ୍ୟରେ ତାର ସମସ୍ତ ସ୍ନାୟୁଗୁଡ଼ିକ ଉତପ୍ତ ହୋଇଗଲା । ତାର ମନେହେଲା ଦଣ୍ଡେ ବିଳମ୍ୱ ହେଲେ ଜୀବନଟା ଯେପରି ଧମନୀର ଉଷ୍ମ ରକ୍ତପ୍ରବାହରେ ବାଷ୍ପ ହୋଇ ବାହାରି ଯିବ । ଗଙ୍ଗାଯମୁନାର ପବିତ୍ର ପ୍ରୟୋଗ ପରି ଜନ୍ମଦାତା ଆଉ ଜନ୍ମଦାତ୍ରୀର ପ୍ରଶସ୍ତ କୋଳରେ ଆଉଜି ପଡ଼ି ପ୍ରାଣକୁ ଶୀତଳ କରିବାପାଇଁ ସେ ଅଧୀର ହୋଇ ଉଠୁଥିଲେ । ମାତ୍ର ଏ କଣ ? ତାର ସମସ୍ତ ମନ ଆଉ ପ୍ରାଣକୁ ଆଚ୍ଛନ୍ନ କରି ତା ସାମନାରେ ଭାସି ଉଠିଲା ସ୍ନେହ ଆଉ କରୁଣାର ସଜଳ ଆଖି ଦୁଇଟି ଡାକ୍ତର ଦାସଙ୍କର । ସୂର୍ଯ୍ୟ ସ୍ଥିର ହୋଇ ଠିଆ ହେଲା । ତା’ର ମନ ହେଲା—ଆଗରୁ ଆଉ ପଛରୁ ତିନୋଟି ଅନାବୀଳ ପ୍ରାଣର ଉଦ୍‌ଗତ ଉଚ୍ଛ୍ୱାସରେ ସେ ନିରୀହ କଳିକାଟିଏ ପରି ବୋହଲୁଛି । ସେ କିଛି ବୁଝିପାରିଲା ନାହିଁ । କିଛି ସମୟ ସେ ଠିଆହେଲା । ହଠାତ୍ ତାର ମୁଖମଣ୍ଡଳ ଏକ କଠୋର ସଂକଳ୍ପରେ ଆଚ୍ଛନ୍ନ ହୋଇଯାଇ ଗମ୍ଭୀର ହୋଇଗଲା । ତାପରେ ସେ ନିଃଶବ୍ଦରେ ବାହାରିଗଲା ଡାକ୍ତର ଦାସଙ୍କ ଘରେ ନିଜର ଶୋଇବା କୋଠରୀଟିକୁ ।

 

କବାଟ ଠେଲି ମାଳ ଚାଲିଗଲା । ପ୍ରଶାନ୍ତ ପଟ୍ଟନାୟକ ତା ପଛେ ପଛେ ବାହାରି ଆସି ଅନେକ ସମୟ ଧରି ଠିଆହୋଇ ରହିଲେ ପଥର ପରି ।

 

କିଛି ସମୟ ପରେ ପ୍ରବୋଧ ଡାକ୍ତର ଦାସଙ୍କର ଚେମ୍ୱରକୁ ଆସି ଆଶ୍ଚର୍ଯ୍ୟ ହେଲା । କାରଣ ଆଠଟା ସୁଦ୍ଧା ଡାକ୍ତର ଦାସ କୌଣସି ଦିନ ସୂର୍ଯ୍ୟ ଏଠାକୁ ନ ଆସିବା ସେ ଜାଣେନା । ସେ ଚିଠି ଗୁଡ଼ିକ ଦେଖି ଉତ୍ତର ଲେଖିବାକୁ ବସିଲେ । ଅନେକ ଗୁଡ଼ିଏ ଲେଖିସାରିଲାପରେ ସେ ଆଖି ଉଠାଇ ଦେଖିଲା ତଥାପି ସୂର୍ଯ୍ୟ ଆସିନାହିଁ । ତାକୁ ବ୍ୟସ୍ତ ଲାଗିଲା । ସେ ଚେୟାର ଛାଡ଼ି ଚାଲିଲା ଡାକ୍ତର ଦାସଙ୍କର ଘର ଆଡ଼କୁ ।

 

କିନ୍ତୁ ଏ କଣ ! ଟେବୁଲ ଉପରେ ନରକଙ୍କାଳର ଫଟୋଚିତ୍ରଟାଏ ବିଛାଇ ଦେଇ ମାଇକ୍ରୋସ୍କୋପରେ ଗଭୀର ମନୋଯୋଗଦେଇ କ’ଣ ସବୁ ଦେଖୁଛି ସୂର୍ଯ୍ୟ । ନିର୍ଜୀବ କଙ୍କାଳ ଚିତ୍ରଟାରେ ଏତେସବୁ କ’ଣ ସେ ଖୋଜି ଦେଖୁଛି ! ପ୍ରବୋଧ କିଛି ବୁଝିପାରିଲା ନାହିଁ । ସେ ନୀରବରେ କିଛି ସମୟ ଠିଆହୋଇ ଲକ୍ଷ୍ୟ କଲା । ସୂର୍ଯ୍ୟ କାହା ସାଙ୍ଗରେ ଯୁକ୍ତି କଲା ପରି ସାମାନ୍ୟ କ୍ରୋଧରେ କହୁଛି—ତା ହେଲେ ସେ ସେଲ ଗୁଡ଼ାକ ଯେଉଁସବୁ ଯାଗାରେ ଥିଲା, ତା’ରତ ପୁଣି ଖାଲିଯାଗା ଗୁଡ଼ିକ ମିଳିବ ? ବର୍ତ୍ତମାନ ଯଦି ଏଥିରେ ରକ୍ତ ସଂଚାଳନକରି ଜୀବନ ସୃଷ୍ଟି କରାଯିବ । ତାହେଲେ ସେଲ ମାନେ ତ ପୁଣି ନିଜ ନିଜ ଜାଗାକୁ ଫେରି ଆସିବେ । ତେବେ ସେ ଜାଗାସବୁ କାହିଁ ?

 

ପ୍ରବୋଧ ବିସ୍ମିତ ହୋଇ ପଚାରିଲା—ସୂର୍ଯ୍ୟ ! ଏ ସବୁ କ’ଣ କରୁଛୁ ଏଠି ? ଅଫିସରେ ଆହୁରି ଅନେକ କାମ ବାକି ଅଛି । ଏଇଟାତ ତୋର ଅଫିସକୁ ଯିବା ସମୟ ।

 

କଂକାଳର ଚିତ୍ରଟିରୁ ମୁହଁ ନ ଉଠାଇ ସୂର୍ଯ୍ୟ ପୁଣି କହିଲା—ଏ ଚିତ୍ରଟା ବୋଧହୁଏ ଠିକ୍‌ ଅଙ୍କା ଯାଇନାହିଁ । ତା ନ ହେଲେ ସେଲ ଗୁଡ଼ିକର ଜାଗା ସବୁ ନ ମିଳନ୍ତା କାହିଁକି ?

 

ପ୍ରବୋଧ ଦେଖିଲା ସୂର୍ଯ୍ୟ ସଂପୂର୍ଣ୍ଣ ଭାବରେ ଆବିଷ୍ଟ ହୋଇ ପଡ଼ିଛି ତା ଚିନ୍ତାରେ । ସେ ତା ସାମନାରେ ଠିଆ ହୋଇ ପଡ଼ି କହିଲା—ସୂର୍ଯ୍ୟ ! ଅଫିସ ଯିବା ପରା । ସାଢ଼େ ଆଠଟା ହେଲାଣି । ମୁଁ ଅନେକ ଚିଠିର ଉତ୍ତର ଲେଖି ସାରିଛି, କିନ୍ତୁ କେତେକ ଚିଠି ଅଛି ଯାହା ତୁ ନଦେଖିଲେ ଉତ୍ତର ଦେଇ ହେବ ନାହିଁ ।

 

ସୂର୍ଯ୍ୟ ପ୍ରବୋଧକୁ ଚାହିଁ କହିଲା—

 

ମୋର କିନ୍ତୁ ମନେ ହେଉଛି Medical Scienceର ଯେତେ ସବୁ Latest theory ବାହାରିଲାଣି, କୌଣସିଟିରେ ମୁଁ ଏ କଥା ଦେଖୁନାହିଁ । ଆହୁରି ଅନେକ Research ଦରକାର । ତା ନ ହେଲେ Human Elements ଗୁଡ଼ିକ କିପରି କାମ କରୁଛି ସେ କଥା ମୋଟେ ଜାଣି ହେବ ନାହିଁ ।

 

ପ୍ରବୋଧ ଦେଖିଲା ସୂର୍ଯ୍ୟ ସିନା ତାକୁ ଚାହିଁଛି, କିନ୍ତୁ ତାର ଉପସ୍ଥିତି ସେ ଅନୁଭବ କରିପାରୁନାହିଁ । ତା ନିଜ ଚିନ୍ତାରେ ସେ ସେହିପରି ମଗ୍ନ ରହିଛି । ପ୍ରବୋଧକୁ ଆଶ୍ଚର୍ଯ୍ୟ ଲାଗିଲା । କାରଣ ଏପରି ଅସ୍ୱାଭାବିକ ଭାବରେ ଅନ୍ୟମନସ୍କ ରହିବା ସେ ପ୍ରଥମଥର ପାଇଁ ସୂର୍ଯ୍ୟଠାରେ ଲକ୍ଷ୍ୟ କଲା । ତାର ମନେହେଲା, ସୂର୍ଯ୍ୟର ବୋଧହୁଏ କିଛି ଗୋଟାଏ ବଡ଼ ଧରଣର mental accident ହୋଇ ଯାଇଛି ।

 

ସେ ଖୁବ୍ ଗୋଟାଏ ବଡ଼ ପାଟିକରି ଡାକିଲା—ସୂର୍ଯ୍ୟ, ଏଠି ତୁ କ’ଣ କରୁଛୁ ?

 

ଏଥର ସୂର୍ଯ୍ୟ ବୋଧହୁଏ ପ୍ରବୋଧକୁ ଚିହ୍ନିପାରିଲା । ସେ ଟିକିଏ ଇତସ୍ତତଃ ହୋଇପଡ଼ି କହିଲା—ଆଚ୍ଛା ପ୍ରବୋଧ । ସବୁ ଯୁଦ୍ଧକୁ ଏଡ଼ାଇ ଦେବାପାଇଁ ପ୍ରଥମ ମହାସମର କରାଯାଇଥିଲା, କିନ୍ତୁ ଦ୍ୱିତୀୟ ମହାସମରକୁ ତ ରୋକି ହେଲା ନାହିଁ ? ଏବେ ପୁଣି ତୃତୀୟ ମହାସମର ନିଶ୍ଚୟ ହେବ ବୋଲି ସମସ୍ତେ ଅନୁଭବ କଲେଣି । ଆଚ୍ଛା କହିଲୁ, ଏ ଯୁଦ୍ଧଖୋର ମଣିଷ ଭିତରୁ ହତ୍ୟା ଆଉ ଲୁଣ୍ଠନର ପ୍ରକୃତିଗୁଡ଼ିକୁ ସିରିଞ୍ଜ ଲଗାଇ ଯଦି ଶୋଷି ନେଇହୁଅନ୍ତା ତା ହେଲେ ଯୁଦ୍ଧର ଉତ୍ତେଜନା ଆଉ ତାର ପ୍ରସ୍ତୁତି ହଠାତ୍ ଉଭେଇ ଯାଆନ୍ତା ନାହିଁ ? କିନ୍ତୁ ସେ ପ୍ରକୃତିଗୁଡ଼ିକ ମଣିଷ ଦେହର କେଉଁ ସେଲ ଗୁଡ଼ିକରେ ଅଛି ମୁଁ ପାଉନାହିଁ । ତୁ ମତେ ଟିକିଏ ସାହାଯ୍ୟ କର । ଏଇ ଦେଖ, ଖପୁରୀ ତଳେ ପଛ ଆଡ଼କୁ ଠିକ୍ ଯେଉଁଠି ବ୍ରେନଟା ଚାବିଦିଆ ଘଣ୍ଟାପରି କାମ କରୁଛି, ମାଇକ୍ରୋସ୍କୋପରେ ତାକୁ ଦେଖା କାଳେ ଯଦି କିଛି ପାଇପାରୁ ।

 

ପ୍ରବୋଧ ଆଉ ସମ୍ଭାଳି ପାରିଲା ନାହିଁ । ଟେବୁଲ ଉପରୁ ସେ କଂକାଳର ଚିତ୍ରଟାକୁ ଟାଣି ନେଇ ସୂର୍ଯ୍ୟର ହାତକୁ ଧରି କହିଲା—

 

ତୋର ଏଇଟା ନିତାନ୍ତ ଅନ୍ୟାୟ ସୂର୍ଯ୍ୟ । ତୋର ଏ ପ୍ରକାର ବ୍ୟବହାରରେ ଆମେ ସବୁ ନିରାଶ ହୋଇଯିବୁ । ଶୋଷଣ ବିରୁଦ୍ଧରେ ସଂଗ୍ରାମ ପାଇଁ ଏ ବିଶାଳ ସେନାବାହିନୀ ହୀନବଳ ହୋଇଯିବ । ତୁ ଟିକିଏ ବିଶ୍ରାମ କର ।

 

ବାଧ୍ୟ ଶିଶୁଟିଏ ପରି ସୂର୍ଯ୍ୟ ଖଟ ଉପର ଶେଯରେ ଶୋଇଗଲା ପ୍ରବୋଧ । ତା ପାଖରେ ବସି ଗପ କରୁ କରୁ ଆସ୍ତେ ଆସ୍ତେ ସୂର୍ଯ୍ୟର ଆଖି ବୁଜି ହୋଇ ଆସିଲା । ସେ ଶୋଇପଡ଼ିଲା ।

 

ଦ୍ୱିପ୍ରହର ସମୟ । ବ୍ରହ୍ମପ୍ରକାଶବାବୁ ଆଜି ରାତି ଗାଡ଼ିରେ ଦାମନ ଯୋଡ଼ି ଫେରିଯିବା କଥା । ସେ ଡାକ୍ତର ଦାସଙ୍କ ସାଙ୍ଗରେ ଡ୍ରଇଂ ରୁମରେ ବସି କ’ଣ ସବୁ କଥା ହେଉଛନ୍ତି । ପ୍ରବୋଧ କୁମାର ସକାଳଠାରୁ ସୂର୍ଯ୍ୟ ପାଖେପାଖେ ଅଛି । ଡାକ୍ତର ଦାସ ବଡ଼ ଚିନ୍ତିତ ହୋଇ ପଚାରିଲେ—ପ୍ରବୋଧ କହୁଥିଲା—ସୂର୍ଯ୍ୟ ବହୁତ ସମୟରେ ଅସ୍ୱାଭାବିକ ଭାବରେ କୁଆଡ଼େ ଅନ୍ୟମନସ୍କ ହୋଇ ପଡ଼ୁଛି । ଆପଣ କିଛି ଅନୁମାନ କରି ପାରୁଛନ୍ତି ବ୍ରହ୍ମପ୍ରକାଶ ବାବୁ ?

 

ବ୍ରହ୍ମପ୍ରକାଶ କହିଲେ—ନା, ସେ ଭଳି କିଛି ମୋ ଆଖିରେ ଧରା ପଡ଼ିନାହିଁ । ତେବେ କମଳା ଦେବୀ ଆଉ ପ୍ରଶାନ୍ତ ପଟ୍ଟନାୟକଙ୍କ ପ୍ରସଙ୍ଗରେ କିଛି କଥା ପଡ଼ିଲେ ତାର କେମିତି ଗୋଟାଏ ଭାବାନ୍ତର ଜନ୍ମେ—ଏକଥା ମୁଁ ପ୍ରବୋଧଠାରୁ ଶୁଣିଛି । ମୁଁ କିଛି ଅନୁମାନ କରିପାରୁ ନାହିଁ ଡାକ୍ତର ଦାସ ।

 

ଡାକ୍ତର ଦାସ କ’ଣ କହିବାକୁ ଯାଉଥିଲେ ବ୍ରହ୍ମପ୍ରକାଶ ବାବୁ କଥାଟାକୁ ଠଉରେଇ ନେଇ କହିଲେ—ମଣିଷ କେତେବେଳେ କି ପ୍ରକାର ଚିନ୍ତାନେଇ ବ୍ୟସ୍ତ କହିହେବ ନାହିଁ; ଅସାଧାରଣ ମଣିଷମାନଙ୍କର ପ୍ରକୃତି ପ୍ରାୟ ଏହିପରି । ପରିପକ୍ୱ ବୟସରେ ଅଭିଜ୍ଞ ଡାକ୍ତର ଆପଣ । ଆପଣଙ୍କ ପକ୍ଷରେ କୌଣସି ଅସ୍ଥିରତା ଶୋଭନୀୟ ନୁହେଁ ।

 

ଡାକ୍ତର ଦାସଙ୍କର ମନତଳେ ଚାପି ରହିଥିବା ସବୁ ଦୁଃଖ ଆଉ ଆଶଙ୍କା ଏକା ଥରକେ ଯେପରି ଠେଲି ହୋଇ ଆସିଲା । ସେ କ୍ଷୀଣ କଣ୍ଠରେ କହିଲେ—

 

ଅସ୍ଥିରତା ମଣିଷର ଅବାଞ୍ଛିତ ଦୁର୍ବଳତା ନିଶ୍ଚୟ । କିନ୍ତୁ ବେଳେବେଳେ ହୃଦୟର ଯନ୍ତ୍ରଣା ତାକୁ ବେଶ୍ ଟପି ଯାଇଥାଏ ବ୍ରହ୍ମପ୍ରକାଶବାବୁ । ସୂର୍ଯ୍ୟ ମୋର ପୁଅ ନୁହେଁ । ସେ ହୁଏତ ଏହାର କିଛି ସୂଚନା ପାଇଛି ଏ ଭିତରେ ।

 

ବ୍ରହ୍ମପ୍ରକାଶ ଶାନ୍ତ କଣ୍ଠରେ କହିଲେ—ହୋଇପାରେ ସେ ଆପଣଙ୍କର ପୁଅ ନୁହେଁ । ପୁଅଭିତରେ ମାନବର କଲ୍ୟାଣ ପାଇଁ ଆପଣ ଯେଉଁ ମଣିଷର ସନ୍ଧାନ କରିଥାନ୍ତେ ସୂର୍ଯ୍ୟ ତା ଠାରୁ ଉଣା ନୁହେଁ । ସେ ଯାହାର ପୁଅ ହେଉ, ଦୁର୍ଗତର ମୁକ୍ତିପାଇଁ ତାର ଜନ୍ମ । ତାକୁ ଆପଣ ନିଜର କରି ସୀମିତ କରିଦେଲେ ଭୁଲ ହେବ । ଚାଲନ୍ତୁ, ସବୁ ଠିକ୍ ହୋଇଯିବ । ସୂର୍ଯ୍ୟ ଶୋଇଛି । ସେ ଶୋଇଥାଉ । ଆମର ଅନେକ କାମ ବାକି ଅଛି । ମୁଁ ଆଜି ଫେରୁନାହିଁ । ସେ ଆଉ କ’ଣ କହିବାକୁ ଯାଉଥିଲେ—ପ୍ରବୋଧ ଆଉ ସୂର୍ଯ୍ୟ ଦୁହେଁ ପଶି ଆସି ପାଖରେ ବସିଲେ ।

 

ସୂର୍ଯ୍ୟକୁ ଚାହିଁ ବ୍ରହ୍ମପ୍ରକାଶବାବୁ ଶାନ୍ତ କଣ୍ଠରେ କହିଲେ—ଜୀବନରେ ଏମିତି ଅନେକ ମୂହୂର୍ତ୍ତ ଥାଏ ଯେଉଁଥିପାଇଁ ମଣିଷ ଜୀବନସାରା ଉଦ୍‌ବିଗ୍ନ ହୋଇ ଚାହିଁ ବସିଥାଏ । କିନ୍ତୁ ମିଳିଗଲାପରେ ତାଠାରୁ ଆଉ କିଛି ମହତ୍ତର କଥା ଆଖି ଆଗରେ ରୂପଧରି ଠିଆ ହୁଏ । କୌଣସିଟା ମିଥ୍ୟା ନୁହେଁ । ପ୍ରତ୍ୟେକଟି ନିଜ ନିଜ ବାଟରେ ମହୀୟାନ । ତେଣୁ ସତ୍ୟ ଯେତେ କଠୋର ହେଲେ ବି ତାକୁ ଆଗ୍ରହରେ ଆଦର କରିବା ମହାନୁଭବତା ସୂର୍ଯ୍ୟ ।

 

ସୂର୍ଯ୍ୟ କିଛି ଜବାବ ଦେଲା ନାହିଁ । ତାକୁ ନୀରବ ରହିବା ଦେଖି ଡାକ୍ତର ଦାସ ଆହୁରି ବ୍ୟସ୍ତ ହୋଇପଡ଼ିଲେ । ସେ ପ୍ରବୋଧକୁ ଲକ୍ଷ୍ୟ କରି କହିଲେ—ସୂର୍ଯ୍ୟ ଆଜି ସକାଳେ ଅଫିସକୁ ଯାଇନାହିଁ, ଅଥଚ ସେ ଜାଣେ ଯେ ଅନେକ କାମ ବାକି ଅଛି । ସାରା ସକାଳବେଳାଟା ଦୁହେଁଯାକ ତା କୋଠରୀରେ ବସି ରହିଛି । ସୂର୍ଯ୍ୟ କେମିତି ଗୋଟାଏ ଖୁବ୍ ଉଦାସ ଦେଖାଯାଉଛି । ଏ ସବୁ ତୁମ ସ୍ୱାଭାବିକ ଆଚରଣର ବ୍ୟତିକ୍ରମ । କାହିଁକି ? କ’ଣ ହୋଇଛି ସୂର୍ଯ୍ୟର ?

 

ସୂର୍ଯ୍ୟ ସେହିପରି ମଳିନ ମୁହଁ ଆଉ ଉଦାସ ଆଖିରେ ଆଗକୁ ଚାହିଁଛି । ତୁଣ୍ଡରେ କଥା ନାହିଁ । ପ୍ରବୋଧ କହିଲା—ମୁଁ ବଡ଼ ଆଶ୍ଚର୍ଯ୍ୟ ହେଉଛି, କିଛି ଠଉରେଇ ପାରୁନାହିଁ ।

 

ବ୍ରହ୍ମପ୍ରକାଶବାବୁ କହିଲେ—ଏଥିରେ ଏତେ ବ୍ୟସ୍ତ ହେବାର କ’ଣ ଅଛି । ଏମିତି ପ୍ରାୟ ହୋଇଥାଏ । ସେ ବୋଧହୁଏ ତା ଯୋଜନାର ଚିନ୍ତା ଭିତରେ କେଉଁଠି ଗୋଟାଏ ସଂକଟର ସମ୍ମୁଖୀନ ହୋଇଛି । ଟିକିଏ ସମୟ ଲାଗିପାରେ, କିନ୍ତୁ ସବୁ ପୁଣି ସଜାଡ଼ି ହୋଇଯିବ । ତେବେ ସମସ୍ୟାଟା ଜାଣିଲେ ହୁଏତ ଆଲୋଚନା କରାଯାଇ ପାରନ୍ତା । କ’ଣ ହୋଇଛି ତୋର ସୂର୍ଯ୍ୟ !

 

ତଥାପି ସୂର୍ଯ୍ୟ ନୀରବ । ସେ ବୋଧହୁଏ କିଛି ଶୁଣି ପାରୁନଥିଲା । ଟେବୁଲ ଉପରେ ଥୁଆ ହୋଇଥିବା ଗୋଟାଏ ମୋଟା ବହିର ପୃଷ୍ଠାପରେ ପୃଷ୍ଠା ଓଲଟାଇବାରେ ସେ ବ୍ୟସ୍ତ !

 

ଡାକ୍ତର ଦାସ କହିଲେ, ସେ ହୁଏତ କିଛି ଜବାବ ଦେଇ ପାରିବ ନାହିଁ । ମିଥ୍ୟାର ଆବରଣ ତଳେ ଯେ ସତ୍ୟ ଟିକକ ଏପର୍ଯ୍ୟନ୍ତ ଲୁଚି ରହିଥିଲା, ଆଜି ହୁଏତ ସେ ତାର ଆପଣାର ରୂପଧରି ତା ସାମନାରେ ଠିଆ ହୋଇଛି । ରାତିର ଶେଷ ପ୍ରଭାବରେ ସ୍ନିଗ୍‌ଧ ମଳୟ ଆନନ୍ଦରେ ତାକୁ ପୁଲକିତ କରିବାକୁ ହାତ ଟେକି ଉଭାହୋଇଛି । ସେ କିନ୍ତୁ କ୍ଳାନ୍ତ । ତାର ବିଶ୍ରାମ ଦରକାର । ସତ୍ୟ ଯେତେ କଠୋର ହେଲେବି ତାକୁ ଆଦର କରିବା ମହାନୁଭବତା । ଏଇ ଟିକିଏ ଆଗରୁ ଆପଣ ଏକଥା କହୁଥିଲେ ନା ବ୍ରହ୍ମପ୍ରକାଶବାବୁ ! ସେ ବୋଧହୁଏ ସେଇ କଥା ଭାବୁଛି । ଯାହାପାଇଁ ଏ ସବୁ ଅଚଳାଚଳ ସମ୍ପତ୍ତି, କୋଠାବାଡ଼ି ବ୍ୟାଙ୍କ ବାଲାନ୍‌ସ ସେ ଆଜି ମୋ ପାଖରେ କୁଣିଆ । ହେଲେ ଯାହା ଦେଇଛି, ଫେରେଇ ନେଇ ମୁଁ ବା କ’ଣ କରିବି ଯେ ସବୁ ! ଜନ କଲ୍ୟାଣ ଟ୍ରଷ୍ଟ କରି ମୁଁ ତାକୁ ଆନନ୍ଦରେ ଟେକି ଦେଉଛି ଏଇ ସୂର୍ଯ୍ୟ ଆଉ ପ୍ରବୋଧ ହାତରେ । ମୋର ଏଣିକି ଛୁଟି । ସୂର୍ଯ୍ୟ ମଣିଷ ହୋଇଛି, ସେଇ ମୋର ଯଥେଷ୍ଟ । ମୁଁ ଖୁବ୍ କ୍ଳାନ୍ତ । ମୋର ବି ବିଶ୍ରାମ ଦରକାର ।

 

ସୂର୍ଯ୍ୟର ଖିଆଲ ଭାଙ୍ଗିଗଲା । ସେ କରୁଣ ଆଖିରେ ବାପାଙ୍କ ଆଡ଼େ ଚାହିଁ କହିଲା—ବାପା ! ଆପଣଙ୍କର ଅନୁମାନ ସତ୍ୟ ହେଲେ ବି ଉଭୟଟା ସତ୍ୟ । ମୋର ମୋହ କଟିଯାଇଛି । ଆପଣ ବ୍ୟସ୍ତ ହେବେ ନାହିଁ । ଆମ ଆଗରେ ଅନେକ କାମ । ମୁଁ ପ୍ରବୋଧକୁ ନେଇ ଅଫିସ ଯାଉଛି ।

 

ବ୍ରହ୍ମପ୍ରକାଶ କିଛି ବୁଝିପାରିଲେ ନାହିଁ । କିନ୍ତୁ ଆଶ୍ଚର୍ଯ୍ୟର କୌଣସି ଭାବ ତାଙ୍କ ମୁହଁରେ ଦେଖାଗଲା ନାହିଁ । ସେ କେବଳ ସ୍ୱସ୍ତିରେ ନିଃଶ୍ୱାସଟିଏ ମାରି କହିଲେ—ହଁ, ଅନେକ କାମ ବାକି ପଡ଼ିଗଲାଣି । ତୁମେ ଦୁହେଁ ଅଫିସଆଡ଼େ....

 

ତାଙ୍କର କଥା ଶେଷ ହୋଇ ପାରିଲା ନାହିଁ । ବାହାରେ କବାଟ ବାଡ଼େଇବାର ଶବ୍ଦ ଶୁଣାଗଲା । ପ୍ରବୋଧ କବାଟ ଖୋଲିଦେଲେ—

 

ବିବ୍ରତ ଅବସ୍ଥାରେ ଭିତରକୁ ପଶିଆସି ପ୍ରଶାନ୍ତ ପଟ୍ଟନାୟକ ଅନୁନୟ କଲେ—ଜଲ୍‌ଦି ଆସନ୍ତୁ ଆଜ୍ଞା । ମାଳ ବିଷ ଖାଇ ବେହୋସ ହୋଇ ପଡ଼ିଛି । ଡାକ୍ତର ମହାପାତ୍ର ଦେଖୁଛନ୍ତି । କିନ୍ତୁ କିଛି ଫଳ ହେଉନାହିଁ ।

 

ଅବାକ୍ ହୋଇ ସମସ୍ତେ ପରସ୍ପରକୁ ଥରେ ମାତ୍ର ଚାହିଁ ଦେଇ ଧାଇଁଗଲେ ହସପିଟାଲ ଆଡ଼କୁ । ସୂର୍ଯ୍ୟ ସ୍ତମ୍ଭୀଭୂତ ହୋଇ କିଛି ସମୟ ଠିଆହୋଇ ରହିଲା । ତାର ମନେ ହେଲା ଚତୁର୍ଦ୍ଦିଗରୁ ଯେପରି ଶହ ଶହ ନିରୀହା ମାଳର କରୁଣ ଆର୍ତ୍ତନାଦରେ ତା ମୁଣ୍ଡଟା ଫାଳ ଫାଳ ହୋଇ ଫାଟିପଡ଼ୁଛି । ଦୁଇ ହାତରେ ସେ ମୁଣ୍ଡଟାକୁ ଖୁବ୍ ଜୋରରେ ଚାପି ଧରିବାକୁ ଚେଷ୍ଟା କଲା । କିନ୍ତୁ ପାରିଲା ନାହିଁ । ଥକ୍‌କା ମାରି ସେ ବସିପଡ଼ିଲା । ପରମୁହୂର୍ତ୍ତରେ ପୁଣି ସେ ପ୍ରକୃତିସ୍ଥ ହୋଇଗଲା ତାର ମନେହେଲା—ମାଳକୁ ବଞ୍ଚାଇବା ପାଇଁ ସେ ତାର ସମସ୍ତ ଶକ୍ତି ଦେଇ ଚେଷ୍ଟା କରିବ । ହସପିଟାଲରେ ସେ ପହଞ୍ଚି ଦେଖିଲା ମାଳ କମଳାଦେବୀଙ୍କ କୋଳରେ ମଥା ରଖି ଶୋଇଛି । ଚାରିପାଖରେ ସମସ୍ତେ ଘେରି ରହିଛନ୍ତି । ରକ୍ତ ମିଶା ବାନ୍ତି କିଛି ବୋହି ଆସି ମୁହଁଟିକୁ ବିବର୍ଣ୍ଣ କରିଦେଇଥିଲେ ବି ଆଖି ଦୁଇଟି ପ୍ରଶାନ୍ତିର କୋମଳତାର ମେଲାଇ ହୋଇ ରହିଛି । ପାଖରେ ଡକ୍‌ଟର ମହାପାତ୍ର ଆଉ ନର୍ସ । ଡାକ୍ତର ଦାସଙ୍କୁ ଦେଖି ସେ ଘୋଷଣା କଲେ ସି ଇଜ୍ ଡେଡ଼୍ ସାର୍ ।

 

ମା’..........ଚିତ୍କାର କରି ସୂର୍ଯ୍ୟ ଲୋଟିପଡ଼ିଲା ମାଳର ଶବ ଉପରେ । କାହାରି ଉପସ୍ଥିତି ସେ ଅନୁଭବ କରିପାରିଲା ନାହିଁ । କେବଳ ମା’ ମା’ ଚିତ୍କାରରେ ପ୍ରକମ୍ପିତ କରି ସେ ତାର ମାତୃସ୍ନେହ-ତୃଷିତ ହୃଦୟକୁ କିଛିକ୍ଷଣ ପାଇଁ ବିଦୀର୍ଣ୍ଣ କରିଦେଲା । ସେ ଶୋକାକୁଳ ପରିବେଶରେ କେବଳ ଅବିଚଳିତ ଥିଲେ ବ୍ରହ୍ମପ୍ରକାଶ ଦାସ । କେହି କିଛି ବୁଝିପାରିଲେ ନାହିଁ । ବ୍ରହ୍ମପ୍ରକାଶ ଆଶ୍ଚର୍ଯ୍ୟ ହୋଇ ପଚାରିଲେ—ମା ! କାହାର ?

 

ପ୍ରଶାନ୍ତ ପଟ୍ଟନାୟକ ନିତାନ୍ତ ଅସହାୟ ଭାବରେ ଆର୍ତ୍ତକଣ୍ଠରେ କହିଲେ—ହଁ, ଏଇ ସୂର୍ଯ୍ୟର ସେ ମା । ଆଉ ମୁଁ ତାର.....ନା ନା, ମୋ ଭଳି ପାପୀଟାଏ ତାର ବାପ ବୋଲି ପରିଚୟ ଦେଇପାରିବି ନାହିଁ । ସେ ନିଷ୍କଳଙ୍କ । ସମସ୍ତଙ୍କର ଗର୍ବର ଧନ । ତା ପରେ ସେ ସୂର୍ଯ୍ୟ ଆଡ଼କୁ ଚାହିଁ କାତର କଣ୍ଠରେ କହିଲେ—ମତେ ମୁକ୍ତି ଦେ ସୂର୍ଯ୍ୟ । ତୋ ଭଳି ପୁଅ ଆଉ ମାଳ ଭଳି—ସ୍ତ୍ରୀ ହଁ ହଁ, ସେ ମୋର ସ୍ତ୍ରୀ—ମୋତେ ଜନ୍ମଜନ୍ମାନ୍ତରେ ମିଳୁ; କିନ୍ତୁ ମୋ ଭଳି ପଶୁ, ସମାଜର କଳଙ୍କ ତୁମକୁ ବାପ ଆଉ ସ୍ୱାମୀ ଭାବରେ ନ ମିଳୁ । ଏ ପାପର ପ୍ରାୟଶ୍ଚିତ ନାହିଁ ମୁଁ ଜାଣେ । ଗଙ୍ଗାରେ ଝାସ ଦେଇ ପବିତ୍ର ଗଙ୍ଗାକୁ କଳୁଷିତ କଲେ ମଧ୍ୟ ମୋର ମୁକ୍ତି ନାହିଁ । ମଦନ ଆଉ କମଳା ବଞ୍ଚିଲେ କେବଳ ତୋ’ରି ପାଇଁ ସୂର୍ଯ୍ୟ । କିନ୍ତୁ ଅଲକ୍ଷ୍ୟରେ ଯିଏ ସବୁ ଦେଇଗଲା, ସେ ଚାଲିଗଲା—ଖାଲି ଦେଇଯିବାକୁ ସେ ଆସିଥିଲା ଏ ଦୁନିଆଁକୁ ।

 

ବ୍ରହ୍ମପ୍ରକାଶବାବୁ ! ଆପଣଙ୍କ ପାଖରେ ବି ମୁଁ କମ୍ ଅପରାଧ କରିନାହିଁ । ପ୍ରଜ୍ଞା ଭଳି ଝିଅର ସର୍ବନାଶ କରିବାକୁ ରବିଶଙ୍କରକୁ ହାତ କରି ମୁଁ କି ପାପ ନ କରିଛି । କିନ୍ତୁ ଧର୍ମବଳରୁ ସେ ନିଷ୍ପାପ ଝିଅଟି ଅଗ୍ନିରୁ ବାହାରି ଶୁଦ୍ଧ ସୁବର୍ଣ୍ଣ ପରି ଅଧିକ ଦୀପ୍ତିରେ ଝଟକୁଛି । ତାକୁ କହିବେ ବ୍ରହ୍ମପ୍ରକାଶବାବୁ, ଏ ପାପୀ ପୁଅଟାକୁ ସେ ଘୃଣା କରିବ ନାହିଁ । ତା ପାଦଧୂଳି ଦେଇ ସେ ମୋତେ କ୍ଷମା କରିଦେବ । ହଁ, ଆପଣ ମହତ ଆଉ ଉଦାର । ସେଇ ଗଛର ଫଳ ତ, ସେ ମୋତେ ନିଶ୍ଚୟ କ୍ଷମା କରିଦେବ । ରବିଶଙ୍କର ହୁଏତ ଦିନେ ଆସିବ । ତା ପାପର ଫଳ ସେ ଭୋଗୁଛି । ପୂଜରକ୍ତରେ ଘାଣ୍ଟି ହୋଇ ଗଳିତ କୁଷ୍ଠରେ ସେ ଭୋଗୁଛି ନରକ ଯନ୍ତ୍ରଣା; ଆଉ କମଳା, ତୁମକୁ ଜୀବନସାରା ମୁଁ ଅନେକ ଦୁଃଖ ଦେଇଛି । କାନ୍ଦି କାନ୍ଦି ଏବେ ବି ତୁମ ଆଖିରୁ ଲୁହ ଶୁଖିନାହିଁ । ତୁମେ ମତେ କ୍ଷମା କରିଦେବ କମଳା । ମୋର ସମସ୍ତ ସମ୍ପତ୍ତି ମୁଁ ଦେଇଯାଉଛି ସୂର୍ଯ୍ୟ ହାତରେ ଜନକଲ୍ୟାଣ ଟ୍ରଷ୍ଟକୁ । ପାପର ଧନ ବୋଲି ଘୃଣା କରିବୁ ନାହିଁ ସୂର୍ଯ୍ୟ ।

 

ସେ ଆଉ କିଛି କହିପାରିଲେ ନାହିଁ । ଟିକିଏ ରହିଯାଇ ଖୁବ୍ ଜୋରରେ ପାଗଳଙ୍କ ପରି ହୋ ହୋ ହୋଇ ହସିଉଠିଲେ । ତାପରେ ଦୁଇ ହାତରେ ମୁଣ୍ଡର ବାଳଗୁଡ଼ିକୁ ମୁଠାଇ ଧରି ଦଉଡ଼ି ପଳାଇଗଲେ ହସପିଟାଲର ବାହାରକୁ ପ୍ରଳାପ କରି କରି ।

 

ସୂର୍ଯ୍ୟ ଯେମିତି ଜଡ଼ ପାଲଟି ଯାଇଛି । ସେ କ୍ଷୀଣ କଣ୍ଠରେ ମାଳର ଶବକୁ ଚାହିଁ କରୁଣ ଭାବରେ କହିଲା—ତୁ ଆଉ ଉଠିବୁ ନାହିଁ ମା !

 

ବ୍ରହ୍ମପ୍ରକାଶ ସାନ୍ତ୍ୱନା ଦେଇ କହିଲା—ନା, ସେ ଆଉ ଉଠିବ ନାହିଁ ସୂର୍ଯ୍ୟ । ସବୁ ଅପମାନକୁ ହସି ହସି ସହି ନେଇ ସେ ତା’ର ମା’ର କର୍ତ୍ତବ୍ୟ କରିଛି ବସୁନ୍ଧରା ଭଳି । ଦେଖୁନାହୁଁ ! ମାତୃତ୍ୱର ସଫଳତାରେ ସେ କେମିତି ତୃପ୍ତିରେ ଶୋଇଛି । ସବୁ ସ୍ନେହ ଆଉ ମମତାକୁ ଠୁଳ କରି ଆଖିରେ ତାର ଆଶୀର୍ବାଦର ଇଙ୍ଗିତ ଦେଖିପାରୁଛୁ ସୂର୍ଯ୍ୟ ।

 

ବାର

 

ସୂର୍ଯ୍ୟକୁମାରର ନେତୃତ୍ୱରେ ପରିଚାଳିତ ସ୍ୱେଚ୍ଛାସେବକ ସଂଗଠନଗୁଡ଼ିକର ଆଜି ରାଜ୍ୟସ୍ତରୀୟ ସମ୍ମେଳନ । ଓଡ଼ିଶାର ସବୁ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଡେଲିଗେଟ୍‌ମାନେ ଆଗରୁ ଆସି କାମରେ ଲାଗିଗଲେଣି । ପନ୍ଦର ଦିନ ହେଲା ଦିନରାତି କାମ ଚାଲିଛି । ଗାଁକୁ ଗାଁ ଚାନ୍ଦା କରି ଲୋକେ ଶଗଡ଼ ଶଗଡ଼ ଚୁଡ଼ା ଚାଉଳ, ପନିପରିବା ବୋହିବାରେ ବ୍ୟସ୍ତ । ପ୍ରବୋଧକୁମାର, ସୂର୍ଯ୍ୟକୁମାର, ବ୍ରହ୍ମପ୍ରକାଶବାବୁ, ଡାକ୍ତର ଦାସ, ମଦନ, ଅମ୍ୱିକା, ପ୍ରଜ୍ଞା ଆଉ କମଳାଦେବୀ ନିଜ ନିଜର ଦାୟିତ୍ୱ ବାଣ୍ଟି ନେଇ ଅଣନିଃଶ୍ୱାସୀ ହୋଇ କାମରେ ଲାଗିଛନ୍ତି । ହଜାର ହଜାର ଲୋକ ରହିଲା ଭଳି ଶହ ଶହ ସଂଖ୍ୟାରେ ଛାଉଣୀମାନ ତିଆରି ଚାଲିଛି । କାହାରିକୁ ଫୁରସତ ନାହିଁ । ନୂଆ ଦଳର ନାମ କ’ଣ ହେବ, ତାର ନୀତି ଏବଂ ଆଦର୍ଶ କ’ଣ ହେବ ଇତ୍ୟାଦିର ଟିକିନିଖି ଚିଠା ସବୁ ଗତ ତିନିଦିନ ଧରି ବ୍ରହ୍ମପ୍ରକାଶ, ଡାକ୍ତର ଦାସ, ପ୍ରବୋଧକୁମାର ଓ ସୂର୍ଯ୍ୟକୁମାର ପ୍ରସ୍ତୁତ କରି ରଖିଛନ୍ତି । ତିନିଦିନ ଧରି ଅଧିବେଶନର ଆଲୋଚନା ପରେ ସେ ସବୁ ଘୋଷଣା କରାଯିବ ।

 

ସୂର୍ଯ୍ୟର ଆହ୍ୱାନରେ କି ମନ୍ତ୍ର ଥିଲା କେଜାଣି, ସ୍କୁଲ କଲେଜର ଛାତ୍ରଛାତ୍ରୀ ପୁରପଲ୍ଲୀର କୃଷକ, କ୍ଷେତ ମଜୁରୀଆ, କଳକାରଖାନା ଆଉ ଖାଦାନର ଶ୍ରମିକମାନେ ମୁକ୍ତିପାଗଳ ପରି ଧାଇଁଛନ୍ତି ରାଜଧାନୀ ଭୁବନେଶ୍ୱରକୁ । ଜୟ ଜୟ ଧ୍ୱନିରେ ଆକାଶ ପାତାଳ ପ୍ରକମ୍ପିତ । ରାସ୍ତା ଘାଟରେ ଲୋକ ଭିଡ଼ ଥାଟପଟାଳି ଭାଙ୍ଗୁଛି । ଲୋକଶକ୍ତିର ଏ ଅପୂର୍ବ ପଟୁଆର ଦେଖି ମନେ ହେଉଛି, ଓଡ଼ିଶାର ସବୁ ଗାଁ ଯେପରି ଖାଲି ହୋଇଯାଇଛି । ନିରାଡ଼ମ୍ୱର ସଭାସ୍ଥଳୀଟି ଆୟତନରେ ପ୍ରକାଣ୍ଡ ।

 

ଆବଦ୍ଧ ଜଳଭଣ୍ଡାରର ବିରାଟ ବନ୍ଧ ଭାଙ୍ଗିଲା ପରି ଉତ୍‌ପୀଡ଼ିତ ଜନସ୍ରୋତ ଦେଖି କ୍ଷମତାରେ ପ୍ରମତ୍ତ ସାମନ୍ତମାନଙ୍କର ହୃତ୍‌ପିଣ୍ଡ ଦୋହଲୁଛି । ହତାଶା ଆଉ ଆଶଙ୍କାରେ ଜର୍ଜରିତ ଶାସନର ବଡ଼ପଣ୍ଡାମାନେ ଗୁଳିଗୋଳା କମାଣରେ ସୁସଜ୍ଜିତ ରହିବାକୁ ପୋଲିସ ଆଉ ସୈନ୍ୟବାହିନୀକୁ କଡ଼ା ହୁକୁମ ଦେଇଛନ୍ତି । କାନ୍ଧରେ ବନ୍ଧୁକ ପକାଇ ବିଶାଳ ପୋଲିସବାହିନୀ ରାଜଧାନୀର ରାସ୍ତାଘାଟରେ ପଇଁତରା ମାରୁଛନ୍ତି ନିତାନ୍ତ ବେପରୁଆ ଭାବରେ ଲିଭିଆସୁଥିବା ଦୀପର ଶେଷ ଅଗ୍ନିଶିଖା ପରି ।

 

ଶହେ ଚଉରାଳିଶ ଧାରା ଘୋଷଣା କାନ ଅତଡ଼ା ଖସାଇ ଦେଉଛି । ହାଲା ଗାଡ଼ିର ଗର୍ଜନ ସାଙ୍ଗକୁ ଡାକବାଜୀ ଯନ୍ତ୍ରର ଉଦ୍ଧତ ଫୁତ୍‌କାର । ବିଜୁଳି ଆଉ ଜନସ୍ୱାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ—ପାଣି ଆଉ ଆଲୁଅ ମିଳିବ ନାହିଁ ।

 

ସାମନାରେ ଲକ୍ଷ ଲକ୍ଷ ନିରସ୍ତ୍ର ଜନତା । କାଳ କାଳର ପୁଞ୍ଜିଭୂତ ଶୋଷଣର ମୁକ୍ତି କ୍ଷୁଧା, କ୍ଷମତାର ଏ ତୁଚ୍ଛ ଅହଂକାରକୁ ଖାତିର ନ କରି ଆଗକୁ ମାଡ଼ି ଚାଲିଛି । ଦ୍ୱିତୀୟ ମହାଯୁଦ୍ଧରେ ମିତ୍ରଶକ୍ତିର ଆଗୁଆ ବାହିନୀ ଭଳି । କ୍ଷମତାର ସମସ୍ତ ସମ୍ମିଳିତଶକ୍ତି ଆଜି ଏମାନଙ୍କପାଖରେ ସାମାନ୍ୟ ଶୁଷ୍କତୃଣଖଣ୍ଡ ପରି । ହଠାତ୍ ଆବାଜ ହେଲା—ନିଷିଦ୍ଧ ଅଞ୍ଚଳରେ ଏ ଅବୈଧ ଗଣସମାବେଶ ଶାନ୍ତିଭଙ୍ଗ କରୁଛି । ତୁରନ୍ତ ଚାଲିଯାଅ, ନ ହେଲେ ବଳ ପ୍ରୟୋଗ କରି ବାହାର କରିଦେବା ପାଇଁ ସି. ଆର. ପି. ପ୍ରସ୍ତୁତ ଅଛନ୍ତି ବନ୍ଧୁକ ହାତରେ ।

 

ଡାକବାଜି ଯନ୍ତ୍ରରେ ସଭାମଞ୍ଚରୁ ଜବାବ ଦେଲା ସୂର୍ଯ୍ୟ—ନିରୀହ ନିରସ୍ତ୍ର ଜନତା ଉପରେ କର୍ତ୍ତୃତ୍ୱର ଏ ଅହଂକାର ଆଜି ନୂଆ କଥା ନୁହେଁ । କିନ୍ତୁ ସବୁ କାଳରେ ଜନତାର ବିଜୟ ସୁନିଶ୍ଚିତ । ବଞ୍ଚିବାର ସର୍ବନିମ୍ନ ଦାବୀ ଆମର ଜନ୍ମଗତ ଅଧିକାର । ଆମେ ମୁକ୍ତି ଚାହୁଁ ଅନ୍ୟାୟ, ଅତ୍ୟାଚାର ଆଉ ଶୋଷଣରୁ । ଦାନା କନାର ମେହେନତକାରୀ ଏ ନିରୀହ ଜନତାକୁ ଗୁଳିଚୋଟରେ ଜବାବ ଦେବ କିଏ ? ଆମରି ଭାଇ ବନ୍ଧୁ ଜ୍ଞାତି କୁଟୁମ୍ୱ । ଏଇ ସରକାରୀ ପୋଲିସମାନେ ତ ? ଜନତା ଭିତରୁ ଜବାବ ମିଳିଲା—ପୋଲିସ ସାଙ୍ଗରେ ଆମେ ବଳ କଷିବାକୁ ଚାହୁଁନା । ଆମେ ଶାନ୍ତିପୂର୍ଣ୍ଣ ଭାବରେ ଅନ୍ୟାୟ ଆଉ ଶୋଷଣର ବିରୋଧ କରିବାକୁ ଚାହୁଁ । ଆମର ଦାବୀ ପୂରଣ ହେଉ । ଜୟ ଜନତା ଜୟ ଜନତା ।

 

ଜୟ ଜୟ ଧ୍ୱନିରେ ପ୍ରକମ୍ପିତ କରି ଆଗକୁ ମାଡ଼ି ଚାଲିଛି ଜନତାର ପ୍ରବଳ ପଟୁଆର । ନାନା ଧ୍ୱନି ଆଉ କୋଳାହଳରେ ସାରା ରାଜଧାନୀ ଫାଟିପଡ଼ୁଛି । ନିରସ୍ତ୍ର ହେଲେ ବି, ଅନ୍ତଃସ୍ଥଳର ଉଦବେଳନରେ ଥରେ ମାତି ପାରିଲେ ସମୁଦ୍ର ଜୁଆରଠାରୁ ଆହୁରି ଉଦ୍ଦାମ ଏବଂ ଭୟଙ୍କର ହୋଇ ଉଠେ ଜନତାର ସମ୍ମିଳିତ ସାମର୍ଥ୍ୟ । ଏଭଳି ଅବସ୍ଥାରେ ଦୁର୍ନୀତିଗ୍ରସ୍ତ ସରକାରଙ୍କର ନୈତିକ ବଳର ବିପର୍ଯ୍ୟୟ ହେବା ସ୍ୱାଭାବିକ । କିନ୍ତୁ ହତାଶା ହିଂସାର ଇନ୍ଧନ ।

 

ସରକାରଙ୍କର ସବୁ ସତର୍କ ବାଣୀ ବ୍ୟର୍ଥ । ଜନତାର ପଟୁଆର ମଞ୍ଚସ୍ଥଳରେ ପହଞ୍ଚିବାକୁ ଆଉ ଅଳ୍ପ ଦୂର ବାକି ଅଛି । ଆଦେଶ କଣ୍ଠରେ ଡାକବାଜିଯନ୍ତ୍ର ଗର୍ଜିଉଠିଲା—ଫାୟାର, ଫାୟାର । କିନ୍ତୁ କି ଅଦ୍ଭୁତ ! ଗୋଟିଏ ହେଲେ ଲାଠି ଉଠିଲା ନାହିଁ କି ବନ୍ଧୁକର ଗୁଳି ଫୁଟିଲା ନାହିଁ । ଗଣତାନ୍ତ୍ରିକ ପଦ୍ଧତିରେ ଶାନ୍ତ୍ରିପୂର୍ଣ୍ଣ ଶୋଭାଯାତ୍ରା ଉପରେ ଗୁଳି ଚଳାଇବାକୁ ସରକାରୀ ଆଦେଶକୁ ପ୍ରତ୍ୟାଖ୍ୟାନ କଲା ପୋଲିସବାହିନୀ । କାରଣ ସେମାନେ ବି ଏଇ ଦେଶର ମଣିଷ । ଚାକିରି କଲେ ବି ଦେଶର ସେବାରେ ସେମାନେ ନିଯୁକ୍ତ । ସେମାନେ ଜାଣନ୍ତି, ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ହତ୍ୟା ପାପ । ସମାଜର କଲ୍ୟାଣ ପାଇଁ ପାପୀର ହତ୍ୟା ପୁଣ୍ୟ କାମ । କିନ୍ତୁ ଏ ଜନତା ପାପୀ ନୁହେଁ । ଖାଦ୍ୟ ଆଉ ବସ୍ତ୍ରର ସର୍ବ ନିମ୍ନ ଦାବୀ ପାଇଁ ଶାନ୍ତିର ପଟୁଆର । ତେଣୁ ସରକାରଙ୍କର ଅନ୍ୟାୟ ଆଦେଶ ମାନନ୍ତେ କାହିଁକି ? ପୋଲିସ ବାହିନୀର ଏ ଅଦ୍ଭୁତ ସହାନୁଭୂତି ଆଉ ବିଚାରବୋଧ ଦେଖି ସୂର୍ଯ୍ୟ ବିସ୍ମିତ ହେଲା । ସେ ସଭା ମଞ୍ଚରୁ ବିନୀତ ଭାବରେ ଅନୁରୋଧ ଜଣାଇଲା—ପୋଲିସର କର୍ତ୍ତବ୍ୟବୋଧ ଆଉ ଦେଶ ପ୍ରୀତିରେ ଭାରତ ବର୍ଷର ଇତିହାସ ଆଜି ମହିମାମୟ ହୋଇ ଉଠିଛି । କ୍ଷୁଧିତ ଜନତାର ମୁକ୍ତି ସଂଗ୍ରାମରେ ପୋଲିସର ଏ ଉଦାରତା ଆଦର୍ଶ ହୋଇ ରହିବ । କିନ୍ତୁ ଏଠାରେ ଅନେକ ଅସାମାଜିକ ଗୁଣ୍ଡାମାନେ ସାମାନ୍ୟ ସ୍ୱାର୍ଥ ପାଇଁ ଛଦ୍ମବେଶରେ ଅନୁପ୍ରବେଶ କରିଛନ୍ତି । ସେମାନେ ଜନମତକୁ ବିଭ୍ରାନ୍ତ କରିବା ପାଇଁ ଶାନ୍ତି ବ୍ୟାହତ କରିପାରନ୍ତି । ସେମାନଙ୍କ କବଳରୁ ନିରାପତ୍ତା ରକ୍ଷା କରିବା ପାଇଁ ମୁଁ ଅନୁରୋଧ କରୁଛି । ଜୟ ଜୟ ଧ୍ୱନିରେ ପୁଣି ଚତୁର୍ଦ୍ଦିଗ କମ୍ପି ଉଠିଲା ।

 

ସଭାଚାଲିଛି । ତିନିଦିନ ଧରି ଅଧିବେଶନର ଆଲୋଚନାରେ ଅସଂଖ୍ୟ କୃଷକ, ଶ୍ରମିକ, ଛାତ୍ର ନେତା ଗଳା ଫଟେଇ ଦାବୀ ଜଣାଉଛନ୍ତି । ପରାମର୍ଶ ବି ଦେଉଛନ୍ତି । ରାଜନୈତିକ ଓ ଅର୍ଥନୈତିକ ପ୍ରସ୍ତାବଗୁଡ଼ିକ ବିପୁଳ ହର୍ଷଧ୍ୱନି ମଧ୍ୟରେ ସମର୍ଥିତ ହେବାରେ ଲାଗିଛି । ଉଦବେଳିତ ଜନତାର କୋଳାହଳ ଭିତରୁ ‘‘ଅତ୍ୟାଚାରୀ ସରକାର ଗାଦି ଛାଡ଼, ଗାଦି ଛାଡ଼’’ର ଚିତ୍କାର ସମସ୍ତ ବାୟୁମଣ୍ଡଳକୁ ମଥିତ କରିଦେଉଛି ।

 

ଅଧିବେଶନର ଆଜି ଶେଷ ଦିନ । ସୂର୍ଯ୍ୟ ବିନୀତ ଭାବରେ ସଭାମଞ୍ଚ ଉପରେ ମାଇକ୍ରୋଫୋନ୍ ପାଖରେ ଆସି ଠିଆ ହେଲା । ଉପସ୍ଥିତି ଜନତାକୁ ଯୋଡ଼ ହସ୍ତରେ ସ୍ୱାଗତ ଜଣାଇ ସେ ଆରମ୍ଭ କଲା ତାର ସଂକ୍ଷିପ୍ତ ଭାଷଣ । ତାପରେ ଜନତାର ଅନୁମୋଦନ ପାଇଁ ସେ ବାଢ଼ିବସିଲା ତା ନୂଆ ଦଳର ଗୋଟିକ ପରେ ଗୋଟିଏ ଇସ୍ତାହାର ।

 

୧ । ଦେଶର ପ୍ରତ୍ୟେକ ଶିଶୁ ପାଇଁ ସର୍ବନିମ୍ନ ଶିକ୍ଷା ହେବ ମାଟ୍ରିକ୍ୟୁଲେସନ ଓ ତାହା ବାଧ୍ୟତାମୂଳକ ହେବ ।

 

୨ । ଅସଂଖ୍ୟ ପ୍ରକାରର ପ୍ରଚଳିତ ଶିକ୍ଷାନୀତିକୁ ଲୋପ କରି ଜାତୀୟ ଜୀବନର ଏକିକରଣ ପାଇଁ ଗୋଟିଏ ପ୍ରକାରର ଶିକ୍ଷାନୀତି ପ୍ରଚଳନ କରାଯିବ । ମାତୃଭାଷାକୁ ସଂବୃଦ୍ଧ କରାଯିବ ଏବଂ ଇଂରେଜୀ ସରକାରୀ ଭାଷା ହୋଇ ରହିବ ।

 

୩ । ପ୍ରତ୍ୟେକ ସକ୍ଷମ ବ୍ୟକ୍ତିର ଅଧିକାର ତା’ର ଦାୟିତ୍ୱ ସହିତ ସଂପୃକ୍ତ ହେବ ।

 

୪ । ଯୋଜନାର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ କରାଯିବ ଏବଂ ରାଷ୍ଟ୍ରୀୟ ଦାୟିତ୍ୱରେ ଦୁର୍ବଳକୁ ମଧ୍ୟବିତ୍ତରେ ପରିଣତ କରାଯିବ ।

 

୫ । ସମସ୍ତ ବିଜ୍ଞାନ କାରିଗରୀ ଭିତ୍ତିକ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ରାଷ୍ଟ୍ରୀୟକରଣ କରାଯିବ ଏବଂ କୁଟୀରଶିଳ୍ପକୁ ପୁନର୍ଜୀବିତ କରି ଭାରୀ ଶିଳ୍ପରେ ତାହା ନିଷିଦ୍ଧ କରାଯିବ ।

 

୬ । ସମସ୍ତ ଚାଷ ଜମିକୁ ଜଳସେଚନର ସୁବିଧା ଦିଆଯିବ ଏବଂ ଛୋଟ ଚାଷୀକୁ ଜଳକର ଛାଡ଼ କରାଯିବ ।

 

୭ । ସମ୍ପତ୍ତିର ସୀମା ନିର୍ଦ୍ଧାରଣ କରାଯିବ ଏବଂ ବଳକା ସମ୍ପତ୍ତିକୁ ବିନା କ୍ଷତିପୂରଣରେ ଦେଶ ହସ୍ତଗତ କରିନେବ ।

 

୮ । ଦେଶର ସମସ୍ତ ଶିଶୁଙ୍କୁ ରାଷ୍ଟ୍ରୀୟ ସମ୍ପଦ ଭାବେ ପ୍ରଯତ୍ନ କରାଯିବ ।

 

୯ । ହରିଜନ ଆଦିବାସୀ ନାମ ଲୋପ କରି ସମସ୍ତ ଦୁର୍ବଳ ଶ୍ରେଣୀକୁ ସମାନ ବିଚାର କରାଯିବ ।

 

୧୦ । ଉତ୍ପାଦନ ଓ ବଣ୍ଟନର ବ୍ୟବସ୍ଥାକୁ ସମତୁଲ କରାଯିବ ।

 

୧୧ । ସବୁ ଧର୍ମ ପ୍ରତି ସମାନ ବିଚାର କରାଯିବ ଏବଂ ଧର୍ମ ପ୍ରତି ହସ୍ତକ୍ଷେପକୁ ଏକ ଅପରାଧ ବୋଲି ଧରାଯିବ ।

 

୧୨ । ସରକାରୀ କର୍ମଚାରୀ ଓ ଉତ୍ପାଦନକ୍ଷମ ମେହନତକାରୀଙ୍କୁ ସମାନ ସୁବିଧା ଓ ନିରାପତ୍ତା ମିଳିବ ।

 

୧୩ । ଦେଶର ବାର୍ଷିକ ଆୟର ଶତକଡ଼ା ତିରିଶ ଭାଗ ପ୍ରଶାସନିକ ପରିଚାଳନା ପାଇଁ ସୀମିତ କରାଯାଇ ଅବଶିଷ୍ଟ ସତୁରୀ ଭାଗ ସମ୍ୱଳ ସାଧାରଣ କଲ୍ୟାଣରେ ବ୍ୟୟ କରାଯିବ ।

 

୧୪ । ସରକାରୀ କର୍ମଚାରୀମାନଙ୍କର ବେତନର ଆକାଶପାତାଳ ବୈଷମ୍ୟକୁ ଦୂର କରାଯାଇ ଏକ ଯୁକ୍ତିଯୁକ୍ତ ସୀମା ମଧ୍ୟରେ ଆବଦ୍ଧ କରାଯିବ ।

 

୧୫ । ଦେଶର ରପ୍ତାନୀ ବାଣିଜ୍ୟକୁ ଉତ୍ସାହିତ କରି ଆମଦାନୀ ନୀତିକୁ ସଙ୍କୁଚିତ କରାଯିବ ।

 

୧୬ । ନିଜର କଞ୍ଚାମାଲକୁ ବ୍ୟବହାର କରି ଯନ୍ତ୍ର ଶିଳ୍ପର ବିକାଶ ପାଇଁ ପ୍ରତ୍ୟେକ ରାଜ୍ୟକୁ ନିରଙ୍କୁଶ କ୍ଷମତା ଦିଆଯିବ ଏବଂ କେନ୍ଦ୍ରୀୟ ନିୟନ୍ତ୍ରଣ କୋହଳ କରାଯିବ ।

 

୧୭ । ପ୍ରତ୍ୟେକ ସକ୍ଷମ ନଗରୀକ ପାଇଁ ନିଯୁକ୍ତି ଏକ ଜନ୍ମଗତ ଅଧିକାର ଭାବେ ସ୍ୱୀକୃତ ହେବ ।

 

ଘନ ଘନ କରତାଳି ଓ ବିପୁଳ ହର୍ଷଧ୍ୱନି ମଧ୍ୟରେ ପ୍ରସ୍ତାବଗୁଡ଼ିକ ଅନୁମୋଦିତ ହୋଇଗଲା ପରେ ସଭା ଶେଷ ହେଲା ।

 

ତେର

 

ଶୋଷଣମୁକ୍ତ ସମାଜବାଦୀ ଦଳର ରାଜ୍ୟସ୍ତରୀୟ ଅଧିବେଶନ ଆଜିକୁ ଛ’ ମାସ ହେଲା ସରିଲାଣି । ତା’ର ଅଭୁତପୂର୍ବ ସଫଳତା ବିଷୟରେ ଏବେ ବି ଲୋକଙ୍କ ପାଟିରୁ କଥା ସରିନାହିଁ । ଖବରକାଗଜଗୁଡ଼ିକରେ ଆଲୋଚନା ଟିକାଟିପ୍‌ପଣୀ ଚାଲିଛି । ଚାରିଆଡ଼ୁ ବିପୁଳ ସମର୍ଥନର ଶହ ଶହ ଚିଠି ଟେଲିଗ୍ରାମ ପ୍ରତିଦିନ ଆସି ଅଜାଡ଼ି ହୋଇ ପଡ଼ୁଛି । ସ୍ୱାଗତ ସମ୍ୱର୍ଦ୍ଧନା ପାଇଁ ବିଭିନ୍ନ ଜାଗାରୁ ନିମନ୍ତ୍ରଣ ପତ୍ରମାନ ଆସିବାରେ ଲାଗିଛି । ଓଡ଼ିଶା ବାହାରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ମଧ୍ୟ ସମର୍ଥନର ସ୍ୱର ଉଠିଲାଣି । ଆସାମ, ପଶ୍ଚିମବଙ୍ଗ ଏବଂ ବିହାରରେ ଦଳର ଉଚ୍ଚ ସଙ୍ଗଠନ ଚାଲିଛି । ପ୍ରାଦେଶିକ ସଙ୍ଗଠନଗୁଡ଼ିକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବା ପାଇଁ ଅନେକ ଅନୁରୋଧ ଆସିଲାଣି । ଅଫିସ କାମ ସବୁ ବହୁତ ବଢ଼ିଯିବାରୁ ଏଇ କେତେଦିନ ହେଲା ନୂଆ କରି ବଡ଼ ଘରଟିଏ ଦାନରେ ମିଳିଛି । ସଙ୍ଗଠନର ବିଭିନ୍ନ କାର୍ଯ୍ୟଗୁଡ଼ିକୁ ନିଜ ନିଜ ମଧ୍ୟରେ ବାଣ୍ଟି ନେଇଥିବାରୁ କାମ ସବୁ ଆଗ ଅପେକ୍ଷା ବେଶ୍ ଶୃଙ୍ଖଳିତ ହୋଇଯାଇଛି । କମଳାଦେବୀ ମହିଳା ସଙ୍ଗଠନ ଦାୟିତ୍ୱରେ ଅଛନ୍ତି । ଅମ୍ୱିକାଦେବୀ ଏବଂ ପ୍ରଜ୍ଞା ତାଙ୍କୁ ସାହାଯ୍ୟ କରୁଛନ୍ତି । ପ୍ରତିଦିନ ଅଫିସ ଦୁଆରେ ଅଧିକରୁ ଅଧିକ ଭିଡ଼ ଜମିବାରେ ଲାଗିଛି ।

 

ସେ ଦିନ ସକାଳ ନ’ଟା ହେବ । ସୂର୍ଯ୍ୟ ମନ ଦେଇ ଚିଠିଗୁଡ଼ିକ ଦେଖୁଛି । ବ୍ରହ୍ମପ୍ରକାଶବାବୁ ଆସି ଚେୟାର ଟାଣି ପାଖରେ ବସିଲେ । ତାଙ୍କୁ ସାମନ୍ୟ ଚିନ୍ତିତ ଥିବା ଦେଖି ସୂର୍ଯ୍ୟ ପଚାରିଲା—ମଦନ କ’ଣ ଆହୁରି ଆସିନାହିଁ ? ପାଞ୍ଚ ଦିନ ତଳେ ଚିଠି ଲେଖିଥିଲା—ବିହାରରେ ସଙ୍ଗଠନ ଖୁବ୍ ସୁରୁଖୁରୁରେ ଚାଲିଛି । ଦୁର୍ନୀତି କୁଆଡ଼େ ସେଠାରେ ଚରମ ଅବସ୍ଥାରେ ପହଞ୍ଚିଲାଣି । ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବା ଏକରକମ ସ୍ୱପ୍ନ ହୋଇଗଲାଣି । ଏଇ ମାସ ପଚିଶ ତାରିଖ ଦିନ ସେଠାରେ ଗୋଟାଏ ବଡ଼ଧରଣର ବିକ୍ଷୋଭ ହେବ ବୋଲି ସେ ମୋତେ ଜଣାଇଥିଲା । ମୋର ସାହାଯ୍ୟ ସେ ଚାହିଁଛି । ତା ପରଠୁଁ ମୁଁ ଆଉ କିଛି ଚିଠିପତ୍ର ତାଠାରୁ ପାଇ ନାହିଁ । ମୁଁ ଭାବୁଛି, ମୋର ସେଠିକୁ ଯିବା ଦରକାର । ଆସାମର ପରିସ୍ଥିତି ଖୁବ୍ ସନ୍ତୋଷଜନକ । ପ୍ରବୋଧ ସେଠାକୁ ଯିବାକୁ ବସିଛି । ମୁଁ ତା ସହିତ ଏକମତ ହୋଇଛି । ସେ ବୋଧହୁଏ ଆପଣଙ୍କୁ ଦେଖା କରି ଚାଲିଯାଇଥିବ । ବାପା ଏଠାରେ ଅଫିସ କାମ ଦେଖାଶୁଣା କଲେ ଚଳିବ । ପଶ୍ଚିମବଙ୍ଗର ଅବସ୍ଥା ଟିକିଏ ଜଟିଳ । ମୁଁ ଭାବୁଛି ଆପଣ ଯଦି ଦୁଇଦିନ ପାଇଁ ଯାଇପାରନ୍ତେ ତେବେ କାମଟା ସୁରୁଖୁରୁରେ ହୋଇପାରନ୍ତା—ଆପଣଙ୍କ ପରାମର୍ଶକୁ ଅପେକ୍ଷା କରି ମୁଁ ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରିନାହିଁ ।

 

ବ୍ରହ୍ମପ୍ରକାଶ କହିଲେ—ସେ ସବୁ ଜାଗାକୁ ଯିବା ଆମର ବିଳମ୍ୱ ହୋଇ ଗଲାଣି । ଚିଠିପତ୍ରର କେବଳ ଉତ୍ତର ଦେଲେ ତ ଚଳିବ ନାହିଁ । ସେମାନେ ଆମର ଉପସ୍ଥିତି ଚାହାନ୍ତି । ତା ଛଡ଼ା ସେଠାରେ ଅବସ୍ଥା ସମ୍ପର୍କରେ ଆମର ବାସ୍ତବ ଧାରଣା ବି ହେବ । ଶୁଣିଲି ପଞ୍ଚାୟତ ନିର୍ବାଚନରେ ବିହାରରେ ଆମ ଦଳ ଶତକଡ଼ା ସତାବନ ଭୋଟ ପାଇ ଜିତିଛନ୍ତି । ସରକାର ନୂଆ ପଞ୍ଚାୟତ ପରିଷଦକୁ କ୍ଷମତା ଦେଉ ନ ଥିବାରୁ ଲୋକେ ଖୁବ୍ ଉତ୍‌କ୍ଷିପ୍ତ ହୋଇପଡ଼ିଛନ୍ତି । ହୁଏତ ସେଠାରେ ହିଂସାକାଣ୍ଡ ଘଟିଯାଇପାରେ । ଏଠି ମଧ୍ୟ ଆମର ‘ମୁକ୍ତିର ପଥ’ କାଗଜଟିକୁ ସରକାର ବେଆଇନ ଘୋଷଣା କରିଛନ୍ତି । ଏଇ ନେ ସରକାରୀ ଆଦେଶନାମା । ସୂର୍ଯ୍ୟ ଟିକିଏ ଚିନ୍ତିତ ହୋଇ କହିଲା—ତାହେଲେ ‘ମୁକ୍ତିର ପଥ’ ଆମର ଆଉ ପ୍ରକାଶ ପାଇବ ନାହିଁ ? ଅବଶ୍ୟ ଏ ଭିତରେ ‘ମୁକ୍ତିର ପଥ’ରେ ଆମେ ଆମର ସବୁ କଥା ପ୍ରାୟ କହିସାରିଛୁ । ତଥାପି ଗୋଟାଏ ମୁଖ୍ୟ କଥାର ଧାରଣା ଏଯାଏ ଲୋକମନରେ ପରିଷ୍କାର ହୋଇନାହିଁ ।

 

ବ୍ରହ୍ମପ୍ରକାଶବାବୁ କହିଲେ—ଏଥିରେ ବ୍ୟସ୍ତ ହେବାର କିଛି ନାହିଁ । ଗତ ସଂଖ୍ୟାର ସମ୍ପାଦକୀୟରେ ସେ କଥାର ତୁ ସୂଚନା ଦେଇଥିଲୁ । କିନ୍ତୁ ତାହା ପରିଷ୍କାର ହୋଇନାହିଁ । ଇଂରାଜୀ ଏଡ଼ିସନଟାରେ ବରଂ ସେ କଥାଟା ସ୍ପଷ୍ଟ ଭାବରେ କୁହାଯାଇଛି । ତେବେ ବର୍ତ୍ତମାନ ଅବସ୍ଥାରେ ‘ମୁକ୍ତିର ପଥ’ ପ୍ରକାଶ ନ ପାଇଲେ ବି ଆମର ବିଶେଷ ଅସୁବିଧା ହେବନାହିଁ । କାଗଜରେ ଛାପି ଲୋକଙ୍କୁ ସିନା କୁହାଯାଇ ପାରିବ ନାହିଁ, ହେଲେ ଲୋକ ସମର୍ଥନ ଯେପରି ଘୋଟିଗଲାଣି, ତାକୁ ସବୁ ଜାଗାରେ ପହଞ୍ଚାଇ ଦେବାକୁ ବେଶି କିଛି କଷ୍ଟ ହେବନାହିଁ । ଗାଁଗହଳରେ ଆମର ସଙ୍ଗଠନ ମାଧ୍ୟମରେ ସେ କଥାଟି କରିହେବ । ପାଞ୍ଚଜଣ ଶୁଣିଲେ ପଚିଶ ଜଣ ଶୁଣିବାକୁ ଅସୁବିଧା ହେବ ନାହିଁ । କାରଣ ତୁଣ୍ଡ ବାଇଦ ସହସ୍ର କୋଶ ।

 

ସୂର୍ଯ୍ୟ କହିଲା—ହଁ, ତା ଛଡ଼ା ବର୍ତ୍ତମାନ ଆଉ କୌଣସି ଉପାୟ ନାହିଁ । ସେଥିପାଇଁ ନିର୍ଦ୍ଦିଷ୍ଟ ପରାମର୍ଶ ସଙ୍ଗଠନର ପ୍ରତ୍ୟେକ ୟୁନିଟ୍ ପାଖରେ ପହଞ୍ଚିବା ଦରକାର । ଅନ୍ତତଃ ଏଇ ବର୍ଷକ ଭିତରେ ସାରା ଦେଶରେ ଏ କଥାଟା ପରିଷ୍କାର ହୋଇଯିବା ଉଚିତ । ଏ କଥା ଖୁବ୍ ଜରୁରୀ । କାରଣ ଆମରି ଭିତରେ ମଧ୍ୟ କାହାରି କାହାରି ମନରେ ଏବେ ବି ସନ୍ଦେହ ଅଛି । ମଦନ ବିହାର ଯିବାପୂର୍ବରୁ ଠିକ୍ ଏଇ ପ୍ରଶ୍ନ ପଚାରିଥିଲା । ମୁଁ ତାକୁ ବୁଝାଇ ଦେଇଛି ।

 

ପୃଥିବୀର ଯେଉଁଠି ହେଉନା କାହିଁକି, କେବଳ ମଧ୍ୟବିତ୍ତ ଶ୍ରେଣୀର ଲୋକେହିଁ ଶୋଷଣ ବିରୁଦ୍ଧରେ ସଂଗ୍ରାମ କରିପାରନ୍ତି । କାରଣ ନିଜର ଦାବୀ ଓ ଅଧିକାର ସଂପର୍କରେ ସେଇମାନେହିଁ ସଚେତନ । ଆମର ଏଠି ସେ ଅବସ୍ଥା ନାହିଁ । ଶତକଡ଼ା ପନ୍ଦର କୋଡ଼ିଏ ଭାଗ ଲୋକଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ଦୁର୍ବଳ । କୋଡ଼ିଏଭାଗ ଲୋକଙ୍କର ସ୍ୱାର୍ଥ ସୁରକ୍ଷିତ । କାରଣ ଶୋଷଣକୁ ପୁଞ୍ଜିକରି ଯେଉଁମାନେ କ୍ଷମତାରେ ରହିବାକୁ ଚାହାଁନ୍ତି, ଏମାନେ ସେମାନଙ୍କର ରକ୍ଷାକବଚ । ଅଶୀଭାଗ ଲୋକଙ୍କର ଅଣ୍ଟାରେ ବଳ ନାହିଁ । ଦୟା ଏବଂ ଅନୁଗ୍ରହ ସେମାନଙ୍କପାଇଁ ମୁକ୍ତିର କୈବଲ୍ୟ । ଦାବୀ ଏବଂ ଅଧିକାର ସଂପର୍କରେ ସେମାନେ କ୍ରମେ ସଚେତନ ହେଉଥିଲେ ବି ଦାନା କନା ଯୋଗାଡ଼ ପାଇଁ ତ ସମୟ ନାହିଁ, ସଂଗ୍ରାମ କରିବେ କେତେବେଳେ ?

 

ବ୍ରହ୍ମପ୍ରକାଶ ଟିକିଏ ଭାବି କହିଲେ—ସେ କଥା ଠିକ୍, କିନ୍ତୁ ଏ ଅବସ୍ଥା ତ ଆଜିର କଥା ନୁହେଁ । ଏ ଦେଶର ଏହା କାଳ କାଳର ଅଭିରୂଚି । ତା ନ ହେଲେ ଏତେ ବଡ଼ ବଡ଼ ମନ୍ଦିର ଆଉ ମସ୍‌ଜିଦ୍ ସମ୍ଭବ ହୁଅନ୍ତା କିପରି ? ଏ ସବୁତ ଶୋଷଣର ମୂକ ସାକ୍ଷୀ । ଆଜି ବି ସେଇ କଥା ଚାଲିଛି । ଖାଲି ବୁଦ୍ଧିର ଫରକ ହେଇଛି । ବନ୍ୟା, ବାତ୍ୟା ଆଉ ମରୁଡ଼ିରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ହା ହା କାର କରୁଛନ୍ତି, କିନ୍ତୁ ଏତେ ବଡ଼ ବଡ଼ ରାଷ୍ଟ୍ରପତି ଭବନ, ଲାଟସାହେବ କୋଠି ତିଆରି ହେବାରେତ ବାଧା ପଡ଼ୁନାହିଁ ? କିଏ ନ ଜାଣିଛି ଯେ ଗଣଜୀବନରେ ଏ ସବୁ ଶୋଷଣର ପ୍ରତିଛବି ! ନୂଆ ପୋଷାକ ସିନା ପିନ୍ଧିଛନ୍ତି । କିନ୍ତୁ ଶାସନର ଚରିତ୍ର କ’ଣ ବଦଳିଲାଣି ? ସାମାଜିକ ବିପ୍ଳବ ନହେଲେ ଗଣତାନ୍ତ୍ରୀକ ମୂଲ୍ୟବୋଧ କେବଳ ଗୋଟିଏ ଶବ୍ଦର ଗଣ୍ଡି ଭିତରେ ଆବଦ୍ଧ ହୋଇଯିବ—ଏ କଥା କିଏ ନ ବୁଝୁଛି । କିନ୍ତୁ ମଧ୍ୟବିତ୍ତ ଛଡ଼ା ସାମାଜିକ ବିପ୍ଳବ ଆଉ କେହି କରି ପାରେନା—ଏ କଥାର କିଏ ବା ବାଟ ଦେଖାଇଛି ?

 

ସୂର୍ଯ୍ୟ କହିଲା—ବାଟ ଆଉ ଦେଖାଇବ କିଏ ? ଏ ବାଟ ଯେଉଁମାନଙ୍କର ଦରକାର, ସେଇମାନଙ୍କର ହାତ ମୁଠାକୁ କ୍ଷମତା ଆସିଲେ ହିଁ ଆପେ ସେ ବାଟ ମିଳିଯିବ । କେନ୍ଦ୍ରଠାରୁ ଆରମ୍ଭକରି ରାଜ୍ୟସରକାରମାନେ ବର୍ଷକୁ ପ୍ରାୟ ଚାଳିଶ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଥିରୁ ଅଧେ ଖର୍ଚ୍ଚ ହେଉଛି, କେଇଜଣଙ୍କର ଖିଆଲ ଉପରେ । ସାମାଜିକ ବିପ୍ଳବ ନାଁରେ ଦୁର୍ବଳ ଲୋକଙ୍କୁ ଋଣଗ୍ରସ୍ତ କରି ଅନୁଗତ କରାଯାଉଛି । ଏଥିରେ ସେମାନଙ୍କର ଅର୍ଥନୈତିକ ଭିତ୍ତିଭୂମି ସୁଦୃଢ଼ ହେବ କିପରି ? ବରଂ ପ୍ରତିଯୋଗିତାର ଦୌଡ଼ ଭିତରେ ସେମାନେ ଆହୁରି କ୍ଷୀଣକାୟ ହୋଇଯାଉଛନ୍ତି । ଆଜି ଯେଉଁମାନେ ଦୁର୍ବଳ, ସେମାନେ ସମାଜର ଅବ୍ୟବସ୍ଥା ଓ ଶୋଷଣର ଶିକାର, ଏକଥା କିଏ ଅସ୍ୱୀକାର କରେ ? ତାହେଲେ ଋଣଗ୍ରସ୍ତ କରି ସେମାନଙ୍କୁ ଅନୁଗତ କରିବାର ରହସ୍ୟ କ’ଣ ? ଏ ପ୍ରକାର ଅନୁଗ୍ରହ ସେମାନଙ୍କର ଦାରିଦ୍ର୍ୟ ପ୍ରତି ଉପହାସ—ଏ କଥା ସେମାନେ ବୁଝନ୍ତି ନାହିଁ ବରଂ କୃତଜ୍ଞତାରେ ଚକ୍ଷୁ ଉଜ୍ୱଳ କରି ପ୍ରଶସ୍ତିରେ ବିହ୍ୱଳ ହୋଇଯାନ୍ତି ।

 

ବ୍ରହ୍ମପ୍ରକାଶ କହିଲେ—ହଁ, ସେୟା ତ ଚାଲିଛି । ତେବେ ଉପାୟ କ’ଣ । ଏ ସମସ୍ୟାର ସମାଧାନ ପାଇଁ ତୋର ସୂତ୍ର କ’ଣ ?

 

ସୂର୍ଯ୍ୟ କହିଲା—ସୂତ୍ର ଅଛି । ଏମାନଙ୍କର ଦୁର୍ବଳ ଅବସ୍ଥା ପାଇଁ ଯଦି ସମାଜର ଅବ୍ୟବସ୍ଥା ଆଉ ଶୋଷଣ ଦାୟୀ, ତେବେ ସେଥିରୁ ମୁକ୍ତି ଦେବାଟା ରାଷ୍ଟ୍ରୀୟ ଦାୟିତ୍ୱ ନ ହେବ କାହିଁକି ? ସ୍ୱଚ୍ଛଳତାର ଲୋଭ ଦେଖାଇ ଋଣଦାନରେ ଛୋଟ ଛୋଟ ଧନ୍ଦା ଅଥବା ନିଯୁକ୍ତି ମାଧ୍ୟମରେ ସେମାନଙ୍କର ଅର୍ଥନୈତିକ ବିକାଶ ପାଇଁ ଯେଉଁ ଯୋଜନା ଚାଲିଛି, ତାହା ଏପରି ବିଚାରଭ୍ରଷ୍ଟ ଯେ ତାହା ସେମାନଙ୍କୁ ଦୁର୍ଗତିରୁ ମୁକ୍ତି ଦେଇ ସାମାଜିକ ବିପ୍ଳବ ପାଇଁ ପ୍ରସ୍ତୁତ କରିପାରିବ ନାହିଁ । ସଂପୂର୍ଣ୍ଣ ରାଷ୍ଟ୍ରୀୟ ଅନୁଦାନରେ ପରିପୁଷ୍ଟ ଏକାଧିକ ବୃହତ୍ତର ପ୍ରକଳ୍ପମାନ କେବଳ ଏ ଦିଗରେ ଉପଯୁକ୍ତ ବ୍ୟବସ୍ଥା ହୋଇପାରେ । ସଡ଼କ ପରିବହନ, ଚଟକଳ, ବୟନଶିଳ୍ପ, ଦୁଗ୍‌ଧ ଉତ୍ପାଦନ କେନ୍ଦ୍ର ଓ ମତ୍ସ୍ୟ ଚାଷ ଭଳି ବହୁ ସଂଖ୍ୟାରେ ଶ୍ରମଭିତ୍ତିକ ପ୍ରକଳ୍ପମାନ ସାରାଦେଶରେ ପ୍ରତିଷ୍ଠା କରି ଏ ସଙ୍କଟକୁ ଦୂର କରାଯାଇପାରେ । ତାଲିମପ୍ରାପ୍ତ ଦକ୍ଷ ବିଶେଷଜ୍ଞମାନେ ଏ ସବୁର ପରିଚାଳନା ପାଇଁ ସରକାରୀ ନିଯୁକ୍ତିରେ ଅବସ୍ଥାପିତ ହୋଇ ପାରନ୍ତି, ମାତ୍ର ଆବଶ୍ୟକ ହେଉଥିବା ବିପୁଳ ଶ୍ରମ କେବଳ ଏହି ଦୁର୍ବଳମାନେ ହିଁ ଦାନ କରିପାରିବେ । ବେତନ ପରିବର୍ତ୍ତେ ଯୋଗ୍ୟତା ଅନୁସାରେ ଏମାନଙ୍କୁ ଲାଭାଂଶର ଅଂଶୀଦାର କରାଯାଇପାରେ । ତାହେଲେ ଅଳ୍ପ କାଳ ମଧ୍ୟରେ ଏ ଅସହାୟ ଅବସ୍ଥାର ଘୋର ପରିବର୍ତ୍ତନ ଘଟିବ ଏବଂ ଦୁର୍ବଳ ମଧ୍ୟବିତ୍ତରେ ପରିଣତ ହୋଇ ସାମାଜିକ ବିପ୍ଳବର ପଥ ପରିଷ୍କାର କରିଦେବେ । ଏହା ହିଁ ଏକମାତ୍ର ସମାଧାନର ସୂତ୍ର ।

 

ବ୍ରହ୍ମପ୍ରକାଶ କହିଲେ—ହଁ, ଏହା ହିଁ ବୋଧହୁଏ ସାମାଜିକ ବିପ୍ଳବର ପ୍ରସ୍ତୁତି ମାର୍ଗ । ତାହେଲେ ସାରାଦେଶରେ ଏହି ହତଭାଗ୍ୟମାନେ ଏକଯୁଟ ହେବାପାଇଁ ଆଜି ଯେପରି ଦଳବାନ୍ଧିବାକୁ ବାହାରିଛନ୍ତି, ତାଙ୍କୁ ଆଗେଇନେବା ଆମର କର୍ତ୍ତବ୍ୟ । ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଏଥିପାଇଁ ଯଥେଷ୍ଟ ସୁଯୋଗ ଆସିଗଲାଣି । କାଲି ସକାଳ ଗାଡ଼ିରେ ମୁଁ କଲିକତା ଯାଉଛି । ଆସାମର ଗଣ ଆନ୍ଦୋଳନ ପରିଷଦରେ ଯୋଗ ଦେବା ପାଇଁ ପ୍ରବୋଧ ଚାଲିଗଲାଣି । ତୁ ପାଟନା ଯା । କିନ୍ତୁ କ୍ଷମତା ସବୁବେଳେ ନିର୍ଦ୍ଦୟ । ନିଜର ସୁରକ୍ଷା ପାଇଁ ସେ ଯେ କୌଣସି ପନ୍ଥାର ଆଶ୍ରୟ ନେଇପାରେ । ନୈତିକ ବଳ ଭାଙ୍ଗିଗଲେ ହତାଶାରେ ମଣିଷ କାଣ୍ଡଜ୍ଞାନ ଭୁଲିଯାଏ । ବିହାର ସରକାରଙ୍କର ଅବସ୍ଥା ବର୍ତ୍ତମାନ ସେୟା । ତେଣୁ ସେଠାରେ ଗଣବିକ୍ଷୋଭ ପରିଚାଳନାରେ ତୋତେ ଖୁବ୍ ସାବଧାନରେ କାମ କରିବାକୁ ପଡ଼ିବ ।

 

ସୂର୍ଯ୍ୟ ଭାବିଲା । ନିରସ୍ତ୍ର ଜନତା ପାଖରେ ଶାନ୍ତିର ମାର୍ଗ ହିଁ ଏକମାତ୍ର ମୁକ୍ତିର ଆୟୁଧ । ମାତ୍ର କ୍ଷମତାର ଅସହିଷ୍ଣୁ ବିଚାରରେ ଶାନ୍ତି କେବଳ ଦୁର୍ବଳତାର ନାମାନ୍ତର । ସେ ଟିକିଏ ଚିନ୍ତା କରି କହିଲା-

 

ସାବଧାନ ଆଉ ହେବି କ’ଣ ? ଡୁ ଅର୍ ଡାଇ । ଏହା ହିଁ ବୋଧହୁଏ ତ୍ୟାଗର ଅନ୍ୟ ଦିଗ । କାଳର ଆହ୍ୱାନରେ ଆମେ ସମସ୍ତେ ଆଜି ସେହି ପଥର ଯାତ୍ରୀ । ବ୍ୟକ୍ତିର ତ୍ୟାଗରେ ଗୋଷ୍ଠୀର ଜୀବନ ପରିପୁଷ୍ଟ ହୁଏ । ପ୍ରାଣର ବିକାଶରେ ଆତ୍ମାର କ୍ଷୟ ହୁଏନା ।

 

ଚଉଦ

 

ଆସାମ ଚା ବଗିଚା ଶ୍ରମିକମାନଙ୍କର ଗୋଟିଏ ବସ୍ତି ଅଞ୍ଚଳ । ମଶା, ମାଛି ଆଉ ଆବର୍ଜନାରେ ପରିପୂର୍ଣ୍ଣ ଏଇ ଜାଗାଟି ସବୁବେଳେ ଇନ୍‌ଫ୍ଳୁଏଞ୍ଜା ଓ ମେଲେରିଆ ରୋଗର ଉତ୍ପତ୍ତି ସ୍ଥଳ । ଶୀର୍ଣ୍ଣ ଦୁର୍ବଳ ଦେହକୁ ବୋହିନେଇ ସ୍ତ୍ରୀ ପୁରୁଷ କାମକୁ ଚାଲିଗଲେ ଅର୍ଦ୍ଧନଗ୍ନ କାଙ୍ଗାଳ ଶିଶୁଗୁଡ଼ିକ କେବଳ ଧୂଳିମାଟିରେ ଘାଣ୍ଟି ଚକଟି ହେଉଥାନ୍ତି । ରାତିରେ ମିଞ୍ଜି ମିଞ୍ଜି ଆଲୁଅ ଜଳିଲେ ମନେହୁଏ ଯେମିତି ଶ୍ରମିକମାନଙ୍କର ଜୀବନ ଦୀପ କ୍ଷୀଣ ହୋଇ ଆସୁଛି । ସେଠି ଜୀବନ ତ ନାହିଁ-। ଦେହର ସବୁଯାକ ଶକ୍ତିକୁ ଏକାଠି ଠୁଳ କରି ଟାଣିଓଟାରି ଯେପରି ଜୀବନ ସଳିତାଟିକୁ ଜଳାଇ ରଖିଛନ୍ତି ନିତାନ୍ତ ନିଷ୍ପ୍ରଭ ଭାବରେ । ସପ୍ତାହର ଶେଷ ଦିନ ଦରମା ମିଳିଲେ, ଜୀବନକୁ ଆକଣ୍ଠ ପିଇଦିଅନ୍ତି ସେମାନେ । ତାପରେ ସବୁ ନିସ୍ତେଜ ।

 

ଏଇ କେତେ ମାସ ହେଲା ବସ୍ତିଟିରେ ଅନେକ ପରିବର୍ତ୍ତନ ହୋଇଛି । ରାସ୍ତାଘାଟ ସବୁ ପରିଷ୍କାର ଦେଖାଗଲାଣି । ଦଳୁଆ ପୋଖରୀଟି ସଫା ହୋଇ କଳା ଶୁଦ୍ଧ ପାଣିରେ ବେଶ୍ ଚକମକ କଲାଣି । ପିଲାଙ୍କ ସ୍କୁଲ ଘରଟିର ନୂଆ ଚାଳ ପଡ଼ି ବଗିଚାଟି ନାନା ଜାତିର ଫୁଲ ଫଳରେ ସଜେଇ ହୋଇଗଲାଣି । ବସ୍ତି ସାମନାରେ ଟିକିଏ ଦୂରରେ ଖେଳ ପଡ଼ିଆଟି ବେଶ୍ ସଫା ସୁତରା ହୋଇଯିବାରୁ ସନ୍ଧ୍ୟାରେ ପିଲାମାନେ ଖେଳ କୌତୁକରେ ମନ ଦେଲେଣି । ସେଇ ଯେ ପ୍ରୌଢ଼ ଜଣକ ନୂଆ କରି ଏଠାକୁ ଆସିଛନ୍ତି, ଏ ସବୁ ତାଙ୍କରି କାମ । ତାଙ୍କରି ପ୍ରେରଣାରେ ଆଖପାଖର ସବୁ ବଗିଚାର ଶ୍ରମିକମାନେ ଦଳ ବାନ୍ଧି ୟୁନିଅନ ଗଢ଼ିଲେଣି । ଦେଖିଲେ ମନେ ହେଉଛି, ଯେପରି ସମସ୍ତଙ୍କ ଭିତରେ ଗୋଟାଏ ନୂଆ ଜୀବନ ସଂଚାର ହୋଇଛି । ଦିନରାତି ଏ ବସ୍ତିରୁ ସେ ବସ୍ତି ସେ ବସ୍ତିରୁ ଏ ବସ୍ତି ସେ ଘୁରି ବୁଲୁଛନ୍ତି ନିତାନ୍ତ ନିରୁଦ୍‌ବିଗ୍ନ ଆଉ ଅନାସକ୍ତ ଭାବରେ । ଦେହରେ ଧୋତି ଚାଦର, ପାଦରେ ଯୋତା ନାହିଁ । ଶୁଭ୍ର ଦାଢ଼ୀରେ ଆଚ୍ଛାଦିତ ମୁହଁ ଭିତରେ ଆଖି ଦି’ଟା ଦପ୍ ଦପ୍ ଜଳୁଛି । କାକାବାବୁ ବୋଲି ସମସ୍ତଙ୍କ ପାଖରେ ସେ ଅତି ଆପଣାର ହୋଇଗଲେଣି । ବସ୍ତିକୁ ଆସିଲେ କାକାବାବୁ କାକାବାବୁ କହି ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଆଦରରେ ଘେରିଯାନ୍ତି ତାଙ୍କୁ ।

ତାଙ୍କରି ନିଷ୍ଠା ଆଉ ଯତ୍ନରେ ସମସ୍ତ ଆସାମରେ ବ୍ୟାପିଯାଇଛି ଶୋଷଣମୁକ୍ତ ସମାଜବାଦୀ ଦଳର ନିର୍ଭୀକ ସଙ୍ଗଠନ, ସଭ୍ୟ ସଂଗ୍ରହ ଅଭିଯାନ ସାଙ୍ଗକୁ ଦଳର ନୂଆ ନୂଆ ଶାଖାମାନ ଗାଁକୁ ଗାଁ ମାଡ଼ିଗଲାଣି ବଢ଼ିପାଣି ଭଳି ।

କାଲି ହୁଏତ ଯେଉଁମାନେ ବିଷର୍ଣ୍ଣ ମଳିନ ମୁହଁରେ ଆଣ୍ଠୁରେ ମୁଣ୍ଡ ଗୁଞ୍ଜି କର୍ମକୁ ଆଦରି ବସି ରହିଥିଲେ, ଅଥବା ଦୟା ଏବଂ ଅନୁଗ୍ରହକୁ ପୁଞ୍ଜିକରି ନିଜକୁ କୃତାର୍ଥ ମନେ କରୁଥିଲେ, ଆଜି ସେମାନେ ନିଜର ଅଧିକାର ପ୍ରତି ସଚେତନ ହେଲେଣି । ଏ ସବୁ ସଂଗଠନର ଶକ୍ତି । ସେଦିନ ସନ୍ଧ୍ୟାରେ ସେଇ ପ୍ରୌଢ଼ ଜଣକ ଖୋଲାପଡ଼ିଆରେ ଏକୁଟିଆ ବସି ଭାବୁଥିଲେ—ରାଜ୍ୟର ଚାରିଆଡ଼େ ସଂଗଠନର ଶକ୍ତି ଦାନା ବାନ୍ଧିଲାଣି । ନିରୀହ ଶ୍ରମିକମାନେ ହୁଏତ ପ୍ରବଣତାର ଉଚ୍ଛ୍ୱାସରେ ସମୁଦ୍ର ଜୁଆର ଭଳି ମାଡ଼ି ଆସି ପାରନ୍ତି । ଗଣ ବିକ୍ଷୋଭରେ ଯୋଗ ଦେବାପାଇଁ ପ୍ରତିରୋଧର ଶକ୍ତି କିନ୍ତୁ ସବୁମନ୍ତେ ସୁସଜ୍ଜିତ । ତା ହେଲେ କ’ଣ ହେବ ତାର ପରିଣତି !

ହଠାତ୍ ସାମନାରେ ଝାପ୍‌ସା ଅନ୍ଧାର ଭିତରେ ଭାସି ଉଠିଲା ଦୁଇଟି ଦୀର୍ଘକାୟ ଛାୟାମୂର୍ତ୍ତି । ଆସ୍ତେ ଆସ୍ତେ କ’ଣ ସବୁ କଥାବାର୍ତ୍ତା କରୁ କରୁ ସେମାନେ ଆଗେଇ ଯାଇ ବସିଲେ ଝଙ୍କାଳିଆ ଆମ୍ୱଗଛର ଅନ୍ଧାରୁଆ ଛାଇରେ । ପୌଢ଼ ଜଣକ ଚମକି ଉଠିଲେ । କିଏ ହୋଇ ପାରନ୍ତି ଏମାନେ ? କ’ଣ ତାଙ୍କର ଉଦ୍ଦେଶ୍ୟ ? ରାତି ଘନେଇ ଆସୁଛି । ଚାରିଆଡ଼େ ଶୂନ୍‌ଶାନ୍ । ପାଖରେ କେହି ନାହାଁନ୍ତି । ସେ କାନ ଡେରିଲେ—

ପ୍ରଥମ ଜଣକ କହୁଛି—ଜୀବନରେ ୟାକୁ ମିଶାଇ ଶିକାର ସଂଖ୍ୟା ଏଗାର ହେବ । ଏପର୍ଯ୍ୟନ୍ତ କୌଣସି ଯାଗାରେ ମୁଁ ଫେଲ ମାରିନାହିଁ । ଗତ ବର୍ଷ ହୋସିଆରୀ ପାହାଡ଼ ତଳେ ସେଇ ଯେଉଁ ପୁଲିସ ଅଫିସରକୁ ତଣ୍ଟି ଚିପି ଶେଷ କରି ଦେଇଥିଲି, ତା’ର ଟେର ଏବେ ବି କ’ଣ କେହି ପାଇଲେଣି ? ମୋର ବି ପ୍ରଥମେ ପ୍ରଥମେ ସାହାସ ପାଉ ନ ଥିଲା । କିନ୍ତୁ ବୁଆର ସିଂ ସାଙ୍ଗରେ ଦୁଇ ତିନିଟା ବଡ଼ ବଡ଼ କାମରେ ହାତ ଦେଲାପରେ ସେ ଭୟସବୁ ମୋର ଛାଡ଼ିଗଲା । ତୁ ଦେଖିବୁ ଭଗବତ । ଥରେ ଏ କାମରେ ହାତ ଦେଲା ପରେ ଅଭାବ ବୋଲି ଆଉ କିଛି ରହିବ ନାହିଁ । ଜୀବନରେ ମୌଜ ଦରକାର । ସେ ସବୁ ଆପେ ଆପେ ମିଳିଯିବ । ଆମେ ସିନା ସରକାରଙ୍କର ଶତ୍ରୁ ହେଲେ ଧରାପଡ଼ି ସଜା ପାଇବା ଏ ତ ଖୋଦ ସରକାରଙ୍କର ହୁକୁମ ।

ଦ୍ୱିତୀୟ ଜଣକ ଭୟରେ ଥରି ଥରି ଥଙ୍ଗ ଥଙ୍ଗ ହୋଇ କହିଲା—ସରକାର କ’ଣ ଲୁଚି ଛପି ମଣିଷ ମାରିବାକୁ ହୁକୁମ ଦିଅନ୍ତି ? ଯିଏ ମଣିଷ ମାରି ଧରା ନ ପଡ଼େ ତାକୁ ମାରିବା ପାଇଁ ସରକାର ହୁକୁମ ଦିଅନ୍ତି, ନ ହେଲେ ଫାସି ହୁକୁମ ପାଇଥିଲେ ମଣିଷକୁ ମରାଯାଏ । ଏ ତ ସେଭଳି କିଛି ନୁହେଁ । ତା’ ଛଡ଼ା ତାର ଦୋଷ କ’ଣ ? କୋଉଠି ତା ଘର ?

ପ୍ରଥମ ଜଣକ କହିଲା—ଆବେ ଭଗତ୍ । ଦେଖୁଛି ତତେ ସାଙ୍ଗରେ ଡାକିଆଣି ବଡ଼ ଭୁଲ କରିଛି । ତୋ ପିଲାଛୁଆଙ୍କର ଦୁଃଖ ଦେଖି ଭାବିଲି, ଅଭାବ ମେଣ୍ଟିଯିବ । ସେଇଥିପାଇଁ ସାଙ୍ଗରେ ଡାକି ଆଣିଥିଲି । ନଗଦ ପାଞ୍ଚ ହଜାର ଟଙ୍କା ପାଇବୁ । କହିଲୁ, ତୋ ଦିହକରେ ପାଞ୍ଚ ହଜାର ଟଙ୍କା କେବେ ଦେଖି ପାରନ୍ତୁନା ? ଆବେ, ସରକାର ହୁକୁମ ଦେଲାବେଳେ ତତେ କ’ଣ ଡାକି ଜଣେଇଥାନ୍ତେ ? ସରକାରଙ୍କର କେତେ ପ୍ରକାର ହୁକୁମ ଅଛି ଜାଣିଛୁ ? ଯାହାକୁ ମାରିଦେଲେ ଲୋକେ କହିବେ ଗ୍ରହ ଗଲା, ତାକୁ ମାରିବାକୁ ସରକାର ଘୋଷଣା କରନ୍ତି, କିନ୍ତୁ ଯାହାକୁ ମାରିଦେଲେ ଲୋକେ ସରକାରଙ୍କ ବିରୁଦ୍ଧରେ ମାତିଯିବେ, ତାକୁ ଗୋପନରେ ହତ୍ୟା କରାଯାଏ କାହିଁକି କହିଲୁ ? ସେ ସରକାରଙ୍କର ଶତ୍ରୁ । ଏ ପ୍ରବୋଧ କୁମାର ସେୟା, ବୁଝିଲୁ ?

ଦ୍ୱିତୀୟ ଜଣକ କହିଲା—କାହିଁକି, ସେ କ’ଣ କଲା କି ?

ପ୍ରଥମ ଜଣକ ଭଗତ୍‌ର ଏ ବୋକାମୀ ଦେଖି ବିରକ୍ତ ହୋଇ କହିଲା—ଆବେ ଭଗତ୍‌ । ଏ ଶାଣଦିଆ ଲମ୍ୱା ଛୁରୀଟାକୁ ଦେଖୁଛୁ ? ତତେ ଯଦି ଏଇଠି ଶେଷ କରିଦିଏ, ମତେ କେହି ଧରିପାରିବେ ?

ଦ୍ୱିତୀୟ ଜଣକ ଭୟରେ ଥରି ଥରି ତା ଗୋଡ଼ ଧରିପକାଇ କହିଲା—ନା ନା, ତୁ ମତେ ମାରନା, ମୋ ପିଲାଛୁଆ ସବୁ ଛେଉଣ୍ଡ ହୋଇଯିବେ ।

ପ୍ରଥମ ଜଣକ କହିଲା—ଆରେ ନା ନା, ତତେ କାହିଁକି ମାରିବି ? ତତେ ମାରିଲେ ମୋର କି ଲାଭ ହେବ ? ପ୍ରବୋଧକୁ ମାରିଲେ ମୁଁ ପାଇବି ଦଶ ହଜାର ଆଉ ତୋ ଭାଗ ପଡ଼ିବ ପାଞ୍ଚ ହଜାର । ଆଉ ବେଶି ବକ୍‌ ବକ୍‌ କରନା କହୁଛି । ପହରଦିନ ରାତି ଗାଡ଼ିରେ ପ୍ରବୋଧ ଭୁବନେଶ୍ୱରରୁ ବାହାରିବ । ପୁଲିସ ସାହେବ ଫୋନ୍ କରି ବୁଝିଛନ୍ତି ସେ କେଉଁ ଗାଡ଼ିରେ ଆସିବାକୁ ଟିକଟ କରିଛି । ଆଉ ଜଣେ ପୁଲିସ ଅଫିସର ସାଦା ପୋଷାକରେ ସାଙ୍ଗରେ ଯିବେ ଚିହ୍ନଟ କରିବାକୁ । ବାଲେଶ୍ୱର ଆଉ କଲିକତା ଭିତରେ ଚଳନ୍ତା ଗାଡ଼ିରେ କାମ ଖତମ । ବୁଝିଲୁ ? ଏଇ ନେ, କହି କ’ଣ ଗୋଟାଏ ବୋତଲ ଭଳି ଜିନିଷଟାଏ ତା ହାତକୁ ବଢ଼ାଇ ଦେଇ କହିଲା—ଟିକିଏ ପକେଇ ଦେ । ଆଜି ରାତିରେ ଗାଡ଼ି ଧରିବାକୁ ହେବ । ତାପରେ ସେମାନେ ଚାଲିଗଲେ ।

ପ୍ରୌଢ଼ ଜଣକ ଏକାବେଳକେ ସଂଜ୍ଞା ହରାଇ ସାରିଥିଲେ । ସାରା ଦେହଟା ତାଙ୍କର ଝାଳରେ ବୁଡ଼ିଯାଇଥିଲା । ସ୍ୱପ୍ନ ଦେଖିଲା ଭଳି କିଛିକ୍ଷଣ ସେ ଥକ୍‌କାମାରି ବସିରହିଲେ । ପ୍ରକୃତିସ୍ଥ ହେଲା ପରେ ସେ ଭାବିଲେ—ପ୍ରବୋଧ ତା ହେଲେ ଆସାମ ଆସୁଛି । ଏ ତ ବଡ଼ ଭୟଙ୍କର ବିପଦ । ଏକାବେଳକେ ହତ୍ୟାର ମସୁଧା । ହଁ, ହତାଶ ମଣିଷ ପାଖରେ ପ୍ରତିରୋଧର ଆଉ ବାଟ କ’ଣ ! ସେ ଭୟରେ କାତର ହୋଇପଡ଼ିଲେ । ତାଙ୍କର ଆଶଙ୍କା ହେଲା—ସଙ୍ଗଠନ ଭାଙ୍ଗିଯିବ । ସୂର୍ଯ୍ୟର ଏତେ ବଡ଼ ଯୋଜନା ମାଟିରେ ମିଶିଯିବ । କିନ୍ତୁ ସେ ବା କ’ଣ କରିପାରିବେ । ଆଜିକି ବର୍ଷେ ହୋଇଗଲା ସେ ଆସାମର ଏବସ୍ତିରୁ ସେ ବସ୍ତି ଦିନରାତି ଘୂରିବୁଲୁଛନ୍ତି । ସେମାନେ କେହି ତାଙ୍କର ସନ୍ଧାନ ପାଇନାହାନ୍ତି । ମାଳ ଡାକ୍ତରଖାନାରେ ବିଷ ଖାଇ ଆତ୍ମହତ୍ୟା କଲା ପରେ ସମସ୍ତେ ଜାଣନ୍ତି ସେ ପାଗଳ ହୋଇ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି କିମ୍ୱା ଜୀବନରେ ଆଉ ବଞ୍ଚିନାହାନ୍ତି । ବର୍ତ୍ତମାନ ଆତ୍ମପ୍ରକାଶ କଲେ କମଳା ଆଉ ସୂର୍ଯ୍ୟର ଅପମାନର ସୀମା ରହିବ ନାହିଁ-। ଲାଜରେ ମୁଣ୍ଡ ଟେକି ପାରିବେ ନାହିଁ ସେମାନେ । ଏଣେ ପ୍ରବୋଧର ଜୀବନ ଉପରେ ଘୋର ବିପଦ । କ’ଣ ତାଙ୍କର କର୍ତ୍ତବ୍ୟ, ସେ କିଛି ଠିକ୍ କରିପାରିଲେ ନାହିଁ । କିଛି ସମୟ ପରେ ସେ ନିଜକୁ ସଂଯତ କରିନେଇ ସ୍ଥିର ଦୃଷ୍ଟିରେ ଆକାଶକୁ ଚାହିଁଲେ । ତାଙ୍କର ମନେହେଲା, ଯେ ପ୍ରବୋଧର ଜୀବନ ରକ୍ଷା କରି ପ୍ରଜ୍ଞା ପ୍ରତି ତାଙ୍କର ଅପରାଧର ଋଣ ସୁଝିଦେବେ । ସେ ଠିକ୍ କଲେ, ପ୍ରବୋଧକୁ ଟେଲିଗ୍ରାମ କରି ସବୁକଥା ଜଣାଇଦେବେ । ଟ୍ରେନରେ ନ ଆସି କଲିକତା ପର୍ଯ୍ୟନ୍ତ ପ୍ଲେନରେ ଆସିବାକୁ ପରାମର୍ଶ ଦେବେ ଆଉ ଆସାମରେ ତା’ର ରହଣୀ ସମୟତକ ସେ ନିଜେ ତାର ସୁରକ୍ଷାର ଦାୟିତ୍ୱ ନେବେ । ସେୟା ହେଲା । ପରଦିନ ସକାଳେ ସେ ପ୍ରବୋଧକୁ ଟେଲିଗ୍ରାମଟିଏ କରିଦେଲେ ଗୋଟିଏ ଛଦ୍ମନାମରେ ।

ନିର୍ଦ୍ଧାରିତ ଦିନ ଗାନ୍ଧି ମଇଦାନରେ ସଭା ହେଲା । ଗଣ ବିକ୍ଷୋଭର ବିରାଟ ପଟୁଆର, ଆଗରେ ଚାଲିଛନ୍ତି ପ୍ରବୋଧକୁମାର, ପ୍ରଶାନ୍ତ ପଟ୍ଟନାୟକ ଓ ଅନ୍ୟମାନେ ଉଦତ୍ତ କଣ୍ଠରେ ଜୟଧ୍ୱନି ଦେଇ । କାକାବାବୁଙ୍କର ବେଶ ପୋଷାକରୁ କାହାରି କିଛି ସନ୍ଦେହ କରିବାର ନାହିଁ । ଜୟ ଜୟ ଧ୍ୱନିରେ ଚତୁର୍ଦ୍ଦିଗ କମ୍ପିଉଠୁଛି । ସଭା ହେଲା । ଜନତାର ବିପୁଳ ସମର୍ଥନ ଦେଖି ସରକାରଙ୍କର ନୈତିକ ବଳ ଭାଙ୍ଗିଗଲା । ପୋଲିସ ବାହିନୀରେ ତ ଆଗରୁ ସହାନୁଭୂତିର ସୂଚନା ମିଳିସାରିଥିଲା ଶାନ୍ତିପୂର୍ଣ୍ଣ ଭାବରେ ସଭାକାର୍ଯ୍ୟ ସରିଲା । ସେଇଦିନ ରାତି । ଶ୍ରମିକ ବସ୍ତିର ଛୋଟିଆ ପ୍ରାଥମିକ ସ୍କୁଲ ଘରେ ପ୍ରବୋଧର ରହିବାର ବନ୍ଦୋବସ୍ତ ହୋଇଛି । ଆଉ ଆଉ କର୍ମକର୍ତ୍ତାମାନେ ପ୍ରବୋଧ ସାଙ୍ଗରେ ଆଳାପ କରୁଛନ୍ତି-। ଦୂରରେ ରୋଷେଇ ଶାଳରେ କାକାବାବୁ ଖାଇବା ଯୋଗାଡ଼ରେ ବ୍ୟସ୍ତ ଅଛନ୍ତି । ପ୍ରବୋଧ ପାଖରେ ରାତିରେ ଶୋଇବା ପାଇଁ ଆଉ ପାଞ୍ଚ ସାତ ଜଣଙ୍କୁ କାକାବାବୁ ଆଗରୁ ବନ୍ଦୋବସ୍ତ କରିଛନ୍ତି । ଖିଆପିଆ ସରିଲା । ସମସ୍ତେ ଶୋଇବାକୁ ଚାଲିଗଲେ ।

 

ନିଶା ଗର୍ଜ୍ଜୁଛି, କାକାବାବୁଙ୍କର ଆଖିରେ ନିଦ ନାହିଁ । ନାନା ଦୁଶ୍ଚିନ୍ତାରେ ତାଙ୍କର ମନ ଅସ୍ଥିର ହୋଇ ଉଠୁଛି । ଗଣ ବିକ୍ଷୋଭର ଅଭୁତପୂର୍ବ ସଫଳତା ଦେଖି ସରକାର ହୀନବଳ ହୋଇଯାଇଥିବେ ନିଶ୍ଚୟ । କିନ୍ତୁ ଦୁର୍ବୃତ୍ତମାନଙ୍କର ସେଥିରେ ଯାଏ ଆସେ କ’ଣ ! ଟ୍ରେନରେ ପ୍ରବୋଧକୁ ନ ପାଇ ସେମାନେ ଭାବିଥିବେ—ସେ ଆସିନାହିଁ । କିନ୍ତୁ ପଟୁଆରର ନେତୃତ୍ୱ ନେଇ ଗାନ୍ଧି ମଇଦାନରେ ତାର ଉଦାତ୍ତ କଣ୍ଠସ୍ୱର ଶୁଣିଲା ପରେ କ୍ରୋଧରେ ଜଳି ଉଠିଥିବେ ସେମାନେ । ପନ୍ଦର ହଜାର ଟଙ୍କା ପାଖରେ ପ୍ରବୋଧର ଜୀବନ ସେମାନଙ୍କ ପାଖରେ ତୁଚ୍ଛ ହୋଇ ଯାଇଥିବ ।

 

ହଠାତ୍ ଆଖିରେ ପଡ଼ିଲା, ଅର୍ଘାସୁର ଭଳି ଦୁଇଟି ଛାୟାମୂର୍ତ୍ତି ଟଳି ଟଳି ମାଡ଼ି ଆସୁଛନ୍ତି ପ୍ରବୋଧର ଶୋଇବା ଘରଆଡ଼କୁ । କାକାବାବୁ ଆଉ ସମ୍ଭାଳି ପାରିଲେ ନାହିଁ । ସେ ତାଙ୍କର ଛୋଟିଆ କୋଠରୀଟିରୁ ଏକା କେବଳ ସାମନାକୁ ଧାଇଁଆସି ବାଧା ଦେଲେ—କିଏ ! ! ! ପର ମୁହୂର୍ତ୍ତରେ ଚିତ୍କାର ଶୁଭିଲା—ଖୁନ୍-ଖୁନ୍ । ସମସ୍ତଙ୍କର ନିଦ ଭାଙ୍ଗିଗଲା । ଆଲୁଅ ଜାଳି ବାହାରେ ଆସି ଦେଖିଲେ କାକାବାବୁ ଛଟପଟ ହୋଇ ଚିତ୍କାର କରୁଛନ୍ତି—ପ୍ରବୋଧ, ପଳେଇ ଯା ପଳେଇ ଯା । ଏମାନେ ତୋତେ ମାରିଦେବେ ।

 

ପ୍ରବୋଧକୁ ଏପରି ସମ୍ୱୋଧନ କରିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ପ୍ରବୋଧ ପାଖକୁ ଚାଲି ଆସି ନିରୀକ୍ଷଣ କରି ଦେଖିଲା—ପ୍ରଶାନ୍ତ ପଟ୍ଟନାୟକ ଗୋଟାସାରା ରକ୍ତରେ ଜୁଡ଼୍ ବୁଡ଼୍ ହୋଇ ହାତ ଟେକି କହୁଛି—ଭଲ ହେଲା, ମୁଁ ଚାଲିଗଲି । ଆଜି ଠିକ୍ ମୋର ପାପର ପ୍ରାୟଶ୍ଚିତ୍ତ ହୋଇଛି ନ ହେଲେ ସୂର୍ଯ୍ୟ ଆଉ କମଳା ଲାଜରେ ମୁଣ୍ଡ ଟେକି ପାରି ନ ଥାନ୍ତେ-

 

ପ୍ରବୋଧର ଆଶ୍ଚର୍ଯ୍ୟର ସୀମା ରହିଲାନାହିଁ । ସେ ନିଜକୁ ସମ୍ଭାଳି ନେଇ କହିଲା—ପ୍ରଶାନ୍ତବାବୁ, ଆପଣ ଏଠି କେମିତି ?

 

ହଁ ପ୍ରବୋଧ, ମୁଁ ଏଇ ବର୍ଷେ ହେବ ଆସାମରେ ଅଛି । କୋଉ ମୁହଁ ନେଇ ମୁଁ ଆଉ ଓଡ଼ିଶାରେ ରହିପାରିଥାନ୍ତି ? ଭାବିଲି ତୁମରି ଦଳର ଏଇ ଅସହାୟ ଦରିଦ୍ର ଜନତାର ସେବା କରି ପ୍ରାୟଶ୍ଚିତ୍ତ କରିବି । ସେ କଥା ଆଜି ସଫଳ ହୋଇଛି ପ୍ରବୋଧ ।

 

ପ୍ରବୋଧ ରୁଦ୍ଧ କଣ୍ଠରେ ଆବେଗକୁ ଚାପିରଖି କହିଲେ, ନା ପ୍ରଶାନ୍ତବାବୁ ଆପଣ ଭାଗ୍ୟବାନ । ପାପ କିଏ ନ କରେ ? ଦୁର୍ବଳତା ମଣିଷର ଆଜନ୍ମ ପ୍ରକୃତି । ବଡ଼ ସାନ ସେ କାହାରିକୁ ଛାଡ଼େନା । କିନ୍ତୁ କ୍ଷୁଧିତ ଜନତାର ଏ ମୁକ୍ତି ସଂଗ୍ରାମରେ ଶହୀଦ୍‌ର ଭୂମିକା ନେଇ ଆପଣ ଅମର ହୋଇଗଲେ ପ୍ରଶାନ୍ତବାବୁ, ଖାଲି ସୂର୍ଯ୍ୟ କାହିଁକି, ଆପଣ ଆମ ସମସ୍ତଙ୍କର ଗର୍ବ । ସେ ଆଉ କିଛି କହି ପାରିଲେ ନାହିଁ ।

 

ପ୍ରଶାନ୍ତ ପଟ୍ଟନାୟକ ଅସ୍ପଷ୍ଟ ଭାବରେ କହିଲା—ଅମୃତର ସନ୍ତାନ ଏ ମଣିଷ । ତାକୁ ସାରାକାଳ ଉପେକ୍ଷା କରିବ କିଏ ? ସୂର୍ଯ୍ୟର ଆଲୋକରେ ଆଜି ସବୁ କିଛି ଆଲୋକିତ ହୋଇ ଯାଇଛି । ଶୋଷଣ ଆଉ ଅତ୍ୟାଚାରର ପରାଜୟରେ ମଣିଷ ଆବିଷ୍କାର କରିଛି ତାର ମୁକ୍ତିର ଜୟଯାତ୍ରା । ନିଜର ସ୍ୱଧର୍ମରେ ସବୁ ଆବର୍ଜନାକୁ ଶୋଷି ନେଇ ସୂର୍ଯ୍ୟ ସୃଷ୍ଟି କରୁ ତା ପରି ଆହୁରି ଅନେକ ସୂର୍ଯ୍ୟ । ବ୍ରହ୍ମପ୍ରକାଶବାବୁଙ୍କୁ ମୋର ଶେଷ ଅନୁରୋଧ ଜଣାଇବୁ ପ୍ରବୋଧ, ସୂର୍ଯ୍ୟ ଆଉ ପ୍ରଜ୍ଞା—ସୃଷ୍ଟିର ଅନବଦ୍ୟ ଦୁଇଟି କଳିକା । ବିଷ୍ଣୁ ଆଉ ଲକ୍ଷ୍ମୀ ।

 

ତା ପରେ ସବୁ ଶେଷ ।

 

ପନ୍ଦର

 

ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ ଗଣ ଆନ୍ଦୋଳନ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଆସାମ, ବିହାର, ମଧ୍ୟ ପ୍ରଦେଶ, ବଙ୍ଗଳା ଓ ଓଡ଼ିଶାର ଗଣ ବିକ୍ଷୋଭ ସବୁ ଏବେ ସରିଛି । ପ୍ରବୋଧ କୁମାର, ମଦନ ଓ ବ୍ରହ୍ମପ୍ରକାଶବାବୁ ଫେରି ଆସିଲେଣି । ଗତ କାଲି ସୁଦ୍ଧା ସୂର୍ଯ୍ୟ ବିହାରରୁ ଫେରି ଆସିବ ବୋଲି ଆଶା ଥିଲା । ମଦନ କଥାରୁ ସ୍ପଷ୍ଟ ଭାବରେ କିଛି ବୁଝା ପଡ଼ୁନାହିଁ । ଆନ୍ଦୋଳନର ଫଳାଫଳ ସମୀକ୍ଷା କରିବାପାଇଁ ଆଜି ଶୋଷଣମୁକ୍ତ ସମାଜବାଦୀ ଦଳର କାର୍ଯ୍ୟକାରୀ କମିଟି ବୈଠକ ବସିଛି । ସବୁ ରାଜ୍ୟର ପ୍ରାଦେଶିକ କର୍ମକର୍ତ୍ତାମାନେ ଆସି ଠୁଳ ହୋଇଛନ୍ତି । ଆଲୋଚନା ଆରମ୍ଭ ହୋଇ ପାରୁ ନାହିଁ । ସୂର୍ଯ୍ୟର ନ ଫେରିବାରେ ସମସ୍ତେ ଉଦ୍‌ବିଗ୍ନ-। ପରିବେଶଟି ଅତ୍ୟନ୍ତ ଗମ୍ଭୀର ।

 

ବ୍ରହ୍ମପ୍ରକାଶବାବୁ ଆରମ୍ଭ କଲେ—ବିହାର ଗଣ ବିକ୍ଷୋଭର ଟିକି ନିଖି ଖବର ସଂବାଦ ପତ୍ରରେ ବାହାରିଛି । ପୋଲିସ ବାହିନୀ ଆନ୍ଦୋଳନକୁ ସମର୍ଥନ କରୁଥିବା ଦେଖି ସରକାର ବହୁସଂଖ୍ୟାରେ ଅସାମାଜିକ ଗୁଣ୍ଡାମାନଙ୍କୁ ହାତ କରି ବିକ୍ଷୋଭକାରୀଙ୍କୁ ଜବଦ୍ କରିବାକୁ ବ୍ୟବସ୍ଥା କରିଥିଲେ । ସେମାନଙ୍କ ଆକ୍ରମଣରେ ପ୍ରାୟ ପାଞ୍ଚଶହ ବ୍ୟକ୍ତି ପ୍ରାଣ ହରାଇଥିବା ସମ୍ୱାଦକୁ ସରକାର ଅସ୍ୱୀକାର କରିଛନ୍ତି । ତେବେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଫଳରେ କେତେକ ମୃତାହତ ହୋଇଥିବା ଖବର ରେଡ଼ିଓରେ ପ୍ରଚାରିତ ହୋଇଛି । ମାତ୍ର ସୂର୍ଯ୍ୟକୁମାର ସଂପର୍କରେ କୌଣସି ଖବର ନାହିଁ । ସେ ମଦନ ଆଡ଼େ ଚାହିଁଲେ—

 

ମଦନ ମୁହଁ ତଳକୁ କରି କହିଲା—ବିହାରରେ ଏକ ସମୟରେ ଦୁଇଟି ବିକ୍ଷୋଭ ପଟୁଆର ଦୁଇଟି ବିପରୀତ ଦିଗରୁ ଆସି ଚାନ୍ଦିନୀଚୌକଠାରେ ମିଳିତ ହେବାର ଥିଲା । ମଫସଲ ଅଞ୍ଚଳରୁ ଆସିଥିବା ବିକ୍ଷୋଭର ନେତୃତ୍ୱ ନେଇଥିଲେ ସୂର୍ଯ୍ୟକୁମାର । ଦୁଇଟିଯାକ ପଟୁଆର ଚାନ୍ଦିନୀଚୌକଠାରେ ମିଳିତ ହେବାମାତ୍ରେ ପ୍ରବଳ ହିଂସାକାଣ୍ଡ ଘଟିବାରୁ ଦଳାଚକଟାରେ କିଏ କେଉଁଆଡ଼େ ପ୍ରାଣ ବିକଳରେ ଧାଇଁଲେ । ଡାକବାଜି ଯନ୍ତ୍ରରେ ସୂର୍ଯ୍ୟର ଭାଷଣ ଅଗ୍ନିବୃଷ୍ଟି କରୁଥିଲା-। ତା’ ପରଠୁଁ ସେ ଆଉ କିଛି ଖବର ପାଇନାହିଁ ।

 

ସମସ୍ତେ ନୀରବରେ ମୁଣ୍ଡ ପୋତି ଶୁଣୁଥିଲେ । ମଦନ ପୁଣି କହିଲା—ଶୁଣିଛି ଆମର ଅନେକ ନେତାଙ୍କୁ ଗୁଣ୍ଡାମାନେ ଧରିନେଇ ଗୋପନରେ ହତ୍ୟା କରିଛନ୍ତି । ଆଉ ଅନେକ, ଗୁଣ୍ଡାମାନଙ୍କର ସତର୍କ ଦୃଷ୍ଟି ଏଡ଼ାଇ ନ ପାରି ଆତ୍ମଗୋପନ କରି ରହିଛନ୍ତି । ସେଠାରେ ଅବସ୍ଥା ଏବେ ବି ଶାନ୍ତ ପଡ଼ିନାହିଁ ।

 

ପ୍ରଶାନ୍ତ ପଟ୍ଟନାୟକଙ୍କର ମୃତ୍ୟୁ ଖବର ପାଇବା ପରଠାରୁ କମଳାଦେବୀ ଘଡ଼ିକିଘଡ଼ି ମୂର୍ଚ୍ଛା ଯାଉଛନ୍ତି । ସୂର୍ଯ୍ୟର ନିଖୋଜ ଖବର ଶୁଣି ସେ ବିଛଣା ଧରିଲେଣି । ପ୍ରବୋଧ ଆସାମରୁ ଫେରି ପ୍ରଶାନ୍ତ ପଟ୍ଟନାୟକଙ୍କର ଅନ୍ତିମ ଅନୁରୋଧ ବ୍ରହ୍ମପ୍ରକାଶଙ୍କୁ ଜଣାଇଦେଲାବେଳେ ତୃପ୍ତିର ଯେ କ୍ଷୀଣ ରେଖାଟି ପ୍ରଜ୍ଞା ମୁହଁରେ ଉକୁଟି ଉଠିଥିଲା, ସେ ଆଉ ନାହିଁ ।

 

ବହୁ ସମୟ ନୀରବରେ କଟିଲା ପରେ ବ୍ରହ୍ମପ୍ରକାଶ ପୁଣି କହିଲେ—ମୋର ମନେ ହେଉଛି ସୂର୍ଯ୍ୟ ନିରାପଦରେ ଅଛି । ସେ ହୁଏତ ବିପଦମୁକ୍ତ ହୋଇନାହିଁ ଜାଣି ଆସିବାର ଉପାୟ ଚିନ୍ତା କରୁଛି । ତାର ଏତେ ବଡ଼ ଐତିହାସିକ ସାଧନା ବିଫଳ ହୋଇପାରେନା । ଦରିଦ୍ର ଜନତାର ଆଶୀର୍ବାଦ ତାକୁ ଦୀର୍ଘାୟୁ କରିଥିବ ନିଶ୍ଚୟ । ତେବେ ତାର ନିରାପତ୍ତା ପାଇଁ ଆମର ଅନେକ କର୍ତ୍ତବ୍ୟ ଅଛି । ବ୍ୟସ୍ତ ହେଲେ ଚଳିବ ନାହିଁ । ବରଂ କାମରେ ହେଳା କରିବା ଅନ୍ୟାୟ ହେବ । ପୋଲିସର ପ୍ରଚ୍ଛନ୍ନ ସମର୍ଥନ ଆମ ପଛରେ ଅଛି । ନିତାନ୍ତ ସେପରି କିଛି ଅସୁବିଧା ଥିଲେ ସେମାନେ ନିଶ୍ଚୟ ସୂର୍ଯ୍ୟକୁ ଉଦ୍ଧାର ନ କରି ଛାଡ଼ିବେ ନାହିଁ ।

 

ଡାକ୍ତର ଦାସ ଏତେବେଳଯାଏ ଚୁପ୍ ହୋଇ ବସିଥିଲେ । ଭାବନାର ବୋଧହୁଏ କିଛି କୂଳ କିନାରା ସେ ପାଉ ନ ଥିଲେ । ସେ କେବଳ ଢଳ ଢଳ ଆଖିରେ ଥରେ ବ୍ରହ୍ମପ୍ରକାଶଙ୍କ ଆଡ଼କୁ ଚାହିଁଦେଇ ପୁଣି ମୁହଁ ତଳକୁ କରିନେଲେ ।

 

ଏଭଳି ଅବସ୍ଥାରେ କିଛି ଆଲୋଚନା କରିବା ସମ୍ଭବ ନୁହେଁ ଭାବି ବ୍ରହ୍ମପ୍ରକାଶ କହିଲେ–ଅନେକ ସମୟ ହୋଇଗଲାଣି । କାହାରି ଖିଆପିଆ ହୋଇନାହିଁ । ବର୍ତ୍ତମାନ ବୈଠକ ବନ୍ଦରହୁ-। ଦ୍ୱିପହରେ ପୁଣି ବୈଠକ ବସିବ ।

 

ଦ୍ୱିପହର ସମୟ । ଆଲୋଚନା ଚାଲିଛି । ସଭ୍ୟମାନେ ନିଜ ନିଜ ଅଞ୍ଚଳର ଆନ୍ଦୋଳନ ବିଷୟରେ ପୂର୍ଣ୍ଣ ବିବରଣୀ ଦେଇ ଆଲୋଚନା କରୁଛନ୍ତି । ଉତ୍ତର-ପୂର୍ବାଞ୍ଚଳର ଆନ୍ଦୋଳନ ସଂପୂର୍ଣ୍ଣ ସଫଳ ହୋଇଛି ବୋଲି ସମସ୍ତେ ଏକମତ ହେଲେ । ମାତ୍ର ବ୍ରହ୍ମପ୍ରକାଶ ଟିକିଏ ଆପତ୍ତି କରି କହିଲେ—ଉତ୍ତର ପ୍ରଦେଶର କେତେକ ଜିଲ୍ଲାରେ ଏବେ ବି ଆମର ସଙ୍ଗଠନ ଦୁର୍ବଳ ରହିଛି । ମଫସଲ ଅଞ୍ଚଳରେ କିନ୍ତୁ ଲୋକେ ବେଶ୍ ଆଗ୍ରହ ପ୍ରକାଶ କଲେଣି । ସେଠି କିଛି ଅଧିକ ସମୟ ଦେବା ଦରକାର ।

 

ପ୍ରବୋଧ ସମର୍ଥନ କରି କହିଲା—ମୋର ମଧ୍ୟ ଧାରଣା ସେୟା । ମୋଗଲ ସରାଇ ଆନ୍ଦୋଳନର କୌଣସି ପ୍ରଭାବ ପଡ଼ିଛି ବୋଲି ମନେ ହେଉନାହିଁ । ପ୍ରକୃତରେ ଆମେ ସେ ପ୍ରଦେଶ ଉପରେ ଏ ପର୍ଯ୍ୟନ୍ତ ଯଥେଷ୍ଟ ଧ୍ୟାନ ଦେଇ ନାହାନ୍ତି । କିଛିଦିନ ପାଇଁ ସେଠାକୁ ଯିବାକୁ ମୁଁ ଭାବୁଛି ।

 

ବ୍ରହ୍ମପ୍ରକାଶ କହିଲେ—ଉତ୍ତର ପ୍ରଦେଶରେ କିନ୍ତୁ ଜନମତ ସୃଷ୍ଟି ହୋଇଛି । କେବଳ ତାକୁ ସଙ୍ଗଠିତ କଲେ ହେଲା । ମାତ୍ର ଦକ୍ଷିଣ ଭାରତରେ ଏ ପର୍ଯ୍ୟନ୍ତ କିଛି ବି ହୋଇନାହିଁ କହିଲେ ଚଳେ । ପ୍ରଫେସର ସୁବ୍ରମଣ୍ୟମ ଆସିଛନ୍ତି । ତାଙ୍କର ମତାମତଟା ଶୁଣିଲେ ଭଲ ହେବ ।

 

ପ୍ରଫେସର ସୁବ୍ରମଣ୍ୟମ୍ କହିଲେ—ହଁ, ପୂର୍ବାଞ୍ଚଳ ପରି ସେଠାରେ ଅବଶ୍ୟ ଆନ୍ଦୋଳନ ଖୁବ୍ ଶକ୍ତିଶାଳୀ ହୋଇନାହିଁ । କିନ୍ତୁ ସେମାନେ ଏ ଆନ୍ଦୋଳନର ଗତିବିଧିକୁ ଖୁବ୍ ଆଗ୍ରହର ସହିତ ଲକ୍ଷ୍ୟ କରୁଛନ୍ତି । କପା ଏବଂ ଆଖୁ ଚାଷୀମାନେ ପ୍ରଥମେ ସଙ୍ଗଠିତ ହେବକୁ ଆରମ୍ଭ କରିଛନ୍ତି । ଆନ୍ଧ୍ର, କର୍ଣ୍ଣାଟକ ଓ ତାମିଲନାଡ଼ୁରେ ଦୁଇ ତିନିଟା ବଡ଼ ବଡ଼ ସଭାରେ ଖୁବ୍ ସନ୍ତୋଷଜନକ ପ୍ରତିକ୍ରିୟା ଦେଖାଯାଇଛି । କିନ୍ତୁ ଏଠାରୁ ଆପଣମାନଙ୍କର ସହଯୋଗ ଓ ପ୍ରେରଣା ମିଳିଲେ ଅଳ୍ପଦିନ ଭିତରେ ଆମେ ସଙ୍ଗଠନକୁ ଜୋରଦାର କରିପାରନ୍ତେ ।

 

ପ୍ରବୋଧ ବିଭିନ୍ନ ପ୍ରଦେଶର ରିପୋର୍ଟଗୁଡ଼ିକୁ ଦେଖୁ ଦେଖୁ କହିଲା—ସେ ସବୁ ଠିକ୍, କିନ୍ତୁ ମୋର ମନେ ହେଉଛି, ଆମ ହାତରେ ଆଉ ବେଶି ସମୟ ନାହିଁ । କାରଣ ଏ ଭିତରେ ଯେଉଁ ରାଜ୍ୟଗୁଡ଼ିକରେ ପଞ୍ଚାୟତ ନିର୍ବାଚନ ସରିଯାଇଛି ସେଠାରେ ଆମ ଦଳ ଶତକଡ଼ା ଷାଠିଏରୁ ଅଧିକ ଭୋଟ ପାଇ ଜିଣିଛି । ସରକାରଙ୍କର ଆଶଙ୍କା ଯେ ଆଉ ଅଧିକ ବିଳମ୍ୱ କଲେ ହୁଏତ ସାଧାରଣ ନିର୍ବାଚନରେ ମଧ୍ୟ ସରକାର ଦଳ ପରାଜୟର ସମ୍ମୁଖୀନ ହେବେ । ତେଣୁ ଆସନ୍ତା ବର୍ଷା ଋତୁ ପୂର୍ବରୁ ଦେଶରେ ସାଧାରଣ ନିର୍ବାଚନ କରାଇନେବାକୁ ସେମାନେ ଚାହାନ୍ତି । ନିର୍ବାଚନ କମିଶନର ମଧ୍ୟ ରାଜ୍ୟଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେଣି ।

 

ବ୍ରହ୍ମପ୍ରକାଶ କହିଲେ—ଲୋକମତର ପ୍ରବଳ ଚାପରେ ସରକାର ଯଦି ଅନୁଭବ କରୁଥାନ୍ତି ଯେ ସେମାନେ ଆଉ ଶାସନରେ ରହିପାରିବେ ନାହିଁ ତେବେ ସେମାନେ ନିର୍ବାଚନ କରାଇବେ ନାହିଁ । ହୁଏତ ଜରୁରୀକାଳୀନ ଅବସ୍ଥା ଘୋଷଣା କରି ସଂବିଧାନର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବାତିଲ କରିଦେଇ ପାରନ୍ତି ।

 

ଡାକ୍ତର ଦାସ ଏତେବେଳଯାଏ କଥା ନ କହି ମୁଣ୍ଡ ତଳକୁ କରି ବସିଥିଲେ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଭିତରେ ସେ ବୋଧହୁଏ ସୂର୍ଯ୍ୟ କଥା ଭୁଲିଯାଇଥିଲେ । ସେ କହିଲେ—ନା, ସେପରି ଆଶଙ୍କା ଆଉ ନାହିଁ । କାରଣ ଏ ଅଭୁତପୂର୍ବ ଜନଜାଗରଣ ଦେଖିଲା ପରେ ସେପରି ଗୋଟାଏ ଭୁଲ କରି ଜନମତକୁ ଆହୁରି ଉତ୍ତେଜିତ କରିବାକୁ ଦେବେ ନାହିଁ ସେମାନେ । ବରଂ ଅସାଧୁ ଉପାୟରେ ନିର୍ବାଚନ ଜିଣିବାକୁ ସେମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ ।

 

ବ୍ରହ୍ମପ୍ରକାଶ କହିଲେ—ନା, ନିର୍ବାଚନ ଏଡ଼େଇ ଯିବାକୁ ସେମାନେ ନିଶ୍ଚୟ ଉଦ୍ୟମ କରିବେ । ଯଦି ତାହା ସମ୍ଭବ ନ ହୁଏ, ତେବେ ସରକାରୀ ଦଳର ପରାଜୟ ଏକପ୍ରକାର ନିଶ୍ଚିତ । ଅସାଧୁ ଉପାୟରେ ନିର୍ବାଚନ ଜିଣିବାକୁ ସେମାନେ ଚେଷ୍ଟା କରିବେ ନିଶ୍ଚୟ, କିନ୍ତୁ ଲୋକେ ଖୁବ୍ ସଚେତନ ହୋଇ ଯାଇଛନ୍ତି । ବିଶେଷ କରି ପୋଲିସ ସରକାରଙ୍କୁ ଏ କାର୍ଯ୍ୟରେ ସାହାଯ୍ୟ କରିବା ଆଶା ନାହିଁ ।

 

ପ୍ରଫେସର ସୁବ୍ରମଣ୍ୟମ୍ କହିଲେ—ତାହେଲେ ନିର୍ବାଚନ ପ୍ରସ୍ତୁତି ପାଇଁ ଆଉ କାଳ ବିଳମ୍ୱ କରିବା ଉଚିତ ନୁହେଁ । କିନ୍ତୁ ଆମ ଦଳର ଇସ୍ତାହାର ମଧ୍ୟ ଏ ପର୍ଯ୍ୟନ୍ତ ପ୍ରକାଶ ପାଇଲା ନାହିଁ-

 

ଏ ମନ୍ତବ୍ୟରେ ବ୍ରହ୍ମପ୍ରକାଶ ନିଜର ଦାୟିତ୍ୱ କଥା ସ୍ମରଣ କରି ବ୍ୟଥିତ ହେଲେ । ସେ ସାଙ୍ଗେ ସାଙ୍ଗେ ନିଜର ତ୍ରୁଟି ସ୍ୱୀକାର କରି କହିଲେ—ହଁ, ସେଇ କାମଟା ପ୍ରକୃତରେ ବିଳମ୍ୱ ହୋଇଯାଇଛି । କିନ୍ତୁ ବର୍ତ୍ତମାନ ତାର ଛାପା କାମ ପ୍ରାୟ ଶେଷ ହେବା ଉପରେ । ସାତ ଦିନ ମଧ୍ୟରେ ସେଗୁଡ଼ିକ ସମସ୍ତଙ୍କ ପାଖରେ ପହଞ୍ଚିବ—ଏ ଦାୟିତ୍ୱ ମୋର ।

 

ଡାକ୍ତର ଦାସ କହିଲେ—ତାହେଲେ ଆଉ ଅସୁବିଧା କ’ଣ ? ଆମେ ବରଂ ଏଇ କେତେଦିନ ଭିତରେ ଦକ୍ଷିଣ ଭାରତରେ ସଙ୍ଗଠନ ଉପରେ ଖୁବ୍ ଯୋର ଦେବା ଦରକାର ।

 

କାର୍ଯ୍ୟକ୍ରମ ଉପରେ ଆଲୋଚନା ସରିଯାଇଥିଲା । ପ୍ରସ୍ତାବଗୁଡ଼ିକ ଗ୍ରହଣ କଲାପରେ ବୈଠକ ଶେଷ ହେଲା । ତା’ ପରଦିନ ସକାଳେ ନିଜ ନିଜର ଦାୟିତ୍ୱ ନେଇ ସମସ୍ତେ ବିଦାୟ ନେଇ ଚାଲିଗଲେ ।

 

ଷୋଳ

 

ଶୋଷଣମୁକ୍ତ ସମାଜବାଦୀ ଦଳ ଏବେ ସର୍ବଭାରତୀୟ ରାଜନୈତିକ ଦଳ ଭାବରେ ଖୁବ୍ ପ୍ରତିଷ୍ଠା ଲାଭ କଲାଣି । ସଙ୍ଗଠନର ପ୍ରସାର ପୁରପଲ୍ଲୀଠାରୁ ଆରମ୍ଭ କରି ସହର ବଜାର ପର୍ଯ୍ୟନ୍ତ ନଈବଢ଼ି ଭଳି ଚାରିଆଡ଼େ ମାଡ଼ିଗଲାଣି । ସ୍କୁଲ, କଲେଜ, ଓକିଲ ସଂଘ, ସରକାରୀ ଦପ୍ତର ଓ ସାଧାରଣ ଜନତା ଭିତରେ ବହୁ ସଂଖ୍ୟାରେ ସଙ୍ଗଠନର ଶାଖାମାନ ଗଢ଼ି ଉଠି ଘନ ଘନ ସଭା ସମିତି ହେବାରେ ଲାଗିଛି । ପ୍ରତିଦିନ ଖବର କାଗଜ ଓ ରେଡ଼ିଓରେ ଶୋଷଣମୁକ୍ତ ସମାଜବାଦୀ ଦଳର ଅଗ୍ରଗତି ନେଇ ଦୀର୍ଘ ଆଲୋଚନାମାନ ପ୍ରକାଶ ପାଉଛି ।

 

ସରକାରୀ ଅଫିସଗୁଡ଼ିକ ଏକପ୍ରକାର ଅଚଳ ହୋଇଗଲାଣି । ବିଭିନ୍ନ ରାଜସ୍ୱ ଆଦାୟ କରିବାରେ ସରକାରୀ କର୍ମଚାରୀମାନେ ଘୋର ପ୍ରତିରୋଧର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କର ଯେତେ ସବୁ କଡ଼ା ହୁକୁମ ଜାରି ହେଉଛି, ଲୋକେ ଆଉ ମାନୁନାହାନ୍ତି । ମନ୍ତ୍ରୀମାନେ ସାଧାରଣ ଅନୁଷ୍ଠାନମାନଙ୍କରେ ଯୋଗ ଦେଇପାରୁ ନାହାନ୍ତି । ସରକାରୀ ବିରୋଧୀ ଜନମତ ପ୍ରବଳ ହୋଇଗଲାଣି ! ଦେଖିଲେ ମନେ ହେଉଛି, ସାରା ଦେଶଟା ଯେପରି ଧନୀ ଓ ନିର୍ଦ୍ଧନଙ୍କୁ ନେଇ ସଫା ଦୁଇ ଫାଳ ହୋଇଯାଇଛି । ସରକାର ବିଚଳିତ ହୋଇ ବାରମ୍ୱାର ନୂଆ ନୂଆ ଆଇନ ଓ ଆଦେଶମାନ ଜାରି କରିବାରେ ଲାଗିଛନ୍ତି । ମାତ୍ର କିଛି ଫଳ ହେଉନାହିଁ ।

 

ଏ ଉଦବେଗଜନକ ଅବସ୍ଥାର ବିଚାର କରିବା ପାଇଁ ସେଦିନ ମନ୍ତ୍ରୀମଣ୍ଡଳର ଜରୁରୀ ବୈଠକ ବସିଛି । କ୍ୟାବିନେଟ୍ ରୁମରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀମାନେ ନିଜ ନିଜ ଜାଗାରେ ସ୍ଥିର ହୋଇ ବସିଛନ୍ତି । ଗସ୍ତରେ ଯାଇଥିବା ମନ୍ତ୍ରୀମାନଙ୍କୁ ଜରୁରୀ ତାର ବାର୍ତ୍ତାରେ ରାଜଧାନୀକୁ ଫେରାଇ ଅଣାଯାଇଛି । କ୍ୟାବିନେଟ୍ ରୁମଟି ଭରପୁର ହୋଇ ଉଠିଛି । କିନ୍ତୁ ଅତ୍ୟଧିକ ଉଦବେଗ ଆଉ ଉତ୍କଣ୍ଠାରେ ସମସ୍ତ ପରିବେଶଟି ଅତ୍ୟନ୍ତ ଗମ୍ଭୀର ହୋଇ ଉଠିଛି । ସମସ୍ତେ ନୀରବ ।

 

ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ବିଚଳିତ ହୋଇ ପଚାରିଲେ—ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତାର ଦାୟିତ୍ୱ ତୁଲାଇବାରେ ଏପରି ବ୍ୟର୍ଥ ହେବାର କାରଣ କ’ଣ ? ମାତ୍ର ଏଇ କେଇଟା ଦିନ ଭିତରେ ସାରା ଦେଶରେ ଏପରି ଅରାଜକତା ଘୋଟିଗଲା, ଅଥଚ ଆମେ ନୀରବରେ ବସିରହିଲେ । ମୋର ଖବର, ମନ୍ତ୍ରୀମଣ୍ଡଳର କେତେକ ସଦସ୍ୟ ଶୋଷଣମୁକ୍ତ ସମାଜବାଦୀ ଦଳ ସହିତ ଭିତିରି ସଂପର୍କ ରଖିଛନ୍ତି । ଏବେ ଉପାୟ କ’ଣ ?

 

ସ୍ୱରାଷ୍ଟ୍ରମନ୍ତ୍ରୀ ବଚନ ସିଂ ବ୍ୟର୍ଥ ଉଦ୍ୟମର ସମସ୍ତ ଟିକିନିଖି ବିବରଣୀ ଦେଇ କ୍ଷୁର୍ଣ୍ଣ କଣ୍ଠରେ କହିଲେ—କେବଳ ଆଶ୍ଚର୍ଯ୍ୟ ହେବା ଛଡ଼ା ମୁଁ ଆଉ କିଛି ଉପାୟ ଦେଖୁନାହିଁ । ସାମ, ଦାନ, ଦଣ୍ଡ ଆଉ ଭେଦ, ରାଜନୀତିର ଯେତେ ସବୁ ଶାସନ କୌଶଳ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପ୍ରୟୋଗ କରିବାରେ କିଛି ବାକି ରହିନାହିଁ । ମାତ୍ର ଅବସ୍ଥା ଶାନ୍ତ ପଡ଼ିବା ପରିବର୍ତ୍ତେ ଆହୁରି ଅଣଆୟତ୍ତ ହୋଇପଡ଼ୁଛି । ସୂର୍ଯ୍ୟକୁମାର ଓ ପ୍ରବୋଧକୁମାର ୟୁନିଭରସିଟିରେ କୃତିତ୍ୱର ସହ ସଫଳ ହୋଇଥିଲେ ବି ସେମାନଙ୍କର ପରୀକ୍ଷା ବାତିଲ କରି ରଖାଯାଇଛି । ତା’ ଛଡ଼ା ଆଉ ଯେଉଁ ଗୁରୁତର ପଦକ୍ଷେପମାନ ନିଆଯାଇଛି, ତାହାର ସିକ୍ରେଟ ରିପୋର୍ଟ ଆପଣଙ୍କ ପାଖରେ ଉପସ୍ଥାପିତ କରାଯାଇଛି । ମାତ୍ର ସବୁ ଉଦ୍ୟମ ବ୍ୟର୍ଥ ହୋଇଯାଇଛି । ସେ ଆଉ କ’ଣ କହିବାକୁ ଯାଉଥିଲେ, ଚିଫ୍ ସେକ୍ରେଟାରୀ ଟେଲିଫୋନର ରିସିଭରଟା ଉଠାଇ ନେଇ ବିଚଳିତ ଭାବରେ କହିଲେ–ସାର୍ ! ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର କମିଶନର ଆପଣଙ୍କ ସାଙ୍ଗରେ କଥା ହେବାକୁ ଚାହାନ୍ତି । ବଚନ ସିଂ ଟେଲିଫୋନଟା କାନ ପାଖକୁ ନେଇ କ’ଣ ଶୁଣିଲେ କେଜାଣି, କହିଲେ—ଆଛା, ସେ ରିପୋର୍ଟଟା ଧରି କ୍ୟାବିନେଟ ରୁମକୁ ଆସନ୍ତୁ । ତା’ପରେ ସେ ପ୍ରଧାନମନ୍ତ୍ରୀଙ୍କ ଆଡ଼କୁ ଚାହିଁ କହିଲେ—ବଡ଼ ଗୁରୁତର ସମ୍ୱାଦ ଆଜ୍ଞା । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର କମିଶନର ତାଙ୍କର ଲାଟେଷ୍ଟ ରିପୋର୍ଟ ନେଇ ବର୍ତ୍ତମାନ ଏଠାକୁ ଆସୁଛନ୍ତି ।

 

ପ୍ରଧାନମନ୍ତ୍ରୀ ଉଦ୍‌ବିଗ୍ନ ହୋଇ ପଚାରିଲେ—କ’ଣ ସେ ରିପୋର୍ଟର ବିଷୟବସ୍ତୁ ? କବାଟ ଠେଲି ପଶିଆସିଲେ କମିଶନର ସାହେବ ହାତରେ ଫାଇଲଟାଏ ଧରି । ବଚନ ସିଂ ଫାଇଲଟି ତାଙ୍କ ହାତରୁ ଏକ ପ୍ରକାର ଝାମ୍ପି ନେଇ ପ୍ରଧାନ ମନ୍ତ୍ରୀଙ୍କ ହାତକୁ ବଢ଼ାଇ ଦେଲେ ।

 

ରିପୋର୍ଟଟି ଦେଖି ପ୍ରଧାନମନ୍ତ୍ରୀ ଥକ୍‌କା ମାରି କିଛି ସମୟ ବସିପଡ଼ିଲେ । ମନେ ହେଉଥିଲା ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଦେହଟା ଯେମିତି ଅବଶ ହୋଇଆସୁଛି ।

 

ସାମନାରେ କାନ୍ଥ ଘଣ୍ଟା ଉପରେ ନିଜର ଦୃଷ୍ଟି ସ୍ଥିର ରଖି ସେ କ୍ଷୀଣ କଣ୍ଠରେ କହିଲେ–ଆଉ ବୋଧହୁଏ କୌଣସି ଉଦ୍ୟମ ଫଳପ୍ରଦ ହେବନାହିଁ ।

 

ଆଇନମନ୍ତ୍ରୀ ରାଙ୍ଗା ରାଓ ସିଧା ହୋଇ ବସିପଡ଼ି ପଚାରିଲେ—କ’ଣ ହେଲା ଆଜ୍ଞା ? ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟି ଏ ପର୍ଯ୍ୟନ୍ତ ସେଇ କାନ୍ଥ ଘଣ୍ଟା ଉପରେ ନିବଦ୍ଧ ଥିଲା । ବିବ୍ରତ ହେବାର କୌଣସି ଭାବ ପ୍ରକାଶ ନ କରି ସେ କହିଲେ—ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଆସାମ ଓ ଓଡ଼ିଶାର ଗଭର୍ଣ୍ଣରମାନେ ଇସ୍ତଫା ଦେଇଛନ୍ତି । ସେହି ରାଜ୍ୟଗୁଡ଼ିକର ଜିଲ୍ଲାପାଳମାନେ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ନେଇ ଚାଲିଯାଇଛନ୍ତି । ଶାସନ କାର୍ଯ୍ୟ ପରିଚାଳନା କରିବା ସମ୍ଭବ ନୁହେଁ ବୋଲି ସେମାନେ ଜଣାଇଛନ୍ତି ।

 

ବଚନ ସିଂ ତରତର ହୋଇ ଫାଇଲରୁ ଆଉ ଗୋଟିଏ ରିପୋର୍ଟ କାଢ଼ି କହିଲେ—ସକାଳର ଏ ରିପୋର୍ଟଟି ମଧ୍ୟ ଦେଖିଥିବେ । ପଞ୍ଜାବ ଆଉ ହରିଆନାର ଆଇ ଜି ଅଫ୍ ପୋଲିସ ଜଣାଇଛନ୍ତି, ସେଠାରେ ପୋଲିସ ବାହିନୀରେ ଖୁବ୍ ବିଶୃଙ୍ଖଳା ଦେଖାଦେଇଛି । ଆନ୍ଦୋଳନକାରୀମାନଙ୍କ ଉପରେ କୌଣସି କଠୋର ବ୍ୟବସ୍ଥା ପ୍ରୟୋଗ କରିବାକୁ ସେମାନେ ରାଜି ହେଉନାହାନ୍ତି । ଜୁନିଅର ଅଫିସରମାନେ କୁଆଡ଼େ ବିରୋଧୀ ଶକ୍ତିଙ୍କ ସାଙ୍ଗରେ ଗୋପନରେ ହାତ ମିଳାଇଛନ୍ତି । ଶୃଙ୍ଖଳାଗତ ଶାସ୍ତିର ଭୟ ଦେଖାଇଲେ, ସମୂହ ଛୁଟି ନେଇ ଚାଲିଯିବାକୁ ଧମକ ଦେଉଛନ୍ତି ।

 

ଶିକ୍ଷାମନ୍ତ୍ରୀ ପ୍ରତାପ ଚନ୍ଦ୍ର ମୈତ୍ର ପଚାରିଲେ—ଅନ୍ୟ ପ୍ରଦେଶ ଗୁଡ଼ିକର ଖବର କ’ଣ ? ଦକ୍ଷିଣ ଭାରତରେ ବୋଧହୁଏ ଏପରି ଅବସ୍ଥା ଉପୁଜି ନାହିଁ ।

 

ପ୍ରଧାନ ମନ୍ତ୍ରୀ ଅସହିଷ୍ଣୁ ଭାବରେ ମନ୍ତବ୍ୟ କଲେ—ହାଉ ସିଲ୍ଲି.... ସେ ଟିକିଏ ରହିଯାଇ ପୁଣି କହିଲେ—ଆପଣମାନଙ୍କର ମତ କ’ଣ ?

 

ପୁରୁଖା ନେତା କୃଷିମନ୍ତ୍ରୀ ବିକ୍ରମ ରାଓ କହିପକାଇଲେ—ଇସ୍ତଫା ଦେଇ ସାନି ନିର୍ବାଚନର ସମ୍ମୁଖୀନ ହେବାଛଡ଼ା ଆଉ କିଛି ଉପାୟ ନାହିଁ । ସମସ୍ତେ ଚୁପ ରହିଲେ । ପ୍ରଧାନମନ୍ତ୍ରୀ ଘୋଷଣା କଲେ—ବୈଠକ ମୁଲତବି ରହିଲା । ସମସ୍ତେ ଚିନ୍ତିତ ମନରେ ଉଠି ଚାଲିଗଲେ ।

 

ତା ପର ଦିନ ସକାଳ । ସମୟ ଛ’ଟା । ବ୍ରହ୍ମପ୍ରକାଶଙ୍କର ଆଶ୍ରମରେ ଚା ଖିଆ ବେଳ, ଆଶ୍ରମ କହିଲେ କିଛି ବୃଥା ଧର୍ମ ଧାରଣା ସେଠି ନାହିଁ । ବୃଥା କଠୋର ଅନୁଶାସନର କୃଚ୍ଛ୍ରସାଧନା ବି ନାହିଁ । କେବଳ ଶୃଙ୍ଖଳା ଆଉ କାମ—ଏଇ ଦୁଇଟି କେନ୍ଦ୍ରର ପରିଧିରେ ଆଶ୍ରମର ସମସ୍ତ ଅନୁଶାସନ ଘୂରୁଛି । ଏଇ ସମୟରେ ସମସ୍ତେ ଏକାଠି ହୁଅନ୍ତି । ଅମ୍ୱିକାଦେବୀ ଆଉ କମଳା ଦେବୀ ପରିବେଷଣ କାମରେ ଥାନ୍ତି । ପ୍ରଜ୍ଞା କେତେ ପ୍ରକାରର ଖବର କାଗଜ ଧରି ପଢ଼ି ଶୁଣାଏ । ହସ ଖୁସି ସ୍ନେହ ମମତାରେ ଆଶ୍ରମର ସେହି ସମୟଟି ଶାନ୍ତିର ବୈକୁଣ୍ଠପରି ଲାଗେ । ସେ ଦିନ କିନ୍ତୁ ଅବସ୍ଥା ଅନ୍ୟ ପ୍ରକାର ଥିଲା । ଡାକ୍ତର ଦାସ ଚା ଖାଉ ଖାଉ ଅଧେ ଚା ଢାଳି ହୋଇ ଯାଇ ତାଙ୍କ ପାଦରେ ବେଶ୍ ତାତି ଲାଗିଛି । ପ୍ରଜ୍ଞା ଖବର କାଗଜଟାକୁ ଧରି ଗୋଟାଏ ନିର୍ଜୀବ ଯନ୍ତ୍ର ପରି କେବଳ ପଢ଼ି ଚାଲିଛି । ବେଳେ ବେଳେ ମଝି ଧାଡ଼ିଟା ଛାଡ଼ି ଯିବାରୁ ଖବରଟା ଅଧା ଖଣ୍ଡିଆ ଲାଗୁଛି । କାହାରି ମନରେ ସୁଖ ନାହିଁ । ସବୁ ଚେଷ୍ଟା ବ୍ୟର୍ଥ ହୋଇ ଯାଇଛି । କିଛି ଖବର ମିଳିବାକୁ ନାହିଁ । ବ୍ରହ୍ମପ୍ରକାଶବାବୁ ଆଜି ଅସ୍ୱାଭାବିକ ଭାବରେ ଚିନ୍ତିତ ଜଣା ପଡ଼ୁଛନ୍ତି । ସେ କେତେଥର ଚେଷ୍ଟା କଲେଣି କିଛି କହିବାକୁ । କିନ୍ତୁ ପ୍ରଜ୍ଞା ଆଉ ଡାକ୍ତର ଦାସଙ୍କର ମୁହଁ ଉପରେ ଆଖିପଡ଼ିଯିବା ପରେ ତାଙ୍କର ଆଉ ସେ ସାହସ ନାହିଁ । ସଦା ପ୍ରସନ୍ନ ଅବିଚଳିତ ବ୍ରହ୍ମପ୍ରକାଶବାବୁ ସମ୍ଭବତଃ ଖୁବ୍ ଚେଷ୍ଟାକରି ଉଦ୍‌ଗତ ଭବୋଚ୍ଛ୍ୱାସକୁ ଚାପି ରଖିଥିଲେ । ସମସ୍ତେ ଚୁପ୍ ଚାପ୍ ବସି ଭାବୁଥିଲେ—ସୂର୍ଯ୍ୟର କ’ଣ ହେଲା ?

 

ହଠାତ୍ ରେଡ଼ିଓ ଘୋଷଣାକଲା ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଦେଶରେ ରାଷ୍ଟ୍ରପତି ଶାସନ ଜାରୀ ହୋଇଛି । ସମସ୍ତ ଚମକି ଉଠିଲେ । ବ୍ରହ୍ମପ୍ରକାଶବାବୁ ନିଜ ଭିତରକୁ ଫେରିଆସି ଅବିଚଳିତ ଭାବରେ କହିଲେ—ଏଥିରେ ବିସ୍ମିତ ହେବାର କ’ଣ ଅଛି ? ଜନତାର ଶକ୍ତି ସବୁବେଳେ ଦୁର୍ଜେୟ । ସେ ଶକ୍ତିର ପରିଚୟ ଆଜି ନୂଆ ନୁହେଁ । ଅତୀତରେ ଅନେକ ଥର ତାର ପରିଚୟ ମିଳିଛି । କିନ୍ତୁ ସ୍ୱାର୍ଥପର ମଣିଷ କର୍ତ୍ତୃତ୍ୱର ମୋହରେ ତାକୁହିଁ ଶୋଷଣର ଆୟୂଧ କରି ବସିଛି ନିଜର ପ୍ରତିଷ୍ଠା ଆଉ ସ୍ୱାଚ୍ଛନ୍ଦ୍ୟ ପାଇଁ ।

 

ରେଡ଼ିଓରୁ ଘୋଷଣାଟି ଶୁଣିଲା ପରଠାରୁ ପ୍ରବୋଧ ଏକ ପ୍ରକାର ନିର୍ବାକ ହୋଇ ଯାଇଛି । ସେ ଖାଲି ଚିନ୍ତିତ ଭାବରେ ଦୂରକୁ ଚାହିଁ ରହିଛି । ସେହିପରି ଦୃଷ୍ଟି ସ୍ଥିର ରଖି ସେ ନିଦରେ ପ୍ରଳାପ କଲାପରି କହିଲା—ମଣିଷ ମହାନ ହେଲେ ବି ସବୁକାଳ ପାଇଁ ସେ ବଞ୍ଚେନା, କିନ୍ତୁ ବଞ୍ଚେ ତାର ଆଦର୍ଶ ଆଉ ଦର୍ଶନ ।

 

ପ୍ରବୋଧର ଏ ଅବସ୍ଥା ଦେଖି ବ୍ରହ୍ମପ୍ରକାଶ ପଚାରିଲେ—କ’ଣ ଭାବୁଚୁ ପ୍ରବୋଧ ।

 

ପ୍ରବୋଧ କହିଲା—ନା କିଛି ନୁହେଁ । ମୁଁ ଖାଲି ଦେଖୁଛି ସାମନାରେ କାମର ପାହାଡ଼ ଆଉ ତ୍ୟାଗର କଡ଼ା କ୍ରାନ୍ତି ହିସାବ ।

 

ଡାକ୍ତର ଦାସ ମନକୁ ଖୁବ୍ ଟାଣ କରି ସାରିଥିଲେ । ସେ ବ୍ରହ୍ମପ୍ରକାଶଙ୍କୁ ଚାହିଁ କହିଲେ–ଆପଣ କିଛି ଧରିପାରୁଛନ୍ତି ପ୍ରବୋଧ କଥାରୁ ?

 

ବ୍ରହ୍ମପ୍ରକାଶ କହିଲେ—ହଁ, ଏଇ ଆମ ଦେଶ, ଆଉ ଜାପାନ, ଉଭୟଙ୍କର ସ୍ୱାଧୀନତା ପ୍ରାପ୍ତି ମାତ୍ର ଦୁଇଟି ବର୍ଷର ବ୍ୟବଧାନ । ଦ୍ୱିତୀୟ ମହାଯୁଦ୍ଧର ବିଦୀର୍ଣ୍ଣ ଗର୍ଭରୁ ଦୁଇଟି ଯାକର ଜନ୍ମ । ଉତ୍ତରାଧିକାରୀ ସୂତ୍ରରେ ଗୋଟିଏ ପାଇଥିଲା ମଶାଣିର ସ୍ତୂପୀକୃତ ଗଦାଏ ପାଉଁଶ ଆଉ ଆରଟି ପାଇଥିଲା ବହୁମୂଲ୍ୟ ସମ୍ପଦରାଶିର ଅକ୍ଷୂର୍ଣ୍ଣ ପାହାଡ଼ । ବିଶ୍ୱରେ ଗୋଟିଏ ଆଜି ବିଭବରେ ପରିପୂର୍ଣ୍ଣ ପ୍ରାଚୁର୍ଯ୍ୟର ଭଣ୍ଡାର ଆଉ ଆରଟି ଅନ୍ନବସ୍ତ୍ରରେ କାଙ୍ଗାଳ । କୃଷିଭିତ୍ତିକ ଏ ଦେଶର ଅର୍ଥନୀତି । ଶିଳ୍ପ ପ୍ରସାର କରି ସମ୍ୱଳ ବୃଦ୍ଧି କରିବା ଯେ କୌଣସି ବିକାଶଶୀଳ ରାଷ୍ଟ୍ର ପକ୍ଷରେ ଅବଶ୍ୟ କର୍ତ୍ତବ୍ୟ । ମାତ୍ର ଯୋଜନାରେ ଆମର ଦୃଷ୍ଟିଭଙ୍ଗୀ ବାସ୍ତବବାଦୀ ନ ହେଲେ ବିପର୍ଯ୍ୟୟ ଅବଶ୍ୟମ୍ଭାବୀ । ମୋର ମନେହୁଏ ଆମେ ବୋଧହୁଏ ସେହି ଅବସ୍ଥାର ସମ୍ମୁଖୀନ ହୋଇଛୁ । କୃଷି କ୍ଷେତ୍ରରେ ଆମେରିକା ଜାପାନ ଆଉ ଭାରତର ଆଭିମୁଖ୍ୟକୁ ବିଚାରକୁ ନିଆଯାଉ । ଆମେରିକାରେ ଜମି ବେଶି, ଲୋକ ଅଳ୍ପ । ତେଣୁ ବେଶି ଜମିରେ ଅଳ୍ପ ଲୋକଶକ୍ତି ପ୍ରୟୋଗ କରି ସର୍ବାଧିକ ଫସଲ ଅମଳ ଜାପାନର ନୀତି । ଭାରତର ଅବସ୍ଥା ଜାପାନ ସହିତ ପ୍ରାୟ ସମାନ । ସୁତରାଂ କୃଷି କ୍ଷେତ୍ରରେ ଜାପାନ ଆମର ଆଦର୍ଶ ହେବା କଥା । ମାତ୍ର ହୋଇଛି କ’ଣ ? ଅବ୍ୟବସ୍ଥିତ ଆମର ଯୋଜନା, ଅସ୍ଥିର ଆମର ଚିନ୍ତା-। ତେଣୁ କୃଷି କ୍ଷେତ୍ରରେ ଆମର ସଂଗ୍ରାମ ସଫଳ ହେବ କିପରି ?

 

ଶିଳ୍ପ କ୍ଷେତ୍ରରେ ମଧ୍ୟ ଠିକ୍ ସେୟା । ଦେଶର ଲୋକଙ୍କର ଆବଶ୍ୟକ ହେଉଥିବା ଶିଳ୍ପଜାତ ସାମଗ୍ରୀମାନଙ୍କ ମଧ୍ୟରୁ ଶତକଡ଼ା ଷାଠିଏ ଭାଗ ହସ୍ତଶିଳ୍ପରେ ସମ୍ଭବ ! ସେ ସବୁର ଉତ୍ପାଦନ ପାଇଁ ବଡ଼ ବଡ଼ ଶିଳ୍ପକୁ ବାସନ୍ଦ କରି ହସ୍ତଶିଳ୍ପକୁ ଉତ୍ସାହିତ କରିବା କଥା । ମାତ୍ର ଶିଳ୍ପର ସାନ ବଡ଼ ଏ ଦୁଇଟି କ୍ଷେତ୍ରରେ ଅବାସ୍ତବ ପ୍ରତିଯୋଗିତାର ଅବାଧ ପ୍ରୋତ୍ସାହନ, ଭୟାବହ ଭୂମିକମ୍ପ ଭଳି ଶିଳ୍ପସାମ୍ରାଜ୍ୟକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି । ଗୋଟିଏ ଶ୍ରେଣୀ ହାତରେ ପ୍ରଚୁର ଅର୍ଥ ଠୂଳ ହେଉଥିବାବେଳେ ଅନ୍ୟ ଶ୍ରେଣୀର ଦୁର୍ବଳ ଜୀବିକା ସବୁ ମୂଳପୋଛ ହୋଇଯାଇଛି । ତେଣୁ ଏହି ଶ୍ରେଣୀର ଲୁଣ୍ଠିତ ଶିଳ୍ପୀକୁଳ ଚରମ ବେକାରୀ ଆଉ ଦୁର୍ଦ୍ଦିନ ଭିତରେ ଆର୍ତ୍ତନାଦ କରିବେ ନାହିଁ ତ ଆଉ କରିବେ କ’ଣ ?

 

ଯୁକ୍ତି ଶୁଣି ପ୍ରବୋଧର ଆତ୍ମା ବୋଧହୁଏ ଶାନ୍ତ ହୋଇଗଲା । ଟିକିଏ ନୀରବ ରହି ସେ ପୁଣି ଆଗ୍ରହରେ କହିଲା—ତା’ହେଲେ ଆମର ଚିଠା ଯୋଜନାରେ ଏ ସବୁ ପରିଷ୍କାର ଭାବରେ ସ୍ଥାନ ପାଇବା ଦରକାର । ମୋର କିନ୍ତୁ ଆଶଙ୍କା ଯେ ଅବାଧ ବାଣିଜ୍ୟ କାରବାର ଭିତରେ ମୁନାଫା ଯେଉଁମାନଙ୍କର ନିଶା, ସେମାନଙ୍କର ପ୍ରବଳ ଆକ୍ରମଣର ଆମକୁ ସମ୍ମୁଖୀନ ହେବାକୁ ପଡ଼ିବ ।

 

ପ୍ରବୋଧ ପଚାରିଲା—କାହିଁକି ? କ’ଣ ତାର କାରଣ ?

 

ବ୍ରହ୍ମପ୍ରକାଶ କହିଲେ—କାରଣ ସମସ୍ତଙ୍କୁ ଜଣା । ମାତ୍ର କରୁଛି କିଏ ? ଗାନ୍ଧିଜୀ କହୁଥିଲେ—‘‘ମୋ ଜୀବନ ହିଁ ମୋର ବାଣୀ ।’’ କଥା କହି ଉପଦେଶ ଦେଲେ ଆଦର୍ଶ ବଞ୍ଚେନା । ନେତୃତ୍ୱର ଆଦର୍ଶ ଆଚରଣରେ ପ୍ରତିଫଳିତ ନ ହେଲେ ଜାତୀୟ ଚରିତ୍ର ସଙ୍ଗଠନ ହୁଏନା । ଏଇଥିରୁ ମୁକ୍ତି ଆମ ସମସ୍ତଙ୍କର କାମନା ।

 

ଡାକ୍ତର ଦାସ ପଚାରିଲେ—ତା’ହେଲେ ଭାରତର ସେ ଜାତୀୟ ଚରିତ୍ର ଆଦି ଗଲା କୁଆଡ଼େ ?

 

ଶାନ୍ତ କଣ୍ଠରେ ବ୍ରହ୍ମପ୍ରକାଶ ଉତ୍ତର ଦେଲେ—ଯେ ଥିଲା ସେ କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠିପାରେ । ସେ ଗୋଟାଏ ବିବଦମାନ ପ୍ରଶ୍ନ । ମାତ୍ର ପାଞ୍ଚ ହଜାର ବର୍ଷର ଇତିହାସ ଭିତରେ ଭାରତର ଜାତୀୟ ଚରିତ୍ର ମୁଁ ଦେଖିନାହିଁ । ସେତେବେଳେ ଅବସ୍ଥା ଥିଲା ଭିନ୍ନ । ମାତ୍ର ଆଜି ସେଇ ଜିନିଷଟିର ଆବଶ୍ୟକତା ସବୁଠାରୁ ବେଶି । ତା ନ ହେଲେ ଆମର ଅସ୍ତିତ୍ୱ ବିପନ୍ନ ହୋଇପଡ଼ିବ । ଏକଥା ନିର୍ଭର କରେ ଦେଶର ନେତୃତ୍ୱ ଉପରେ । ଶୋଷଣମୁକ୍ତ ସମାଜବାଦୀ ଦଳର ପ୍ରଥମ କାମ ଆଜି ସେୟା ।

Image